ଭୁବନେଶ୍ୱର: ଚାଲିଥିବା ସ୍ୱଚ୍ଛତା ହି ସେବା ୨୦୨୬ ଅଭିଯାନର ଅଂଶସ୍ୱରୂପ ପୂର୍ବ ତଟ ରେଳପଥ ପକ୍ଷରୁ ଆଜି ଭୁବନେଶ୍ୱରସ୍ଥିତ ରେଳ ବିହାର ପଡ଼ିଆରେ “ଏକ ଦିନ, ଏକ ଘଣ୍ଟା, ଏକ ସାଥ୍” ବିଷୟବସ୍ତୁ ଆଧାରରେ ବ୍ୟାପକ ଶ୍ରମଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସ୍ୱଚ୍ଛତା, ଜନସହଭାଗିତା ଏବଂ ସ୍ଥାୟୀ ପରିବେଶ ପ୍ରତି ରେଳପଥର ପ୍ରତିବଦ୍ଧତାକୁ ଏହି କାର୍ଯ୍ୟକ୍ରମ ଆହୁରି ସୁଦୃଢ଼ କରିଛି।
ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ କାର୍ଯ୍ୟକ୍ରମରେ ଯୋଗଦେଇ ଅଧିକାରୀ, କର୍ମଚାରୀ, ସେମାନଙ୍କ ପରିବାରବର୍ଗ ଏବଂ ସଫେଇ ମିତ୍ରମାନଙ୍କ ସହିତ ସ୍ୱଚ୍ଛତା କାର୍ଯ୍ୟର ନେତୃତ୍ୱ ନେଇଥିଲେ। ସେ ସ୍ୱଚ୍ଛତା ବାର୍ତ୍ତା ପ୍ରଦାନ କରିବା ସହିତ ରେଳ କର୍ମଚାରୀ ଓ ସାଧାରଣ ଲୋକଙ୍କୁ ସ୍ୱଚ୍ଛତାକୁ ନିୟମିତ ଅଭ୍ୟାସରେ ପରିଣତ କରିବା ଏବଂ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନରେ ସକ୍ରିୟ ଭାବେ ଯୋଗଦାନ କରିବାକୁ ଆହ୍ୱାନ ଦେଇଥିଲେ।
ବ୍ୟାପକ ଶ୍ରମଦାନ ସମୟରେ ରେଳ ବିହାର ପଡ଼ିଆରେ ସଫେଇ ଓ ସୌନ୍ଦର୍ଯ୍ୟକରଣ, ଘାସ କାଟିବା ସହିତ ବିଭିନ୍ନ ସ୍ୱଚ୍ଛତା ସମ୍ପର୍କିତ କାର୍ଯ୍ୟ କରାଯାଇଥିଲା। ଏଥିରେ ରେଳ ଅଧିକାରୀ, କର୍ମଚାରୀ, ସେମାନଙ୍କ ପରିବାରବର୍ଗ ଏବଂ ସଫେଇ ମିତ୍ରମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ସଫେଇ ମିତ୍ରମାନଙ୍କୁ ସେମାନଙ୍କର ନିଷ୍ଠାପର ସେବା ଓ ରେଳ ପରିସରରେ ସ୍ୱଚ୍ଛତା ଏବଂ ପରିମଳ ବଜାୟ ରଖିବାରେ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା। ମହାପ୍ରବନ୍ଧକ ସଫେଇ ମିତ୍ରମାନଙ୍କ ଭୂମିକାକୁ ପ୍ରଶଂସା କରି ସେମାନଙ୍କ ସୁରକ୍ଷା, ସମ୍ମାନ ଓ କଲ୍ୟାଣ ପ୍ରତି ରେଳପଥର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ।
ସ୍ୱଚ୍ଛତା ହି ସେବା ୨୦୨୬ ଅଭିଯାନ ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ପୂର୍ବ ତଟ ରେଳପଥର ବିଭିନ୍ନ ଷ୍ଟେସନ, ଟ୍ରେନ, କାର୍ଯ୍ୟାଳୟ, କାରଖାନା, ଡାକ୍ତରଖାନା ଏବଂ ରେଳ କଲୋନୀ ଆଦି ଅଞ୍ଚଳରେ ପାଳନ କରାଯାଉଛି। ଏହି ଅଭିଯାନରେ ଜନସହଭାଗିତା, ସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନା, ସ୍ୱଚ୍ଛତା, ଆଚରଣଗତ ପରିବର୍ତ୍ତନ ଏବଂ ସଫେଇ ମିତ୍ରମାନଙ୍କ କଲ୍ୟାଣ ଉପରେ ଗୁରୁତ୍ୱ ଦିଆଯାଉଛି।


