ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମରେ ପ୍ରତିଦିନ ରେକର୍ଡ଼ ଭାଙ୍ଗୁଛି କରୋନା । ଏନେଇ ଗଂଜାମବାସୀ ଭୟଭୀତ ଅବସ୍ଥାରେ ଥିବାବେଳେ ଆଜି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, କମିଶନର ଚକ୍ରବର୍ତ୍ତୀ ସିଂ ରଠୋର ଟାଉନ୍ହଲ୍ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ସମ୍ମିଳନୀରେ କରୋନା ସଂପର୍କିତ ସବିଶେଷ ତଥ୍ୟ ରଖିଥିଲେ ।
ଜିଲ୍ଲାପାଳ କହିଥିଲେ ଗତ ଏକ ସପ୍ତାହ ମଧ୍ୟରେ ଗଂଜାମରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । ଏହି ବଢ଼ିବା ପଛରେ କାରଣ ରହିଛି । ଗଂଜାମ ଜିଲ୍ଲାକୁ କରୋନା ମୁକାବିଲା ପାଇଁ ଟାର୍ଗେଟ ଅନୁସାରେ କାମ ହେଉଛି । ବର୍ତ୍ତମାନ ଗଂଜାମ ଜିଲ୍ଲାରେ ତୃତୀୟ ରାଉଣ୍ଡ ଦ୍ୱାର ଦ୍ୱାର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ଚାଲିଛି । ଏହା ପ୍ରଥମେ ସହରରେ ହେଲା ବର୍ତ୍ତମାନ ଏବେ ସ୍ୱାସ୍ଥ୍ୟପରୀକ୍ଷା ଗ୍ରାମାଞ୍ଚଳରେ ହେଉଛି ।
୨୦୦ ଟି ଟିମ୍ ଯେଉଁଥିରେ ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ, ଡ଼ାକ୍ତର, ସ୍ୱାସ୍ଥ୍ୟକର୍ମୀ ରହି ଘରକୁ ଘରକୁ ବୁଲି ସ୍କ୍ରିନିଂ କରି ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଖୋଜୁଛନ୍ତି । ଯାହାର ଲକ୍ଷଣ ଅଛି ସେମାନଙ୍କର ସବିଶେଷ ତଥ୍ୟ ଜିଲ୍ଲା ପ୍ରଶାସନକୁ ଜଣାଇବା ପରେ ସେମାନଙ୍କ ସ୍ୱାବ୍ ଟେଷ୍ଟ କରାଯାଉଛି । ସେଥି ଯୋଗୁଁ ବର୍ତ୍ତମାନ ଗଂଜାମ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ବଢ଼ୁଛି । ଏହି ଅଧିକ ପରିମାଣରେ ରୋଗୀ ଚିହ୍ନଟ ହେବା ଏହା ସଫଳତା ବୋଲି କହିଥିଲେ । ପୂର୍ବରୁ ଲୋକେ ଲକ୍ଷଣ ଲୁଚାଇ ରଖି ଅନ୍ୟକୁ ସଂକର୍ମିତ କରୁଥିଲେ । କିନ୍ତୁ ବର୍ତ୍ତମାନ ଦ୍ୱାର ଦ୍ୱାର ସ୍କ୍ରିନିଂ ଯୋଗୁଁ ଏଭଳି ରୋଗୀ ଚିହ୍ନଟ ହେଉଛନ୍ତି । ପ୍ରତ୍ୟେକ ଗ୍ରାମରେ କୋଭିଡ଼୍ କେର ହୋମ୍ ଗଠିତ ହୋଇଛି । ସେଠାରେ ସମସ୍ତ ପ୍ରକାର ସୁବିଧା ଯୋଗାଇଯାଇଛି ।
ଘରକୁ ଘର ବୁଲି ସ୍କ୍ରିନିଂ ସମୟରେ କେଉଁମାନଙ୍କ ଡ଼ାଇବେଟିସ୍, ଉଚ୍ଚରକ୍ତଚାପ, କ୍ୟାନସର କିମ୍ବା ଅନ୍ୟ କୌଣସି ରୋଗ ଅଛି ସେମାନଙ୍କୁ ଚିହ୍ନଟ କରାଯାଉଛି । ସେମାନଙ୍କୁ ଟେଲି ମେଡ଼ିସନ୍ ମାଧ୍ୟମରେ ମେଡ଼ିସିନ୍ ଯୋଗାଇବା ସହ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ନଜର ରଖାଯାଇଛି । ଆଉ ସପ୍ତାହ ମଧ୍ୟରେ ସବୁ ପଜିଟିଭ୍ ଚିହ୍ନଟ ହୋଇ, ଏହାପରେ ସଂକ୍ରମିତଙ୍କ ସଂଖ୍ୟା କମିବ ବୋଲି ଜିଲ୍ଲାପାଳ କହିଥିଲେ । ଏହି ସ୍କ୍ରିନଂ କରିବା ପରେ କେତେକ ଗ୍ରାମକୁ ରେଡ଼୍ ଜୋନ୍ ଏବଂ ଯେଉଁଠି ସଂକ୍ରମିତ ନାହାନ୍ତି ସେହି ଗ୍ରାମକୁ ଗ୍ରୀନ୍ ଜୋନ୍ରେ ବିଭକ୍ତ କରାଯାଇଛି । ରେଡ଼୍ଜୋନ୍କୁ କଣ୍ଟେନମେଣ୍ଟ ଜୋନ୍ କରାଯାଇ ଭଲରେ ସ୍କ୍ରିନିଂ କରାଯାଉଛି, ଆକ୍ଟିଭ୍ କ୍ଣ୍ଟ୍ରାକ୍ଟ ଟ୍ରେସିଂ ହେଉଛି । ଚିହ୍ନଟ ବ୍ୟକ୍ତିଙ୍କୁ ଚିକିତ୍ସା କରାଯାଉଛି । ମୃତ୍ୟୁକୁ ରୋକିବାକୁ ମୁଖ୍ୟ ଗୁରୁତ୍ୱ ଦେଉଥିବା ଜିଲ୍ଲାପାଳ କହିଥିଲେ ।
ଗତ ସପ୍ତାହ ମଧ୍ୟରେ ୩୦ଟି ଗ୍ରାମକୁ ରେଡ଼୍ଜୋନ୍ରୁ ଗ୍ରୀନ୍୍ ଜୋନ୍କୁ ଅଣାଯାଇପାରିଛି । ଗଂଜାମକୁ ପ୍ରାୟ ୪ ଲକ୍ଷ ପ୍ରବାସୀ ଫେରିଛନ୍ତି । ସେମାନଙ୍କୁ କ୍ୱାରେଣ୍ଟାଇନ୍ରେ ସଫଳତା ସହ ରଖାଯାଇଥିଲା । ଏଥିରେ ସରପଞ୍ଚ, ବିଡ଼ିଓମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତେଣୁ ବର୍ତ୍ତମାନ ୮୪ ପ୍ରତିଶତ ଗ୍ରାମ ଗ୍ରୀନ୍ ଜୋନ୍ରେ ଅଛି । ଟିଏମ୍ସିଗୁଡ଼ିକ ସୁବ୍ୟବସ୍ଥିତ କରିବା ଯୋଗୁଁ ଆଜି ଗ୍ରାମଗୁଡ଼ିକ ଗ୍ରୀନ୍ ଜୋନ୍ରେ ରହିଛି । ଗଂଜାମରେ ବର୍ତ୍ତମାନ ମେଡ଼ିକାଲ୍ ସରଞ୍ଜାମର କୌଣସି ଅଭାବ ନାହିଁ । ଟାଟା କୋଭିଡ଼୍ ହସ୍ପିଟାଲ୍ରେ ୨୨୦ ବେଡ଼୍ ଥିବାବେଳେ ଅନ୍ୟାନ୍ୟ କୋଭିଡ଼୍ କେର ସେଣ୍ଟରଗୁଡ଼ିକ ମିଶାଇ ସମୁଦାୟ ୪୦୦୦ ବେଡ଼୍ ରହିଛି । ଗ୍ରାମାଞ୍ଚଳରେ ଆମ୍ବୁଲାନସ ବ୍ୟବସ୍ଥା କରାଯାଇଛି ।
ବର୍ତ୍ତମାନ ୧୫୦ ଟି ଅମ୍ବୁଲାନସ କରୋନା ରୋଗୀ ନେବା ଆଣିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏଥି ମଧ୍ୟରୁ ୪୦ଟି ଅକ୍ସିଜେନ୍ ଥିବା ଆମ୍ବୁଲାନସ ଯୋଗାଯାଇଛି। ରାଜ୍ୟ ସରକାର ସମସ୍ତ ପ୍ରକାର ସୁବିଧା ଯୋଗାଇଛନ୍ତି । ବର୍ତ୍ତମାନ ଗଂଜାମ ଜିଲ୍ଲା କଣ୍ଟ୍ରୋଲ୍ରେ ଅଛି ବୋଲି ଜିଲ୍ଲାପାଳ ଦୃଢ଼ତାର ସହ କହିଥିଲେ । ଗଂଜାମରେ ପ୍ଲାଜମା ଥିରେପି ଆରମ୍ଭ ହୋଇଛି । ତିନିଜଣଙ୍କୁ ପ୍ଲାଜମା ଦିଆଯାଇଥିବାବେଳେ ସମସ୍ତେ ବର୍ତ୍ତମାନ ଆରୋଗ୍ୟ ଆଡ଼କୁ ଗତି କରୁଛନ୍ତି ବୋଲି ଜିଲ୍ଲାପାଳ କହିଥିଲେ । ଗଂଜାମରେ ସବୁ ପ୍ରକାର ଔଷଧ ମହଜୁଦ୍ ଅଛି । ତେଣୁ ଚିନ୍ତା କରିବାର କିଛି ନାହିଁ ବୋଲି କହିଥିଲେ । ତେଣୁ କିଛି ଦିନ ମଧ୍ୟରେ ଅବସ୍ଥା ସାମାନ୍ୟ ଆଡ଼କୁ ଗତି କରିବା ଆରମ୍ଭ କରିବ ବୋଲି କହିଥିଲେ ।