Categories
ଆଜିର ଖବର ଜାତୀୟ ଖବର

ପିଆଇବି ଓ ସିବିସି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବ୍ୟାପୀ ସ୍ୱଚ୍ଛତା ହିଁ ସେବା ଅଭିଯାନ ଆୟୋଜିତ ହୋଇଯାଇଛି। ବିଭିନ୍ନ ବର୍ଗର ଜନସାଧାରଣ ୧ ତାରିଖରେ, ଏକା ସାଥୀରେ, ଏକ ଘଣ୍ଟା ପାଇଁ ଶ୍ରମଦାନ କରିଛନ୍ତି। ଏହି କ୍ରମରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଓ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱର ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପିଆଇବି ଓ ସିବିସିର ବରିଷ୍ଠ ଅଧିକାରୀମାନଙ୍କ ନେତୃତ୍ୱରେ ଭୁବନେଶ୍ୱର ଉପକଣ୍ଠ ବାଙ୍କୁଆଳ ଗ୍ରାମରେ ସଫେଇ ଅଭିଯାନ, ସ୍ୱଚ୍ଛତା ଶପଥ ପାଠ ଓ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ, ଏସପି ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଏକତା ଟ୍ରଷ୍ଟର ଯୁବ ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣ କରି ଗାଁର ରାସ୍ତାଘାଟ ଓ ସର୍ବସାଧାରଣ ସ୍ଥାନ ସଫେଇ କରିଥିଲେ। ସିବିସିର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାଶ ସମସ୍ତଙ୍କୁ ସ୍ୱଚ୍ଛତା ଶପଥ ପାଠ କରାଇଥିଲେ। ପିଆଇବି ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି, ସିବିସି କାର୍ଯ୍ୟକ୍ରମ ଅଧିକାରୀ ମହେନ୍ଦ୍ର ପ୍ରସାଦ ଜେନା, ପିଆଇବି ସୂଚନା ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦଙ୍କ ସମେତ ପିଆଇବି ଓ ସିବିସିର ସମସ୍ତ ଅଧିକାରୀ ଓ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ।

ଏହି ଅବସରରେ ସ୍ୱଚ୍ଛତା ଉପରେ ଏକ ସଚେତନତା ଶୋଭାଯାତ୍ରା ଗାଁ ପରିକ୍ରମା କରିଥିଲା ଏବଂ ସୂଚନାଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସିବିସିର ବାଲେଶ୍ୱର, କେନ୍ଦୁଝର, ଫୁଲବାଣୀ ଓ ବ୍ରହ୍ମପୁର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଅକ୍ଟୋବର ୧ରେ ଶ୍ରମଦାନରେ ନାଗରିକମାନେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

ନୂଆଦିଲ୍ଲୀ: ୨୦୨୩ ଅକ୍ଟୋବର ୧ ପୂର୍ବାହ୍ନ ୧୦ଟାରେ ସ୍ୱଚ୍ଛ ଭାରତ ଅଭିଯାନର ଏକ ଅଂଶ ଭାବେ ଶ୍ରମଦାନ ଅଭିଯାନରେ ନାଗରିକମାନେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁରୋଧ କରିଛନ୍ତି।

ସ୍ୱଚ୍ଛ ଭାରତ ଅର୍ବାନର ଏକ ପୋଷ୍ଟକୁ ଏକ୍ସରେ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,

‘ଅକ୍ଟୋବର ୧ ପୂର୍ବାହ୍ନ ୧୦ଟାରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱଚ୍ଛତା ଅଭିଯାନ ପାଇଁ ଏକାଠି ହେବା।

ଏକ ସ୍ୱଚ୍ଛ ଭାରତ ସମସ୍ତଙ୍କ ଦାୟିତ୍ୱ ଏବଂ ପ୍ରତ୍ୟେକ ଦାୟିତ୍ୱର ମୂଲ୍ୟ ଅଛି। ସ୍ୱଚ୍ଛ ଭବିଷ୍ୟତର ଆରମ୍ଭ ପାଇଁ ଏହି ମହାନ ପ୍ରୟାସରେ ସଭିଏ ସାମିଲ ହୁଅନ୍ତୁ।’

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟବ୍ୟାପୀ ଶ୍ରମଦାନ, ସଫେଇ ଓ ଜନସଚେତନତା କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକଙ୍କ ଅଂଶଗ୍ରହଣ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ଅଭିଯାନକୁ ୯ ବର୍ଷ ପୂରଣ ହେବାକୁ ଯାଉଛି। ଏହି କ୍ରମରେ ଗତ ସେପ୍ଟେମ୍ବର ୧୫ ତାରିଖ ଠାରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନ ପାନୀୟ ଜଳ ଓ ସ୍ୱଚ୍ଛତା ବିଭାଗ ଏବଂ ଆବାସ ଓ ସହରାଞ୍ଚଳ ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକାରୀ କରାଯାଉଛି। ଅଭିଯାନ ଅନ୍ତର୍ଗତ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଉଛି। ଏଥିରେ ବହୁସଂଖ୍ୟାରେ ସାଧାରଣ ଲୋକ ସାମିଲ ହେଉଥିବା ଦେଖାଯାଉଛି।

ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘରକୁ ଘର ବୁଲି ଅଳିଆ ସଂଗ୍ରହ କରାଯାଇଛି। ଜଳାଶୟ, ନାଳନର୍ଦ୍ଦମା, ଅଧିକ ବର୍ଜ୍ୟବସ୍ତୁ ଏକତ୍ରିତ ହେଉଥିବା ସ୍ଥାନ, ଧାର୍ମିକ ସ୍ଥାନ, ବିଭିନ୍ନ ପ୍ରତିଷ୍ଠାନ, ବଜାର ଘାଟ, ସ୍ୱଚ୍ଛ ଭାରତ ମିଶନରେ ନିର୍ମିତ ପ୍ରକଳ୍ପ, ପୁଷ୍କରିଣୀ ଆଦି ସଫେଇ କରାଯାଇଛି। ବିଭିନ୍ନ ସଂଗଠନ ଓ ସ୍ଥାନୀୟ ଲୋକମାନେ ସ୍ୱତଃପ୍ରବୃତ ଭାବେ ଶ୍ରମଦାନ କରି ସଫେଇ କରିଛନ୍ତି।

ସେହିପରି ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ପରମଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରକୁ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀମାନେ ସଫା କରିଛନ୍ତି।

 ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର କାଲିମେଳା ଗ୍ରାମରେ ସ୍ଥାନୀୟ ମହିଳାମାନେ ଗାଁ ହାଟକୁ ସଫା କରିବା ଲାଗି ଶ୍ରମଦାନ କରିଛନ୍ତି।

ଏହାଛଡ଼ା ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ସ୍ୱଚ୍ଛତାକୁ ନେଇ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ବିଭିନ୍ନ ବିଦ୍ୟାଳୟରେ ସ୍ୱଚ୍ଛତା ଶପଥପାଠ, ପ୍ରଶ୍ନୋତ୍ତର ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଗଜପତି ଓ ବାଲେଶ୍ୱର ଜିଲ୍ଲାରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏବେ ସୁଦ୍ଧା (୨୪ ସେପ୍ଟେମ୍ବର ୨୦୨୩) ୭ ଲକ୍ଷ ୧୭ ହଜାର ୨୮୫ ଜଣ ଲୋକ ଜନ ସଚେତନତା କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ ଗ୍ରାମାଞ୍ଚଳର ୧୧ ଲକ୍ଷ ୫୬ ହଜାର ୧୯୦ ଜଣ ଲୋକ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନ୍ତର୍ଗତ ଶ୍ରମଦାନ କରି ବିଭିନ୍ନ ସ୍ଥାନରେ ସଫେଇ କରିଛନ୍ତି। ରାଜ୍ୟର ଗ୍ରାମାଞ୍ଚଳରେ ସ୍ୱଚ୍ଛ ଭାରତ ମିଶନ -ଗ୍ରାମୀଣ ଅଧୀନରେ ନିର୍ମିତ ସମ୍ପତ୍ତିର ରଙ୍ଗ ଓ ସୌନ୍ଦର୍ଯ୍ୟକରଣ କାମରେ ୭୨ ହଜାର ୬୯୩ ଲୋକ ଭାଗ ନେଇଛନ୍ତି।