Categories
ବିଶେଷ ଖବର ରାଜ୍ୟ ଖବର

ମହାନଦୀ ଅବବାହିକାରେ ହେବ ଅଧିକ ରବି ଫସଲ, ରିପୋର୍ଟ ମାଗିଲେ ରାଜ୍ୟ ସରକାର

ଭୁବନେଶ୍ୱର: ଉପଯୁକ୍ତ ଯୋଜନା ପ୍ରସ୍ତୁତି କରି ଜଳସେଚନ ବ୍ୟବହାର ବୃଦ୍ଧି ପୂର୍ବକ ମହାନଦୀ ଡେଲଟା ଷ୍ଟେଜ୍ -୧ ଓ ଷ୍ଟେଜ୍ -୨ ଅଧୀନରେ କରାଯାଉଥିବା ରବି ଚାଷ ଉତ୍ପାଦନ ବୃଦ୍ଧି କରାଯିବା ସମ୍ପର୍କରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଏକ-ଦିବସୀୟ କର୍ମଶାଳା କୃଷି ଭବନଠାରେ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଯୋଗଦେଇ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ , କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ଃ ଅରବିନ୍ଦ କୁମାର ପାଢ଼ୀ, କୃଷି ବିଭାଗ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ଓ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଆଶୁତୋଷ ଦାଶ ପ୍ରମୁଖ ଉପସ୍ଥିତ ରହି ଯୋଗଦେଇଥିବା କୃଷି ବିଭାଗ, ଜଳ ସଂପଦ ବିଭାଗ ଓ ଓୟୁଏଟିର ଅଧିକାରୀମାନଙ୍କୁ ଆଗାମୀ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ।

ଅନୁଷ୍ଠିତ ବୈଠକରୁ ଜଣାଯାଇଛି ଯେ, ରାଜ୍ୟରେ ଖରିଫ ଋତୁରେ କୃଷି ଉତ୍ପାଦନ ପରିମାଣ ଅନୁସାରେ ରବି ଋତୁରେ ଯେଉଁ ପରିମାଣରେ ଉତ୍ପାଦନ ରହିବା କଥା ତାହା କମ୍ ରହୁଛି। ଆମର ଜଳସଂପଦ ଓ ଜଳସେଚନ ବ୍ୟବସ୍ଥା ଯେତିକି ରହିଛି, କୃଷି କାର‌୍ୟ୍ୟ ପାର୍ଇ ଜଳ କିପରି ଆବଶ୍ୟକ ମୁତାବକ ବିନିଯୋଗ କରାଯାଇ ରବି ଚାଷ ଉତ୍ପାଦନ ବୃଦ୍ଧି ପାଇବ, ସେଥି ନିମନ୍ତେ ରାଜ୍ୟ ଜଳ ସଂପଦ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମିଳିମିଶି ଟିମ ଓ୍ୱାର୍କ ଭାବେ କାର‌୍ୟ୍ୟ କରିବେ।

ଏଥିରେ କୃଷକ ଓ ପାଣି ପଂଚାୟତମାନେ ସହଯୋଗ କରିବେ। ଆଗକୁ ରବି ଚାଷ ପାଇଁ ୩ ମାସ ସମୟ ଥିବାରୁ ଏଥି ପାଇଁ କୃଷି ବିଭାଗ ତରଫରୁ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ଏହାକୁ କାର‌୍ୟ୍ୟକାରୀ କରିବା ପାଇଁ ଉଭୟ ବିଭାଗର ଅଧିକାରୀମାନେ ଆୟୋଜିତ କର୍ମଶାଳାରେ ଯୋଗ ଦେଇଥିଲେ।

ଏଥି ପାଇଁ ବିଭିନ୍ନ ବ୍ଲକରେ ଯେଉଁ ସ୍ଥାନରେ ରବି ଫସଲ କରାଯାଉଛି, ସେଥି ପାଇଁ ଜଳର କେତେ ଆବଶ୍ୟକତା ରହିଛି, ଅଧିକ ରବି ଫସଲ କରାଗଲେ କେତେ ଜଳ ଆବଶ୍ୟକତା ରହିବ, ସେ ସଂପର୍କରେ ପ୍ରତି ବ୍କକ ଆଗାମୀ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ବିବରଣୀ ପ୍ରସ୍ତୁତ କରିବେ। ୩୦ ସେପ୍ଟେମ୍ବର ସୁଦ୍ଧା ବ୍ଲକରୁ ଜିଲ୍ଲାକୁ ବିବରଣୀ ପହଁଚିବ। ୩୦ ଅକ୍ଟୋବର ସୁଦ୍ଧା ଜିଳ୍ଲାପାଳମାନେ ରାଜ୍ୟସ୍ତରକୁ ତଥ୍ୟ ପ୍ରଦାନ କରିବେ।

ପ୍ରସ୍ତୁତ ଯୋଜନା ଅନୁସାରେ ଜିଲ୍ଲାସ୍ତରରେ ଜିଲ୍ଲାପାଳମାନେ ରବିଚାଷ ପାଇଁ କି କି ବ୍ୟବସ୍ଥା ରହିଛି, ସେ ସଂପର୍କରେ ବ୍ୟାପକ ଆଲୋଚନା କରି ସଚେତନ କରିବେ। ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ପ୍ରସ୍ତୁତ ଯୋଜନା କାର୍ଯ୍ୟକାରୀ ହେବ। ଏହା ଦ୍ୱାରା ୭୦ ରୁ ୮୦ ପ୍ରତିଶତ ରବିଚାଷ ବୃଦ୍ଧି ପାଇବା ଆଶା କରାଯାଉଛି। ଅଧିକାରୀମାନେ କାର‌୍ୟ୍ୟାନ୍ୱୟନ ଅଗ୍ରଗତି ସଂପର୍କରେ ଜିଓ ଟ୍ୟାଗ୍ ବ୍ୟବସ୍ଥାରେ ସୂଚନା ପାଇପାରିବେ।

କର୍ମଶାଳାରେ ଯୋଗ ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ଯେ ରବି ଚାଷ ସମୟରେ ରହୁଥିବା ବିଭିନ୍ନ ସମସ୍ୟାର ସମାଧାନ କରି ଜଳସେଚନ ବ୍ୟବସ୍ଥା ଅଧିକ ବ୍ୟବସ୍ଥିତ କରି ରବି ଚାଷ ବୃଦ୍ଧି ଦିଗରେ ଜଳ ସଂପଦ ବିଭାଗ ଓ କୃଷି ବିଭାଗ ଏକାଠି ଯେପରି କାର‌୍ୟ୍ୟ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ତାହା ଆଗାମୀ ଦିନରେ ନିଶ୍ଚୟ ଫଳପ୍ରଦ ହେବ। ଡାଲି ଓ ତୈଳବିଜ ଚାଷ ପାଇଁ କୃଷିର ବ୍ୟବହାରିକ ପରିବର୍ତ୍ତନ ଉପରେ ସେ ଗୁରୁତ୍ୱ ଦେଇଥିଲେ।

ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଥିଲେ ଯେ, ରାଜ୍ୟ ସରକାର ତଥା ବିଭାଗ ତରଫରୁ ବହୁ ଶ୍ରମ ସ୍ୱୀକାର କରାଯାଇ ନୂଆ ନୂଆ ଜଳ ଭଣ୍ତାର ଓ ଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଉଛି। ସେଥିପାଇଁ ସଂପୃକ୍ତ ପ୍ରକଳ୍ପ ଅଂଚଳରେ ଲୋକେ ପ୍ରଭାବିତ ହେଉଛନ୍ତି। ଆମର ଅଧିକ ଅଂଚଳକୁ ଜଳସେଚନ କରାଯାଇ ଯେପରି ଲୋକ ଉପକୃତ ହେବେ ସେମାନଙ୍କୁ ବୁଝାଯାଇ ପ୍ରକଳ୍ପ କରାଯାଉଛି। କେନାଲ ଯୋଗେ ଜଳ ସେଚନ ସୁବିଧା ଯୋଗାଇ ଦିଆଯାଉଛି। ତେଣୁ ଆମର ଜଳର ଆବଶ୍ୟକ ମୁତାବକ ଉପଯୁକ୍ତ ବିନିଯୋଗ ହେବା ଓ ରୂପାନ୍ତରଣ କାର୍ଯ୍ୟରେ ଲାଗିବା ଆବଶ୍ୟକ। ଆମର ୩୭,୦୦୦ ପାଣି ପଂଚାୟତର ସଦସ୍ୟସଦସ୍ୟାମାନେ ଏ ଦିଗରେ ସହାୟତା କରିବେ ବୋଲି ସେ କହିଥିଲେ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ଃ ପାଢ଼ୀ କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଆମକୁ ରବି ଚାଷକୁ ଅଧିକ ଗୁରୁତ୍ୱ ଦେବାକୁ ହେବ। ଜଳର ସୁବିନିଯୋଗ କରାଯାଇ କିପରି ଅଧିକ କୃଷି ଉତ୍ପାଦନ ହେବ, ସେଥିପାଇଁ ପ୍ରତି ମାସରେ ଉଭୟ ବିଭାଗର ସମନ୍ୱୟ ବୈଠକ କରାଯାଉଛି। ରାଜ୍ୟରେ ଚିନାବାଦାମ ଓ ଆଳୁ ଚାଷ ସହ ଅଣଧାନ ଚାଷ ଉପରେ ଗୁରୁତ୍ୱ ଦେଇଥିଲେ।

ଖରିଫ୍ ସମୟରେ ଧାନ ଚାଷ କରାଯାଉଥିଲେ ବିଭିନ୍ନ ପ୍ରଜାତିର କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଯୁକ୍ତ ଧାନ ଚାଷ ଉପରେ ଗୁରୁତ୍ୱ ଦେଇଥିଲେ। ଖାଦ୍ୟରେ ଯେପରି ପୋଷଣୀୟ ଖାଦ୍ୟ ନିରାପତ୍ତା ମାନ ରହିବ ସେଥିପ୍ରତି ସେ ଗୁରୁତ୍ୱାରୋପ କରିଥିଲେ। କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ। କର୍ମଶାଳାର ବିଭିନ୍ନ ଅଧିବେଶନରେ ଯୋଜନା ବିସ୍ତୃତ ରୂପରେଖ ଉପସ୍ଥାପନା କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ମହାନଦୀରେ ବନ୍ୟା ପରିସ୍ଥିତି, ବ୍ଲକ କର୍ମଚାରୀଙ୍କ ଛୁଟି ବାତିଲ

କୁଜଙ୍ଗ: ମହାନଦୀରେ ପ୍ରଥମ ବନ୍ୟାଜଳ ଆସିବା ଫଳରେ କୁଜଙ୍ଗ ବ୍ଲକର ୯ଟି ପଂଚାୟତରେ ବନ୍ୟାପରିସ୍ଥିତି ସୃଷ୍ଟି ହୋଇଛି। ଯାହାଫଳରେ ଧୋଇଆ ଅଂଚଳ ବାସି ଆତଙ୍କିତ ହୋଇପଡିଛନ୍ତି। ଗୁରୁବାର ଦିନ କୁଜଙ୍ଗ ବ୍ଲକ ସାଇଲୋ ପଂଚାୟତର ହରିପୁର ଗ୍ରାମ ମଧ୍ୟକୁ ବନ୍ୟାଜଳ ପ୍ରବେଶ କରିନଥିଲେ ବି ଗ୍ରାମ୍ୟ ରାସ୍ତା ବନ୍ୟା ଜଳରେ ଧୋଇହୋଇ ଯିବା ଫଳରେ ଉକ୍ତ ଗ୍ରାମଟି ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି।

କୁଜଙ୍ଗ ବ୍ଲକର ୯ଟି ପଂଚାୟତ ଯଥାକ୍ରମେ ଜିଲ୍ଳାନାସି, ବଡବାଲିକଣି, ହଂସୁରା, କାଠକୋଟ ପଂଚାୟତ ସମ୍ପୁର୍ଣ୍ଣ ବନ୍ୟାଚଂଳ ହୋଇଥିବା ବେଳେ, ସାଇଲୋ ପଂଚାୟତର ହରିପୁର ଗ୍ରାମ, ମହ୍ଲାସାହି ପଂଚାୟତର ମଧୁପୁର ଗ୍ରାମ, କୁଜଙ୍ଗ ପଂଚାୟତର ଭଣ୍ଡୁଆ ଓ ଭୂତମୁଣ୍ଡାଇ ପଂଚାୟତର ଫୁଲବେଲାରି ଗ୍ରାମ ବନ୍ୟାଚଂଳ ରୁପେ ପରିଗଣିତ। ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସଜାଗ ହୋଇ ଉଠିଛି। ସ୍ୱତନ୍ତ୍ର ରିଲିଫ କମିସନରଙ୍କର କୁଜଙ୍ଗ ବ୍ଲକରେ ଗଛିତ ଥିବା ତିନିଟି ବୋଟ ମଧ୍ୟରୁ ବ୍ଲକ ପ୍ରଶାସନ ହରିପୁର ଗାଁକୁ ୧ଟି ପଠାଇ ସାରିଛନ୍ତି। ବ୍ଲକର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ପଂଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ ମାନେ ରାତିସାରା ବନ୍ୟାଚଂଳ ବୁଲି ପରିସ୍ଥିତି ଉପରେ ନିଘା ରଖିବାପାଇଁ ବ୍ଲକ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଥିବାର ବିଡିଓଙ୍କଠାରୁ ପ୍ରକାଶ।

ଅନ୍ୟପଟେ ଚାରଣ ଭୁଇଁରେ ପାଣି ମାଡିଯିବାରୁ ଗୋଖାଦ୍ୟ ପାଇଁ ବ୍ଲକ ପ୍ରଶାସନ ଜିଲ୍ଲା ପ୍ରସାସନ ନିକଟକୁ ପ୍ରସ୍ତାବ (ଇଣ୍ଡେଟ) ପଠାଯାଇଛି। ଶୁକ୍ରବାର ସକାଳୁ ପ୍ରଥମେ ସବୁଜଘାସ ଯୋଗାଇଦେବାପାଇଁ ପ୍ରଶାସନ ପଦକ୍ଷପ ନେଇଛି। ଏହି ବନ୍ୟା ପ୍ରଭାବିତ ଅଂଚଳରେ ୨୦୧୯ ଗୋ ମଇଁଷାଦି ପଶୁ ଗଣନା ଅନୁଯାୟୀ ୭ଶହ ସଂଖ୍ୟା ଥିବା ବେଳେ ବେସରକାରୀଭାବେ ତାହା ୧୫ଶହ ହେବ ବୋଲି ବିଡିଓ ପ୍ରକାଶ କରିଛନ୍ତି। ରାତିରେ ବନ୍ୟା ପ୍ରଭାବିତ ଯେପରି ଅନ୍ଧାରର ସମ୍ମୁଖିନ୍ନ ନହୁଅନ୍ତି ସେଥିପାଇଁ ଆସ୍କା ଲାଇଟର ବ୍ୟବସ୍ଥା କରାଯାଇଛି। କୁଜଙ୍ଗ ବ୍ଲକରେ ୧୩ଟି ଆସ୍କା ଲାଇଟି ମହଜୁଦ ଥିବା ବେଳେ, ବାଲିକୁଦା ବ୍ଲକରୁ ୬ଟି ଓ ନାଉଗାଁ ବ୍ଲକରୁ ୧ଟି ଆସ୍କା ଲାଇଟ ଅଣାଯାଇ ମୋଟ ୨୦ଟି ଆସ୍କା ଲାଇଟି ପ୍ରସ୍ତୁତ କରି ରଖାଯାଇଛି।

ପ୍ରାଥମିକ ଅବସ୍ଥାରେ ୩୦ କ୍ୱିଂଟାଲ ଚୁଡା ଓ ୧୦ କ୍ୱିଂଟାଲ ଗୁଡ ଯୋଗାଇ ଦେବାପାଇଁ ବ୍ଲକ ପ୍ରଶାସନ ତରଫରୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି। ଗୁରୁବାର ରାତିରେ ଉପ ଜିଲ୍ଲାପାଳ କୁଜଙ୍ଗରେ ପହଁଚି ବନ୍ୟା ମୁକାବିଲା ନିମନ୍ତେ ବ୍ଲକ ପ୍ରଶାସନର ପ୍ରସ୍ଥୁତି ସମ୍ପର୍କରେ ସମିକ୍ଷା କରିବା ସହ ବ୍ଲକ କାର୍ଯ୍ୟାଳୟରେ ଡେରାପକାଇ ରହିବେ ବୋଲି ଜଣାପଡିଛି।

ଅନ୍ୟପଟେ ଜଗତ୍‌ସିଂହପୁର ଜିଲ୍ଳାପାଳ ବିଳମ୍ବିତ ରାତ୍ରିରେ ବନ୍ୟାଅଂଚଳକୁ ଆସିବାର ସମ୍ଭାବନା ଅଛି ବୋଲି ବିଡିଓ ସୌମ୍ୟଶ୍ରୀ ପାଣି ଗ୍ରାହିଙ୍କଠାରୁ ପ୍ରକାଶ। ତହସିଲଦାର ପ୍ରିତିପର୍ଣ୍ଣା ମିଶ୍ରଙ୍କୁ ସମ୍ଭାବ୍ୟ ବନ୍ୟା ସମ୍ପର୍କରେ କହିଛନ୍ତିଯେ ଜନସାଧାରଣଙ୍କୁ ସତର୍କ ରହିବାପାଇଁ କୁହାଯିବା ସହ ପ୍ରଶାସନ ବନ୍ୟା ମୁକାବିଲା ନିମନ୍ତେ ସମ୍ପୁର୍ଣ୍ଣ ପ୍ରସ୍ଥୁତ ଅଛନ୍ତି।

ବର୍ତ୍ତମାନ ପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ, ବନ୍ୟାଯଦି ଉଗ୍ର ରୁପ ନିଏ ଧୋଇଆ ଅଂଚଳର ପରିବା ଚାଷ ସମ୍ପୁର୍ଣ୍ଣ ଉଜୁଡିଯିବ। ଯାହାକୁ ନେଇ ଚାଷି ଓ ଖାଉଟି ଆତଙ୍କିତ ହୋଇଛନ୍ତି । ଗୁରୁବାର ସକାଳେ ବନ୍ୟାଜଳ ନଦୀ ଅତଡା ଖାଉଥିବା ବେଳେ ସନ୍ଧ୍ୟା ବେଳକୁ ପ୍ରାୟ ୪ଫୁଟ ବନ୍ୟାଜଳ ବଢି କୂଳ ଲଙ୍ଘିବା ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ମହାନଦୀ ଉପରେ ଦୀର୍ଘତମ ‘ଟି-ସେତୁ’ ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ମହାନଦୀ ଉପରେ ଦୀର୍ଘତମ ସେତୁ ‘ଟି-ସେତୁ’ ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୧୧ କୋଟି ବ୍ୟୟରେ ନିର୍ମିତ ଏହି ସେତୁକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ଏହି ସେତୁର ଲମ୍ବ ୩.୪ କିଲୋମିଟର ଅଟେ। ଗୋପୀନାଥପୁର-ସିଂହନାଥ ପୀଠ-ବୈଦେଶ୍ଵରକୁ ଏହି ଟି-ସେତୁ ସଂଯୋଗ କରିଛି। ଏହା ଇଂରାଜୀ ଅକ୍ଷର ‘ଟି’ ପରି ହୋଇଥିବାରୁ ଏହାକୁ ଟି-ସେତୁ ବୋଲି କୁହାଯାଇଛି। ଏହାଯୋଗୁଁ ୫ ଲକ୍ଷ ଲୋକ ଉପକୃତ ହେବେ। ଏତଦବ୍ୟତୀତ ଏହା ଦ୍ଵାରା ୪୫ କିମି ଦୁରତ୍ଵ କମିବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଅପରେସନ ଗଜରାଜ: ଦୁଇ ଗଣମାଧ୍ୟମର ପ୍ରତିନିଧିଙ୍କ ସମେତ ଭାସିଗଲେ ଓଡ୍ରାଫ ଟିମ

ଭୁବନେଶ୍ବର: ମହାନଦୀରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଦନ୍ତା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ଟିମର ରବର ବୋଟଟି ଓଲଟି ଯାଇଛି। ମହାନଦୀ ମୁଣ୍ଡୁଳି ବ୍ୟାରେଜ ନିକଟରେ ବୋଟଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ବୋଟରେ ଓଡ୍ରାଫ ଟିମ ସହ ୨ ଜଣ ଗଣମାଧ୍ୟମର ପ୍ରତିନିଧି ରହିଥିଲେ।

ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ରହିଛି। ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଶନିବାର ସଂଧ୍ୟାରେ ଚାରୋଟି ଜିଲ୍ଲାରେ ଆସିପାରେ ବନ୍ୟା; ସ୍ବତନ୍ତ୍ର ରିଲିଫ କମିଶନର

ଭୁବନେଶ୍ବର: ଶନିବାର ସଂଧ୍ୟା ସୁଦ୍ଧା 4ଟି ଜିଲ୍ଲାରେ ବନ୍ୟା ଆଶଙ୍କା ରହିଛି। ସେହି ଚାରୋଟି ଜିଲ୍ଲା ହେଲା କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ ପୁରୀ। ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା।

ଗତ ତିନିଦିନ ଧରି ରାଜ୍ୟରେ ଲଗାତର ପ୍ରବଳ ବର୍ଷା ହେବା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ହୀରାକୂଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଉଛି। ବର୍ତ୍ତମାନ ଏହି ଡ୍ୟାମର 28ଟି ଗେଟ ଖୋଲାଯାଇଛି। ସେଥିପାଇଁ କେତେକ ସ୍ଥାନରେ ବନ୍ୟା ସମ୍ଭାବନା ରହିଛି ବୋଲି ଶ୍ରୀ ଜେନା କହିଛନ୍ତି।

ବର୍ତ୍ତମାନ ହୀରାକୂଦରେ ସେକେଣ୍ଡ ପିଛା ୫ ଲକ୍ଷ ୨୦ ହଜାର ୪୫୭ କ୍ୟୁସେକ ଜଳ ପ୍ରବେଶ କରୁଛି । ଅନ୍ୟପକ୍ଷରେ ୨୮ଟି ଗେଟ୍ ଦେଇ ୪ ଲକ୍ଷ ୮୧ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଶନିବାର ସୁଦ୍ଧା ମୁଣ୍ଡଳୀରେ ଆଠ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବର ସମ୍ଭାବନା ରହିଛି।

ସେହିପରି ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ରେଙ୍ଗାଳିରେ ମଧ୍ୟ ଗୋଟିଏ ଗେଟ ଖୋଲାଯାଇଛି। ଏହି ନଦୀ ଫୁଲୁଥିବାରୁ ଏହାର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଶ୍ରୀ ଜେନା କହିଛନ୍ତି।

ତେବେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି ବୋଲି ଶ୍ରୀ ଜେନା କହିଛନ୍ତି। ଏଥିପାଇଁ ତିରିଶିଟି ଓଡ୍ରାଫ ଟିମ ଏବଂ ବାରଟି ଏନଡିଆରଫ ଟିମକୁ ବନ୍ୟା ସାମ୍ଭବ୍ୟ ଜିଲ୍ଲାକୁ ପଠାଯାଇଛି ବୋଲି ଶ୍ରୀ ଜେନା କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦୁଇଦିନ ପରେ କୁଜଙ୍ଗ ମହାନଦୀରୁ ଉଦ୍ଧାର ହେଲା ଇଂଜିନିୟରିଂ ଛାତ୍ରଙ୍କ ମୃତଦେହ

ରମେଶ ମହାନ୍ତି
ଜଗତସିଂହପୁର: ୨ଦିନ ପୂର୍ବେ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ଇଂଜିନିୟରିଂ ଛାତ୍ରଙ୍କ ମୃତଦେହ ଆଜି (ଶନିବାର) ସକାଳେ ଉଦ୍ଧାର ହୋଇଛି। ସୂଚନାନୁଯାୟୀ ଗତ ଗୁରୁବାର ଦିନ ଅପରାହ୍ନ ସମୟରେରେ କୁଜଙ୍ଗ କୃଷି ଫାର୍ମ ନିକଟସ୍ଥ ମହାନଦୀର ଗଭୀର ଜଳକୁ ଲକ୍ଷ୍ମୀକାନ୍ତ ଡେଇଁ ପଡ଼ିଥିବା ଜଣା ପଡ଼ିଥିଲା। ତେବେ କୁଜଙ୍ଗ ଥାନା ଅନ୍ତର୍ଗତ କରତୁଠା ଗ୍ରାମର ଉମାକାନ୍ତ ନାୟକଙ୍କ ଏକମାତ୍ର ୨୧ ବର୍ଷର ପୁଅ ଲକ୍ଷ୍ମୀକାନ୍ତଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ୨ ଦିନ ଧରି ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମର ପ୍ରଚେଷ୍ଟା ଫଳରେ ଆଜି ଲକ୍ଷ୍ମୀକାନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ମୋବାଇଲ୍ ପାଇଁ ବାପା ଟଙ୍କା ନଦେବାରୁ ମହାନଦୀକୁ ଡେଇଁ ଇଞ୍ଜିନିୟରିଂ ଛାତ୍ର ନିଖୋଜ

ରମେଶ ମହାନ୍ତି

ଜଗତସିଂହପୁର: ମୋବାଇଲ ଫୋନ୍ ମରାମତି ପାଇଁ ବାପାଙ୍କୁ ଟଙ୍କା ମାଗି ନ ପାଇବାରୁ ମହାନଦୀକୁ ଡେଁଇ ଯୁବକ ଆତ୍ମହତ୍ୟା ଉଦ୍ୟମ କରି ନିଖୋଜ ଥିବା କୁହାଯାଉଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାଟପୁର ପଞ୍ଚାୟତର କରତୁଠା ଗ୍ରାମରେ।

ସୂଚନାନୁଯାୟୀ ଉକ୍ତ ଗ୍ରାମର ଉମେଶ ଚନ୍ଦ୍ର ନାୟକଙ୍କ ଏକମାତ୍ର ୨୧ ବର୍ଷୀୟ ପୁଅ ଲକ୍ଷ୍ମୀକାନ୍ତ ନାୟକ ନିଜ ମୋବାଇଲ ଫୋନରେ ଡିସପ୍ଲେ ପକାଇବାକୁ ବାପାଙ୍କୁ ୫ ହଜାର ଟଙ୍କା ମାଗିଥିଲେ। ବାପା ଉମେଶ ଟଙ୍କା ଦେବାକୁ କହି ପରେ ନଦେବାରୁ ପୁଅ ଲକ୍ଷ୍ମୀକାନ୍ତ ଭଉଣୀ ସହ ଝଗଡ଼ା କରି ନିଜ ବାଇକରେ କୁଜଙ୍ଗ କୃଷି ଫାର୍ମକୁ ଯାଇ ପଥର ବନ୍ଧ ନିକଟରେ ଗାଡି ଓ ମୋବାଇଲକୁ ରଖି ଦେଇ ମହାନଦୀକୁ ଡେଁଇ ପଡିଥିଲା ବୋଲି ଶୁଣିବାକୁ ମିଳୁଛି।

ନଦୀରେ ମାଛ ଧରୁଥିବା କେତେକ ମତ୍ସ୍ୟଜୀବୀ ଏପରି ଅଭାବନୀୟ ଘଟଣା ଦେଖି କୁଜଙ୍ଗ ଥାନାକୁ ଜଣାଇଥିଲେ। କୁଜଙ୍ଗ ଥାନାର ଆଇଆଇସି ପାରୋ ଟୁଡୁ ଘଟଣା ସ୍ଥଳରେ ପହଞ୍ଚି ମୋଟର ବାଇକ ଓ ମୋବାଇଲକୁ ଦେଖି ଯୁବକର ପରିଚୟ ପାଇଥିଲେ। ଏଥିସହିତ ଉଦ୍ଧାର ପାଇଁ କୁଜଙ୍ଗ ଅଗ୍ନି ଶମ ବିଭାଗ ଓ ଓଡ୍ରାଫ ଟିମ୍ ପହଞ୍ଚି ଦିନ ତମାମ ଖୋଜା ଖୋଜି କଲାପରେ ମଧ୍ୟ ଅପରାହ୍ନ ୩ ଘ.୫୦ ମିନିଟ୍ ସୁଦ୍ଧା ଯୁବକ ଲକ୍ଷ୍ମୀକାନ୍ତର କୌଣସି ସନ୍ଧାନ ମିଳିପାରିନଥିଲା। ଓଡ୍ରାଫ ଟିମ୍ ସ୍କୁବା ଡାଇଭର ଆଣି ପାଣିରେ ବୁଡାଇ ଖୋଜା ଚାଲିଥିବା ଜଣାପଡିଛି। ତିର୍ତୋଲ ଅଗ୍ନିଶମ ଅଧିକାରୀ ନିଜର କର୍ମଚାରୀମାନଙ୍କୁ ନେଇ ପାୱାର ବୋଟ୍ ରେ ଖୋଜା ଖୋଜି କରିଥିଲେ।

ଜିଆଇଟିରେ ଇଞ୍ଜିନିୟରିଂ ପଢୁଥିବା ଲକ୍ଷ୍ମୀକାନ୍ତଙ୍କର ମହାନଦୀରେ ନିଖୋଜ ଘଟଣା ସ୍ଥାନୀୟ ଅଞ୍ଚଳରେ ଜନସାଧାରଣଙ୍କୁ ମର୍ମାହତ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ମହାନଦୀକୁ ଡେଇଁଲେ ଯୁବକ

ବାଙ୍କୀ: କଟକ ଜିଲ୍ଲା ଜାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜ୍‌ରୁ ଜଣେ ଯୁବକ ମହାନଦୀକୁ ଡେଇଁ ପଡ଼ିଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଯୁବକ ଜଣକ ମହାନଦୀକୁ ଡେଇଁ ପଡ଼ିଥିବାର ସୂଚନା ରହିଛି। ନିଖୋଜ ଯୁବକ ଜଣକ ସୁଣ୍ଠିପାଳ ଗ୍ରାମର ବନମାଳୀ ରାଉତ ବୋଲି ସୂଚନା ରହିଛି । ଯୁବକଙ୍କ ବୟସ 25 ବର୍ଷ  ହେବ ବୋଲି ସୂଚନା ରହିଛି । କେଉଁ କାରଣ ପାଇଁ ସେ ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ଜଣାପଡ଼ିନାହିଁ।  ନିଖୋଜ ଯୁବକଙ୍କୁ ଖୋଜିବା ନିମନ୍ତେ ଅଗ୍ନିଶମ ବିଭାଗର 2ଟି ଟିମ୍‌ ନିୟୋଜିତ ଥିବା ବେଳେ ତାଙ୍କ ପତ୍ତା ମିଳି ପାରିନି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମହାନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ଚନ୍ଦ୍ରକାନ୍ତି ବୌଦ୍ଧ
ନରସିଂହପୁର: କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗନ୍ତ ଗୋପୀନାଥପୁରର ମହାନଦୀ ଅବବାହିକାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ପ୍ରସିଦ୍ଧ ଶୈବପୀଠ ବାବା ସିଂହନାଥଙ୍କ ନିକଟସ୍ଥ ମହାନଦୀରୁ ଗତକାଲି ନିଖୋଜ ଥିବା ଯୁବକ ଜଗବନ୍ଧୁ ମହାରଣା ଓରଫ ପପୁ (୨୬)ଙ୍କ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। ବଡମ୍ବା ଦମକଳ ବାହିନୀ ଦୀର୍ଘ ତିନି ଘଣ୍ଟାର ରେସ୍କ୍ୟୁ ଅପରେସନ୍‌ ପରେ ଯୁବକଙ୍କ ଶବ ଉଦ୍ଧାର କରିଛି।

ସୂଚନା ଅନୁଯାୟୀ ବଡମ୍ବା ନିଜିଗଡର ୪ ଜଣ ଯୁବକ ଗତକାଲି ସନ୍ଧ୍ୟାରେ ବାବା ସିଂହନାଥଙ୍କୁ ଦର୍ଶନ କରିବାକୁ ଆସିଥିବା ବେଳେ ୪ ଜଣ ଯୁବକ ନଦୀରେ ଭାସି ଯାଇଥିଲେ। ୩ ଜଣ ଯୁବକ ପହଁରି କୂଳକୁ ଆସିଥିବା ବେଳେ ଜଗବନ୍ଧୁ ମହାରଣା ପହଁରା ଜାଣିନଥିବାରୁ ଗଭୀର ଜଳରାଶିର ସ୍ରୋତରେ ଭାସିଯାଇଥିଲେ। ସ୍ଥାନୀୟ ଲୋକ ଏହା ଦେଖି ସଙ୍ଗେସଙ୍ଗେ ବଡମ୍ବା ଦମକଳ ବାହିନୀ ଏବଂ ବଡମ୍ବା ପୋଲିସକୁ ଖବର ଦେଇଥିଲେ।ଘଟଣା ସ୍ଥଳରେ ଦମକଳ ବାହିନୀ ଏବଂ ପୋଲିସ ପହଂଚି ବହୁ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ପାଇନଥିଲେ। ସନ୍ଧ୍ୟା ସମୟରେ ରେସ୍କୁ ଅପରେସନରେ ଅସୁବିଧା ହେବାରୁ ଦମକଳ ବାହିନୀ ଘଟଣା ସ୍ଥଳରୁ ଫେରିଯାଇଥିଲେ। ଆଜି ୩ ଘଣ୍ଟାର ରେସ୍କୁ ଅପରେସନ ପରେ ନିଖୋଜ ଜଗବନ୍ଧୁଙ୍କ ମୃତଦେହକୁ ଉଦ୍ଧାର କରିଥିଲା ଦମକଳ ବାହିନୀ। ଉଦ୍ଧାର ପରେ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ବଡମ୍ବା ଡାକ୍ତରଖାନାକୁ ପଠାଇ ଦିଆଯାଇଛି।