
ରମେଶ ମହାନ୍ତି
ଜଗତସିଂହପୁର: ମୋବାଇଲ ଫୋନ୍ ମରାମତି ପାଇଁ ବାପାଙ୍କୁ ଟଙ୍କା ମାଗି ନ ପାଇବାରୁ ମହାନଦୀକୁ ଡେଁଇ ଯୁବକ ଆତ୍ମହତ୍ୟା ଉଦ୍ୟମ କରି ନିଖୋଜ ଥିବା କୁହାଯାଉଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାଟପୁର ପଞ୍ଚାୟତର କରତୁଠା ଗ୍ରାମରେ।
ସୂଚନାନୁଯାୟୀ ଉକ୍ତ ଗ୍ରାମର ଉମେଶ ଚନ୍ଦ୍ର ନାୟକଙ୍କ ଏକମାତ୍ର ୨୧ ବର୍ଷୀୟ ପୁଅ ଲକ୍ଷ୍ମୀକାନ୍ତ ନାୟକ ନିଜ ମୋବାଇଲ ଫୋନରେ ଡିସପ୍ଲେ ପକାଇବାକୁ ବାପାଙ୍କୁ ୫ ହଜାର ଟଙ୍କା ମାଗିଥିଲେ। ବାପା ଉମେଶ ଟଙ୍କା ଦେବାକୁ କହି ପରେ ନଦେବାରୁ ପୁଅ ଲକ୍ଷ୍ମୀକାନ୍ତ ଭଉଣୀ ସହ ଝଗଡ଼ା କରି ନିଜ ବାଇକରେ କୁଜଙ୍ଗ କୃଷି ଫାର୍ମକୁ ଯାଇ ପଥର ବନ୍ଧ ନିକଟରେ ଗାଡି ଓ ମୋବାଇଲକୁ ରଖି ଦେଇ ମହାନଦୀକୁ ଡେଁଇ ପଡିଥିଲା ବୋଲି ଶୁଣିବାକୁ ମିଳୁଛି।
ନଦୀରେ ମାଛ ଧରୁଥିବା କେତେକ ମତ୍ସ୍ୟଜୀବୀ ଏପରି ଅଭାବନୀୟ ଘଟଣା ଦେଖି କୁଜଙ୍ଗ ଥାନାକୁ ଜଣାଇଥିଲେ। କୁଜଙ୍ଗ ଥାନାର ଆଇଆଇସି ପାରୋ ଟୁଡୁ ଘଟଣା ସ୍ଥଳରେ ପହଞ୍ଚି ମୋଟର ବାଇକ ଓ ମୋବାଇଲକୁ ଦେଖି ଯୁବକର ପରିଚୟ ପାଇଥିଲେ। ଏଥିସହିତ ଉଦ୍ଧାର ପାଇଁ କୁଜଙ୍ଗ ଅଗ୍ନି ଶମ ବିଭାଗ ଓ ଓଡ୍ରାଫ ଟିମ୍ ପହଞ୍ଚି ଦିନ ତମାମ ଖୋଜା ଖୋଜି କଲାପରେ ମଧ୍ୟ ଅପରାହ୍ନ ୩ ଘ.୫୦ ମିନିଟ୍ ସୁଦ୍ଧା ଯୁବକ ଲକ୍ଷ୍ମୀକାନ୍ତର କୌଣସି ସନ୍ଧାନ ମିଳିପାରିନଥିଲା। ଓଡ୍ରାଫ ଟିମ୍ ସ୍କୁବା ଡାଇଭର ଆଣି ପାଣିରେ ବୁଡାଇ ଖୋଜା ଚାଲିଥିବା ଜଣାପଡିଛି। ତିର୍ତୋଲ ଅଗ୍ନିଶମ ଅଧିକାରୀ ନିଜର କର୍ମଚାରୀମାନଙ୍କୁ ନେଇ ପାୱାର ବୋଟ୍ ରେ ଖୋଜା ଖୋଜି କରିଥିଲେ।
ଜିଆଇଟିରେ ଇଞ୍ଜିନିୟରିଂ ପଢୁଥିବା ଲକ୍ଷ୍ମୀକାନ୍ତଙ୍କର ମହାନଦୀରେ ନିଖୋଜ ଘଟଣା ସ୍ଥାନୀୟ ଅଞ୍ଚଳରେ ଜନସାଧାରଣଙ୍କୁ ମର୍ମାହତ କରିଛି।