ଜୟପୁରରେ ମୋଦି : ଓଡ଼ିଶାରେ ଡବଲ ଇଞ୍ଜିନ ଲାଗିଲେ ଦ୍ରୁତ ବିକାଶ ହୋଇପାରିବ

Published: Mar 29, 2019, 12:52 pm IST
modi targets oppositions in jaypur odisha

ଓଡ଼ିଶାରେ ବିଜେପି ଆଜି ନିର୍ବାଚନୀ ଶଙ୍ଖନାଦ କରିଛି। ପ୍ରଧାନମନ୍ତ୍ରୀ ମୋଦି ଜୟପୁର ଜନସମାବେଶେର ଯୋଗ ଦେଇ ଉଭୟ ବିଜେଡ଼ି ଓ କଂଗ୍ରେସ ଉପରେ ଖୁବ୍‌ ଜୋରରେ ବର୍ଷିଛନ୍ତି। ବିଜେପି ସିଧାସଳଖ  ନିଶାନା କରିଛି ବିଜେଡ଼ିକୁ। ଏହି ଅବସରରେ ବିଜେଡିକୁ ପ୍ରତ୍ୟାଖାନ କରି ବିଜେପିକୁ ଭୋଟ ଦେବାର ମନ୍ତ୍ର ଫୁଙ୍କିଛନ୍ତି ପ୍ରଧାନମନ୍ତ୍ରୀ।  ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ସ୍ଥାନୀୟବାସୀଙ୍କ ଆଗରେ ମୋଦି ବିଜେଡି ବିରୋଧରେ ବିଫଳତାର ଫର୍ଦ୍ଦ ଖୋଲିଛନ୍ତି। ଦୀର୍ଘ ୧୯ ବର୍ଷ ହେବ ରାଜ୍ୟରେ ସ୍ଥିର ସରକାର ଥିଲେ ମଧ୍ୟ ବିକାଶ ହୋଇପାରୁନି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ। ଖଣିଜ ସମ୍ପଦଭରା ରାଜ୍ୟରେ ଯୁବକଙ୍କୁ ନିଯୁକ୍ତି ଦେବାରେ ବିଫଳ ରାଜ୍ୟ ସରକାର। ଏପରିକି ବିଭିନ୍ନ ଖଣି ମାଫିଆଙ୍କୁ ସୁରକ୍ଷା ଦେବା ସହ ଚିଟଫଣ୍ଡ ଘୋଟାଲାକାରୀଙ୍କୁ ମଧ୍ୟ ସୁରକ୍ଷା ଦେଉଛନ୍ତି। ରାଜ୍ୟବାସୀଙ୍କ ଭରସା ସହିତ ବିଜେଡି  ଖେଳିଛି ବୋଲି ଅଭିଯୋଗ କରିଛନ୍ତି ମୋଦି। ତେଣୁ ଏଭଳି ସରକାରକୁ ତାହାର ଦଣ୍ଡ ଦେବାର ଉଚିତ୍ ସମୟ ଆସିଛି ବୋଲି କହିଛନ୍ତି ମୋଦି। ସେହିପରି ରାଜ୍ୟର ବିକାଶ କରିବାକୁ ହେଲେ, ଏଥର ଚୌକିଦାର ସରକାରଙ୍କୁ ବାଛିବାକୁ ହେବ। ତେଣୁ ଦେଶ ଓ ରାଜ୍ୟରେ ଗୋଟେ ମଜବୁତ ସରକାର ଦରକାର ନା ଦୁର୍ବଳ ସରକାର ଦରକାର ସେ ଉପରେ ନିଷ୍ପତ୍ତି ନେବାର ସମୟ  ଏବେ ଉପନୀତ, ତେଣୁ   ପୋଲିଂ ବୁଥ ଯିବା ପୂର୍ବରୁ ସରକାରର କାର୍ଯ୍ୟାବଳୀକୁ  ତର୍ଜମା କରି ଭୋଟ ଦିଅନ୍ତୁ ବୋଲି ମୋଦି କହିଛନ୍ତି। ଓଡ଼ିଶାର ବିକାଶ ପାଇଁ କେନ୍ଦ୍ରରେ ବିଜେପି ସରକାର ଭଳି ଓଡ଼ିଶାରେ ବିଜେପି ସରକାର ଆସିବା ଦରକାର।  ଓଡ଼ିଶାରେ ଡବଲ ଇଞ୍ଜିନ ଲାଗିଲେ ଦ୍ରୁତ ବିକାଶ ହୋଇପାରିବ ବୋଲି ମୋଦି କହିଛନ୍ତି।

Related posts