Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜସ୍ଥାନ କ୍ଷମତା କନ୍ଦଳ- କରୋନା ଭୂତାଣୁ ଠାରୁ ବେଶୀ ଭୟଙ୍କର କ୍ଷମତା ରାଜନୀତିର ଏ ପାଗଳ ମହାମାରୀ!!
ବିଶେଷ ଖବର

ରାଜସ୍ଥାନ କ୍ଷମତା କନ୍ଦଳ- କରୋନା ଭୂତାଣୁ ଠାରୁ ବେଶୀ ଭୟଙ୍କର କ୍ଷମତା ରାଜନୀତିର ଏ ପାଗଳ ମହାମାରୀ!!

July 15, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

କଂଗ୍ରେସର ଦୁଇଜଣ ପ୍ରଭାବଶାଳୀ ଯୁବ ନେତା ହଠାତ ବିଜେପିମୁହାଁ ହେବା, କରୋନା ମହାମାରୀ ସମୟର ସବୁଠୁ ବଡ ଖବର। କଂଗ୍ରେସ କ୍ଷମତାରେ ଥିବା ବେଳେ ରାହୁଲ ଗାନ୍ଧୀଙ୍କର ଅତ୍ୟନ୍ତ ଘନିଷ୍ଠ ରହିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ମାର୍ଚ୍ଚ ମାସରେ ଅକସ୍ମାତ ବିଜେପିରେ ଯୋଗଦେଲେ ଓ କଂଗ୍ରେସରୁ ତାଙ୍କର ବିଦାୟ ସହିତ ମଧ୍ୟ ପ୍ରଦେଶରେ କଂଗ୍ରେସ ସରକାରର ପତନ ଘଟିଲା। ତାର ଠିକ ତିନିମାସ ପରେ ରାଜସ୍ଥାନରେ କଂଗ୍ରେସର ଅନ୍ୟ ଜଣେ ପ୍ରଭାବଶାଳୀ ଯୁବନେତା ତଥା ରାଜସ୍ଥାନ କଂଗ୍ରେସ ସଭାପତି ଓ ଉପ ମୁଖ୍ୟମନ୍ତ୍ରୀ  ସଚିନ ପାଇଲଟ ଏବେ ବିଦ୍ରୋହୀ ସାଜିଛନ୍ତି। ତାଙ୍କର ବିଦ୍ରୋହ ସହିତ ରାଜସ୍ଥାନରେ କଂଗ୍ରେସ ସରକାରର ପତନ ଘଟିବ କି ନାହିଁ, ତାକୁ ନେଇ ଏବେ ଜୋର ଚର୍ଚ୍ଚା ଚାଲିଛି।

ଉଭୟ ସିନ୍ଧିଆ ଓ ପାଇଲଟ, କଂଗ୍ରେସର କ୍ଷମତା କେନ୍ଦ୍ର ସହିତ ଅନ୍ତରଙ୍ଗ ଥିଲେ। ପାରିବାରିକ ଭାବରେ ଏମାନେ ଗାନ୍ଧୀ ପରିବାର ସହିତ ପିଢୀ ପରେ ପରେ ପିଢୀ ସମ୍ପୃକ୍ତ। କଂଗ୍ରେସ କ୍ଷମତାରେ ଥିବା ବେଳେ ଏମାନଙ୍କୁ ସବୁଠୁ ଅଳ୍ପ ବୟସରୁ ବହୁତ ବଡ ନେତା ଭାବେ ଉପସ୍ଥାପନ କରା ଯାଇଛି। ତେବେ ଜାତୀୟ ସ୍ତରର କିଛି ସାମ୍ବାଦିକ ଏହି ଦୁଇ ନେତାଙ୍କୁ କଂଗ୍ରେସର ସବୁଠୁ ପ୍ରତିଭାଶାଳୀ ବୋଲି କୁହା ଯାଉଛି। ତେବେ କଂଗ୍ରେସରେ ସେମାନଙ୍କ ପ୍ରତିଭାର ଉପଯୋଗ ହେଉନଥିବାରୁ ଏବେ ବାବୁମାନେ ବିଜେପିରେ ଯୋଗଦେବା ବ୍ଯତୀତ ତାଙ୍କର ଅନ୍ୟ ବାଟ କଣ ବୋଲି ପଚରା ହେଉଛି। ତେବେ ରାଜନୀତିରେ ପ୍ରତିଭା କହିଲେ କେବଳ କ୍ଷମତା ବୋଲି ଆମେ ଏବେ ବୁଝୁଛୁ। କଂଗ୍ରେସ ରାଜନୀତିରେ ସବୁ ଗାଳି ସୋନିଆଁ-ରାହୁଲ-ପ୍ରିୟାଙ୍କା ଖାଇବେ, ହେଲେ ସବୁ କ୍ଷମତା ସିନ୍ଧିଆ-ପାଇଲଟମାନେ ଭୋଗ କରିବେ। ଏଇଟା ଗୋଟେ ନୂଆ ନିୟମ।

ତେବେ କଂଗ୍ରେସର କଣ ହେବ, ରାଜସ୍ଥାନରେ ଅଶୋକ ଗେହେଲୋଟ ସରକାର ରହିବ ନା ଭାଙ୍ଗିବ, ସଚିନ ପାଇଲଟ ବିଜେପିରେ ମିଶିବେ ନା ଏକ ନୂଆ ଦଳ ଗଢି ବିଜେପି ସମର୍ଥନରେ ସରକାର ଗଢିବେ, ଏହା ଆଜିର ପ୍ରଶ୍ନ ନା ଲକ୍ଷ ଲକ୍ଷ କରୋନା ଆକ୍ରାନ୍ତଙ୍କୁ ବଞ୍ଚାଇବା, ସବୁଠୁ ବଡ ଆହ୍ଵାନ। ମହାମାରୀ ବ୍ୟାପୁଥିବା ସମୟରେ ସିନ୍ଧିଆ ଓ ପାଇଲଟଙ୍କ ଉଚ୍ଚାଭିଳାଷ ଏତେ ବଡ ପ୍ରସଙ୍ଗ ହୋଇଛି କାହିଁକି? ଗୋଟେ ପକ୍ଷରେ କରୋନା ସଂକ୍ରମଣ ଆଜିର ସବୁଠୁ ବଡ ସଙ୍କଟ ହୋଇ ଠିଆ ହୋଇଛି, ଅନ୍ୟ ପକ୍ଷରେ ଆମ ରାଜନୀତିର ସବୁଠୁ କ୍ଷମତା-ବିକଳ ଚେହେରାଟି ଜଳ ଜଳ ଦିଶୁଛି।

ବିଜେପି କହିବା ଅନୁସାରେ ପାରିବାରିକ ରାଜନୀତି ବିରୋଧରେ କୁଆଡେ ତାଙ୍କର ଲଢେଇ ଚାଲିଛି। ହେଲେ କଂଗ୍ରେସର ସବୁ ରାଜକୁମାର ଓ ରାଜକୁମାରୀ ଏବେ ବିଜେପିର ଆଗଧାଡିର ନେତା। ମଧ୍ୟ ପ୍ରଦେଶରେ ଏବେ ଶିବରାଜ ସିଂ ଚୌହାନ କେବଳ ନାମକୁ ମାତ୍ର ମୁଖ୍ୟମନ୍ତ୍ରୀ। ସେଠାରେ ଗ୍ଵାଲିଆର ମହାରାଜା ନିଜକୁ “ଟାଇଗର” ବୋଲି କହୁଛନ୍ତି। ରାଜସ୍ଥାନରେ ମଧ୍ୟ ବିଜେପି ନିଜ ଲାଗି ନୂଆ “ପାଇଲଟ” ଖୋଜୁଛି। ସରକାର ଗଢିବା ଲାଗି ଭାରତରେ ନିର୍ବାଚନ ଆଉ ଜରୁରୀ ନୁହେଁ ବୋଲି ବିଜେପି ସ୍ପଷ୍ଟ ପ୍ରମାଣିତ କରି ଦେଇଛି। ନିର୍ବାଚନରେ ହାରିଲେ ମଧ୍ୟ ସରକାର ଗଢିବାରେ ବିଜେପିର ହିଁ ଅଧିକାର ରହିଛି ବୋଲି ଅନେକ ରାଜ୍ୟରେ ଆମେ ପ୍ରମାଣ ପାଇ ସାରିଛେ। ବିଧାୟକଙ୍କୁ ଇସ୍ତଫା ଦିଆଇ ସରକାର ଭାଙ୍ଗିବାର ନୂଆ “ଚାଣକ୍ୟନୀତି” ଏବେ ଚାଲିଛି। ଏ ପ୍ରକାର ରାଜନୀତି ଯେ ଆମ ଗଣତନ୍ତ୍ରର ବଡ ଶତ୍ରୁ ସେ କଥା ମାନିବାକୁ କେହି ପ୍ରସ୍ତୁତ ନୁହନ୍ତି।

ତେବେ ପ୍ରସଙ୍ଗ ସେଟା ନୁହେଁ, ଅସଲ ପ୍ରସଙ୍ଗ ହେଉଛି, କ୍ଷମତା ପାଇଁ ସରକାର ଭାଙ୍ଗିବା ଓ ଗଢିବା ଲାଗି ମହାମାରୀ ଏକ ପ୍ରକୃଷ୍ଟ ସମୟ କି? ଯେତେବେଳେ ଦୈନିକ ୨୮ ହଜାର ଲୋକ ଏହି ମହାମାରୀର ଶିକାର ହେଉଛନ୍ତି, ସେତେବେଳେ ଦେଶର ଶାସକ ବର୍ଗ ସରକାର ଗଢିବା ଓ ଭାଙ୍ଗିବାର ଖେଳ ଖେଳୁଛନ୍ତି। ଯୁବ ନେତାମାନଙ୍କର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ହେବାର ଅଭିଳାଷ ମଣିଷ ଜୀବନ ଅପେକ୍ଷା ବେଶ ଗୁରୁତ୍ୱପୂର୍ଣ୍ଣ ବୋଧହୁଏ। କରୋନା କାଳକୁ ଗୋଟେ ପରେ ଗୋଟେ ନିର୍ବାଚିତ ସରକାରକୁ ଭାଙ୍ଗିବାର ପ୍ରକୃଷ୍ଟ ସୁଯୋଗ ବୋଲି ବିଜେପି ବିଚାର କରୁଛି। ସବୁଠୁ ମଜା କଥା ହେଲା, ଯେଉଁ ରାଜ୍ୟରେ ସରକାର ଭାଙ୍ଗିବା ଭଳି ସ୍ଥିତି ଉପୁଜୁଛି ସେଠାରେ ତୁରନ୍ତ କେନ୍ଦ୍ର ସରକାରଙ୍କର ଆୟକର ବିଭାଗ, ଇଡି, ସିବିଆଇ ଓ ଏନଆଇଏ ପହଞ୍ଚି ଯାଉଛନ୍ତି। ଏହି ସଂସ୍ଥାଗୁଡ଼ିକର ରାଜନୈତିକ ଅପପ୍ରୟୋଗ ଏବେ ଏକ ସାଧାରଣ ଘଟନା ପାଲଟି ଯାଇଛି।

ଅନ୍ଯାନ୍ଯ ରାଜ୍ୟ ତୁଳନାରେ ରାଜସ୍ଥାନ ସରକାର କରୋନା ମୁକାବିଲାରେ ଅତ୍ୟନ୍ତ ପ୍ରଶଂସନୀୟ କାମ କରୁଛନ୍ତି। ଗତ କିଛି ଦିନ ଭିତରେ ରାଜସ୍ଥାନରେ ନୂତନ ସଂକ୍ରମିତଙ୍କ ସଂଖ୍ୟା କମୁଛି। ପ୍ରତି ଦଶ ଲକ୍ଷରେ ୧୩,୮୨୬ ଜଣଙ୍କର ପରୀକ୍ଷା କରିବା ସତ୍ତ୍ୱେ ରାଜ୍ୟରେ ସଂକ୍ରମଣ ହାର ମାତ୍ର ୨% ବଢୁଛି। ଆପାତତଃ କରୋନା ମୁକାବିଲାରେ ରାଜସ୍ଥାନ ସରକାରଙ୍କର ଆନ୍ତରିକତା କୁ ପ୍ରଶ୍ନ କରା ଯାଇପାରିବ ନାହିଁ। ସେମିତି ଏକ ସମୟରେ ରାଜସ୍ଥାନ ସରକାର ଭାଙ୍ଗିବା ଲାଗି ଇଉପିଏ ମୁଖ୍ୟମନ୍ତ୍ରୀଙ୍କ ବିଦ୍ରୋହକୁ ଆମେ ଆଦର୍ଶଗତ ବିଦ୍ରୋହ ବୋଲି କେମିତି କହିବା? କ୍ଷମତା ହାସଲ କରିବା ଲାଗି ମହାମାରୀର ସମୟ ହିଁ ଉପଯୁକ୍ତ ବୋଲି ସଚିନ ପାଇଲଟଙ୍କ ଚିନ୍ତା ପଛରେ ତାଙ୍କର ଆଦର୍ଶ ବା ସତ୍ୟନିଷ୍ଠା ସତରେ ରହିଛି କି?

Share. Facebook Twitter LinkedIn Email WhatsApp Copy Link

Related Posts

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026
Latest News

ମନ୍ଦିରର ୫୦୦ ମିଟର ମଧ୍ୟରେ ମାଂସ ଦୋକାନ ବନ୍ଦ: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶ

March 19, 2026

ଏହି ୩ ଟି ଷ୍ଟେସନରେ ଟ୍ରେନଗୁଡ଼ିକର ହେଲା ପରୀକ୍ଷାମୂଳକ ରହଣି 

March 19, 2026

ନୋରା ଫତେହିଙ୍କ ବିବାଦୀୟ ଗୀତ ମାମଲା: ଫତୱା ଜାରି କଲା ମୁସଲିମ ପର୍ସନାଲ ଦାରୁଲ ଇଫ୍ତା

March 19, 2026

ଏହି ରାଜ୍ୟରେ ପରିବର୍ତ୍ତନ ହେବ ସରକାର?: ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ବଢାଇଲା ପୋଲ ମନ୍ତ୍ରା ସର୍ଭେ

March 19, 2026

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.