ନୂଆଦିଲ୍ଲୀ: କଂଗ୍ରେସ ମୁଖିଆ କିଏ ହେବ । ତାକୁ ନେଇ ଚାଲିଥିବା ଡ୍ରାମାରେ ଯବନିକା ପଡିଛି । ଆଜି ସିଡବ୍ଲ୍ୟୁସିର ସାତ ଘଣ୍ଟାର ମାରଥାନ୍ ବୈଠକ ଶେଷରେ ସୋନିଆ ଗାନ୍ଧି ହିଁ ଦଳର ଅନ୍ତରୀଣ ଅଧ୍ୟକ୍ଷା ଭାବେ ହିଁ କାର୍ଯ୍ୟ କରିବେ ବୋଲି ସୂଚନା ରହିଛି । ତେବେ ଆସନ୍ତା ଛଅ ମାସ ମଧ୍ୟରେ ନୂତନ ଅଧ୍ୟକ୍ଷ ଚୟନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ନୂତନ ଅଧ୍ୟକ୍ଷ ନିଯୁକ୍ତି ହେବା ଯାଏଁ ସୋନିଆ ଏହି ପଦବୀରେ ରହିବେ ।
ସୂଚନାଯୋଗ୍ୟ ଯେ, ଦଳର ଦୃଢ଼ ନେତୃତ୍ୱର ଆବଶ୍ୟକତା ରହିଥିବା ଦାବି କରି 23 ଜଣବରିଷ୍ଠ ନେତା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ। ଏହି ଚିଠି ପାଇଁ ଆଜି କଂଗ୍ରେସର ଓ୍ବାର୍କିଂ କମିଟିରେ ଝଡ ସୃଷ୍ଟି ହୋଇଥିଲା । ସୋନିଆଙ୍କୁ ଚିଠି ଲେଖିଥିବା ନେତାମାନେ ବିଜେପି ସହ ମିଶିଥିବା ରାହୁଲ ଅଭିଯୋଗ କରିଥିଲେ । ଯାହାକୁ ନେଇ କଂଗ୍ରେସର ଅନେକ ବରିଷ୍ଠ ନେତାମାନେ ମଧ୍ୟ ରାହୁଲଙ୍କ ଉପରେ ନିଜର ଅଭିମାନ ପ୍ରଦର୍ଶନ କରିଥିଲେ ।
ଆଜିର ଏହି ବୈଠକରେ ସୋନିଆ ଗାନ୍ଧି ଅଧ୍ୟକ୍ଷା ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ କଂଗ୍ରେସର ବରିଷ୍ଠ ନେତା ମନମୋହନ ସିଂ ଓ ଏକେ ଆଣ୍ଟୋନୀ ତାଙ୍କୁ ଅଧ୍ୟକ୍ଷା ପଦରେ ରହିବା ପାଇଁ ଅନୁରୋଧ କରିଥିଲେ । ଶେଷରେ ସର୍ବସମ୍ମତି କ୍ରମେ ସୋନିଆ ହିଁ ଦଳର ଅନ୍ତରୀଣ ଅଧ୍ୟକ୍ଷା ଭାବେ ରହିବାର ନିଷ୍ପତ୍ତି ନିଆଯାଇଛି । (ଏଜେନ୍ସି)