Categories
ଅପରାଧ ଆଜିର ଖବର ଜାତୀୟ ଖବର

ନିଜ ସାଥୀମାନଙ୍କ ଉପକୁ ଗୁଳି ଚଳାଇଲେ ସିଆରପିଏଫ ଯବାନ: ୪ ମୃତ, ୩ ଆହତ

ରାୟପୁର: ଛତିଶଗଡର ସୁକମା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ର କ୍ୟାମ୍ପରେ ଜଣେ ଯବାନ ନିଜ ସାଥୀମାନଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଗୁଳି ବିନିମୟରେ ୪ ଜଣ ଯବାନ ପ୍ରାଣ ହରାଇଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି।

ବସ୍ତର ଅଞ୍ଚଳର ପୋଲିସର ଇନ୍ସପେକ୍ଟର ସୁନ୍ଦରରାଜ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଯବାନ ରିତେଶ ରଂଜନ କ୍ୟାମ୍ପରେ ଥିବା ସହକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଯାହାଫଳରେ ୪ ଜଣ ଯବାନ ଧନଜୀ, ରାଜୀବ ମଣ୍ଡଳ, ରାଜମାନି କୁମାର ଯାଦବ ଏବଂ ଧର୍ମେନ୍ଦ୍ର କୁମାରଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଅନ୍ୟ ତିନି ଜଣ ଯବାନ ଧନଞ୍ଜୟ କୁମାର ସିଂ, ଧର୍ମମା କୁମାର ଏବଂ ମାଲାୟା ରଂଜନ ମହାରାଣା ଆହତ ହୋଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ଅଳିଆଗଦାରୁ ମିଳିଲା କଟା ହାତ ଆଉ ଗୋଡ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ଵରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରାଜଧାନୀର ଏକ ଅଳିଆ ଗଦାରୁ କଟା ହାତ ଆଉ ଗୋଡ ମିଳିଥିବା ଦେଖିବାକୁ ମିଳିଛି। ୟୁନିଟ ୩ ର ରାମ ମନ୍ଦିର ପଛ ପଟେ ଥିବା ଅଳିଆ ଗଦାରୁ ଏଭଳି କଟା ହାତ ଗୋଡ ପଡିଥିବା ଦେଖିବାକୁ ମିଳିଛି। କଟା ଅଙ୍ଗରେ ସିଲାଇ ହୋଇଥିବା ସୂଚନା ରହିଛି। ହେଲେ ଏଭଳି ସ୍ଥାନକୁ କଟା ହାତ ଆଉ ଗୋଡ କେଉଁଠୁ ଆସିଲା ଏବଂ ଏହା କାହାର ହୋଇଥିବ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ଖାରବେଳ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି। ଅଧିକ ତଦନ୍ତ ପାଇଁ ଉଦ୍ଧାର ହୋଇଥିବା କଟା ଅଙ୍ଗକୁ ଏମ୍ସ ପଠାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅପରେସନ ଗଜରାଜ: ଦୁଇ ଗଣମାଧ୍ୟମର ପ୍ରତିନିଧିଙ୍କ ସମେତ ଭାସିଗଲେ ଓଡ୍ରାଫ ଟିମ

ଭୁବନେଶ୍ବର: ମହାନଦୀରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଦନ୍ତା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ଟିମର ରବର ବୋଟଟି ଓଲଟି ଯାଇଛି। ମହାନଦୀ ମୁଣ୍ଡୁଳି ବ୍ୟାରେଜ ନିକଟରେ ବୋଟଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ବୋଟରେ ଓଡ୍ରାଫ ଟିମ ସହ ୨ ଜଣ ଗଣମାଧ୍ୟମର ପ୍ରତିନିଧି ରହିଥିଲେ।

ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ରହିଛି। ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ପଥର ଖଣିରେ ବୁଡି ୩ ବର୍ଷୀୟ ଶିଶୁ ମୃତ

ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ପଥର ଖଣିରେ ବୁଡି ଜଣେ ୩ ବର୍ଷ ଶିଶୁର ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ପାରି ଓରଡ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ଟାଙ୍ଗୀ ଥାନା ପାରି ଓରଡ ଗ୍ରାମର ଟୁକୁନା ମୁଦୁଲିଙ୍କ ୩ ବର୍ଷର ପୁଅ ପ୍ରହଲ୍ଲାଦର ପଥର ଖଣିରେ ବୁଡି ମୃତ୍ୟୁ ହୋଇଛି। ଟୁକୁନା ମୁଦୁଲିଙ୍କ ଘର ନିକଟରେ ଥିବା ବେଆଇନ ପଥର ଖଣିରେ ବୁଡି ଶିଶୁର ମୃତ୍ୟୁ ହୋଇଯାଇଛି। ମାଫିଆମାନେ ଖଣିରୁ ପଥର ନେବା ପରେ ମୁକୁଳା କରି ଛାଡିଦେଇଥିଲେ। ଫଳରେ ଏଭଳି ଏକ ଅଘଟଣ ଘଟିଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ ଟୁକୁନା ମୁଦୁଲିଙ୍କ ପତ୍ନୀ ଘରେ କାମ ବ୍ୟସ୍ତରେ ଥିବା ବେଳେ ନାବାଳକ ଶିଶୁ ଜଣଙ୍କ ଘର ନିକଟରେ ଖେଳୁଥିଲା। ବର୍ଷା ଯୋଗୁଁ ଉକ୍ତ ଖଣିରେ ପାଣି ଭରି ରହିଥିବା ବେଳେ ଶିଶୁ ଜଣଙ୍କ ସେହି ଭିତରେ ପଡିଯାଇଥିଲା। ଦିର୍ଘ ସମୟ ପରେ ଶିଶୁ ପୁତ୍ରକୁ ମା’ ନପାଇବାରୁ ଖୋଜା ଖୋଜି କରିଥିଲେ। ତେବେ ଦିର୍ଘ ସମୟ ଖୋଜିବା ପରେ ଖଣିରେ ଶିଶୁ ପୁତ୍ରକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ସେଠାରୁ ଶିଶୁକୁ ତୁରନ୍ତ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ପ୍ରହଲ୍ଲାଦକୁ ମୃତ ଘୋଷଣା କରିଥିଲେ। ନାବାଳକର ମୃତ ଦେହ ଏବେ ଟାଙ୍ଗୀ ମେଡିକାଲରେ ଥିବା ବେଳେ ପୋଲିସ୍ ପହଂଚି ତଦନ୍ତ ଆରମ୍ଭ କରିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସିସିଟିଭିରେ କଏଦ୍: ହୋଟେଲର ତୃତୀୟ ମହଲାରୁ ଡେଇଁ ନାବାଳିକାଙ୍କ ଆତ୍ମହତ୍ୟା

ଉଜ୍ଜୈନ: ମଧ୍ୟପ୍ରଦେଶର ଉଜ୍ଜୈନର ମହାକାଳ ମନ୍ଦିର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହୋଟେଲର ତୃତୀୟ ମହଲାରୁ ଡେଇଁ ଜଣେ ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ରବିବାର ରାତି ୧୧.୪୮ ମିନିଟରେ ଏହି ଘଟଣା ଘଟିଛି। ଝିଅଟି ପ୍ରେମିକ ସହିତ ହୋଟେଲରେ ରହୁଥିଲା ଏବଂ ସେପ୍ଟେମ୍ବର ୪ ତାରିଖରୁ ନିଖୋଜ ଥିଲା।

ପୋଲିସ ଖବର ମୁତାବାକ, ପ୍ରେମିକ ସହିତ ଝଗଡା ହେବା ପରେ ନାବାଳିକା ଜଣଙ୍କ ଏହି ପଦକ୍ଷେପ ନେଇଥିଲା। ଉଭୟ ବିବାହିତ ଦମ୍ପତି ଭାବରେ ହୋଟେଲରେ ରହୁଥିଲେ। ଏହା ବ୍ୟତୀତ ସେ ହୋଟେଲକୁ ନକଲି ପରିଚୟପତ୍ର ଦେଇଥିଲେ। ମହାକାଳ ପୋଲିସ ଷ୍ଟେସନ କହିଛି ଯେ, ଝିଅଟି ହୋଟେଲର ତୃତୀୟ ମହଲାରୁ ଡେଇଁପଡିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ହୋଟେଲ ମାଲିକ ଏବଂ ଦୁଇ ପୁଅଙ୍କୁ ଗିରଫ କରିଥିଲା। ନାବାଳିକା ଜୁଡୋ କରାଟେରେ ଅଂଶଗ୍ରହଣ କରୁଥିଲା ଏବଂ ଏକାଦଶ ଶ୍ରେଣୀର ଛାତ୍ରୀ ଥିଲା।

ପୋଲିସର ସୂଚନାନୁସାରେ, ଝିଅଟି ରହୁଥିବା ହୋଟେଲର ସେହି କୋଠରୀରେ ପ୍ରେମିକ ଏବଂ ଅନ୍ୟ ସାଙ୍ଗମାନଙ୍କ ମଧ୍ୟ ଉପସ୍ଥିତି ଥିବା ସୂଚନା ମିଳିଛି। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ନାବାଳିକାଙ୍କ ମୃତ୍ୟୁ ଘଟଣାର ସିସିଟିଭି ଫୁଟେଜ ମଧ୍ୟ ପୋଲିସ ପାଇଛି। ଯେଉଁଥିରେ ସେ ତଳେ ପଡ଼ିଥିବାର ଦେଖାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ଥାନା ସମ୍ମୁଖରେ ଧାରଣାରେ ବସିଥିବା ସାମ୍ବାଦିକ ଗୁରୁତର: ହସ୍ପିଟାଲରେ ହେଲେ ଭର୍ତ୍ତି

ସୀତାରାମ ଅଗ୍ରୱାଲ
ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ପରିସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଧାରଣାରେ ବସିଥିବା ଜଣେ ସାମ୍ବାଦିକ ହଠାତ ମୂର୍ଚ୍ଛା ହୋଇଯାଇଥିବା ଖବର ହସ୍ତଗତ ହୋଇଛି। ଏନେଇ ଥାନା ପରିସରରେ ଏକ ଉତ୍ତେଜନା ସୃଷ୍ଟି ହୋଇଛି। ସମ୍ପୃକ୍ତ ସମ୍ବାଦିକଙ୍କୁ ଗୁରୁତର ଅବସ୍ଥାରେ ବାଲୁଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ସାମ୍ବାଦିକଙ୍କୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦୁର୍ବ୍ୟବହାର ଘଟଣାରେ ଆଜି ଉତ୍କଳ ସାମ୍ବାଦିକ ସଂଘ ବାଲୁଗାଁ ଥାନାରେ ପ୍ରତିବାଦ କରୁଥିଲା। ସାମ୍ବାଦିକ ଦିବ୍ୟକାନ୍ତ ବେହେରାଙ୍କ ଠାରୁ ଜୋର ଜବରଦସ୍ତ ତାଙ୍କର ମୋବାଇଲ ଛଡେଇନେଇଯିବା ସହ ଚିଲିକା ବିଧାୟକ ତାଙ୍କୁ ଜାତି ଆକ୍ଷେପ କରି ଗାଳି ଗୁଲଜ କରିବା ନେଇ ଥାନାରେ ଗତ ୮ ତାରିଖରେ ଅଭିଯୋଗ ହୋଇଥିଲା। କିନ୍ତୁ ଏହି ଘଟଣାରେ ପୋଲିସ ମାମଲା ରୁଜ୍ଜୁ କରିନଥିବାରୁ ଆଜି ସାମ୍ବାଦିକ ସଂଘ ପକ୍ଷରୁ ଏକ ପ୍ରତିବାଦ କରାଯାଉଥିଲା। ଉକ୍ତ ଘଟଣାରେ ପୀଡିତ ଥିବା ସାମ୍ବାଦିକ ଦିବ୍ୟକାନ୍ତ ବେହେରା ଧାରଣାସ୍ଥଳରେ ହଠାତ ମୂର୍ଚ୍ଛା ହୋଇଯାଇଥିଲେ। ଧାରଣାସ୍ଥଳରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ହସ୍ପିଟାଲରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମାୟାଧର ସେଠୀ, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏବଂ ବାଲୁଗାଁ ଥାନା ଅଧିକାରୀ ରାମାକାନ୍ତ ମାହାଲିକ ଉପସ୍ଥିତ ଅଛନ୍ତି।

ଏହି ଘଟଣାକୁ ନେଇ ସାମ୍ବାଦିକ ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କାରାଯାଉଛି। କିନ୍ତୁ ଏହା ଭିତରେ ବିଧାୟକଙ୍କ ବିରୋଧରେ ଅଲଗା ମାମଲା ରୁଜ୍ଜୁ ହେବ ନାହିଁ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ କିଶୋର ଦୋରା ମନା କରିଦେଇଥିବା ସୂଚନା ମିଳିଛି। ତେବେ ଏହାକୁ ନେଇ ସାମ୍ବାଦିକ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ର ଏନେଇ କଡା ପ୍ରତିକ୍ରିୟା ରଖିଛନ୍ତି। ଯଦି ଏହି ଘଟଣା ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ନହୁଏ, ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି। ଏହାସହ ଏହି ଘଟଣାକୁ ନେଇ ଯଦି କୌଣସି ଅପ୍ରତିକର ପରିସ୍ଥିତି ସୃଷ୍ଟି ହୁଏ, ସେଥିପାଇଁ ପୋଲିସ ଦାୟୀ ରହିବା ବୋଲି ସେ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ମାନସିକ ଚାପ ଯୋଗୁଁ ବିଷ ପିଇ ଆତ୍ମହତ୍ୟା କଲେ ଯୁବକ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କଣ୍ଟାବଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମାନସିକ ଚାପ ଯୋଗୁଁ ଜଣେ ବ୍ୟକ୍ତି ବିଷ ପିଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି।

ସୂଚନା ମୁତାବକ ଗତକାଲି କଣ୍ଟାବଣିଆ ଗ୍ରାମ ଗଗନ ସ୍ୱାଇଁଙ୍କ ପୁତ୍ର ତପନ ସ୍ୱାଇଁ (୩୦) ଙ୍କ କୌଣସି କାରଣ ବଶତଃ ନିଜ ପତ୍ନୀଙ୍କ ସହ ଝଗଡା ହୋଇଥିଲା। ଏହାପରେ ଗଗନ ଅପରାହ୍ନରୁ ଘର ଛାଡି କୁଆଡେ ଚାଲିଯାଇଥିଲେ। ତେବେ ସଂନ୍ଧ୍ୟାରେ ଗ୍ରାମର ଏକ ପୋଖରୀ ହୁଡ଼ାରେ ତପନ ବିଷ ପିଇ ପଡିଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ।  ଖବର ପାଇ ପରିବାର ବର୍ଗ ସଙ୍ଗେସଙ୍ଗେ ତପନଙ୍କୁ ବାଣପୁର ମେଡିକାଲ ନେଲା ପରେ ମାତ୍ର ୧୫ ମିନିଟ ମଧ୍ୟରେ ତପନଙ୍କ ପ୍ରାଣବାୟୁ ଚାଲିଯାଇଥିଲା।

ମେଡିକାଲ ପକ୍ଷରୁ ପୋଲିସକୁ ସୂଚନା ଦିଆଯିବା ପରେ ବାଣପୁର ପୋଲିସ ଶବକୁ ଜବତ କରିବା ସହ କେସ ନଂ ୧୧/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି। ବାଣପୁର ପୋଲିସ ଏନେଇ ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ଖେଳୁଥିବା ବେଳେ କୂଅରେ ବୁଡି ୬ ବର୍ଷର ଶିଶୁ କନ୍ୟା ମୃତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କୂଅରେ ବୁଡି ଜଣେ ୬ ବର୍ଷ ଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ଅନୁଯାୟୀ, ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗଳାଯୋଡିର କାରଟିଆ ସାହିର ଶିଶୁ କନ୍ୟାଟି କୂଅରେ ବୁଡି ମୃତ୍ୟୁବରଣ କରିଛି। ମା’ ରୋଷେଇ କରୁଥିବା ବେଳେ ଶିଶୁ କନ୍ୟା ଜଣଙ୍କ ବାଡି ପଛପଟକୁ ଖେଳିବା ପାଇଁ ଚାଲିଯାଇଥିଲା। ସେଠାରେ ଖେଳୁଥିବା ସମୟରେ ନିକଟରେ ଥିବା କୂଅ ଭିତରକୁ ଝିଅଟି ଗଳି ପଡିଥିଲା।

ହେଲେ ଝିଅ ବର୍ଷାକୁ ପରିବାର ଲୋକ ନପାଇବାରୁ ବହୁତ ଖୋଜା ଖୋଜି କରିଥିଲେ। କିଛି ସମୟ ପରେ ବର୍ଷାକୁ କୂଅ ଭିତରେ ଭାସୁଥିବାର ପରିବାର ଲୋକେ ଦେଖିବାକୁ ପାଇଥିଲେ। ଝିଅକୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ପରିବାରର ଏକ ମାତ୍ର ଝିଅକୁ ହରାଇ ବାପା ମା ଦୁଃଖରେ ଭାଙ୍ଗି ପଡିଛନ୍ତି।

ଟାଙ୍ଗୀ ଆଇଆଇସି ବିଜୟ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ କେସ ନମ୍ବର ୮/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସାବିତ୍ରୀ ପୂର୍ବରୁ ଚାନ୍ଦପୁରରେ ଅଘଟଣ: ଥାନା ଭିତରେ ପଶି ସାବିତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କଲେ ସତ୍ୟବାନ

ନୟାଗଡ଼/ଚାନ୍ଦପୁର: ଆସନ୍ତାକାଲି ସାବିତ୍ରୀ ଅମାବାସ୍ୟା ଥିବାବେଳେ ଆଜି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସାବିତ୍ରୀଙ୍କୁ ସତ୍ୟବାନ ମରଣାନ୍ତକ ଆକ୍ରମଣ କରି ଜେଲ ଯାଇଛନ୍ତି। ଟାଙ୍ଗୀ ମଙ୍ଗଳାଯୋଡ଼ି ଅଞ୍ଚଳର ସୁଶାନ୍ତ ମହାରଣା ତାଙ୍କ ପତ୍ନୀ କୁନି ମହାରଣାଙ୍କୁ ମରଣାନ୍ତକ ଆକ୍ରମଣ କରି ଗିରଫ ହୋଇଛନ୍ତି।

ସୂଚନା ମୁତାବକ ସୁଶାନ୍ତ ଏକ ଠିକା ଡ୍ରାଇଭର ଭାବେ ଚିଲିକା ଅଞ୍ଚଳରେ କାର୍ଯ୍ୟ କରନ୍ତି। ସେ ଚାନ୍ଦପୁର ଅଞ୍ଚଳର କୁନି ମହାରଣାଙ୍କୁ ବିବାହ କରିଛନ୍ତି। ତେବେ ଆଜି ଅପରାହ୍ନରେ ସୁଶାନ୍ତ ମଦ ପିଇ ଏକ ସ୍କୃଡ୍ରାଇଭର ଧରି ତାଙ୍କ ପତ୍ନୀ କୁନିଙ୍କୁ ଜୀବନରୁ ମାରିବା ପାଇଁ ଗୋଡ଼ାଇଥିଲେ। କୁନି ଜୀବନ ବିକଳରେ ଧାଇଁ ଧାଇଁ ଚାନ୍ଦପୁର ଥାନା ଭିତରେ ପଶିଯାଇଥିଲେ। କିନ୍ତୁ ଏତିକିରେ ସୁଶାନ୍ତଙ୍କ ମନ ଶାନ୍ତି ହୋଇନଥିଲା। ସେ ଥାନା ଭିତରକୁ ପଶି ମଧ୍ୟ କୁନିଙ୍କୁ ସ୍କୃଡ୍ରାଇଭର ଦ୍ୱାରା ଆକ୍ରମଣ କରିବାକୁ ପଛାଇନଥିଲେ।

ତେବେ ଚାନ୍ଦପୁର ପୋଲିସ କର୍ମଚାରୀମାନେ କୁନିଙ୍କୁ ରକ୍ଷା କରିବାରୁ ସୁଶାନ୍ତ ପୋଲିସ କର୍ମଚାରୀଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରି କ୍ଷତବିକ୍ଷତ କରିପକାଇଥଲେ। ଏହାଜାଣି ସଙ୍ଗେସଙ୍ଗେ ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସ ଏବଂ ଅନ୍ୟ କର୍ମଚାରୀ ବହୁତ ବଳ ଖଟାଇ ପରିଶେଷରେ ସୁଶାନ୍ତଙ୍କୁ କାବୁ କରଥିଲେ। ତେବେ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ ସୁଶାନ୍ତଙ୍କ ବିରୋଧରେ ଚାନ୍ଦପୁର ପୋଲିସ କେସ ନମ୍ବର ୮୧/୨୧ ରେ ଏକାଧିକ ସଙ୍ଗୀନ ଦଫା ଲଗାଇ ମାମଲା ରୁଜୁକରି ଆଜି ତାଙ୍କୁ କୋର୍ଟଚାଲାଣ କରିଛି।

ସୁଶାନ୍ତଙ୍କ ବିରୋଧରେ ପୂର୍ବରୁ ଟାଙ୍ଗୀ ଥାନାରେ ଏକ ଅପରାଧିକ ମାମଲା ଥିବା ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଝିଅକୁ ଦୁଷ୍କର୍ମ କରିବାର ପ୍ରତିଶୋଧ: ଅଭିଯୁକ୍ତ ପରିବାରର ୬ ଜଣଙ୍କୁ ହତ୍ୟା କଲା ବାପା

ବିଶାଖାପାଟନା: ଆନ୍ଧ୍ରପ୍ରଦେଶର ବିଶାଖାପାଟନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା କରି ଜଣେ ଲୋକ ପୋଲିସ ନିକଟରେ ନିଜେ ଆତ୍ମସମର୍ପଣ କରିଛି।

ପୋଲିସ ମୁତାବକ, ଦୁଇ ପରିବାର ମଧ୍ୟରେ ବହୁ ଦିନ ଧରି ଶତୃତା ଲାଗିରହିଥିଲା। ପୂର୍ବରୁ ଅଭିଯୁକ୍ତର ଝିଅକୁ ମୃତକ ପରିବାର ମଧ୍ୟରୁ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଫଳରେ ଅଭିଯୁକ୍ତ କ୍ରୋଧାନ୍ଵିତ ହୋଇ ଏଭଳି ଏକ ଅମାନବୀୟ କାର୍ଯ୍ୟ କରିଥିଲା। ଦୁଷ୍କର୍ମ କରିଥିବା ଅଭିଯୁକ୍ତ ବର୍ତ୍ତମାନ ଫେରାର ଅଛି। ପୋଲିସ ଏହି ଘଟଣାକୁ ଗୁରୁତର ସହ  ନେଇ ତଦନ୍ତ ଜାରି ରଖିଛି।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରତିଶୋଧ ପରାୟଣ ହୋଇ ପୀଡ଼ିତା ବାପା ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା କରିଛି ବୋଲି ପୋଲିସ କହିଛି। ଯେଉଁଥିରେ ଦୁଇ ଜଣ ମହିଳା, ଦୁଇଜଣ ପିଲା ଏବଂ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି। ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଦେଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଟାଙ୍ଗୀ ତହସିଲରେ ଅଭାବନୀୟ ଘଟଣା: ପେଟ୍ରୋଲ ଢାଳି ଆତ୍ମାହୁତି ଧମକ ଦେଲେ ବରିଷ୍ଠ ନାଗରିକ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଜଣେ ବରିଷ୍ଠ ନାଗରିକ ତହସିଲଦାରଙ୍କ ପ୍ରକୋଷ୍ଠ ସମ୍ମୁଖରେ ଆତ୍ମାହୁତି ଧମକ ଦେଇଛନ୍ତି। ଖଣି ଲିଜ କାଗଜପତ୍ର ନମିଳିଲେ ସେ ତହସିଲଦାରଙ୍କ କାର୍ଯ୍ଯାଳୟ ସମ୍ମୁଖରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ କାର୍ଯ୍ଯାଳୟ ପରିସରରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ଅଭିଯୋଗ ମୁତାବକ ଆନନ୍ଦ ପ୍ରଧାନ ନାମକ ଜଣେ ବରିଷ୍ଠ ନାଗରିକ ଦୀର୍ଘ ଦିନ ହେଲା ରାମେଶ୍ଵର ମୌଜାରେ ଏକ ମାଙ୍କଡା ପଥର ଖଣିକୁ ନିଲାମ ପ୍ରକ୍ରିୟା ମାଧ୍ୟମରେ ଲିଜ୍ ନେଇଥିଲେ। ସେ ଉକ୍ତ ଖଣିକୁ ୫ ଲକ୍ଷ ଟଙ୍କା ମୂଲ୍ୟରେ ୫ ବର୍ଷ ପାଇଁ ଲିଜରେ ନେଇଥିଲେ। ହେଲେ ଲିଜ୍ ନେବାର ୮ ମାସ ବିତିଯାଇଥିଲେ ମଧ୍ୟ ତହସିଲଦାର ତାଙ୍କୁ କୌଣସି କାଗଜପତ୍ର ଦେଉନଥିବା ସହ ଅଭିଯୋଗ କରିଛନ୍ତି। ସେ କରଜ କରି ଖଣିରେ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ତହସିଲଦାରଙ୍କୁ ୫୦ ହଜାର ଟଙ୍କା ଦେଇଥିବା ଗଣମାଧ୍ୟମ ସମ୍ମୁଖରେ ମଧ୍ୟ ପ୍ରକାଶ କରିଛନ୍ତି।

କରଜ ଦେଇଥିବା ଲୋକେ ତାଙ୍କ ଘରକୁ ଆସି ଟଙ୍କା ମାଗୁଥିବାରୁ ସେ ବ୍ୟସ୍ତ ହୋଇପଡିଛନ୍ତି। ତହସିଲଦାରଙ୍କ ନିକଟରେ ଏନେଇ ଆନନ୍ଦ ବାରମ୍ବାର ଗୁହାରି କରି ଆସୁଥିଲେ ମଧ୍ୟ କିଛି ସୁଫଳ ମିଳୁନି। ସେଥିପାଇଁ ସେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବେ ବୋଲି ଗଣମାଧ୍ୟମ ପ୍ରତିନିଧୀଙ୍କୁ କ୍ଷୋଭର ସହ କହିଛନ୍ତି।

ତେବେ ଗଣମାଧ୍ୟମଙ୍କ ପ୍ରତିନିଧିଙ୍କୁ ଦେଖି ତହସିଲଦାର ଯୁଗଳ କିଶୋର ମିଶ୍ର ତତ୍ପରତା ଦେଖାଇଛନ୍ତି। ଶ୍ରୀ ମିଶ୍ର ଆନନ୍ଦଙ୍କୁ ନିଜ ପ୍ରକୋଷ୍ଠକୁ ନେଇ ଏବବାଦରେ ବୁଝାସୁଝା କରିଥିବା ଦେଖିବାକୁ ମିଳିଛି। ହେଲେ ଏହି ଘଟଣାର ଖୁବ୍ ଶିଘ୍ର ସମାଧାନ ହେଵ ବୋଲି ତହସିଲଦାର ଶ୍ରୀ ମିଶ୍ର ଗଣମାଧ୍ୟମ ପ୍ରତିନିଧୀଙ୍କୁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠାକୁ ବିରୋଧ କରିବା ମହଙ୍ଗା ପଡିଲା: ଅତିଥିଙ୍କୁ କଳାପତାକା ଦେଖାଇଲେ ଗ୍ରାମବାସୀ

ରମେଶ ମହାନ୍ତି
ଜଗତସିଂହପୁର: ଜଣେ ଭଦ୍ରମୁଖା ପିନ୍ଧା ବ୍ୟକ୍ତି ନିଜର ଶକ୍ତି ପ୍ରଦର୍ଶନ କରିବା ନିମନ୍ତେ ହିନ୍ଦୁ ସଂସ୍କୃତି ପରମ୍ପରାକୁ ଜଳାଞ୍ଜଳି ଦେବା ଭଳି ଏକ ଅଭାବନୀୟ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନାନୁଯାୟୀ ତିର୍ତ୍ତୋଲ ଥାନା ଅନ୍ତର୍ଗତ ପଣ୍ଡୁଆ ପଞ୍ଚାୟତ ସ୍ଥିତ ମୁଣ୍ଡିଦା ଗ୍ରାମରେ ଗ୍ରାମବାସୀଙ୍କ ପକ୍ଷରୁ ଗ୍ରାମ୍ୟ ମନ୍ଦିରରେ ଜଗନ୍ନାଥଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଚାଲିଥିବା ବେଳେ ଏହି ପ୍ରତିଷ୍ଠା ଉତ୍ସବକୁ ବିରୋଧ କରି ଭଣ୍ଡୁର କରିବା ପାଇଁ ମନ୍ଦିର ନିକଟରେ କୈଳାସ ସ୍ୱାଇଁ ନାମକ ବ୍ୟକ୍ତି ବାଲିଘର ନାମକ ଏକ ସଂସ୍ଥାର ବାର୍ଷିକ ଉତ୍ସବ କରିବା ଆଳରେ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଆମନ୍ତ୍ରିତ କରାଯାଇଥିଲା ବୋଲି କୁହାଯାଉଛି।

ଏମିତିକି ଗ୍ରାମରେ ବିଗ୍ରହ ପ୍ରତିଷ୍ଠା ହେଉଥିବାରୁ ଗ୍ରାମବାସୀ ମାନେ ଆମିଷ ପାଳନ କରିବା ସହିତ ଶାକାହାରୀ ଥିବା ବେଳେ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ବାଲିଘର ଉତ୍ସବରେ ଅତିଥି ମାନଙ୍କ ପାଇଁ ଆମିଷ ଭୋଜିର ଆସର ଚାଲିଥିଲା ବୋଲି ସ୍ଥାନୀୟ ଅଞ୍ଚଳରେ ଯୋରଦାର ଚର୍ଚ୍ଚା ହେଉଛି। ଜଗନ୍ନାଥଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ବ୍ୟାଘାତ ସୃଷ୍ଟି କରିବା ପାଇଁ ବାଲିଘର ଉତ୍ସବ ସ୍ଥଳର ଡାକବାଜି ଯନ୍ତ୍ର ଗୁଡିକୁ ଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠା ଆଡକୁ ମୁହଁ କରାଯାଇଥିବା ଦେଖିବାକୁ ମିଳିଥିଲା।

ଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବକୁ ବିରୋଧ କରି ବାଲିଘର ପକ୍ଷରୁ କରାଯାଇଥିବା ଏପରି ଉତ୍ସବକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମାନଙ୍କ ପକ୍ଷରୁ ତୀବ୍ର ନିନ୍ଦା କରାଯାଉଥିବା ବେଳେ ପ୍ରଶାସନର କାର୍ଯ୍ୟ ଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଗ୍ରହ ପ୍ରତିଷ୍ଠା ବିପକ୍ଷରେ ବାଲିଘର ପକ୍ଷରୁ କରାଯାଉଥିବା ଏଭଳି ଏକ ନିନ୍ଦନୀୟ କାର୍ଯ୍ୟକ୍ରମକୁ ଗ୍ରାମବାସୀ ମାନେ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରିବା ସହ ବାଲିଘର ଉତ୍ସବକୁ ଆସୁଥିବା ଅତିଥିଙ୍କୁ ଗାଁର ପ୍ରବେଶ ପଥରେ ଗ୍ରାମବାସୀଙ୍କ ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯାଇଥିବା ଦେଖିବାକୁ ମିଳିଥିଲା।

ସୂଚନାନୁଯାୟୀ ଉକ୍ତ ଗ୍ରାମର ଲୋକେ ରାସ୍ତା ଭାବେ ବ୍ୟବହାର କରୁଥିବା ଚକ ରାସ୍ତାକୁ ବାମଦେବ ସ୍ୱାଇଁଙ୍କ ପୁଅ ମାନେ ଜବର ଦଖଲ କରି ପୋଖରୀ ଖୋଳିଦେବା ସହିତ ତାରବାଡ ବାନ୍ଧିଦେବା ଫଳରେ ଗ୍ରାମବାସୀ ମାନଙ୍କର ଯାତାୟତରେ ବାଧା ସୃଷ୍ଟି ହେବାରୁ ବିବାଦର ସୂତ୍ରପାତ ହୋଇଥିଲା ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି।

ବାମଦେବ ସ୍ୱାଇଁଙ୍କ ପୁଅ କୈଳାସ ସ୍ୱାଇଁ ସରକାରୀ କର୍ମଚାରୀ ଥିବାବେଳୁ ବିଭିନ୍ନ ପ୍ରଶାସନିକ ଅଧିକାରୀ, କେତେକ ଗଣମାଧ୍ୟମ ପ୍ରତିନିଧି ଓ ପ୍ରଭାବଶାଳୀ ବ୍ୟକ୍ତି ମାନଙ୍କୁ କରାୟତ କରି ଗ୍ରାମବାସୀଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ ବୋଲି ଚର୍ଚ୍ଚା ହେଉଛି। ବାଲିଘର ନାମରେ ଏକ ଶିଶୁ ପତ୍ରିକାର ସମ୍ପାଦନା କରୁଥିବା ଶ୍ରୀ ସ୍ୱାଇଁ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରି ନିଜର ସମର୍ଥନ ହାସଲ କରିପାରିଥିଲେ।

ଏମିତିକି ଏଭଳି ପରିସ୍ଥିତିକୁ ନେଇ ପୂର୍ବରୁ ଗ୍ରାମବାସୀ ମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଯାହାର ଉଦାହରଣ ଏବେ ଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସମୟରେ ଦେଖିବାକୁ ମିଳିଛି ବୋଲି କୁହାଯାଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ସ୍ଵାମି ଅଟକ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ୍.ଏ.ସିରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସନ୍ଦିଗ୍ଧ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ମହିଳା ଜଣଙ୍କ ବାଣପୁର ଏନ୍.ଏ.ସି ଅନ୍ତର୍ଗତ ବଜାର ସାହିର ଗୀତାଞ୍ଜଳି ପ୍ରଧାନ ବୋଲି ଜଣାପଡିଛି। ମୃତକ ମହିଳା ଜଣଙ୍କୁ ତାଙ୍କ ସ୍ଵାମୀ ବାଡେଇ ମାରିଦେଇଥିବା ଅଭିଯୋଗ ହୋଇଛି।

ଘଟଣା ରୁ ପ୍ରକାଶ ଯେ, ବାଣପୁର ବଜାର ସାହିରେ ଭଡା ସୁତ୍ରରେ ରହୁଥିବା ଯୋଗୀ ପାତ୍ରଙ୍କ ପୁଅ ମିଟୁ ପାତ୍ର ଗତ ଦୁଇ ବର୍ଷ ତଳେ ଗୀତାଞ୍ଜଳିଙ୍କୁ ବିବାହ କରିଥିଲେ। ଗୀତାଞ୍ଜଳିଙ୍କ ଏହା ଦ୍ଵିତୀୟ ବିବାହ ଥିବାବେଳେ ପୂର୍ବରୁ ତାଙ୍କର ୩ଟି ଝିଅ ଅଛନ୍ତି ଏବଂ ପ୍ରଥମ ସ୍ୱାମୀଙ୍କ ଦେହାନ୍ତ ହୋଇଯାଇଛି। ୩ ଟି ଝିଅ ମଧ୍ୟରୁ ୨ଜଣ ସ୍ଥାନୀୟ ନେହେରୁ ସେବା ସଂଘରେ ରହୁଥିବା ବେଳେ ସାନଝିଅ ତା ମାଉସୀ ପାଖରେ ରହୁଥାଏ।

ଗୀତାଞ୍ଜଳିଙ୍କ ଭଉଣୀ ଓ ଝିଅଙ୍କ ଅଭିଯୋଗ ଅନୁଯାୟୀ, ମିଟୁ ପାତ୍ର ଅନେକ ଥର ଗୀତାଞ୍ଜଳିଙ୍କୁ ମାରଧର କରୁଥିଲେ। ସବୁଦିନ ଭଳି ଆଜି ମଧ୍ୟ ସେ ଗୀତାଞ୍ଜଳିଙ୍କୁ ମାରିଥିଲେ। ଯେଉଁଥିରେ ଗୀତାଞ୍ଜଳିଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆଜି ପୂର୍ବାହ୍ନ ୧୦ ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ସେମାନେ ଶୁଣିବାକୁ ପାଇଥିଲେ।

ବାଣପୁର ପୋଲିସ ଏହାକୁ ଗମ୍ଭୀରତାର ସହ ନେଇ ତତ୍ପରତା ସହକାରେ ଥାନାଧିକାରୀ ସଞ୍ଜୟ ପଟ୍ଟନାୟକଙ୍କ ନେତୃତ୍ୱରେ ଏସ୍ ଆଇ ପ୍ରସନ୍ନ ଜେନା ଓ ଅନ୍ୟ ଅଧିକାରୀ ମାନେ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ବାଣପୁର ତହସିଲଦାରଙ୍କ ଉପସ୍ଥିତିରେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହିତ ମିଟୁ ପାତ୍ରଙ୍କୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ଜାତୀୟ ଖବର

ଅନ୍ତିମ ସଂସ୍କାର ବେଳେ ଭୁଶୁଡିଲା ଶ୍ମଶାନର ଛାତ: ୧୮ ମୃତ

ଗାଜିଆବାଦ: ଦିଲ୍ଲୀ ନିକଟସ୍ଥ ଗାଜିଆବାଦର ଏକ ଶ୍ମଶାନରେ ଅଭାବନୀୟ ଘଟଣା ଘଟିଯାଇଛି। ଏଠାରେ ଏକ ବଡଧରଣର ଦୁର୍ଘଟଣା ଘଟିଛି। ଶ୍ମଶାନର ଛାତ ଭୁଶୁଡି ପଡିବାରୁ ଶବଦାହ କରିବାକୁ ଆସିଥିବା ଲୋକମାନଙ୍କ ମଧ୍ୟରୁ ଛାତତଳେ ଚାପି ହୋଇ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଆଜି ମୁରାଦନଗରର ଶ୍ମାଶାନରେ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରାଯାଉଥିଲା। ଠିକ ଏହି ସମୟରେ ବର୍ଷା ଆରମ୍ଭ ହୋଇଥିଲା। ଲୋକମାନେ ବର୍ଷାରୁ ରକ୍ଷା ପାଇବାକୁ ଶ୍ମଶାନ ଛାତ ତଳେ ଆଶ୍ରୟ ନେଇଥିବା ବେଳେ ହଠାତ ଛାତ ଭୁଷୁଡି ପଡିଥିଲା। ଯାହାଫଳରେ ଅନ୍ତିମ ସଂସ୍କାର କରିବାକୁ ଆସିଥିବା ଲୋକ ସେହି ଛାତ ତଳେ ଚାପି ହୋଇଯାଇଥିଲେ।

ପୋଲିସ ଓ ଏନଡିଆରଏଫ୍ ଟିମ୍ ସୂଚନା ପାଇ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ୧୮ ଜଣ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ଏହା ସହ ଅନେକ ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଯାଇଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି।

Categories
ଅପରାଧ ଆଞ୍ଚଳିକ

ବାଣପୁର ବ୍ଲକରେ ଅଭାବନୀୟ ଘଟଣା: ଛାତରୁ ଖସି ଗଛ ଡାଳରେ ପଡି ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ୍ୟୁ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଗତକାଲି ବାଣପୁର ବ୍ଲକ ଅନ୍ତର୍ଗତ ରାଣୀପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଯୁବକ ଛାତ ଉପରୁ ଖସି  ଏକ ଗଛର ଡାଳ ଉପରେ ପଡ଼ି ଝୁଲିବା ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ରାଣୀପଡା ଗ୍ରାମର ସ୍ବର୍ଗତ ଗୋପୀ ଦାସଙ୍କ ୩୦ ବର୍ଷୀୟ ପୁତ୍ର କେଶବ ଦାସ ଗତକାଲି ଅପରାହ୍ନ ପାଖାପାଖି ୩ ଘଟିକା ସମୟରେ ନିଜ ଘର ଛାତ ଉପରୁ ଓହ୍ଲାଇବା ସମୟରେ ଭାରସାମ୍ୟହରାଇ ଛାତ ଉପରୁ ଖସି ପଡ଼ି ତଳେ ଥିବା ଏକ ଗଛର ଶାଖାରେ ପିନ୍ଧିଥିବା ଗଞ୍ଜି ଦ୍ୱାରା ଝୁଲିକି ରହିଥିଲେ।

ଏହା ଦେଖି ତୁରନ୍ତ ଗ୍ରାମବାସୀ ମାନେ ତାଙ୍କୁ ସେଠାରୁ ଉଦ୍ଧାର କରି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପାଇ ଆଜି ସକାଳେ ବାଣପୁର ପୋଲିସ ଥାନା ଏ.ଏସ.ଆଇ ଶ୍ରୀନିବାସ ପ୍ରଧାନ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠେଇଛନ୍ତି। ବାଣପୁର ଥାନା ପକ୍ଷରୁ କେସ ନମ୍ବର  ୨୦/୨୦ ରେ ଏ ସମ୍ପର୍କରେ  ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।