ଜୁଲାଇ 29 ତାରିଖରେ ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ

Published: Jul 27, 2020, 12:51 pm IST

ଭୁବନେଶ୍ବର : ଜୁଲାଇ 29 ତାରିଖରେ ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷା ରେଜଲ୍ଟ । ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ଦେଇଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦର ବୋର୍ଡର ଦୁଇଟି ଓ୍ବେବ୍‌ସାଇଟ୍‌ ଓ ଏସ୍‌ଏମ୍‌ଏସ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଳ ଜାଣିପାରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଦିନ ସାଢେ 11ଟାରେ ରେଜଲ୍ଟ ପ୍ରକାଶ ହେବ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା । 29 ତାରିଖ ସକାଳ 9ଟା ସମୟରେ ଭିଡିଓ କନଫରେନ୍ସିଂରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ରହିଛି  ।www.bsodisha.ac.in, www.bseodisha.nic.in ଏହି ଦୁଇ ଓ୍ବେବସ୍‌ସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି । ସେହିପରି  5676750ରେ ଏସଏମଏସ୍‌ କଲେ ମିଳିପାରିବ ରେଜଲ୍ଟ  ବୋଲି ସୂଚନା ରହିଛି।

ଚଳିତ ଥର ଫେବୃଆରୀ  19ରୁ ମାର୍ଚ୍ଚ 2 ତାରିଖ ଯାଏଁ ମାଟ୍ରିକ୍‌ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । 5 ଲକ୍ଷ 60 ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ କରୋନା ଓ ଲକ୍‌ଡାଉନ୍‌ ଯୋଗୁଁ ମାଟ୍ରିକ୍‌ ଖାତା ଦେଖାରେ ବାଧକ ସୃଷ୍ଟି ହୋଇଥିଲା  । ଅପରପକ୍ଷରେ ଅଗଷ୍ଟ ତୃତୀୟ ସପ୍ତାହରେ ଯୁକ୍ତ ଦୁଇ ରେଜଲ୍ଟ ବାହାରିବ ବୋଲି ସୂଚନା ରହିଛି । ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ଅଗଷ୍ଟ ତୃତୀୟ ସପ୍ତାହରେ ପ୍ରକାଶ ପାଇବାର ସୂଚନା ଦେଇଛନ୍ତି ମନ୍ତ୍ରୀ । ସେହିପରି ଅଗଷ୍ଟ ମାସ ଶେଷ ସୁଦ୍ଧା କଳା ବିଭାଗର ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ରହିଛି ।

ସୂଚନାଯୋଗ୍ୟ, କରୋନା ଯୋଗୁଁ ଲକ୍‌ଡାଉନ୍‌ ହେବା ଫଳରେ ଯୁକ୍ତ ଦୁଇ ପରୀକ୍ଷାରେ ବାଧକ ସୃଷ୍ଟି ହୋଇଥିଲା । ଚଳିତ ଥର ଯୁକ୍ତ ଦୁଇରେ କିଛି ପରୀକ୍ଷା ବାକି ରହିଯାଇଛି ।

Related posts