ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସର୍ବନିମ୍ନ ମାସିକ ପେନ୍ସନ ୯ହଜାର ଟଙ୍କା ସହ ମହଙ୍ଗା ଭତ୍ତା, ସୁପ୍ରିମ କୋର୍ଟର ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିନ ପେନସନ ପ୍ରଦାନ, ସମସ୍ତ ଇପିଏଫ୍ ପେନସନ ଭୋଗୀ ବରିଷ୍ଠ ନାଗରିକଙ୍କୁ ଆୟୁଷ୍କାନ ଭାରତ ଯୋଜନାରେ ସାମିଲ କରି ମାଗଣା ଚିକିତ୍ସା କରିବା ଆଦି ବିଭିନ୍ନ ଦାବି ନେଇ ପୂର୍ବରୁ ଆହ୍ୱାନ କ୍ରମେ ଆଜି ଅଲ୍ ଓଡ଼ିଶା ଇ.ପି.ଏଫ୍. ପେନସନରର୍ସ ଏସୋସିଏସନ୍ ତରଫରୁ ଦାବି ଦିବସ ପାଳିତ ହୋଇଛି। ଏହି ଦାବିପ୍ରଦାନ ପାଇଁ ପୂର୍ବରୁ ରାଜ୍ୟରେ ଥିବା ୧.୬୨ ଲକ୍ଷ ଇପିଏଫ୍ ପେନସନ ଭୋଗୀମାନେ ଏକତ୍ରିତ ହୋଇ ଅଲ୍ ଓଡ଼ିଶା ଇପିଏଫ୍ ପେନସନରର୍ସ ଏସୋସିଏସନ୍ ଗଠନ କରିଥିଲେ।
ପୂର୍ବରୁ ଏହି ଦାବି ନେଇ ଲୋକସଭା ରାଜ୍ୟସଭା ସାଂସଦ, ବାଚସ୍ପତି, ଉଭୟ ଗୃହର ବିରୋଧୀ ଦଳର ନେତା ଅନ୍ୟାନ୍ୟ ପଦାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ବତ୍ତର୍ମାନ ଏହି ଦାବିପତ୍ରଟି କେନ୍ଦ୍ର ଶ୍ରମ ସଚିବଙ୍କ ନିକଟକୁ ପଠାଇ ଦିଆଯାଇଛି। କିନ୍ତୁ ପରିତାପର ବିଷୟ କେନ୍ଦ୍ର ସରକାର ଆମ ସମସ୍ୟା ପ୍ରତି ଉଦାସୀନ ମନୋଭାବ ପୋଷଣ କରୁଛନ୍ତି। ଇପିଏଫ୍-୯୫ ଯୋଜନା କାର୍ଯ୍ୟକାରୀ ହେବାର ୨୫ ବର୍ଷ ଶେଷ ହେବାକୁ ଯାଉଛି ହେଲେ କେନ୍ଦ୍ର ସରକାର ଓ ଇପିଏଫ୍ କର୍ତ୍ତୃପକ୍ଷ କେବଳ ପ୍ରତିଶ୍ରୁତି ଓ ପ୍ରରୋଚନା ଦେଇ ଚାଲିଛନ୍ତି। ତେଣୁ ନଭେମ୍ବର ୧୬ ତାରିଖରୁ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ଇପିଏଫ୍ ପେନସନ ଭୋଗୀ ମାନେ ଦାବି ଦିବସ ରୂପେ ପାଳନ କରିଥିଲେ।
ଆଜି ବ୍ରହ୍ମପୁର ପ୍ରୋଭିଡ଼େଣ୍ଟ ଫଣ୍ଡ ଅଫିସ ନିକଟରେ ବିଭିନ୍ନ ସଂଗଠନ ତରଫରୁ ଦୁଇଘଣ୍ଟିଆ ପ୍ରତିବାଦ ଦିବସ ପାଳନ କରାଯାଇଛି। କାର୍ଯ୍ୟକ୍ରମକୁ ଗଂଜାମ ଜିଲ୍ଲା ସଭାପତି ପ୍ରତାପ ଚନ୍ଦ୍ର ଶତପଥୀ, ସଂପାଦକ ବଳଭଦ୍ର ରାଜଗୁରୁ, ସହ ସଂପାଦକ ପ୍ରଶାନ୍ତ କୁମାର ଶତପଥୀ ଓ ପ୍ରଶାନ୍ତ କୁମାର ଦାସ, ତ୍ରିପତି ପ୍ରସାଦ ମିଶ୍ର, ରବି ନାରାୟଣ ସାବତ ପ୍ରମୁଖଙ୍କ ସହ ଶତାଧିକ ପେନସର ଓ ବରିଷ୍ଠ ନାଗରିକମାନେ ଯୋଗ ଦେଇଥିଲେ।