ସରକାରୀ ହସ୍ପିଟାଲରୁ ଆସିଲା ହୃଦୟ ବିଦାରକ ଦୃ୍ଶ୍ୟ : ନବଜାତ ଶିଶୁକୁ ଟ୍ରେରେ ଧରିଛି ମା, ପିତାଙ୍କ କାନ୍ଧରେ ଅକ୍ସିଜେନ୍‌ ସିଲିଣ୍ଡର

Published: Jul 27, 2020, 12:27 pm IST

ପାଟନା : ବିହାରର ରାଜଧାନୀ ପାଟନାଠାରେ ମାନବିକତାକୁ ଲଜ୍ଜିତ କରିଥିବାର ଏକ ଯନ୍ତ୍ରଣାଦାୟକ ଦୃଶ୍ୟ ନଜରକୁ ଆସିଛି।  ଏହି ଘଟଣା ସାମ୍ନାକୁ ଆସିବା ପରେ ସଦର ଡାକ୍ତରଖାନାରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅବହେଳା ମଧ୍ୟ ସାମ୍ନାକୁ ଆସିଛି। ନବଜାତ ସନ୍ତାନର ଚିକିତ୍ସା ପାଇଁ ମାଆ-ବାପାଙ୍କୁ ହସ୍ପିଟାଲରେ ଏପଟସେପଟ ଦୌଡ଼ୁଥିବାର ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ୍‌ ହେବା ପରେ ଏହି ଘଟଣାଟି ଏବେ ଚର୍ଚ୍ଚାକୁ ଆସିଛି । ଏହି ଫଟୋରେ ନବଜାତ ଶିଶୁକୁ ଏକ ଟ୍ରେରେ ଶିଶୁର ମାତା ଧରିଥିବାବେଳେ ପିତା ଅକ୍ସିଜେନ୍‌ ସିଲିଣ୍ଡରକୁ କାନ୍ଧରେ ଧରି ହସ୍ପିଟାଲର ଦ୍ବାର ଦ୍ବାର ବୁଲୁଛନ୍ତି ।

ଏପରି ଏକ ହୃଦୟବିଦାରକ ଦୃଶ୍ୟ ସ୍ବାସ୍ଥ୍ୟ ରାଜ୍ୟମନ୍ତ୍ରୀ ଅଶ୍ବିନୀ କୁମାର ଚୌବେଙ୍କ ସଂସଦୀୟ କ୍ଷେତ୍ରରୁ ନଜର ଆସିଛି ।  ସଦର ହସ୍ପିଟାଲରେ ସ୍ବାସ୍ଥ୍ୟକର୍ମୀଙ୍କ ଦାୟିତ୍ବହୀନତା ଯୋଗୁଁ ନବଜାତ ଶିଶୁର ମୃତ୍ୟୁ ମଧ୍ୟ ହୋଇଯାଇଛି ।

ସୂଚନାଯୋଗ୍ୟ, ଭାଇରାଲ୍‌ ହୋଇଥିବା ଏହି ଫଟୋଟି ବକ୍ସରର ସଦର ହସ୍ପିଟାଲର ଜୁଲାଇ 23 ତାରିଖର । ରାଜପୁରର ସୁଖଆନା ନିବାସୀ ସୁମନ କୁମାରଙ୍କ ପତ୍ନୀ ଏକ ଶିଶୁକୁ ଜନ୍ମ ଦେଇଥିଲେ । ଶିଶୁଟି ଜନ୍ମରୁ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲା । ବିଚାରା ସ୍ବାମୀ-ସ୍ତ୍ରୀ ଶିଶୁକୁ ନେଇ ସଦର ହସ୍ପିଟାଲ ଯାଇଥିଲେ । କିନ୍ତୁ ସେଠାରେ କାଗଜପତ୍ର କାମ କରୁ କରୁ ବହୁ ସମୟ ଅତିବାହିତ ହୋଇଥିଲା । ହସ୍ପିଟାଲ ପ୍ରଶାସନର ଦାୟିତ୍ବହୀନତା ଯୋଗୁଁ ଶିଶୁଟିର ଜୀବନ ଚାଲିଯାଇଛି । ସୋସିଆଲ ମିଡିଆରେ ଏହି ଦୃଶ୍ୟ ଭାଇରାଲ୍‌ ହେବା ପରେ ବହୁ କଡା ପ୍ରତିକ୍ରିୟାମାନ ମିଳୁଛି । ଭୋଟ୍‌ କରି ଜନ ପ୍ରତିନିଧିମାନେ ରାଜନୀତି କରୁଥିବାବେଳେ ଭୋଟ୍‌ ଦେଇ ଜନତା ଏଠି ମରି ଚାଲିଛି ।

ପ୍ରତ୍ୟେକ ବର୍ଷ ନିର୍ବାଚନ ସମୟରେ ଶିକ୍ଷା, ସ୍ବାସ୍ଥ୍ୟକୁ ଉନ୍ନତି ତଥା ଆଗେଇ ନେବା ପାଇଁ ସମସ୍ତ ରାଜନୀତି ପାର୍ଟିମାନେ ପ୍ରତିଜ୍ଞା କରୁଥିବାବେଳେ ଭୋଟ୍‌ ପାଇ ସାରିବା ପରେ ସେହି ଶିକ୍ଷା ଓ ସ୍ବାସ୍ଥ୍ୟକୁ ଅତ୍ୟନ୍ତ ବିପର୍ଯ୍ୟସ୍ତ କରି ଚାଲିଛନ୍ତି । (ଏଜେନ୍ସି)

Related posts