କେବଳ କାଗଜ କଲମରେ ଖୋର୍ଦ୍ଧା-ଗଞ୍ଜାମ ସୀମା ସିଲ୍‌: ଅନାୟାସରେ ଗଞ୍ଜାମରୁ ବାଲୁଗାଁକୁ ପ୍ରବେଶ କରୁଛନ୍ତି ଶହ ଶହ ଶ୍ରମିକ

Published: Jul 28, 2020, 3:28 pm IST

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ : ସମଗ୍ର ଦେଶ ତଥା ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । କରୋନାକୁ ପ୍ରତିହତ କରିବା ପାଇଁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ ରକ୍ଷା କରିବା ସହିତ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଜିଲ୍ଲା ଗୁଡିକୁ ସିଲ୍‌ କରାଯାଉଛି । ଗଞ୍ଜାମରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ଗଞ୍ଜାମ- ଖୋର୍ଦ୍ଧା ସୀମାକୁ ସିଲ୍‌ କରାଯାଉଛି । ଗଂଜାମ ଖୋର୍ଦ୍ଧା ସୀମା ସିଲ କରାଯାଇଥିଲେ ମଧ୍ୟ ଅବାଧରେ ସହ ସହ ଗଂଜାମ ଶ୍ରମିକ ଖୋର୍ଦ୍ଧା ଜିଲ୍ଲାକୁ ଆସୁଥିବାର ସୂଚନା ମିଳିଛି ।

ପ୍ରାପ୍ତ ସୂଚନା ମୁତାବକ କରୋନା ସଂକ୍ରମଣଙ୍କୁ ପ୍ରତିହତ କରିବା ପାଇଁ ଖୋର୍ଦ୍ଧା – ଗଂଜାମ ସୀମା ସିଲ କରାଯାଇଛି।ମାତ୍ର ପ୍ରତେକ ଦିନ ଶହ ଶହ ଶ୍ରମିକ ଟ୍ରକ ମାଧ୍ୟମରେ ସୀମା ଡେଇଁ ଅବାଧରେ ଖୋର୍ଦ୍ଧା ଜିଲ୍ଲା ରେ ପ୍ରବେଶ କରୁଛନ୍ତି।ବର୍ତ୍ତମାନ ପରିସ୍ଥିତିରେ କରୋନାକୁ ଖାତିର ନ କରି ଜମି ମାଲିକମାନେ ସେମାନଙ୍କ ନିଜ  ବିଲରେ  ଗଂଜାମ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରୁଛନ୍ତି। କିଏ ଅବା ଜାଣେ ସେହି ଶ୍ରମିକମାନେ ଆକ୍ରାନ୍ତ କି ନାହିଁ ? ଏଠାରେ ଏକ ବିରାଟ ପ୍ରଶ୍ନ ଆସୁଛି , ସୀମା ସିଲ ହୋଇଛି ସତ କିନ୍ତୁ ପ୍ରଶାସନ କେତେ ତତ୍ପର ଯେ , ଶ୍ରମିକମାନେ ସୀମା ପାର ହେଉଥିବା ବେଳେ ସାଧରଣ ଲୋକ ସାଇକେଲରେ ହେଉ କିମ୍ବା ମଟର ସାଇକେଲରେ ଯିବା ଆସିବା କରିବା ଅସମ୍ଭବ ହୋଇପଡିଛି ।

ଗଂଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନେକ କରୋନା ଯୋଦ୍ଧାଙ୍କୁ ନିୟୋଜିତ ରଖିଛନ୍ତି। ମାତ୍ର ଯଦି ଗଂଜାମ ଜିଲ୍ଲାରୁ ଖୋର୍ଦ୍ଧା ଜିଲ୍ଲାକୁ କରୋନା ବ୍ୟାପିଯାଏ ତେବେ ସ୍ଥିତି ଅସମ୍ଭାଳ ହବ ବୋଲି ସାଧାରଣରେ ଆଲୋଚନା ହେଉଛି। ଗଂଜାମ ଜିଲ୍ଲାର ଶ୍ରମିକମାନଙ୍କୁ ସୀମାରେ ପରୀକ୍ଷା କରି ଆସିବାକୁ ଅନୁମତି ଦିଆଯାଉ, ନଚେତ ସମ୍ପୂର୍ଣ ଭାବେ ଏହାକୁ ବନ୍ଦ କରାଯାଉ ବୋଲି ସାଧାରଣରେ ଦାବି ହେଉଛି । କାରଣ ପ୍ରଶାସନ ର ଏଭଳି ସାମାନ୍ୟ ଅନିୟମିତତାରେ ସଂକ୍ରମଣ ଵୃଦ୍ଧି ପାଇବାରେ ଢ଼େର ଆଶଙ୍କା ରହିଛି। ସୀମା ସିଲ ହେବା ଦିନଠାରୁ ମାଳ ମାଳ ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ଙ୍କୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ନିୟୋଜିତ କରାଯାଇଅଛି ତଥାପି କେଉଁ ପରିସ୍ଥିତି ରେ ଗଞ୍ଜାମ ଜିଲ୍ଲା ରୁ ବାଲୁଗାଁ ଭିତରେ ଟ୍ରକ ଦ୍ୱାରା  ଶ୍ରମିକ ମାନେ ପ୍ରବେଶ କରୁଛନ୍ତି ତାହା ଏବେ ପ୍ରଶ୍ନବାଚୀ ର ବିଷୟ ପାଲଟିଛି । ପାଖରେ ନାଭାଲ ଫାଣ୍ଡି ଥାଇ ମଧ୍ୟ କିପରି ଗଞ୍ଜାମରୁ ବାଲୁଗାଁ କୁ ଶ୍ରମିକ ମାନେ ଲୁଚିକି ଆସୁଛନ୍ତି ଏବଂ ପୁଣି ଗଞ୍ଜାମ କୁ ଫେରି ପଳାଉଛନ୍ତି  ତାହା ଏବେ ସାଧାରଣ ରେ ଆଲୋଚନାର ବିଷୟ ପାଲଟିଛି ।ଆଜି କେବଳ ବାଲୁଗାଁ ସହରରେ ୧୧ କରୋନା ପଜିଟିଭ ବାହାରିଥିବା ସ୍ଥଳେ ଯଦି ଏହିପରି କାର୍ଯ୍ୟ ଜାରି ରହେ ତାହାଲେ ଆଗକୁ ପରିସ୍ଥିତି କଣ ହେବ ବାଲୁଗାଁ ରେ ତାହା ଅବର୍ଣ୍ଣନୀୟ । ଏହି ଘଟଣାକୁ ରାଜ୍ୟ ସରକାର ଏବଂ  ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଗମ୍ଭୀରତାର ସହ ନେଇ ଯଥାଶୀଘ୍ର ଉଚିତ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି।

Related posts