ଗଞ୍ଜାମ : କରୋନା ଭୟ ଆମକୁ କେବଳ ଭୟାଳୁ ନୁହେଁ ଅସଭ୍ୟ ମଧ୍ୟ କରିଦେଉଛି ଏହାର ଏକ ନଗ୍ନ ଉଦାହରଣ ଆମକୁ ଗଞ୍ଜାମ ଜିଲ୍ଲାରୁ ଦେଖିବାକୁ ମିଳିଛି । କରୋନା ଭୟରେ ଜଣେ ମହିଳାଙ୍କ ଶବକୁ କେହି ନ ଛୁଇଁବାରୁ ଗାଁ ଦାଣ୍ଡରେ ପଡି ରହିଥିଲା ।
କରୋନା ସନ୍ଦେହରେ ଶବକୁ କେହି ନ ଛୁଇଁବାରୁ ଗାଁ ଦାଣ୍ଡରେ 14 ଘଣ୍ଟା ଧରି ଜଣେ ମହିଳାଙ୍କ ମୃତଦେହ ପଡି ରହିଲା । ଏପରି ଏକ ଘଟଣା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଗୋଲପଡା ଗ୍ରାମରେ ଘଟିଛି ।
ସୂଚନାଯୋଗ୍ୟ, ଗତକାଲି ସକାଳେ ଏହି ମହିଳାଙ୍କର ହଠାତ୍ ମୃତ୍ୟୁ ଘଟିଥିଲା । ତେବେ ତାଙ୍କୁ କରୋନା ଆକ୍ରାନ୍ତ ସନ୍ଦେହ କରି ଗ୍ରାମବାସୀମାନେ କେହି ତାଙ୍କ ଶବକୁ ଛୁଇଁନଥିଲେ। 14 ଘଣ୍ଟା ଧରି ମୃତଦେହ ଗାଁ ଦାଣ୍ଡରେ ପଡି ରହିବା ପରେ ବିଳମ୍ବିତ ରାତ୍ରିରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ୍ ସହାୟତାରେ ଉକ୍ତ ମହିଳାଙ୍କ ଶବ ସଂସ୍କାର ହୋଇଥିଲା । ତେବେ ମହିଳାଙ୍କ ଜଣକ କେଉଁ କାରଣ ଯୋଗୁଁ ମୃତ୍ୟୁ ହୋଇଛି ତାହା ଜଣାପଡିନାହିଁ । ତେବେ ତାଙ୍କ ପରିବାରର ଜଣେ କରୋନା ପଜିଟିଭ୍ ହୋଇ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।