ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୩ ତାରିଖ ଦିନ ସାଂସଦମାନଙ୍କ ପାଇଁ ନିର୍ମିତ ବହୁତଳ କୋଠାର ଉଦଘାଟନ କରିବେ। ଭିଡିଓ କନଫରେନ୍ସ ଜରିଆରେ ପୂର୍ବାହ୍ନ ୧୧ଟାବେଳେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି।
ଏହି ଫ୍ଲାଟଗୁଡିକ ନୂଆଦିଲ୍ଲୀର ଡକ୍ଟର ବି.ଡି. ମାର୍ଗରେ ନିର୍ମିତ ହୋଇଛି। ୮୦ ବର୍ଷରୁ ଅଧିକ ପୁରୁଣା ୮ଟି ବଙ୍ଗଳାକୁ ଭାଙ୍ଗି ୭୬ଟି ଫ୍ଲାଟ ନିର୍ମାଣ କରାଯାଇଛି। ଏହି ଫ୍ଲାଟଗୁଡିକ ନିର୍ମାଣ ନିମନ୍ତେ ମଞ୍ଜୁର ହୋଇଥିବା ଅର୍ଥରୁ ଶତକଡା ୧୪ ଭାଗ ଅର୍ଥ ବଞ୍ଚାଯାଇ ପାରିଛି । କୋଭିଡ-୧୯ର ପ୍ରଭାବ ସତ୍ଵେ ଯଥା ସମୟରେ କାର୍ୟ୍ୟ ସଂପୂର୍ଣ୍ଣ ହୋଇଛି।
ନିର୍ମାଣ କାର୍ୟ୍ୟରେ କେତେକ ବିଶେଷ ପଦକ୍ଷେପ ନିଆଯାଇଛି । ପାଉଁଶ, ପୁରୁଣା ବଙ୍ଗଳାର ଭଗ୍ନାବଶେଷରୁ ଇଟା ପୁନଃବ୍ୟବହାର କରାଯିବା ସହ ଶକ୍ତି ସଞ୍ଚୟକାରୀ ଏଲଇଡି ବିଜୁଳି ବତୀର ବ୍ୟବସ୍ଥା କରାଯାଇଛି । ବିଜୁଳି ବତୀ, ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଇତ୍ୟାଦିକୁ ଦୂର ସମ୍ବେଦୀ ଦ୍ଵାରା ନିୟନ୍ତ୍ରଣ କରାଯିବା ସହ ବର୍ଷାଜଳ ସଂଗ୍ରହ ଦ୍ଵାରା ଜଳ ସଂରକ୍ଷଣ ଓ ଛାତରେ ସୌରଶକ୍ତି ପ୍ଳାଣ୍ଟମାନ ସ୍ଥାପନ କରାଯାଇଛି ।