କନ୍ଦର୍ପ ବେହେରା
ରେଢାଖୋଲ: ଜନ୍ମ ହେବା ସମୟରୁ ପୁଅର ପିଠିରେ ମାଂସ ପିଣ୍ଡୁଳା ବଢୁଛି । ବୁର୍ଲା ଠାରୁ ଆରମ୍ଭ କରି କଟକ ଶିଶୁ ଭବନ ପର୍ଯ୍ୟନ୍ତ ପୁଅକୁ ବାରମ୍ବାର ନେଇ ଚିକିତ୍ସା କରି ମଧ୍ୟ ମାଂସ ପିଣ୍ଡୁଳା କମିବାରେ ନାଁ ଧରୁନି ବରଂ ବଢିବାରେ ଲାଗିଛି। ପୁଅର ଚିନ୍ତାରେ ବାପା ମା ହତୋତ୍ସାହିତ ହୋଇ ପଡିଛନ୍ତି । ଆର୍ଥିକ ଅବସ୍ଥା ଠିକ୍ ନ ଥିବାରୁ ବାହାର ରାଜ୍ୟକୁ ନେଇ ପୁଅକୁ ଦେଖାଇବାକୁ ଅର୍ଥ ସାଜୁଛି ବାଧକ ।
ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ବାଟଗାଁ ପଂଚାୟତ ଭାଲୁଗାଡିଆ ଗ୍ରାମର ମିତନୀ ରାଉତ ଏବଂ ଶରତ ରାଉତଙ୍କ ପୁଅ ଶ୍ରୀତମ ରାଉତ୍ । ବୟସ ମାତ୍ର ୪ବର୍ଷ । ହେଲେ ଶ୍ରୀତମ୍ ର ଜନ୍ମରୁ ପିଠିରେ ଏକ ମାଂସ ପିଣ୍ଡୁଳା ରହିଥିବା ତାର ବାପା ମାଆ ପ୍ରକାଶ କରିଛନ୍ତି । ଯେତେବେଳେ ବୁର୍ଲା ଡାକ୍ତରଖାନାରେ ପୁଅଟି ଜନ୍ମ ହେଲା ବାପା ମାଆ ତାର ପିଠିରେ ଏକ ମାଂସ ପିଣ୍ଡୁଳା ଦେଖିବାକୁ ପାଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବୁର୍ଲା ରେ ଡାକ୍ତରଙ୍କୁ ମଧ୍ୟ ଦେଖାଇଥିଲେ । ବୁର୍ଲାର ଡାକ୍ତର ମାଂସ ପିଣ୍ଡୁଳା ଦେଖି ଛୋଟଶିଶୁ କୁ କଟକ ଶିଶୁଭବନ କୁ ନେଇ ଚିକିତ୍ସା କରିବା ପାଇଁ ଡାକ୍ତର ସେମାନଙ୍କୁ ପରାମର୍ଶ ଦେଇଥିଲେ । ଡାକ୍ତରଙ୍କ କହିବାନୁଯାୟୀ ସେମାନେ ଛୋଟ ଶିଶୁକୁ କଟକ ଶିଶୁଭବନକୁ ନେଇ ଡାକ୍ତରଙ୍କୁ ଦେଖାଇଥିଲେ । ଛୋଟ ଶିଶୁ ହୋଇଥିବାରୁ ଅପରେସନ୍ ସମ୍ଭବ ହୋଇପାରି ନ ଥିଲା । କଟକର ଡାକ୍ତର ଦୁଇମାସ ଖାଇବା ପାଇଁ କିଛି ଔଷଧ ଦେଇ ପୁଣି ବୁର୍ଲା ଡାକ୍ତରଖାନାକୁ ପଠାଇଦେଇଥିଲେ ।
ନାକଟିଦେଉଳବ୍ଲକ୍ର ସମ୍ମନୀତ ଶିଶୁବିକାଶଙ୍କ ସହଯୋଗରେ ଶ୍ରୀତମ୍ ର ଚିକିତ୍ସା ପାଇଁ ସମ୍ବଲପୁର ଡାକ୍ତରଖାନାକୁ ନେଇଥିଲେ ପିତା ମାତା । କିନ୍ତୁ ସେଠାରେ ମଧ୍ୟ କୌଣସି ସୁଫଳ ମିିଳିପାରିନଥିଲା । କିଛି ମାସ ତଳେ ଶ୍ରୀତମ୍ କୁ ରେଢାଖୋଲ ଡାକ୍ତରଖାନାକୁ ନେଇଥିଲେପିତା ମାତା । ରେଢାଖୋଲରେ ମଧ୍ୟ ଅନୁରୁପ ଭାବରେ ଡାକ୍ତର କୌଣସି ଏକ ବଡ ଡାକ୍ତରଖାନାକୁ ନେବାକୁ ପରାମର୍ଶ ଦେଇଥିଲେ । ଏମିତି ଧାଁ ଧପଡ ଭିତରେ ଗୁଡାଏ ଟଙ୍କା ମଧ୍ୟ ଖର୍ଚ୍ଚ କରିସାରିଲେଣି । ହେଲେ କୌଣସି ଡାକ୍ତର ଖାନାରେ ଡାକ୍ତରମାନେ ଠିକ୍ କଥା କହୁ ନ ଥିବା ପ୍ରକାଶ କରିଛନ୍ତି ପିତାମାତା। ୮୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ବୁଝାସୁଝା କରି ଜାଣିଛନ୍ତି । ହେଲେ ନିହାତି ଗରିବ ଶ୍ରେଣୀର ହୋଇଥିବାରୁ ଏତେ ଗୁଡାଏ ଟଙ୍କା ଯୋଗାଡ କରିବା ସଂଭବ ହୋଇ ପାରୁ ନ ଥିବାରୁ ପିଲାଟିକୁ ଚିକିତ୍ସା କରି ନେଇ ନ ପାରି ଘରେ ବସି ରହିଛନ୍ତି ନିଜ କରମକୁ ଆଦରି । ଦିନକୁ ଦିନ ମାଂସ ବଢୁଥିବା ସହ ମାଂସ ପିଣ୍ଡୁଳାରେ ଘା ହୋଇଯାଉଛି ବୋଲି ପ୍ରକାଶ କରିଛନ୍ତି । ଛୋଟ ଛୁଆଟି ବହୁ କଷ୍ଟ ପାଉଛି ହେଲେ ପ୍ରଶାସନ ଏ ଦିଗରେ ସହଯୋଗର ହାତ ବଢାଇବା ଜରୁରି ମନେ ହେଉଛି ।
ମୂଲମଜୁରୀ କରି ପରିବାର ଚଳାଉଥିବା ଶରତଙ୍କ ପାଖରେ ରହିଛି ଝାଟିମାଟିର ନଡାଛପର ଘରଟିଏ । ଚାରି ପ୍ରାଣୀ କୁଟୁମ୍ବକୁ ମଜୁରୀ କରି ପୋଷୁଛନ୍ତି । ଦିନେ ମଜୁରିକୁ ନ ଗଲେ ତା ପର ଦିନ ଭୋକରେ ଦିନ ବିତାଇବାକୁ ପଡେ । ସରକାର ଗରିବ ଅସହାୟ ଲୋକମାନଙ୍କ ସ୍ୱାସ୍ଥ୍ୟ ସେବା ପାଇଁ କେତେ ଯେ ଯୋଜନା କରିଛନ୍ତି ତାର କଳନା ନାହିଁ । ହେଲେ ସରକାର ବହୁକଷ୍ଟ ପାଇ ବଂଚିଥିବା ଛୋଟ ପିଲାଟିକୁ ଟଙ୍କାଟିଏ ମଧ୍ୟ ନ ଦେବା ଅତ୍ୟନ୍ତ ପରିତାପର ବିଷୟ । ମୂଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ କିଛି ସାହାଯ୍ୟ କଲେ ଆଗାମୀ ଭବିଷ୍ୟତର ଜଣେ କଅଁଳ ଶିଶୁଟିର ଜୀବନ ରକ୍ଷା ପାଇଯାଆନ୍ତା ବୋଲି ପିତା ମାତା ପ୍ରକାଶ କରିଛନ୍ତି । କଅଁଳ ଶିଶୁଟି ପ୍ରତି ସମ୍ବଲପୁର ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି।