କୁହୁଡି ନିକଟସ୍ଥ କୟଥପଲା ଗ୍ରାମରେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

Published: Aug 27, 2020, 4:47 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋରଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ କୟଥପଲା ଗ୍ରାମର ଏକ କ୍ରସରରେ କାମ କରୁଥିବା ଜଣେ ଶ୍ରମିକଙ୍କର ସନ୍ଦେହଜନକ ମୃତ୍ୟୁ  ହୋଇଛି। ମୃତ ଶ୍ରମିକର ନାମ ମନୋଜ ସାହୁ(୩୦)। ତାଙ୍କ ଘର ଗଂଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ କେଶ ଶ୍ରଦ୍ଧାପୁର ଗ୍ରାମ ବୋଲି ଜଣା ପଡିଛି। ମୃତ ମନୋଜ ଦୀର୍ଘ ଦିନ ହେଲା କୟଥପଲାର ଏକ କ୍ରସରରେ ରହି ଶ୍ରମିକ ଭାବେ କାମ କରି ଆସୁଥିଲେ।

ଗତ କାଲି ରାତିରେ କେତେକ ଲୋକ ମନୋଜ କୁ ଟାଙ୍ଗୀ ମେଡିକାଲକୁ ଆଣିଥିଲେ ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ଗଞ୍ଜାମରୁ ମନୋଜର ପରିବାର ଲୋକେ ମେଡିକାଲରେ ଆସି ପହଞ୍ଚିଥିଲେ। ତଦନ୍ତକାରୀ ଅଧିକାରୀ ତଥା କୁହୁଡି ଫାଣ୍ଡି ଅଧିକାରୀ ଶ୍ରୀ ନିରଞ୍ଜନ ରାଉତଙ୍କଠୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବର୍ଷା ଲାଗି ମନୋଜ କାମ କୁ ନଯାଇ ଘରେ ଥିଲେ। ସଂଧ୍ୟା ସମୟରେ ମନୋଜଙ୍କ ଗୋଡ ଘର ପାହାଚରେ ଖସିଯିବାରୁ ସେ ତଳେ ପଡିଯାଇଥିଲେ ଯଦ୍ୱାରା ତାଙ୍କ ପଛ ପଟ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିଲା ଯାହାଫଳରେ ତାଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

ମୃତ୍ୟୁ ର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ଖୋର୍ଦ୍ଧା ଡାକ୍ତରଖାନା କୁ ପଠେଇ ଦେଇଥିବାର ସୂଚନା ରହିଛି। ଅପରପକ୍ଷେ ଟାଙ୍ଗୀ ପୋଲିସ ଏ ସମ୍ବନ୍ଧରେ ୧୬/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମନୋଜର ପରିବାରବର୍ଗ ତାଙ୍କ ଅକସ୍ମାତ ମୃତ୍ୟୁ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି ଏବଂ ଯଥାଶୀଘ୍ର ମୃତ୍ୟୁର ପ୍ରକୃତ କାରଣ ପତ୍ତା ଲଗେଇବା ପାଇଁ ପୋଲିସଙ୍କୁ ନିବେଦନ କରିଛନ୍ତି।

Related posts