ବିଟିସିକୁ ଦଖଲ କରିବା ପାଇଁ ନିଜ ସହଯୋଗୀକୁ ଛାଡି ଅନ୍ୟ ଏକ ଦଳର ହାତ ଧରିଲା ଆସାମ ବିଜେପି!

Published: Dec 14, 2020, 12:58 pm IST

ଗୁଆହାଟୀ: ଆସାମ ବୋଡୋଲ୍ୟାଣ୍ଡ ଟେରିଟୋରିଆଲ୍‌ କାଉନ୍‌ସିଲ୍‌ (ବିଟିସି) ର ଫଳାଫଳ ପରେ ବିଜେପି ଏବଂ ଏହାର ସହଯୋଗୀ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ବିଜେପି ବିଟିସିକୁ ନିଜ ଦଖଲରେ ରଖିବା ପାଇଁ ନିଜର ସହଯୋଗୀ ଦଳ ବିପିଏଫ୍‌କୁ ଛାଡ଼ି ୟୁନାଇଟେଡ୍‌ ପିପୁଲ୍ସ ପାର୍ଟି ଲିବେରାଲ୍‌ ଦଳ ସହ ହାତ ମିଳାଇଛି।

ଉଲ୍ଲେଖଯୋଗ୍ୟ ଯେ, ୪୦ ଆସନ ବିଶିଷ୍ଟ ବିଟିସିକୁ ଦାଖଲ କରିବା ପାଇଁ କୌଣସି ଏକ ଦଳକୁ ୨୧ ଟି ଆସନ ଆବଶ୍ୟକତା କରୁଛି। ଆସାମର ସର୍ବାନନ୍ଦ ସୋନୋଓ୍ବାଲ ସରକାରରେ ସହଯୋଗୀ ଥିବା ବିପିଏଫ୍‌କୁ ୧୭ଟି ଆସନ ମିଳିଥିବା ବେଳେ ବିଜେପିକୁ ୯ ଟି ଆସନ ମିଳିଛି। ଏହି ଦୁଇ ଦଳଙ୍କ ଆସନ ସଂଖ୍ଯାକୁ ମିଶାଇଦେଲେ ୨୬ ଟି ଆସନରେ ପହଞ୍ଚୁଛି। ତେବେ ବିଟିସିକୁ ଅକ୍ତିଆର କରିବା ପାଇଁ ମେଣ୍ଟ ସଫଳ ହୋଇପାରୁଛି। ହେଲେ ବିଜେପି ନିଜ ସହଯୋଗୀକୁ ଛାଡି ୧୨ ଟି ଆସନ ପାଇଥିବା ୟୁନାଇଟେଡ୍‌ ପିପୁଲ୍ସ ପାର୍ଟି ଲିବେରାଲ୍‌ ଦଳକୁ ସମର୍ଥନ କରିଛି। ଏହି ନିର୍ବାଚନରେ କଂଗ୍ରେସ ଓ ଗଣସୁରକ୍ଷା ପାର୍ଟିକୁ ଗୋଟିଏ ଲେଖାଏଁ ଆସନ ମିଳିଛି।

ବରିଷ୍ଠ ଭାଜପା ନେତା ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ୟୁପିପିଏଲ୍‌କୁ ଅଭିନନ୍ଦନ ଜଣାଇବା ସହ ସହଯୋଗୀ ଦଳ ବୋଲି ଟୁଇଟ୍‌ କରିଛନ୍ତି। ୟୁପିପିଏଲ୍‌ ମୁଖ୍ୟ ପ୍ରମୋଦ ବୋରୋ ବିଟିସିର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ (ସିଇଏମ୍‌) ହେବେ ବୋଲି ମୁଖ୍ୟମନ୍ତ୍ରୀ ସୋନୋଓ୍ବାଲ ମଧ୍ୟ ଘୋଷଣା କରିଛନ୍ତି।

ଅପରପକ୍ଷରେ ଏହାକୁ ନେଇ ବିପିଏଫ୍‌ ଦଳ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ। ବିପିଏଫ୍‌ ମନ୍ତ୍ରୀ ପ୍ରମିଳାରାଣୀ ବ୍ରହ୍ମା, ଚନ୍ଦନ ବ୍ରହ୍ମା ଓ ରାହୋନ ଡାଇମାରି ଯୋଗ ଦେଇନଥିବା ଜଣାପଡିଛି। ହେଲେ ସେମାନେ କ’ଣ ପାଇଁ ବୈଠକରେ ଯୋଗଦେଲେନି ତାହା ଜଣାନାହିଁ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରମୋହନ ପଟୋଓ୍ବାରି କହିଛନ୍ତି।

 

Related posts