ଅନ୍ତିମ ସଂସ୍କାର ବେଳେ ଭୁଶୁଡିଲା ଶ୍ମଶାନର ଛାତ: ୧୮ ମୃତ

Published: Jan 3, 2021, 5:27 pm IST

ଗାଜିଆବାଦ: ଦିଲ୍ଲୀ ନିକଟସ୍ଥ ଗାଜିଆବାଦର ଏକ ଶ୍ମଶାନରେ ଅଭାବନୀୟ ଘଟଣା ଘଟିଯାଇଛି। ଏଠାରେ ଏକ ବଡଧରଣର ଦୁର୍ଘଟଣା ଘଟିଛି। ଶ୍ମଶାନର ଛାତ ଭୁଶୁଡି ପଡିବାରୁ ଶବଦାହ କରିବାକୁ ଆସିଥିବା ଲୋକମାନଙ୍କ ମଧ୍ୟରୁ ଛାତତଳେ ଚାପି ହୋଇ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଆଜି ମୁରାଦନଗରର ଶ୍ମାଶାନରେ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରାଯାଉଥିଲା। ଠିକ ଏହି ସମୟରେ ବର୍ଷା ଆରମ୍ଭ ହୋଇଥିଲା। ଲୋକମାନେ ବର୍ଷାରୁ ରକ୍ଷା ପାଇବାକୁ ଶ୍ମଶାନ ଛାତ ତଳେ ଆଶ୍ରୟ ନେଇଥିବା ବେଳେ ହଠାତ ଛାତ ଭୁଷୁଡି ପଡିଥିଲା। ଯାହାଫଳରେ ଅନ୍ତିମ ସଂସ୍କାର କରିବାକୁ ଆସିଥିବା ଲୋକ ସେହି ଛାତ ତଳେ ଚାପି ହୋଇଯାଇଥିଲେ।

ପୋଲିସ ଓ ଏନଡିଆରଏଫ୍ ଟିମ୍ ସୂଚନା ପାଇ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ୧୮ ଜଣ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ଏହା ସହ ଅନେକ ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଯାଇଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି।

Related posts