Categories
ଆଞ୍ଚଳିକ

ବାଲୁଗାଁର ଏକ ଘରୋଇ ହସପିଟାଲରେ ଉତ୍ତେଜନା, ଡାକ୍ତରଙ୍କ ଅବହେଳା ଅଭିଯୋଗ

ବାଲୁଗାଁ( ସୀତାରାମ ଅଗ୍ରୱାଲ): ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁସ୍ଥିତ ଏକ ଘରୋଇ ମେଡିକାଲରେ ଜଣେ ପ୍ରସୂତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ ଉକ୍ତ ଘଟଣାକୁ ନେଇ ସମ୍ପୃକ୍ତ ଡାକ୍ତରଙ୍କୁ ଦାୟୀ କରିଛନ୍ତି ମୃତକଙ୍କ ପରିବାରବର୍ଗ। ଯାହାଫଳରେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା।

ସୂଚନା ମୁତାବକ, ବାଲୁଗାଁ ଅଞ୍ଚଳର ଜଣେ ମହିଳା ପ୍ରସୂତି ପାଇଁ ବାଣପୁର ମେଡିକାଲ ଡାକ୍ତରଙ୍କ ନିକଟରେ ଚିକିତ୍ସିତ ହେଉଥିଲେ। ତେବେ ଗତକାଲି ଅପରାହ୍ନରେ ମହିଳାଙ୍କ ପ୍ରସବଜନିତ ଯନ୍ତ୍ରଣା ଅସହ୍ୟ ହେବାରୁ ପରିବାର ଲୋକେ ତାଙ୍କୁ ବାଣପୁର ମେଡିକାଲ ନେଇଥିଲେ।

ତେବେ ମହିଳାଙ୍କ ଅସ୍ତ୍ରୋପଚାର ଜରୁରୀ ହୋଇପଡିବାରୁ ବାଲୁଗାଁସ୍ଥିତ ଏକ ଘରୋଇ ମେଡିକାଲକୁ ଅସ୍ତ୍ରୋପଚାର ପାଇଁ ଉକ୍ତ ମହିଳାଙ୍କୁ ପଠାଇଥିଲେ ଜନୈକ ଡାକ୍ତର। ତେବେ ଡାକ୍ତର ସେଠାରେ ବିଳମ୍ବରେ ପହଞ୍ଚିଥିବା ବେଳେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ହୋଇସାରିଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଉକ୍ତ ଘଟଣାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା।

ଖବର ପାଇ ବାଲୁଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସେଠାରେ ଉପସ୍ଥିତଥିଲା। ତେବେ ଆଜି ମୃତକଙ୍କ ପରିବାର ପକ୍ଷରୁ ଏତଲା ଦିଆଯିବାପରେ ଶବ ଜବତ କରଯାଇ ତଦନ୍ତ କରାଯିବ ବୋଲି ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ବେକରେ ଲୁଗା ଗୁଡାଇ ଆତ୍ମହତ୍ୟା କଲେ କିନ୍ନର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଜଣେ କିନ୍ନର ଆତ୍ମହତ୍ୟା କରିଥିବା ଖବର ହସ୍ତଗତ ହୋଇଛି। କୁଲାକୁଣ୍ଢେଈ ନୂଆଗାଁ ରୋଡରେ ବାସ କରୁଥିବା ଆରତୀ ଦାସ (୨୧) ନାମ୍ନୀ କିନ୍ନର ବେକରେ ଲୁଗା ଗୁଡାଇ ଆତ୍ମହତ୍ୟା କରିଥିବା ଜଣାପଡିଛି।

ପୋଲିସ ସୂଚନା ମୁତାବକ ଆରତୀଙ୍କ ଗ୍ରାମ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଏସ ଛଚିନା ଅଞ୍ଚଳରେ। ତାଙ୍କ ପିତାଙ୍କ ନାମ ପାଣ୍ଡଵ ଦାସ। ସେ ଦୁଇ ମାସ ତଳେ ବାଲୁଗାଁ ଆସି ଉକ୍ତ ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ।

ତେବେ ଆଜି ସକାଳୁ ସେ ଘର କବାଟ ନଖୋଲିବାରୁ ଘର ମାଲିକ ତାଙ୍କ ପରିବାରକୁ ସୂଚନା ଦେଇଥିଲେ। ଖବର ପାଇ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତ ଆରତୀଙ୍କ ଭାଇ ମିଥୁନ ଦାସ ଏ ନେଇ ବାଲୁଗାଁ ଥାନାରେ ଅଭିଯୋଗ କରିଥିଲେ। ଏହାପରେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଆରତୀଙ୍କ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ।

ତେବେ ଆତ୍ମହତ୍ୟା କରିବା ପୁର୍ବରୁ ଆରତୀ ଏକ ବ୍ଲେଡରେ ତାଙ୍କ ହାତ କାଟିଥିବା ପୋଲିସ କହିଛି। ଆରତୀ ଙ୍କ ବେଡ଼ରୁମ ରୁ ଏକ ନୂଆ ବ୍ଲେଡ ମଧ୍ୟ ଜବତ କରିଛି ପୋଲିସ। ତେବେ କିନ୍ନର ଆରତୀ କଣ ପାଇଁ ଆତ୍ମହତ୍ୟା କଲେ ତାହା ସନ୍ଦେହଘେରରେ। ଏ ନେଇ ବାଲୁଗାଁ ପୋଲିସ କେସ ନମ୍ବର ୨୨/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Categories
ଆଞ୍ଚଳିକ

ବାଲୁଗାଁ: ନାବାଳକ ମୃତ ଦେହ ଉଦ୍ଧାର

ବାଲୁଗାଁ: ଆଜି ସନ୍ଧ୍ୟାରେ ବାଲୁଗାଁ ଥାନା ଅନ୍ତର୍ଗତ ବଡ଼କୁଳ ପାଇକସାହିରୁ ଜଣେ ନାବାଳକାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଖବର ମୁତାବକ ବଡ଼କୁଳ ପାଇକସାହିରେ ଦୀର୍ଘ ଦିନ ଧରି ଭଡାରେ ରହୁଥିବା ଭ୍ରମର ମାଝୀଙ୍କ ସାନ ପୁଅ ମଳୟ ମୋହନ ମାଝି (୧୭) କୌଣସି କାରଣରୁ ଘରେ ବେକରେ ଏକ ଲୁଙ୍ଗି ବାନ୍ଧି ଝୁଲି ପଡ଼ିଥିଲେ। କିଛି ସମୟ ପରେ ଝୁଲନ୍ତା ଅବସ୍ଥାରେ ପରିବାର ଲୋକେ ମଳୟକୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ମଳୟଙ୍କ ବିୟୋଗରେ ଡାକ୍ତରଖାନାରେ ଶୋକାକୁଳ ପରିବେଶ ଦେଖାଦେଇଥିବା ବେଳେ ପରିବାରବର୍ଗ ହତୋତ୍ସାହିତ ହୋଇପଡିଛନ୍ତି। ମୃତକ ଜଣକ ବାଲୁଗାଁ ମହାବିଦ୍ୟାଳୟର ଯୁକ୍ତ ଦୁଇରେ ପାଠ ପଢ଼ୁଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବା ନେଇ ଥାନା ଅଧିକାରୀ ଜୟ ପ୍ରକାଶ ପରିଡା କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଦେଶରୁ ଦିଲ୍ଲୀରେ ପହଞ୍ଚିଲେ ସୁଦ୍ଧା ଘରକୁ ଫେରିଲାନି ପୁଅ: ବାଲୁଗାଁ ଥାନାରେ ଏତଲା ଦେଲେ ବାପା

ବାଲୁଗାଁ (ସୀତାରାମ ଅଗ୍ରୱାଲ): ପରିବାର ପୋଷଣ ପାଇଁ ଦୀର୍ଘ ତିନି ବର୍ଷ ଧରି ବିଦେଶରେ କାର୍ଯ୍ୟରତ ଓଡ଼ିଆ ଶ୍ରମିକ ନିଜ ଘରକୁ ଫେରିବା ନେଇ ଜଣାଇଥିଲେ ସୁଦ୍ଧା ଅଦ୍ୟାବଧି ଘରେ ନପହଞ୍ଚିବା ଯୋଗୁଁ ପରିବାର ବର୍ଗ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି।

ଖବର ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ ବେଲପଡା ଗ୍ରାମର ଅକ୍ଷୟ ସ୍ୱାଇଁଙ୍କ ପୁଅ ରଞ୍ଜନ ସ୍ୱାଇଁ (୩୦) ଦୀର୍ଘ ତିନି ବର୍ଷ ଧରି ଆବୁଧାବିରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରି ଆସୁଥିଲା। ଗତ ୧୮ ତାରିଖରେ ଉକ୍ତ କମ୍ପାନୀରୁ ଛୁଟି ନେଇ ରଞ୍ଜନ ନିଜ ଘରକୁ ଆସୁଥିବା ସମ୍ପର୍କରେ ପରିବାରକୁ ଫୋନ ଯୋଗେ କହିଥିଲେ। ବିମାନ ଯୋଗେ ଆବୁଧାବିରୁ ମୁମ୍ବାଇ ତାପରେ ଦିଲ୍ଲୀ ପହଁଚିବା ପର୍ଯ୍ୟନ୍ତ ପୁଅ ସହ ଫୋନରେ ଯୋଗାଯୋଗ ହୋଇଥିବା ବେଳେ ସପ୍ତାହେ ବିତିଯାଇଥିଲେ ସୁଦ୍ଧା ଅଦ୍ୟାବଧି ପୁଅ ରଞ୍ଜନ ଘରକୁ ଫେରି ନଥିବା ବେଳେ କୌଣସି ଯୋଗାଯୋଗ ମଧ୍ୟ ହୋଇପାରୁନାହିଁ। ଯାହାଫଳରେ ପରିବାର ଲୋକେ ବ୍ୟତିବ୍ୟସ୍ତ ହୋଇଥିବା ବେଳେ ନାନା ଦୁଶ୍ଚିନ୍ତାରେ ରହିଛନ୍ତି।

ଏନେଇ ରଞ୍ଜନଙ୍କ ବାପା ଅକ୍ଷୟ ସ୍ୱାଇଁ ଥାନାରେ ଅଭିଯୋଗ କରିଛନ୍ତି। ଏତଲାକୁ ଗୁରୁତର ସହ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରଖିଥିବା ଥାନାଧିକାରୀ ଜୟ ପ୍ରକାଶ ପରିଡା କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମାଛ ଧରୁଥିବା ବେଳେ ଚିଲିକାରେ ବୁଡି ଯୁବକଙ୍କ ମୃତ୍ୟୁ

ସୀତାରାମ ଅଗ୍ରୱାଲ

ଚିଲିକା: ବାଲୁଗାଁ ଥାନା ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରାପୁଟ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ମାଛ ଧରିବା ପାଇଁ ଚିଲିକାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ପାଣିରେ ବୁଡି ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି।

ସୂଚନା ମୁତାବକ ଚନ୍ଦ୍ରାପୁଟ ଗ୍ରାମର ଗୋଦାବରୀ ଦାସଙ୍କ ପୁଅ ପ୍ରମୋଦ ଦାସ (୩୪) ସବୁଦିନ ପରି ଆଜି ମଧ୍ୟ ଚିଲିକାକୁ ମାଛ ଧରିବା ପାଇଁ ଯାଇଥିଲେ। ହେଲେ ଅସାବଧାନତା ବଶତଃ ଚିଲିକା ପାଣିରେ ବୁଡି ଯାଇଥିଲେ। ଘଟଣାସ୍ଥଳରେ ଅନ୍ୟ ଧୀବରଙ୍କ ଦ୍ଵାରା ତାଙ୍କୁ ଉଦ୍ଧାର କରାଯାଇ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସ୍ୱାସ୍ଥ୍ୟ କେନ୍ଦ୍ରରେ ବାଲୁଗାଁ ପୋଲିସ ପହଞ୍ଚି କେଶ ନଂ ୧୧/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ରୋଜଗାରିଆ ପୁଅର ଅକାଳ ବିୟୋଗରେ ପରିବାର ବର୍ଗ ଭାଙ୍ଗି ପଡିଥିବା ବେଳେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Categories
ଆଞ୍ଚଳିକ

ବାଲୁଗାଁ ବଜାରରୁ ଲୁଟ ମାମଲାରେ ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବଜାରରେ ଏକ ପରିବା ଦୋକାନ ଠାରୁ ଲୁଟ ଅଭିଯୋଗରେ ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏତଦବ୍ୟତୀତ ୫ ହଜାର ଟଙ୍କା ଜରିମାନା ସହ ଜରିମାନା ଅନାଦେୟ ବାବଦକୁ କୋର୍ଟ ୧ ମାସ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି।

ପ୍ରକାଶ ଯେ, ବାଣପୁର ଥାନା ଅନ୍ତର୍ଗତ ଦାସରଥପୁର ଗ୍ରାମର ସଜନୀ ନାୟକ ବାଲୁଗାଁ ବଜାରରେ ଏକ ପରିବା ଦୋକାନ କରି ନିଜ ଝିଅମାନଙ୍କୁ ଧରି ଚଳୁଥିଲେ। ଡିସେମ୍ବର ମାସ ୧୩ ତାରିଖ ୨୦୨୨ ରେ  ଦିବା ୧୧ ଘଟିକା ସମୟରେ ପାଟଣା ସାହିର ଚନ୍ଦନ ଘଡୁଆଳ ନାମକ ଜଣେ ଯୁବକ ଦୋକାନ ଭିତରେ ପସି ଟଙ୍କା ବାକ୍ସ ଭିତରେ ରଖିଥ‌ିବା ୩,୫୦୦ ଟଙ୍କା ଝାମ୍ପିନେଇ ଫେରାର ହେବାକୁ ଚେଷ୍ଟା କରିଥିଲା। ଏହି ସମୟରେ ସଜନୀ ଚିତ୍କାର କରିବାରୁ ବାଲୁଗାଁ ଥାନାର ପୋଲିସ ବାବୁ ଓ ସ୍ଥାନୀୟ ଲୋକମାନେ ଲୁଟେରାକୁ କାବୁ କରିନେଇଥିଲେ।

ଏ ନେଇ ବାଲୁଗାଁ ଥାନାରେ ସଜନୀ ନାୟକ ଅଭିଯୋଗ ଦାଖଲ କରିଥିଲେ। ଏହି ମାମଲାର ଶୁଣାଣୀ କରି ଚିଲିକା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ବିକାଶ ଗୋଏଲ୍ ଭାରତୀୟ ଦଣ୍ଡବିଧ୍ ଆଇନର ଧାରା ୩୯୨ ଧାରାରେ ଅଭିଯୁକ୍ତ ଚନ୍ଦନ ଘଡୁଆଳକୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି।

ଏହି ପରିପ୍ରେକ୍ଷୀରେ ଉକ୍ତ ମାମଲାର ତଦନ୍ତକାରୀ ଅଧିକାରୀ ଇନ୍ସପେକ୍ଟର ରଶ୍ମିରଞ୍ଜନ ଦାସ ଏବଂ ମାମଲା ପରିଚାଳନା କରୁଥିବା ସରକାରୀ ଓକିଲ ହରେକୃଷ୍ଣ ଜଗଦେବଙ୍କୁ ଖୋର୍ଦ୍ଧା ଏସପି ପ୍ରଶଂସା କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର ନୂତନ ଥାନାଧିକାରୀ ଭାବେ ଯୋଗଦେଲେ ରମେଶ କୁମାର ଦେବତା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାରେ ନୂତନ ଥାନାଧିକାରୀ ଭାବେ ରମେଶ କୁମାର ଦେବତା ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଶ୍ରୀ ଦେବତା ଏହା ପୁର୍ବରୁ ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନାଧିକାରୀ ଭାବେ କାର୍ଯ୍ୟରତ ଥିବା ବେଳେ ନିକଟରେ ତାଙ୍କର ଖୋର୍ଦ୍ଧା ଜିଲ୍ଲାକୁ ବଦଳି ହୋଇଥିଲା। ଏହାପରେ ଏସପି ତାଙ୍କୁ ବାଣପୁର ଥାନାଧିକାରୀ ଭାବେ ନୂତନ ନିଯୁକ୍ତି ଦେଇଥିଲେ।

ତେବେ କାର୍ଯ୍ୟରେ ଯୋଗଦେବା ପରେ ସମସ୍ତ ଥାନା କର୍ମଚାରୀ, ବୁଦ୍ଧିଜୀବୀ, ସାମ୍ବାଦିକ ଓ ଅନେକ ରାଜନେତା ତାଙ୍କୁ ସ୍ୱାଗତ ଜଣାଇଛନ୍ତି। ସାଧାରଣ ନିର୍ବାଚନ ନିକଟତର ଥିବା ବେଳେ ବାଣପୁର ଅଞ୍ଚଳରେ ରାଜନୈତିକ ପାଣିପାଗ ସରଗରମ ରହିଛି।

ଅନୁରୂପ ଭାବେ ଗତକାଲି ଏକ ଜଘନ୍ୟ ହତ୍ୟାକାଣ୍ଡ ମଧ୍ୟ ଉକ୍ତ ଅଞ୍ଚଳରେ ଘଟିଯାଇଛି। ତେଣୁ ଅଞ୍ଚଳରେ ଆଇନ ଶୃଙ୍ଖଳା ରକ୍ଷା କରିବା ସହ ବାଣପୁରକୁ ଅପରାଧ ମୁକ୍ତ କରିବା ନୂତନ ଆଇଆଇସିଙ୍କ ପାଇଁ ଚ୍ୟାଲେଞ୍ଜ ରହିବ ବୋଲି ଚର୍ଚ୍ଚା ହେଉଛି।

ସେହିପରି ଭାବେ ବାଣପୁର ପୂର୍ବତନ ଆଇଆଇସି ଜୟ ପ୍ରକାଶ ପରିଡ଼ା ଆଜି ବାଲୁଗାଁ ଥାନାର ନୂତନ ଆଇଆଇସି ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି।

Categories
ଆଞ୍ଚଳିକ

ସ୍ତ୍ରୀକୁ ମାରିବା ପାଇଁ ଚେଷ୍ଟା କରୁଥିବା ବେଳେ ସ୍ୱାମୀକୁ କାବୁ କଲା ବାଲୁଗାଁ ପୋଲିସ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଯାଇଛି। ସ୍ତ୍ରୀକୁ ମାରିବା ପାଇଁ ଚେଷ୍ଟା କରୁଥିବା ବେଳେ ସ୍ୱାମୀକୁ ପୋଲିସ କାବୁ କରି ଗିରଫ କରିଛି।

ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ସୂଚନା ମୁତାବକ ବଡ଼କୁଳ ଅଞ୍ଚଳର ଜଣେ ମହିଳା ବାଣପୁର ଅଞ୍ଚଳର କୈଳାଶ ଚନ୍ଦ୍ର ମିଶ୍ରଙ୍କୁ ବିବାହ କରିଥିବା ବେଳେ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ବୈବାହିକ କଳହ ସୃଷ୍ଟି ହୋଇଥିବାରୁ ମହିଳା ଜଣକ ସ୍ୱାମୀ କୈଳାଶଙ୍କ ବିରୁଦ୍ଧରେ ବାଣପୁର ଥାନାରେ ଏତଲା ଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଦୀର୍ଘ ଦିନ ହେବ କୈଳାଶ ପତ୍ନୀଙ୍କୁ ମାରିବା ପାଇଁ ଏକ ଧାରୁଆ ଛୁରୀ ଧରି ତାଙ୍କ ପିଛା କରିଆସୁଥିଲେ।

ତେବେ ଗତ ୧୯ ତାରିଖ ରାତିରେ ମହିଳା ତାଙ୍କ ମା’ଙ୍କ ସହ ନିଜ ଘରେ ଶୋଇଥିବା ବେଳେ କୈଳାଶ କୌଣସିକ୍ରମେ ଘରେ ପଶି ଛୁରୀରେ ଆକ୍ରମଣ କରିବାକୁ ଉଦ୍ୟତ ହେବା ବେଳକୁ ମହିଳାଙ୍କ ମା’ ଚିତ୍କାର କରିବାରୁ କୈଳାଶ ଫେରାର ହୋଇଯାଇଥିଲେ। ଏ ନେଇ ବାଲୁଗାଁ ଥାନାରେ ଅଭିଯୋଗ ହେବାରୁ ପୋଲିସ କେସ ନମ୍ବର ୧୩୮/୨୩ ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ ପାଇଁ ପ୍ରୟାସ ଜାରି ରଖିଥିଲା।

ତେବେ ଗତକାଲି ରାତିରେ ପୁଣି ଅଭିଯୁକ୍ତ କୈଳାଶ ନିଜ ପତ୍ନୀଙ୍କ ଘର ଆଜବେଷ୍ଟସ ଭାଙ୍ଗି ଦଉଡି ସାହାଯ୍ୟରେ ପ୍ରବେଶ କରିବା ସମୟରେ ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ ଓ ବାଲୁଗାଁ ପୋଲିସ କର୍ମଚାରୀ ମାନେ ସାଦା ପୋଷାକରେ ଘଟଣାସ୍ଥଳରେ ପହଞ୍ଚିଥିଲେ।  ପୋଲିସକୁ ଦେଖି ଅଭିଯୁକ୍ତ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଅଭିଯୁକ୍ତଙ୍କୁ କାବୁ କରି ଗିରଫ ଓ ପରେ କୋର୍ଟଚାଲାଣ କରିଛି।

ତେବେ ଉଚିତ ସମୟରେ ବାଲୁଗାଁ ପୋଲିସର ଉଚିତ ପଦକ୍ଷେପ ଲାଗି ଦୁଇ ଗୋଟି ମୂଲ୍ୟବାନ ଜୀବନ ବଞ୍ଚିଯାଇଥିବାରୁ ଜନସାଧାରଣମାନେ ପୋଲିସର ଉକ୍ତ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ କଲେଜ ଅଧ୍ୟାପକଙ୍କ ବାସଭବନରୁ ଚୋରି: ପୋଲିସର ତଦନ୍ତ ଜାରି

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଗୋପୀନାଥପୁର ସ୍ଥିତ ବାଲୁଗାଁ କଲେଜ ଅଧ୍ୟାପକଙ୍କ ବାସଭବନରୁ ଚୋରି ହୋଇଥିବା ଅଭିଯୋଗ ହେଇଛି। ଖବର ମୁତାବକ ବାଲୁଗାଁ କଲେଜ ଇତିହାସ ବିଭାଗ ଅଧ୍ୟାପକ ମୃଦନୀ ଶଙ୍କର ପ୍ରସାଦ ମିଶ୍ର ଗୋପୀନାଥପୁର ଠାରେ ଭଡା ଘରେ ରହିଆସୁଥିଲେ। ଗତକାଲି ନିଜ ପୁତୁରାର ବ୍ରତ କାର୍ଯ୍ୟ ଥିବା ଯୋଗୁଁ ସନ୍ଧ୍ୟା ସମୟରେ ପରିବାର ସହ ନିକଟସ୍ଥ ବଡ଼କୁଳ ଯାଇଥିଲେ।

ଆଜି ସକାଳୁ ଘରକୁ ଫେରି ଦେଖିବା ବେଳକୁ ମୁଖ୍ୟ କବାଟ ତାଲା ଭାଙ୍ଗି ଝୁଲୁଥିବା ବେଳେ ସ୍କୁଟି, ଲାପଟପ ସହ ଆଲମିରା ଭାଙ୍ଗି ଦୁଇଟି ସୁନା କାନ ଫୁଲ, ଦୁଇଟି ସୁନା ମୁଦି ଓ ନଗଦ ଦଶ ହଜାର ଟଙ୍କା ଚୋରି ହୋଇଯାଇଛି। ଏନେଇ ଶ୍ରୀ ମିଶ୍ର ବାଲୁଗାଁ ଥାନାରେ ଏତଲା ଦେଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ପହଞ୍ଚି ତଦନ୍ତ ଜାରିରଖିଛି।  କିଛିଦିନ ପୂର୍ବରୁ ନିକଟରେ ଏପରି ଡକାୟତି ହେଇଥିବା ବେଳେ ପୁନର୍ବାର ଚୋରି ହୋଇଥିବାରୁ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ନିଜ ପୁଅକୁ ଅପହରଣ ଉଦ୍ୟମ କରୁଥିବା ବାପା ସମେତ ୪ ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ଥାନା ଅନ୍ତର୍ଗତ କିମ୍ଭିରିପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କିଛି ଟଙ୍କା ପାଇଁ ପାରିବାରିକ କଳହ ଲାଗିରହିଥିବା ବେଳେ ବାପ ଷଡଯନ୍ତ୍ର କରି ପୁଅକୁ ଅପହରଣ କରିଥିବା ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ କିମ୍ଭିରିପଡା ଗ୍ରାମର ରମେଶ ମଙ୍ଗରାଜଙ୍କ ଝିଅ ସରୋଜିନୀ ଗତ ଫେବୃଆରୀ ୧୫ ତାରିଖରେ ପାଇକକୋଶଡିହ ଗ୍ରାମର ଖଗେଶ୍ୱର ବାହୁବଳେନ୍ଦ୍ରଙ୍କ ପୁଅ ଅନିଲକୁ ବୈଦିକ ରୀତିରେ ବିବାହ କରିଥିଲେ। ବରପକ୍ଷ ଦାବି ମୁତାବକ ଯାନିଯୌତୁକ ଓ ଆସବାବପତ୍ର ମଧ୍ୟ ଦିଆଯାଇଥିଲା। ଶାଶୁ ଶଶୁର ପଶ୍ଚିମବଙ୍ଗ ଖଡକପୁର ଅଞ୍ଚଳରେ ରହୁଥିବାରୁ ସେଠାରେ କିଛି ଦିନ ସୁଖମୟ ଦାମ୍ପତ୍ୟ ଜୀବନ ଅତିବାହିତ କରିବାପରେ ଶାଶୁ ଶଶୁର ଅଧିକ ଯୌତୁକ ଆଣିବାପାଇଁ ବୋହୁ ସରୋଜିନୀଙ୍କୁ ବାରମ୍ବାର କହିଥିଲେ। ଏଥିରେ ବିଭ୍ରାଟ ହେବାରୁ ନାନାଦି ଶାରୀରିକ ଓ ମାନସିକ ନିର୍ଯ୍ୟାତନାର ଶିକାର ମଧ୍ୟ ହୋଇଥିଲେ ସରୋଜିନୀ। ଏସମସ୍ତ କଥା ସରୋଜିନୀ ସ୍ୱାମୀ ଅନିଲକୁ ଜଣାଇବା ପରେ ବହୁବାର ଅନୀଲ ନିଜ ବାପା ମାଙ୍କୁ ବୁଝାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନଥିଲା।

ଯାହାଫଳରେ ବାଧ୍ୟ ହୋଇ ସରୋଜିନୀ ସମସ୍ତ କଥା ବାପ ଘରକୁ ଜଣାଇଥିଲା। ଏନେଇ ସରୋଜିନୀର ବାପା ରମେଶ ମଙ୍ଗରାଜ ଶାଶୁ ଶଶୁରଙ୍କ ସହ କଥାବାର୍ତ୍ତା ହୋଇ କିଛି ଦିନ ସମୟ ମଧ୍ୟରେ ଟଙ୍କା ଦେବାପାଇଁ ପ୍ରତିଶୃତି ଦେଇଥିଲେ। ମାତ୍ର ଟଙ୍କା ଦେବାରେ ବିଳମ୍ବ ହେବାରୁ ସରୋଜିନୀଙ୍କ ପ୍ରତି ଦିନକୁଦିନ ଅତ୍ୟାଚାର ଅସହିଷ୍ଣୁ ହେବାରେ ଲାଗିଥିଲା। ସ୍ତ୍ରୀ ପ୍ରତି ଏଭଳି ଅତ୍ୟାଚାର ହେଉଥିବା ଦେଖି ଅନୀଲ ସହ୍ୟ କରିପାରୁନଥିବା ବେଳେ ଅନ୍ୟଉପାୟ ନପାଇ ସ୍ତ୍ରୀ ସହିତ ଶଶୁର ଘର କିମ୍ଭିରିପଡା ଠାରେ ଆଶ୍ରୟ ନେଇଥିଲେ।

ମାତ୍ର ଗତ ୨୯ ତାରିଖ ପୂର୍ବାହ୍ନରେ ଡବ୍ଲୁ ବି ୩୬ କେ ୨୯୬୦ ନମ୍ବର ବିଶିଷ୍ଟ ଏକ କଳା ରଙ୍ଗର କାରରେ ବାପା ଖଗେଶ୍ୱର ବାହୁବଳେନ୍ଦ୍ରଙ୍କ ସମେତ ଚାରି ଜଣ ଦୁର୍ବୁତ୍ତ ଅନିଲର ଶଶୁର ଘର କିମ୍ଭିରିପଡା ଗ୍ରାମରେ ପହଞ୍ଚିଥିଲେ। ଝିଅ ଓ ଜ୍ୱାଇଁଙ୍କ ସମେତ ସପରିବାର ଘରେ ବସିଥିବା ବେଳେ ଦୁର୍ବୁତ୍ତ ମାନେ ଜବରଦସ୍ତ ଘରେ ପଶି ଜ୍ୱାଇଁ ଅନିଲକୁ ଉଠାଇ ନେବାପାଇଁ ଉଦ୍ୟମ କରିଥିଲେ। ଏହା ଦେଖି ପରିବାର ଲୋକେ ପ୍ରତିବାଦ କରିବାସହ ପାଟିତୁଣ୍ଡ କରିଥିଲେ।

ପାଟିତୁଣ୍ଡ ଶୁଣି ଗ୍ରାମର କିଛି ବ୍ୟକ୍ତି ସେଠାରେ ପହଞ୍ଚି ଅପହରଣକାରୀ ମାନଙ୍କ କବଳରୁ ଅନିଲକୁ ଉଦ୍ଧାର କରିବାସହ ଅପହରଣକାରୀଙ୍କୁ କାବୁ କରି ପୋଲିସକୁ ଜଣାଇଥିଲେ।ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅନିଲର ବାପା ଖଗେଶ୍ୱର ବାହୁବଳେନ୍ଦ୍ରଙ୍କ ସମେତ ଚାରି ଜଣ ଅପହରଣକାରୀଙ୍କୁ ଥାନାକୁ ଆଣି ପଚରାଉଚରା କରିବାସହ ବ୍ୟବହୃତ କାରକୁ ଜବତ କରିଛନ୍ତି।

ଅପହୃତଙ୍କ ସ୍ତ୍ରୀ ସରୋଜିନୀଙ୍କ ଅଭିଯୋଗକୁ ଭିତି କରି ପୋଲିସ କେଶ ନଂ ୧୧୯/୨୩ ରେ ଦଫା ୪୯୮(କ), ୪୪୮, ୪୫୧, ୨୯୪, ୩୨୩, ୫୦୬, ୩୬୫, ୫୧୧, ୩୪ ଆଇପିସି, ୪ ଡିପିଆର ଆକ୍ଟ ଅନୁଯାୟୀ ମାମଲା ରୁଜୁ କରି ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାସହ କାର ଜବତ କରି ତଦନ୍ତ ଜାରିରଖିଥିବା ବାଲୁଗାଁ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ସମ୍ପୃକ୍ତ ଅଭିଯୁକ୍ତମାନେ ହେଲେ ଅନିଲର ବାପା ଖଗେଶ୍ୱର ବାହୁବଳେନ୍ଦ୍ରଙ୍କ ସମେତ ପଶ୍ଚିମବଙ୍ଗ ଖଡକପୁର ଅଞ୍ଚଳର ସୁରଜିତ କୁମାର ଧର, ମିର୍ଣମୟ ସାହ, ଶୁଭମ ଗିରି, ସାକିଲ ଖାଁ।

Categories
ଆଞ୍ଚଳିକ

ବାଲୁଗାଁ: ଭାରସାମ୍ୟ ହରାଇ ଲେଉଟିଲା ବାଲି ବୋଝେଇ ହାଇୱା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନମ୍ବର ଜାତୀୟ ରାଜପଥ ଖଡ଼ିକାପଲ୍ଲି ଓଭରବ୍ରିଜ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି ବୋଝେଇ ହାଇୱା ଭରସାମ୍ୟ ହରାଇ ରାସ୍ତାରେ ଲେଉଟି ପଡ଼ିଛି।

ଖବର ମୁତାବକ ହାଇୱା ଗାଡ଼ି ଟି କଟକରୁ ବାଲି ନେଇ ଗଞ୍ଜାମ ଅଭିମୁଖେ ଯାଉଥିବା ବେଳେ ଖଡ଼ିକାପଲ୍ଲି ଓଭରବ୍ରିଜ ନିକଟରେ ଭାରସାମ୍ୟ ହରାଇ ଲେଉଟି ପଡ଼ିଛି। ଉକ୍ତ ଦୁର୍ଘଟଣାରେ ହାଇୱା ଚାଳକ ଆହତ ହୋଇ ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।  ହାଇୱା ମଧ୍ୟରୁ ସମସ୍ତ ବାଲି ରୋଡରେ ପଡ଼ି ରହିଛି। ଖବର ପାଇ ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ ସଦଳବଳେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ଥାନା ଅଞ୍ଚଳରୁ ଛିନତାଇ ଅଭିଯୋଗ, ଫିଲ୍ମ ଷ୍ଟାଇଲରେ ମାଡି ବସିଲେ ହୋମଗାର୍ଡ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରୁ ଛିନତାଇ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପୋଲିସ। ସୂଚନା ମୁତାବକ ଆଜି ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ବାଲୁଗାଁ ଥାନା ପାଟଣା ସାହିର ଚନ୍ଦନ ଘଟୁଆଳ ନାମକ ଜଣେ ଅଭ୍ୟାସଗତ ଅପରାଧୀ ବାଲୁଗାଁ ବଜାରରେ ଜଣେ ଗରିବ ବୃଦ୍ଧା ସଜନୀ ନାୟକ ପରିବା ବିକ୍ରି କରୁଥିବା ବେଳେ ତାଙ୍କ ଠାରୁ ୩୫୦୦ ଟଙ୍କା ଛଡ଼ାଇ ଦୌଡ଼ି ପଳାଇଲେ।

ସେହି ସମୟରେ ବାଲୁଗାଁ ଥାନା ଡ୍ରାଇଭର(ହୋମ ଗାର୍ଡ) ରାଜାଉଦ୍ଦିନ ଖାନ ପରିବା କିଣୁଥିବା ବେଳେ ଉକ୍ତ ଦୃଶ୍ୟ ତାଙ୍କ ନଜରରେ ପଡିବାରୁ ସମ୍ପୃକ୍ତ ବଦୁର୍ବୁତ୍ତକୁ ଗୋଡ଼ାଇ ଗୋଡ଼ାଇ ପରିଶେଷରେ କାବୁ କରି ଥାନା ଜିମା ଦେଇଥିଲେ। ଅଭିଯୁକ୍ତ ଜଣକ ଅଭ୍ୟାସଗତ ଅପରାଧୀ ହୋଇଥିବା ବେଳେ ପୂର୍ବରୁ ଖୋର୍ଦ୍ଧା ଓ ବାଲୁଗାଁ ଥାନା ଅଞ୍ଚଳର ୪ଗୋଟି ସମ୍ପତ୍ତି ଅପରାଧ ମାମଲାରେ ଜଡିତ ଥିବା ଜଣାପଡିଛି।

ସମ୍ପୃକ୍ତ ଲୁଟ ଟଙ୍କା ଅଭିଯୁକ୍ତଙ୍କ ନିକଟରୁ ଜବତ କରାଯାଇ ଉକ୍ତ ପରିବା ବିକ୍ରେତାଙ୍କୁ ଦିଆଯାଇଥିବାଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୨୮୦/୨୨ରେ ମାମଲା ରୁଜୁ କରି ଗିରଫ କରାଯାଇଥିବା ଥାନା ଅଧିକାରୀ ରଶ୍ମିରଞ୍ଜନ ଦାଶ କହିଛନ୍ତି। ତେବେ ଥାନା ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଏବଂ ତ୍ୱରିତ ପଦକ୍ଷେପକୁ ବାଲୁଗାଁ ବାସି ପ୍ରଶଂସା କରିଛନ୍ତି।

Categories
ଅପରାଧ ଆଞ୍ଚଳିକ

ବଡ଼କୁଳ ଅଞ୍ଚଳରେ ପୋଲିସର ଚଢ଼ାଉ: ବନ୍ଧା ହେଲା ପେସାଦାର ମଦବେପାରୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ନାଭାଲ ଫାଣ୍ଡି ଅନ୍ତର୍ଗତ ବଡ଼କୁଳ ଅଞ୍ଚଳରେ ଅବାଧ ମଦ ବିକ୍ରି ଚାଲୁଥିବାର ଅଭିଯୋଗ ବାରମ୍ବାର ହୋଇଆସୁଥିଲା। ଏପରିକି ନିକଟରେ ନାଭାଲ ଫାଣ୍ଡି ପରିସରରେ ହୋଇଥିବା ଆମ ପୋଲିସ କାର୍ଯ୍ୟକ୍ରମରେ ମଦ କାରବାର ଉପରେ ସମ୍ପୂର୍ଣ୍ଣ ଲଗାମ ଲଗାଇବା ଜନସାଧାରଣଙ୍କ ପ୍ରମୁଖ ଦାବି ଥିଲା ଏବଂ ପୋଲିସ ମଧ୍ୟ ଏ ଦିଗରେ କାର୍ଯ୍ୟ କରିବା ପାଇଁ ଜନସାଧାରଣଙ୍କୁ ପ୍ରତିଶୃତି ଦେଇଥିଲା।

ଏହି ପରିପ୍ରେକ୍ଷୀରେ ଆଜି ବାଲୁଗାଁ ଆଇଆଇସି ଓ ନାଭାଲ ଫାଣ୍ଡି ଅଧିକାରୀ ବଡ଼କୁଳ ଅଞ୍ଚଳରେ ଚଢ଼ାଉ କରି ଜଣେ ପେସାଦାର ମଦବେପାରିଙ୍କୁ ବିଦେଶୀ ମଦ ସହ ଗିରଫ କରିଛି। ବେପାରି ଜଣକ ହେଲେ ବଡ଼କୁଳ ଅଞ୍ଚଳର ଶିବ ସ୍ୱାଇଁ। ତାଙ୍କ ନିକଟରୁ ୧୧ ଲିଟର ବିଦେଶୀ ମଦ ଓ ବାଇକ ଜବତ କରିଛି ପୋଲିସ।

ଏ ସଂକ୍ରାନ୍ତରେ ବାଲୁଗାଁ ଥାନାରେ କେସ ନମ୍ବର ୨୦୩/୨୨ ରେ ମାମଲା ରୁଜୁ କରାଯାଇଛି। ତେବେ ଶିବ ପୁର୍ବରୁ ମଧ୍ୟ ବେଆଇନ ମଦ ବିକ୍ରି କରି ସାତ ଥର ଜେଲ ଯାଇଥିବାର ଆଇଆଇସି ରଶ୍ମିରଞ୍ଜନ ଦାସ କହିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ ଥାନାରେ ନୂଆ ଆଇଆଇସି ଭାବେ ଯୋଗଦେଲେ ରଶ୍ମି ରଞ୍ଜନ ଦାସ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନାରେ ନୂତନ ଆଇଆଇସି ଭାବେ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି ଇନ୍ସପେକ୍ଟର ରଶ୍ମି ରଞ୍ଜନ ଦାସ। ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର ଶ୍ରୀ ଦାସ ପୁର୍ବରୁ ଜିଲ୍ଲା ସ୍ୱତନ୍ତ୍ର ସ୍କ୍ୱାର୍ଡକୁ ଲିଡ଼ କରୁଥିଲେ। ଜଣେ ଦକ୍ଷ ଅଧିକାରୀ ଭାବେ ବେଶ ଜଣାଶୁଣା ଶ୍ରୀ ଦାସ। ବିଶେଷ କରି ଅପରାଧୀଙ୍କ ବିରୁଦ୍ଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ଶ୍ରୀ ଦାସ ଚର୍ଚ୍ଚିତ।

ଖୋର୍ଦ୍ଧା ଜିଲ୍ଲାର ସ୍ୱତନ୍ତ୍ର ସ୍କ୍ୱାର୍ଡ ଦାଇତ୍ୱ ନେବାପରେ ତାଙ୍କ ନେତୃତ୍ୱରେ ଜିଲ୍ଲାରେ ୧୩ ଗୋଟି ବ୍ରାଉନ ସୁଗାର କେସ ଠାବ, ବିଭିନ୍ନ ବେଆଇନ ଖଣିରେ ଚଢ଼ାଉ କରି ୨୦୦ ରୁ ଅଧିକ ଗାଡ଼ି ଜବତ ଏବଂ ହାତଖଣ୍ଡି ପରି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯାଇଛି। ତେବେ ବାଲୁଗାଁ ଏକ ସମ୍ବେଦନଶୀଳ ଥାନା ହୋଇଥିବା ବେଳେ ଉକ୍ତ ଅଞ୍ଚଳକୁ ଅପରାଧମୁକ୍ତ କରିବା ସହ ରାଜ୍ୟ ସରକାରଙ୍କ ୫ଟି ବ୍ୟବସ୍ଥାକୁ ଗୁରୁତ୍ୱ ଦେବେ ବୋଲି ଶ୍ରୀ ଦାସ କହିଛନ୍ତି।

ଅନ୍ୟପକ୍ଷରେ ବାଲୁଗାଁକୁ ଅପରାଧମୁକ୍ତ କରିବାରେ ନୂତନ ଆଇଆଇସି ଜନସାଧାରଣଙ୍କ ସହଯୋଗ ଲୋଡିଛନ୍ତି।

ସୂଚନା ଥାଉକି ବାଲୁଗାଁ ଥାନା ଇନଚାର୍ଜ ଡ଼ିଏସପି ରମାକାନ୍ତ ମାହାଲିକଙ୍କ ଅନୁଗୁଳ ଏସଡ଼ିପିଓ ଭାବେ ନିକଟରେ ପଦୋନ୍ନତି ହୋଇ ବଦଳି ହୋଇଥିବାରୁ ତାଙ୍କ ସ୍ଥାନରେ ବାଲୁଗାଁ ଥାନାଧିକାରୀ ଭାବେ ଯୋଗ ଦେଇଛନ୍ତି ରଶ୍ମିରଞ୍ଜନ ଦାସ। ସେହିପରି ଭାବେ ଖୋର୍ଦ୍ଧା ଟାଉନ ଥାନା ଇନଚାର୍ଜ ଡ଼ିଏସପି ସଞ୍ଜୟ କୁମାର ପଟ୍ଟନାୟକଙ୍କ ଯାଜପୁର ରୋଡ଼ ଏସଡ଼ିପିଓ ଭାବେ ନିକଟରେ ପଦୋନ୍ନତି ହୋଇ ବଦଳି ହୋଇଥିବାରୁ ତାଙ୍କ ସ୍ଥାନରେ ନୂତନ ଖୋର୍ଦ୍ଧା ଟାଉନ ଥାନାଧିକାରୀ ଭାବେ ଯୋଗଦେବେ ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର ତାରିକ ଅହମ୍ମଦ। ଏ ନେଇ ଆଜି ଖୋର୍ଦ୍ଧା ଏସପି ନିର୍ଦ୍ଦେଶନାମା ଜାରି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ଢ଼ାବା ନିକଟରେ ସଡ଼କ ଦୁର୍ଘଟଣା: ଅଜଣା ବାଇକ ଚାଳକ ମୃତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚିଲିକା ଢ଼ାବା ନିକଟସ୍ଥ ନୂଆଗଡ଼ ଓଭରବ୍ରିଜ ଠାରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଅଜଣା ବ୍ୟକ୍ତି ପ୍ରାଣ ହରାଇଛନ୍ତି।  ଉକ୍ତ ଅଞ୍ଚଳରେ ରାସ୍ତା କାମ ଜାରି ରହିଥିବା ବେଳେ ବ୍ୟକ୍ତି ଜଣକ ଭାରସାମ୍ୟ ହରାଇ ମଟରସାଇକେଲକୁ ବ୍ରିଜରେ ଧକ୍କା କରିଥିବାର ଅନୁମାନ କରାଯାଉଛି। ପଥର ଉପରେ ବ୍ୟକ୍ତିଙ୍କ ମଟରସାଇକେଲ ପଡ଼ିଥିବା ବେଳେ ତାଙ୍କ ମର ଶରୀର ମଧ୍ୟ ଉକ୍ତ ପଥର ତଳେ ଫସି ରହିଥିବାର ଦେଖାଯାଇଥିଲା।

ଖବର ପାଇ ୧୦୮ ଆମ୍ବୁଲାନ୍ସ ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଖଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିବା ବେଳେ ବର୍ତ୍ତମାନ ଘଟଣାସ୍ଥଳରେ ନାଭାଲ ଫାଣ୍ଡି ପୋଲିସ ପହଞ୍ଚି ବାଇକକୁ ଜବତ କରି ତଦନ୍ତ ଆରମ୍ଭ କରିଦେଇଛି। ତେବେ ଗାଡିଟିର ନମ୍ବର ଅନୁଯାୟୀ ମୃତକଜଣଙ୍କ ଫୁଲବାଣୀ ଜିଲ୍ଲାର ହୋଇଥିବେ ବୋଲି ଅନୁମାନ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ସଂଘବଦ୍ଧ ଆକ୍ରମଣରେ ବୃଦ୍ଧଙ୍କର ମୃତ୍ୟୁ

ବାଲୁଗାଁ: ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସିଙ୍ଗେଶ୍ୱର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗ୍ରାମରେ ସଂଘବଦ୍ଧ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି । ସୂଚନା ମୁତାବକ ରଘୁନାଥପୁର ଗ୍ରାମର ନିରଞ୍ଜନ ସାହୁଙ୍କ ବାପା ରଙ୍କନାଥ ସାହୁଙ୍କୁ(୭୦) ପୂର୍ବ ଦିନର କୌଣସି ଏକ ଘଟଣାକୁ ନେଇ ଗ୍ରାମର କିଛି ଖଳ ପ୍ରକୃତିର ଲୋକ ସଂଘ ବଦ୍ଧ ଭାବେ ଆକ୍ରମଣ କରିଥିଲେ।

ଉକ୍ତ ଆକ୍ରମଣରେ ଘଟଣା ସ୍ଥଳରେ ରଙ୍କନାଥ ସାହୁ ମୁର୍ମୁଶୁ ଅବସ୍ଥାରେ ତଳେ ପଡିଯାଇଥିବା ବେଳେ ଗ୍ରାମବାସୀଙ୍କ ସହାୟତାରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ମାତ୍ର ଡାକ୍ତର ଶ୍ରୀ ସାହୁଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଖବର ପାଇ ମେଡିକାଲରେ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ମୃତକଙ୍କ ପୁଅ ନିରଞ୍ଜନଙ୍କ ଏତଲା କ୍ରମେ ବାଲୁଗାଁ ପୋଲିସ କେଶ ନଂ ୧୫୨/୨୨ରେ ଏକ ମାମଲା ରୁଜୁ କରି ଚାରି ଜଣଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ ଫେରାର ହୋଇଯାଇଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ତିନି ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚନ୍ଦ୍ରାପୁଟ ଏବଂ ରଘୁନାଥପୁର ଗ୍ରାମରେ ଅବକାରି ବିଭାଗ ଚଢ଼ାଉ କରି ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ କରିଛି।  ଖବର ମୁତାବକ ଉକ୍ତ ଦୁଇ ଗ୍ରାମରେ ଖୁଲମଖୁଲା ମଦ ବିକ୍ରି ହେଉଥିବାର ଅଭିଯୋଗ ପାଇ ବାଲୁଗାଁ ଅବକାରୀ ଅଧିକାରିଣୀ ସୁନିତା ଦଳାଇ ଆଜି ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲେ।  ଚଢ଼ାଉ ବେଳେ ସମୁଦାୟ ୨୪୩ ଲିଟର ଦେଶୀ ମଦ ଏବଂ ୧୪.୩ ଲିଟର ବିଅର ଜବତ ହୋଇଥିବା ବେଳେ ଜଣେ ମହିଳାଙ୍କ ସମେତ ତିନି ଅଭିଯୁକ୍ତ ଗିରଫ ହୋଇଛନ୍ତି।

ସେମାନଙ୍କ ବିରୋଧରେ ଅବକାରୀ ବିଭାଗ ପିଆର ନମ୍ବର ୫୦, ୫୧ ଓ ୫୨/୨୨-୨୩ ରେ ତିନି ଗୋଟି ମାମଲା ରୁଜୁ କରି କୋର୍ଟଚାଲାଣ କରିଥିବାର ଶ୍ରୀମତୀ ଦଳାଇ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବାଣପୁର ଏବଂ ବାଲୁଗାଁ ଥାନା ପାଇଁ ନିଯୁକ୍ତି ହେଲେ ଦୁଇ ଇନ୍ସପେକ୍ଟର

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏବଂ ବାଲୁଗାଁ ଥାନା ପାଇଁ ନୂଆ ଇନ୍ସପେକ୍ଟରମାନଙ୍କୁ ଏସପି ସିଦ୍ଧାର୍ଥ କାଟାରିଆ ନିଯୁକ୍ତି ଦେଇଛନ୍ତି। ନିକଟରେ ବାଣପୁର ଥାନା ଆଇଆଇସି ରଶ୍ମିରଂଜନ ସାହୁଙ୍କ ବଦଳି ହୋଇଛି ଏବଂ ବାଲୁଗାଁ ଥାନା ଇନଚାର୍ଜ ଡ଼ିଏସପି ରମାକାନ୍ତ ମାହାଲିକଙ୍କ ଖୁବଶୀଘ୍ର ନୂଆ ସ୍ଥାନକୁ ପୋଷ୍ଟିଙ୍ଗ ହେବ।

ଏହି ପରିପ୍ରେକ୍ଷୀରେ ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ଦୁଇ ଜଣ ଇନ୍ସପେକ୍ଟରଙ୍କୁ ଉଭୟ ଥାନାକୁ ନିଯୁକ୍ତି ଦିଆଯାଇଛି। ଇନ୍ସପେକ୍ଟର ରଶ୍ମିରଞ୍ଜନ ଦାସଙ୍କୁ ବାଣପୁର ଥାନାର ନୂତନ ଆଇଆଇସି ଏବଂ ଇନ୍ସପେକ୍ଟର ଜୟ ପ୍ରକାଶ ପରିଡ଼ାଙ୍କୁ ବାଲୁଗାଁ ଥାନାର ଅତିରିକ୍ତ ଆଇଆଇସି ଭାବେ ନିଯୁକ୍ତି ଦିଆଯାଇଛି।

ତେବେ ବାଲୁଗାଁ ଥାନା ଡ଼ିଏସପି ଇନଚାର୍ଜ ରମାକାନ୍ତ ମାହାଲିକଙ୍କ ନୂତନ ପୋଷ୍ଟିଙ୍ଗ ହେବା ପରେ ଅତିରିକ୍ତ ଆଇଆଇସି ଜୟ ପ୍ରକାଶ ପରିଡ଼ା ତାଙ୍କଠାରୁ ବାଲୁଗାଁ ଆଇଆଇସି ଦାୟିତ୍ଵ ନେବେ ବୋଲି ଜଣାପଡିଛି।

Categories
ଆଞ୍ଚଳିକ

ବାଲୁଗାଁ ଥାନା ପରିସରରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: କରୋନା ମହାମାରୀ ନିମନ୍ତେ ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ପରିସରରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆମ ପୋଲିସ ସମିତି ସଭାପତି ବିଭୁତି ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ବାଲୁଗାଁ ପୋଲିସ ଉପଖଣ୍ଡ ଅଧିକାରୀ ମାନସ ରଞ୍ଜନ ବାରିକ, ଥାନାଧିକାରୀ ରମାକାନ୍ତ ମାହାଲିକଙ୍କ ସମେତ ବହୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଗଣମାଧ୍ୟମ ପ୍ରତିନିଧିମାନେ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ଥିଲେ।

ଚିଲିକା ହ୍ରଦ ତଥା ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ପାଇଁ ପରିଚିତ ବାଲୁଗାଁ ସହରର ବିଭିନ୍ନ ସମସ୍ୟା ନେଇ ଉକ୍ତ ବୈଠକରେ ଆଲୋଚନା କରାଯାଇଥିଲା। ସହରର ମୁଖ୍ୟ ସମସ୍ୟା ଟ୍ରାଫିକ ସମସ୍ୟା ହୋଇଥିବା ବେଳେ ଏଦିଗରେ ପ୍ରଶାସନ ପକ୍ଷରୁ ଧ୍ୟାନ ଦେବା ସହ ତୁରନ୍ତ ସମାଧାନ ପାଇଁ ପାର୍କିଂ ବ୍ୟବସ୍ଥା, ଉଠାଦୋକାନୀମାନଙ୍କୁ ତାଗିଦ, ଅମାନିଆ ଗାଡି ଚାଳକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ, ରାସ୍ତାଘାଟରୁ ବୁଲା ଗାଈଗୋରୁଙ୍କୁ କାଞ୍ଜିଆହୁଦାରେ ରଖିବା ନେଇ ଆଲୋଚନା କରାଯାଇଥିଲା। ଏଥିସହିତ ସହରରେ ମଦ୍ୟପଙ୍କ ଦୌରାତ୍ମ୍ୟ, ଚୋରି, ରାହାଜାନୀ ଦିଗରେ ଧ୍ୟାନ ଦେବା ସହ ସହରରେ ଚାରିଆଡେ ସିସି ଟିଭି ଲଗାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଘରେ ପଶି ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ରାତି ଅଧରେ ଘରେ ପଶି ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ।   ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଧିନସ୍ଥ ପାରିକଂସାରୀ ଗ୍ରାମରେ ଏଭଳି ଘଟଣା ଘଟିଛି। ଉକ୍ତ ଗ୍ରାମର ରାମ ନାୟକଙ୍କ ଘରୁ ହୋଇଛି ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ରାମ ଆଜି ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ ରାମ ଏବଂ ତାଙ୍କ ଧର୍ମପତ୍ନୀ ଗତକାଲି ରାତିରେ ଘରେ ଶୋଇଥିବା ବେଳେ ରାମଙ୍କ ଧର୍ମପତ୍ନୀଙ୍କ ନିଦ ଭାଙ୍ଗିଯିବାରୁ ତାଙ୍କ ଘରର ସମସ୍ତ କବାଟ ଖୋଲା ଥିବାର ସେ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ସେ ଉକ୍ତ ଖବର ରାମଙ୍କୁ ଦେବାରୁ ଘରର ଆଲମିରା କବାଟ ଭାଙ୍ଗିଥିବାର ଦେଖିବାକୁ ପାଇଥିଲେ ଉଭୟ ସ୍ୱାମୀ ସ୍ତ୍ରୀ।

ତେବେ ଉକ୍ତ ଆଲମିରାରୁ ନକଦ ୫ ଲକ୍ଷ ଟଙ୍କା ଏବଂ ୧୫ ଭରିରୁ ଅଧିକ ସୁନା ଗହଣା ଚୋରି ହୋଇଥିବାର ଉଭୟ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ବାଲୁଗାଁ ପୋଲିସ କେଶ ନମ୍ବର ୬୮/୨୨ରେ ଏକ ମାମଲା ରୁଜୁ କରିବା ସହ ସାଇଣ୍ଟିଫିକ ଟିମର ସହଯୋଗରେ ତଦନ୍ତ ଜାରି ରଖିଛି। ଉକ୍ତ ମାମଲାର ତଦନ୍ତ କରୁଛନ୍ତି ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ।

Categories
ଆଞ୍ଚଳିକ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବାଲୁଗାଁ ପୋଲିସର ଫ୍ଲାଗ ମାର୍ଚ୍ଚ

ସୀତାରାମ ଅଗ୍ରୱାଲ

ଚିଲିକା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତରେ ବାଲୁଗାଁ ଥାନା ଡ଼ିଏସପି ଇନଚାର୍ଜ ରମାକାନ୍ତ ମାହାଲିକଙ୍କ ନେତୃତ୍ୱରେ ପୋଲିସର ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି।

ଅସାମାଜିକ ବ୍ୟକ୍ତିମାନଙ୍କୁ କଡ଼ା ସନ୍ଦେଶ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଅପରାଧମୁକ୍ତ, ଅବାଧ, ନିରପେକ୍ଷ ଏବଂ ମଦମୁକ୍ତ ନିର୍ବାଚନ କରିବାପାଇଁ ବାଲୁଗାଁ ପୋଲିସ ଅଣ୍ଟା ଭିଡିଛି। ଯଦି କୌଣସି ଅସାମାଜିକ ବ୍ୟକ୍ତି କିମ୍ବା ରାଉଡ଼ି ନିର୍ବାଚନ ସମୟରେ ବିଶୃଙ୍ଖଳା ସୃଷ୍ଟି କରନ୍ତି କିମ୍ବା ଭୋଟରଙ୍କୁ ଡରାନ୍ତି, ତେବେ ସେମାନଙ୍କୁ ସଙ୍ଗେସଙ୍ଗେ ଗିରଫ କରାଯିବ ବୋଲି ଡ଼ିଏସପି ଶ୍ରୀ ମାହାଲିକ କହିଛନ୍ତି।

ସୂଚନା ଥାଉକି ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ଅବା ଗଣ୍ଡଗୋଳ ଆଶଙ୍କାରେ ବାଲୁଗାଁ ପୋଲିସ ଅଦ୍ୟାବଧି ୪୦୦ ଜଣ ବ୍ୟକ୍ତିଙ୍କୁ ଚି଼ହ୍ନଟ କରିବା ସହ ସେମାନଙ୍କ ବିରୋଧରେ ଅଗ୍ରିମ ୱାରେଣ୍ଟ ଜାରି କରିଛି। ଅନୁରୂପ ଭାବେ ଆଜି ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ ଏବଂ ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ନାଚୁଣୀ ଫାଣ୍ଡି ଅନ୍ତର୍ଗତ ସମସ୍ତ ପଞ୍ଚାୟତରେ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି।