ସୀତାରାମ ଅଗ୍ରଓ୍ବାଲ
ବାଲୁଗାଁ : ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ବେଲପଡା ଗ୍ରାମ ଏବଂ ରାମପୁର ଛକରେ ଦୁଇ ଜଣ ବ୍ୟକ୍ତିଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏ ନେଇ ବାଲୁଗାଁ ପୋଲିସ ଦୁଇ ଗୋଟି ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛି । ସୂଚନା ମୁତାବକ ଗତକାଲି ଅପରାହ୍ନ ୦୪ ଘଟିକା ସମୟରେ ନିମିଖେତା ପଞ୍ଚାୟତ ଅନ୍ତର୍ଗତ ବେଲପଡା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ସେନାପତି ନିଜ ବିଲକୁ ଧାନ ସ୍ଥିତି ଦେଖିବାକୁ ଯାଇଥିଲେ । ହେଲେ ବିଳମ୍ବିତ ସଂଧ୍ୟା ଯାଏଁ ରମେଶ ଘରକୁ ନ ଫେରିବାରୁ ଘର ଲୋକ ବ୍ୟସ୍ତ ବିବ୍ରତ ହୋଇ ବହୁ ଖୋଜାଖୋଜି କରିବାପରେ ସଂଧ୍ୟା ୦୭ ଘଟିକାରେ ବିଲକୁ ଯାଇ ଦେଖିବାବେଳେକୁ ରମେଶ ମୂର୍ଚ୍ଛା ହୋଇ ତଳେ ପଡ଼ିଥିଲେ । ତୁରନ୍ତ ସମ୍ପର୍କୀୟ ମାନେ ତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ l ରମେଶ ଙ୍କ ସେମିତି କିଛି ବିଶେଷ ରୋଗନଥିବା ବେଳେ ତାଙ୍କ ଅକସ୍ମାତ ମୃତ୍ୟକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଖବର ପାଇ ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ପହଁଚି ରମେଶ ଙ୍କ ଶବ ଜବତ କରି ବ୍ୟବଛେଦ ପାଈଁ ପଠାଇଦେଇଛି ଏବଂ ୧୧/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରିରଖିଛି ।
ଅନୁରୂପ ଭାବେ କାଲି ରାତିରେ ବାଲୁଗାଁ ଏନ.ଏ.ସି ଅନ୍ତର୍ଗତ ରାମପୁର ଛକଠାରେ ଜଣେ ଅଜଣା ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ବୃଦ୍ଧ ଜଣକ ଦୀର୍ଘ ଏକ ବର୍ଷ ହେଲା ରାମପୁର ଛକ ନିକଟରେ ଏକ କ୍ୟାବିନରେ ବସବାସ କରୁଥିଲେ । ହେଲେ ହଠାତ କାଲି ରାତି ପାଖାପାଖି ୮ ଘଟିକା ସମୟରେ ବୃଦ୍ଧ ଜଣକ କ୍ୟାବିନରୁ ତଳେ ପଡିଯାଇଥିଲେ। ଏ ଦେଖି ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନେ ବାଲୁଗାଁ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବାହିନୀ ବୃଦ୍ଧଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଲାବେଳକୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାଲୁଗାଁ ପୋଲିସ ମେଡିକାଲ ରେ ପହଂଚି ଶବ ଜବତ କରିଛି। ହେଲେ ବର୍ତ୍ତମାନ ସୁଦ୍ଧା ମୃତକ ଙ୍କ ପରିଚୟ ମିଳିନଥିବାସ୍ଥଳେ ଏ ସଂକ୍ରାନ୍ତରେ ବାଲୁଗାଁ ପୋଲିସ ୧୦ /୨୦ ରେ ଏକ ଅପମୃତ୍ୟ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।