କରୋନା ସନ୍ଦେହରେ ପାଖପଡିଶା ପାଖ ମାଡିଲେନି, ଶବକୁ କାନ୍ଧ ଦେଲେ ଚାରି ସାମ୍ବାଦିକ

Published: Jul 23, 2020, 10:45 am IST

ବ୍ରହ୍ମପୁର : କରୋନା ଆଗରେ ଆମର ମାନବିକତା ବଳି ପଡିଯାଉଛି । ଏହି ମହମାରୀ ଯୋଗୁଁ  ଲୋକଙ୍କ ମଧ୍ୟରେ ଘୃଣା ଓ ତିକ୍ତତା  ବୃଦ୍ଧି ପାଉଛି । ମୃତଦେହ ଘଣ୍ଟା ଘଣ୍ଟା ଧରି ପଡିରହିଥିଲେ ବି କରୋନା ଡରରେ କେହି କାନ୍ଧ ଦେଉନାହାନ୍ତି । ଗଞ୍ଜାମ ଜିଲ୍ଲାର ଶେରଗଡ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିରହିଥିବାବେଳେ କେହି ସାହାଯ୍ୟ କରିନଥିଲେ । ଏହି ସମୟରେ ଚାରି ଜଣ ସାମ୍ବାଦିକ ଶବକୁ କାନ୍ଧେଇ ସତ୍କାର ପାଇଁ  ଆଗେଇ ଆସିଥିଲେ ।

ମିଳିଥିବା ସୂଚନା ଅନୁସାରେ ଶେରଗଡ ଗ୍ରାମର ବଡଦାଣ୍ଡ ସାହି ବାସିନ୍ଦା ତଥା ପୂର୍ବତନ ପ୍ରଧାନ ଶିକ୍ଷକ 10/15 ଦିନ ଧରି ଜ୍ବର କାଶରେ ପୀଡ଼ିତ ଥିଲେ । ମଙ୍ଗଳବାର ରାତ୍ରିରେ ତାଙ୍କର ମୃତ୍ୟୁ ଘଟିଥିଲା । ସେ ଓ ତାଙ୍କ ପତ୍ନୀ ରହୁଥିବାବେଳେ ତାଙ୍କର ଦୁଇ ପୁଅ ଅନ୍ୟ ରାଜ୍ୟରେ ଚାକିରି କରିଛନ୍ତି । କରୋନା କଟକଣା ଯୋଗୁଁ ଦୁଇ ପୁଅ ଘରକୁ ଫେରିପାରୁନଥିବାବେଳେ ମୃତ ଶିକ୍ଷକଙ୍କ ଶବ ସେମିତି ପଡି ରହିଥିଲା । ତାଙ୍କ ସ୍ତ୍ରୀ ଯେତେ ନେହୁରା ହେଲେ ବି କେହି ତାଙ୍କ କଥାକୁ ଶୁଣନଥିଲେ । ପାଖପଡୋଶୀମାନେ କରୋନା ସନ୍ଦେହରେ  କେହି ତାଙ୍କୁ ସାହାଯ୍ୟ କରିନଥିଲେ । ତେବେ ବିଳମ୍ବିତ ରାତ୍ରିରେ ଚାରିଜଣ ସାମ୍ବାଦିକ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ସେମାନେ ପିପିଇ କିଟ୍‌ ପିନ୍ଧି ଶବକୁ ବୋହି ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ । ଏହା ପରେ ସତ୍କାର ନିମେନ୍ତ ମୃତଦେହକୁ ବ୍ରହ୍ମପୁର ପଠାଇଥିଲେ । ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବାର ଜଣାଯାଇଛି ।

Related posts