Categories
ବିଶେଷ ଖବର ବ୍ୟବସାୟ

ଏଟିଏମ୍‌ ଟଙ୍କା ଉଠାଣରେ ଲାଗିବନି ଜିଏସ୍‌ଟି :ଶୀଘ୍ର ସ୍ପଷ୍ଟ କରିବ ରାଜସ୍ୱ ବିଭାଗ

ନୂଆଦିଲ୍ଲୀ: ଚେକ୍‌ ବହି ପ୍ରଦାନ ଏବଂ ଏଟିଏମ୍‌ରୁ ଟଙ୍କା ଉଠାଣ ଭଳି କେତେକ ମାଗଣା ବ୍ୟାଙ୍କିଙ୍ଗ୍‌ ସେବା ଉପରେ ଜିଏସ୍‌ଟି (ସାମଗ୍ରୀ ଓ ସେବା ଟିକସ) ଲାଗୁ ହେବାର ସମ୍ଭାବନା ନାହିଁ। ଅର୍ଥ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି।
ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା କେତେକ ମାଗଣା ସେବା ଉପରେ ଜିଏସ୍‌ଟି ଲାଗୁ ହେବ କି ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଏହି ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଅର୍ଥ ମନ୍ତ୍ରାଳୟର ଆର୍ଥିକ ସେବା ବ୍ୟାପାର ବିଭାଗ ରାଜସ୍ୱ ବିଭାଗର ମତାମତ ଲୋଡ଼ିଛି। ତେବେ ମାଗଣାରେ ପ୍ରଦାନ କରାଯାଉଥିବା ବ୍ୟାଙ୍କିଙ୍ଗ୍‌ ସେବା ଉପରେ ଜିଏସ୍‌ଟି ଲାଗୁ କରାଯିବ ନାହିଁ ବୋଲି ଆର୍ଥିକ ସେବା ବ୍ୟାପାର ବିଭାଗକୁ ରାଜସ୍ୱ ବିଭାଗ ନିକଟ ଭବିଷ୍ୟତରେ କହିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ମାଗଣା ବ୍ୟାଙ୍କିଙ୍ଗ୍‌ ସେବା ଉପରେ ଟିକସ ପଇଠ କରାଯାଉ ନଥିବାରୁ ଏ ନେଇ ବ୍ୟାଙ୍କ ଗୁଡ଼ିକୁ ଟିକସ ପଇଠ ଲାଗି ଟିକସ ବିଭାଗ ପକ୍ଷରୁ ନୋଟିସ୍‌ ପହଞ୍ଚୁଛି। ତେଣୁ ଏ ପ୍ରକାର ସେବା ଉପରେ ଜିଏସ୍‌ଟି ଲାଗୁ ହେବ କି ନାହିଁ ତାହା ସ୍ପଷ୍ଟ କରିବା ନିମନ୍ତେ ଆର୍ଥିକ ସେବା ବ୍ୟାପାର ବିଭାଗ ପକ୍ଷରୁ ରାଜସ୍ୱ ବିଭାଗର ମତାମତ ଲୋଡ଼ାଯାଇଥିଲା। ତେବେ ଆର୍ଥିକ ସେବା ବ୍ୟାପାର ବିଭାଗର ମତ ହେଲା ଚେକ୍‌ ବହି ପ୍ରଦାନ, ଆକାଉଣ୍ଟ ଷ୍ଟେଟମେଣ୍ଟ ଏବଂ ଏକ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ଏଟିଏମ୍‌ରୁ ଟଙ୍କା ଉଠାଣକୁ ଟିକସମୁକ୍ତ ରଖାଯାଇଛି। ଏଗୁଡ଼ିକ ବାଣିଜ୍ୟିକ କାର୍ଯ୍ୟ ହୋଇ ନଥିବାରୁ ଏହାକୁ ଜିଏସ୍‌ଟି ପରିସରଭୁକ୍ତ କରାଯାଇ ପାରିବ ନାହିଁ ବୋଲି ଏହି ବିଭାଗ ଦାବି କରିଛି।
କିନ୍ତୁ ଟିକସ ବିଭାଗ ପକ୍ଷରୁ ବ୍ୟାଙ୍କ ଗୁଡ଼ିକୁ ୨୦୧୨ରୁ ୨୦୧୭ ମସିହା ପାଇଁ ସର୍ଭିସ ଟ୍ୟାକ୍ସ ନୋଟିସ୍‌ ପ୍ରଦାନ କରାଯାଇଛି। ଟିକସ ଅଧିକାରୀଙ୍କ ମତ ହେଲା ବ୍ୟାଙ୍କ ଗୁଡ଼ିକ ଗ୍ରାହକଙ୍କୁ କୌଣସି ମାଗଣା ସେବା ପ୍ରଦାନ କରୁନାହାନ୍ତି। ସେମାନଙ୍କଠାରୁ ସର୍ବନିମ୍ନ ବାଲାନ୍ସ ରଖିବାକୁ କହି ଗ୍ରାହକଙ୍କଠାରୁ ଅର୍ଥ ଆଦାୟ କରୁଛନ୍ତି। ତେବେ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ସର୍ବନିମ୍ନ ଜମାରାଶି ରଖିବା ପାଇଁ ଭିନ୍ନ ଭିନ୍ନ ସୀମା ଧାର୍ଯ୍ୟ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଦେଶରେ ଗତବର୍ଷ ଜୁଲାଇ ପହିଲାରୁ ଜିଏସ୍‌ଟି କାର୍ଯ୍ୟକାରୀ କରାଯାଇଛି। ଜିଏସ୍‌ଟି ଲାଗୁ ହେବା ଫଳରେ ଏହି ଟିକସରେ କେନ୍ଦ୍ରୀୟ ଉତ୍ପାଦ ସମେତ ସେବା ଟିକସ ଆଦିକୁ ମିଶାଇ ଦିଆଯାଇଛି।

Categories
ବିଶେଷ ଖବର ବ୍ୟବସାୟ

ମହାନଦୀକୁ ଶୁଖିଲା ହେବାକୁ ଦିଆଯିବ ନାହିଁ- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର:  ବିଜେଡିର ମହାନଦୀ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ଆଜି  ଆରମ୍ଭ ହୋଇଛି। ମହାନଦୀର ଓଡ଼ିଶାରେ ପ୍ରବେଶ ପଥ ଝାରସୁଗୁଡ଼ା ଜିଲ୍ଲାର ଶୁଖାସୋଢ଼ାଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ମହାନଦୀ ସୁରକ୍ଷା  ଅଭିଯାନ ଆରମ୍ଭ କରି କହିଛନ୍ତି ଯେ ମହାନଦୀ ଓଡ଼ିଶାର ଜୀବନରେଖା, ସେ ଆମର ମା। ଏହାକୁ ଶୁଖିଲା ହେବାକୁ ଦିଆଯିବ ନାହିଁ। ଏହା କେବଳ ବିଜେଡିର ଅଭିଯାନ ନୁହେଁ, ଏହା ସମଗ୍ର ଓଡ଼ିଶାବାସୀଙ୍କ ଅଭିଯାନ ବୋଲି କହି ମୁଖ୍ୟମନ୍ତ୍ରୀ ଏହି ଅଭିଯାନରେ ସମସ୍ତେ ସାମିଲ ହେବାକୁ ଆହ୍ଵାନ ଦେଇଛନ୍ତି।

ମହାନଦୀରେ ଛତିଶଗଡ଼ ଏକଚାଟିଆ ଭାବେ ବ୍ୟାରେଜ ନିର୍ମାଣ କରିବା ପ୍ରସଙ୍ଗ ଏବେ ଓଡ଼ିଶା ପାଇଁ ଚିନ୍ତାର କାରଣ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଏହାକୁ ଏକ ବଡ଼ ପ୍ରସଙ୍ଗ ଭାବେ ନେଇ ଏହାକୁ ଏକ ଜନଆନ୍ଦୋଳନର ରୂପ ଦେବାକୁ ଉଦ୍ୟମ ଚଳାଇଛନ୍ତି। ଏଥିପାଇଁ ଆଜି  ଶୁଖାସୋଢ଼ାଠାରେ ଆୟୋଜିତ ସମାବେଶରେ  ମୁଖ୍ୟମନ୍ତ୍ରୀ ଉଭୟ କେନ୍ଦ୍ର ଓ ଛତିଶଗଡ଼ର ବିଜେପି ସରକାରଙ୍କୁ ତୀବ୍ର  ସମାଲୋଚନା କରିବାସ ସହିତ ଉଭୟ ଓଡ଼ିଶା ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଛନ୍ତି ବୋଲିି କହିଛନ୍ତି। ରାଜ୍ୟର ବିଜେପି ନେତାମାନେ ରାଜ୍ୟବାସୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ଯଦି ଓଡ଼ିଶାର ବିଜେପି ନେତାଙ୍କର ଓଡ଼ିଶା ଓ ଓଡ଼ିଆଙ୍କ ପ୍ରତି ଦରଦ ଅଛି ତେବେ ସେମାନେ ଛତିଶଗଡ଼ ସରକାରଙ୍କ ବ୍ୟାରେଜ ନିର୍ମାଣ କାଯ୍ୟକୁ ବିରୋଧ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଖୋଲା ଆହ୍ଵାନ ଦେଇଛନ୍ତି।

ଏହି ସମାବେଶରେ ସାଂସଦ ସୌମରଞ୍ଜନ ପଟ୍ଟନାୟକ ଭାଷଣ ଦେଇ  କହିଥିଲେ ଯେ ମହାନଦୀର ଉପରମୁଣ୍ଡରେ  ଅଛି ବୋଲିି ଛତିଶଗଡ଼ ଏହାକୁ କବଜା କରି ଓଡ଼ିଶାକୁ ତାର ନ୍ୟାର୍ଯ୍ୟ ଦାବିରୁ ବଞ୍ଚିତ କରିବାକୁ ଚାହୁଁଛି। ମାତ୍ର ଓଡ଼ିଶାବାସୀ ଛତିଶଗଡ଼ର ଏପରି କାର୍ଯ୍ୟକୁ  କେବେ ବରଦାସ୍ତ କରିବେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ   ମନ୍ତ୍ରୀ ସୂର୍ଯ୍ୟ ନାରାୟାଣ ପାତ୍ର, ଦେବୀ ମିଶ୍ର, ସଞ୍ଜୟ ଦାସର୍ବର୍ମା,  ପୂର୍ବତନ ବିଧାୟକ ଅନୂୁପ ସାହା ପ୍ରମୂଖ  ନିଜ ନିଜର ବକ୍ତବ୍ୟ ରଖିଥିଲେ।