ରମେଶ ମହାନ୍ତି
ଜଗତସିଂହପୁର : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ସ୍ଥିତ ୩ ନଂ ୱାର୍ଡର ୱାର୍ଡ଼ ସଭ୍ୟ ଭୁଲ୍ ତଥ୍ୟ ଦେଇ ୱାର୍ଡ଼ ସଭ୍ୟ ହୋଇଛନ୍ତି ବୋଲି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ସୂଚନାନୁଯାୟୀ ଓଡିଶା ଗ୍ରାମପଞ୍ଚାୟତ ଆଇନି ୧୯୬୪ ଧାରା ୨୫ ଅନୁଯାୟୀ ଯଦି କୌଣସି ବ୍ୟକ୍ତିଙ୍କର ୨ଟିରୁ ଅଧିକ ସନ୍ତାନ ଥାନ୍ତି ତେବେ ସେ ସଭ୍ଯ ପଦରେ ରହିପାରିବେ ନାହିଁ ବୋଲି ଉଲ୍ଲେଖ ରହିଛି। କିନ୍ତୁ ଗତ ପଞ୍ଚାୟତ ନିର୍ବାଚନରେ ଗୋପାଳପୁର ପଞ୍ଚାୟତ ୩ନଂ ୱାର୍ଡରୁ ନିର୍ବାଚିତ ହୋଇଥିବା ୱାର୍ଡସଭ୍ୟ ମଧୁସୂଦନ ପୃଷ୍ଟିଙ୍କର ୩ଟି ସନ୍ତାନ ରହିଥିବା ଜଣାପଡ଼ିଛି।
ଶ୍ରୀ ପୃଷ୍ଟିଙ୍କର ୩ୟ ସନ୍ତାନର ଜନ୍ମ ତାରିଖ ୧୭.୦୬.୨୦୧୦ ଏବଂ ତାଙ୍କ ଜନ୍ମ ପଞ୍ଜିକରଣ ନଂ ୧୮୦୦/୨୦୧୦ ବୋଲି ଜଗତସିଂହପୁର ପୌର କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଏଥିସହିତ ସାମାଜିକ ଅର୍ଥନୈତିକ ଜାତିଗତ ଜନଗଣନା ସର୍ଭେ (ଏସ୍. ଇ.ସି.ସି) ୨୦୧୧ ଲିଷ୍ଟରେ ମଧ୍ୟ ସମସ୍ତ ସନ୍ତାନଙ୍କ ତଥ୍ୟ ରହିଥିବା ବେଳେ ଶ୍ରୀମତୀ ପୃଷ୍ଟିଙ୍କ ନାମରେ ଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ,ଓଡିଶା ସରକାରଙ୍କ ରାସନକାର୍ଡ ନଂ ୧୨୦୮୦୮୧୦୬୮୯ରେ ମଧ୍ୟ ୩ଟି ସନ୍ତାନଙ୍କର ସବିଶେଷ ତଥ୍ୟ ଆଧାର ନଂ ସହିତ ରହିଛି। ଶ୍ରୀ ପୃଷ୍ଟିଙ୍କ ନାମରେ ଉପରୋକ୍ତ ତଥ୍ୟ ସହିତ ଜଗତସିଂହପୁର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବା ସହ ଶ୍ରୀ ପୃଷ୍ଟିଙ୍କର ସଭ୍ୟ ପଦ ରଦ୍ଦ କରିବା ପାଇଁ ଉକ୍ତ ପଞ୍ଚାୟତର ରଶ୍ମିରଞ୍ଜନ ଦାଶ ଦାବି କରିଛନ୍ତି। (ଏଜେନ୍ସି)