ଢେଙ୍କାନାଳ : ଢେଙ୍କାନାଳରେ ଅସଦାଚରଣର ଶିକାର ହୋଇ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଭାପୁର ଫାଣ୍ଡି ଏଏସ୍ଆଇ ପଦ୍ମନାଭ ସାହୁଙ୍କୁ ନିଲମ୍ବିତ କରାଯାଇଛି । ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଏନେଇ ସୂଚନା ଦେଇଛନ୍ତି । ପୋଲିସର ନିଷ୍କ୍ରିୟତା ଯୋଗୁଁ ଢେଙ୍କାନାଳ ଭାପୁର ଅଞ୍ଚଳରେ ଜଣେ ନାବାଳିକା ଆତ୍ମହତ୍ୟା କରିଥିବାର ଅଭିଯୋଗ ଆସିବା ପରେ ସମ୍ପୃକ୍ତ ଫାଣ୍ଡି ଅଧିକାରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ସୂଚନାଯୋଗ୍ୟ, ଗତ 6 ତାରିଖରେ ଜଣେ ଯୁବକ ପାଣି ପିଇବା ବାହାନାରେ ଘରେ ଏକୁଟିଆ ଥିବା ନାବାଳିକାଙ୍କୁ ଅସଦାଚରଣ କରିଥିଲେ ବୋଲି ମୃତ ନାବାଳିକାଙ୍କ ପରିବାର ଅଭିଯୋଗ କରିଥିଲେ । ଏନେଇ ପରିବାର ପକ୍ଷରୁ ଫାଣ୍ଡିରେ ଏତଲା ମଧ୍ୟ ଦିଆଯାଇଥିଲା । ମାତ୍ର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଅପରପକ୍ଷରେ ମାନସିକ ଅଶାନ୍ତି ଯୋଗୁଁ ନାବାଳିକା ଜଣକ ବିଷ ପିଇ ଆତ୍ମହତ୍ୟା କରିଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ ।