ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କଥା ହୋଇଛନ୍ତି । ଏହି ଅବସରରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସମର୍ଥନ ଲୋଡ଼ିଥିବା ଜଣାଯାଇଛି । ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କ ପାଇଁ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ସମର୍ଥନ ଲୋଡ଼ିଛନ୍ତି । ଗତ ଉପାଧ୍ୟକ୍ଷ ନିର୍ବାଚନରେ ହରିବଂଶଙ୍କୁ ବିଜେଡି ସମର୍ଥନ କରିଥିଲା । ତେବେ ଏନେଇ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ମତାମତ ଜଣାପଡ଼ିନାହିଁ ।
ପ୍ରକାଶ ଯେ, ସଂସଦର ମୌସୁମୀ ଅଧିବେଶନ ଚଳିତ ମାସ 14 ତାରିଖରୁ ଆରମ୍ଭ ହେବ । ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭା ଉପାଧ୍ୟକ୍ଷ ପାଇଁ ନିର୍ବାଚନ ହେବ। ଏହି ପଦ ଲାଗି ଏନଡିଏର ପ୍ରାର୍ଥୀ ଭାବେ ଜେଡି (ୟୁ) ସାଂସଦ ହରିବଂଶ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅପରପକ୍ଷେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ପକ୍ଷରୁ ମିଳିତ ଭାବେ ପ୍ରାର୍ଥୀ ଦିଆଯିବା ଯୋଜନା ରହିଛି । ଡିଏମକେର ସାଂସଦ ତିରୁଚି ଶିବାଙ୍କୁ ମିଳିତ ବିରୋଧୀ ଦଳର ପ୍ରାର୍ଥୀ କରାଯିବା ସମ୍ଭାବନା ରହିଛି । ପ୍ରାର୍ଥୀ ଦାଖଲ କରିବାର ଅନ୍ତିମ ତାରିଖ ସେପ୍ଟେମ୍ବର 11 ରହିିଛି । ରାଜ୍ୟସଭାର ସଂଖ୍ୟା ଗଣିତ ଅନୁସାରେ ବିଜେପିର ନେତୃତ୍ୱାଧୀନ ଏନଡିଏର ସଂଖ୍ୟା 113 ରହିଛି । ଏନଡିଏର ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ ବିଜେପି ଏନଡିଏ ସହଯୋଗୀମାନେ ରାଜ୍ୟସଭାରେ ପ୍ରତିନିଧିତ୍ୱ କରୁଥିବା ସମସ୍ତ ଦଳର ନେତାମାନଙ୍କ ସହିତ ଆଲୋଚନା ଆରମ୍ଭ କରିଥିବା ଏକ ସୂତ୍ରରୁ ଜଣାପଡ଼ିଛି । ବିଜେପି ପକ୍ଷରୁ ସେପ୍ଟେମ୍ବର 14ରେ ସମସ୍ତ ସାଂସଦମାନଙ୍କୁ ଉପସ୍ଥିତ ରହିବା ପାଇଁ ହୁଇପ ଜାରି କରାଯାଇଛି । ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡିର ଆଭିମୁଖ୍ୟ କ’ଣ ରହିବ ଏ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇ ନଥିବା ଜଣାପଡ଼ିଛି । ଦିନେ ଦୁଇ ଦିନ ଭିତରେ ସ୍ଥିତି ସ୍ପଷ୍ଟ ହେବା ଅନୁମାନ କରାଯାଉଛି ।