ବାଲୁଗାଁ ଥାନା ସମ୍ମୁଖରେ ଧାରଣାରେ ବସିଥିବା ସାମ୍ବାଦିକ ଗୁରୁତର: ହସ୍ପିଟାଲରେ ହେଲେ ଭର୍ତ୍ତି

Published: Sep 12, 2021, 3:46 pm IST

ସୀତାରାମ ଅଗ୍ରୱାଲ
ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ପରିସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଧାରଣାରେ ବସିଥିବା ଜଣେ ସାମ୍ବାଦିକ ହଠାତ ମୂର୍ଚ୍ଛା ହୋଇଯାଇଥିବା ଖବର ହସ୍ତଗତ ହୋଇଛି। ଏନେଇ ଥାନା ପରିସରରେ ଏକ ଉତ୍ତେଜନା ସୃଷ୍ଟି ହୋଇଛି। ସମ୍ପୃକ୍ତ ସମ୍ବାଦିକଙ୍କୁ ଗୁରୁତର ଅବସ୍ଥାରେ ବାଲୁଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ସାମ୍ବାଦିକଙ୍କୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦୁର୍ବ୍ୟବହାର ଘଟଣାରେ ଆଜି ଉତ୍କଳ ସାମ୍ବାଦିକ ସଂଘ ବାଲୁଗାଁ ଥାନାରେ ପ୍ରତିବାଦ କରୁଥିଲା। ସାମ୍ବାଦିକ ଦିବ୍ୟକାନ୍ତ ବେହେରାଙ୍କ ଠାରୁ ଜୋର ଜବରଦସ୍ତ ତାଙ୍କର ମୋବାଇଲ ଛଡେଇନେଇଯିବା ସହ ଚିଲିକା ବିଧାୟକ ତାଙ୍କୁ ଜାତି ଆକ୍ଷେପ କରି ଗାଳି ଗୁଲଜ କରିବା ନେଇ ଥାନାରେ ଗତ ୮ ତାରିଖରେ ଅଭିଯୋଗ ହୋଇଥିଲା। କିନ୍ତୁ ଏହି ଘଟଣାରେ ପୋଲିସ ମାମଲା ରୁଜ୍ଜୁ କରିନଥିବାରୁ ଆଜି ସାମ୍ବାଦିକ ସଂଘ ପକ୍ଷରୁ ଏକ ପ୍ରତିବାଦ କରାଯାଉଥିଲା। ଉକ୍ତ ଘଟଣାରେ ପୀଡିତ ଥିବା ସାମ୍ବାଦିକ ଦିବ୍ୟକାନ୍ତ ବେହେରା ଧାରଣାସ୍ଥଳରେ ହଠାତ ମୂର୍ଚ୍ଛା ହୋଇଯାଇଥିଲେ। ଧାରଣାସ୍ଥଳରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ହସ୍ପିଟାଲରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମାୟାଧର ସେଠୀ, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏବଂ ବାଲୁଗାଁ ଥାନା ଅଧିକାରୀ ରାମାକାନ୍ତ ମାହାଲିକ ଉପସ୍ଥିତ ଅଛନ୍ତି।

ଏହି ଘଟଣାକୁ ନେଇ ସାମ୍ବାଦିକ ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କାରାଯାଉଛି। କିନ୍ତୁ ଏହା ଭିତରେ ବିଧାୟକଙ୍କ ବିରୋଧରେ ଅଲଗା ମାମଲା ରୁଜ୍ଜୁ ହେବ ନାହିଁ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ କିଶୋର ଦୋରା ମନା କରିଦେଇଥିବା ସୂଚନା ମିଳିଛି। ତେବେ ଏହାକୁ ନେଇ ସାମ୍ବାଦିକ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ର ଏନେଇ କଡା ପ୍ରତିକ୍ରିୟା ରଖିଛନ୍ତି। ଯଦି ଏହି ଘଟଣା ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ନହୁଏ, ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି। ଏହାସହ ଏହି ଘଟଣାକୁ ନେଇ ଯଦି କୌଣସି ଅପ୍ରତିକର ପରିସ୍ଥିତି ସୃଷ୍ଟି ହୁଏ, ସେଥିପାଇଁ ପୋଲିସ ଦାୟୀ ରହିବା ବୋଲି ସେ କହିଛନ୍ତି।

Related posts