ସାବିତ୍ରୀ ପୂର୍ବରୁ ଚାନ୍ଦପୁରରେ ଅଘଟଣ: ଥାନା ଭିତରେ ପଶି ସାବିତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କଲେ ସତ୍ୟବାନ

Published: Jun 9, 2021, 10:11 pm IST

ନୟାଗଡ଼/ଚାନ୍ଦପୁର: ଆସନ୍ତାକାଲି ସାବିତ୍ରୀ ଅମାବାସ୍ୟା ଥିବାବେଳେ ଆଜି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସାବିତ୍ରୀଙ୍କୁ ସତ୍ୟବାନ ମରଣାନ୍ତକ ଆକ୍ରମଣ କରି ଜେଲ ଯାଇଛନ୍ତି। ଟାଙ୍ଗୀ ମଙ୍ଗଳାଯୋଡ଼ି ଅଞ୍ଚଳର ସୁଶାନ୍ତ ମହାରଣା ତାଙ୍କ ପତ୍ନୀ କୁନି ମହାରଣାଙ୍କୁ ମରଣାନ୍ତକ ଆକ୍ରମଣ କରି ଗିରଫ ହୋଇଛନ୍ତି।

ସୂଚନା ମୁତାବକ ସୁଶାନ୍ତ ଏକ ଠିକା ଡ୍ରାଇଭର ଭାବେ ଚିଲିକା ଅଞ୍ଚଳରେ କାର୍ଯ୍ୟ କରନ୍ତି। ସେ ଚାନ୍ଦପୁର ଅଞ୍ଚଳର କୁନି ମହାରଣାଙ୍କୁ ବିବାହ କରିଛନ୍ତି। ତେବେ ଆଜି ଅପରାହ୍ନରେ ସୁଶାନ୍ତ ମଦ ପିଇ ଏକ ସ୍କୃଡ୍ରାଇଭର ଧରି ତାଙ୍କ ପତ୍ନୀ କୁନିଙ୍କୁ ଜୀବନରୁ ମାରିବା ପାଇଁ ଗୋଡ଼ାଇଥିଲେ। କୁନି ଜୀବନ ବିକଳରେ ଧାଇଁ ଧାଇଁ ଚାନ୍ଦପୁର ଥାନା ଭିତରେ ପଶିଯାଇଥିଲେ। କିନ୍ତୁ ଏତିକିରେ ସୁଶାନ୍ତଙ୍କ ମନ ଶାନ୍ତି ହୋଇନଥିଲା। ସେ ଥାନା ଭିତରକୁ ପଶି ମଧ୍ୟ କୁନିଙ୍କୁ ସ୍କୃଡ୍ରାଇଭର ଦ୍ୱାରା ଆକ୍ରମଣ କରିବାକୁ ପଛାଇନଥିଲେ।

ତେବେ ଚାନ୍ଦପୁର ପୋଲିସ କର୍ମଚାରୀମାନେ କୁନିଙ୍କୁ ରକ୍ଷା କରିବାରୁ ସୁଶାନ୍ତ ପୋଲିସ କର୍ମଚାରୀଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରି କ୍ଷତବିକ୍ଷତ କରିପକାଇଥଲେ। ଏହାଜାଣି ସଙ୍ଗେସଙ୍ଗେ ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସ ଏବଂ ଅନ୍ୟ କର୍ମଚାରୀ ବହୁତ ବଳ ଖଟାଇ ପରିଶେଷରେ ସୁଶାନ୍ତଙ୍କୁ କାବୁ କରଥିଲେ। ତେବେ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ ସୁଶାନ୍ତଙ୍କ ବିରୋଧରେ ଚାନ୍ଦପୁର ପୋଲିସ କେସ ନମ୍ବର ୮୧/୨୧ ରେ ଏକାଧିକ ସଙ୍ଗୀନ ଦଫା ଲଗାଇ ମାମଲା ରୁଜୁକରି ଆଜି ତାଙ୍କୁ କୋର୍ଟଚାଲାଣ କରିଛି।

ସୁଶାନ୍ତଙ୍କ ବିରୋଧରେ ପୂର୍ବରୁ ଟାଙ୍ଗୀ ଥାନାରେ ଏକ ଅପରାଧିକ ମାମଲା ଥିବା ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି।

Related posts