ସ୍ତ୍ରୀକୁ ମାରିବା ପାଇଁ ଚେଷ୍ଟା କରୁଥିବା ବେଳେ ସ୍ୱାମୀକୁ କାବୁ କଲା ବାଲୁଗାଁ ପୋଲିସ

Published: Jun 27, 2023, 5:14 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଯାଇଛି। ସ୍ତ୍ରୀକୁ ମାରିବା ପାଇଁ ଚେଷ୍ଟା କରୁଥିବା ବେଳେ ସ୍ୱାମୀକୁ ପୋଲିସ କାବୁ କରି ଗିରଫ କରିଛି।

ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ସୂଚନା ମୁତାବକ ବଡ଼କୁଳ ଅଞ୍ଚଳର ଜଣେ ମହିଳା ବାଣପୁର ଅଞ୍ଚଳର କୈଳାଶ ଚନ୍ଦ୍ର ମିଶ୍ରଙ୍କୁ ବିବାହ କରିଥିବା ବେଳେ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ବୈବାହିକ କଳହ ସୃଷ୍ଟି ହୋଇଥିବାରୁ ମହିଳା ଜଣକ ସ୍ୱାମୀ କୈଳାଶଙ୍କ ବିରୁଦ୍ଧରେ ବାଣପୁର ଥାନାରେ ଏତଲା ଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଦୀର୍ଘ ଦିନ ହେବ କୈଳାଶ ପତ୍ନୀଙ୍କୁ ମାରିବା ପାଇଁ ଏକ ଧାରୁଆ ଛୁରୀ ଧରି ତାଙ୍କ ପିଛା କରିଆସୁଥିଲେ।

ତେବେ ଗତ ୧୯ ତାରିଖ ରାତିରେ ମହିଳା ତାଙ୍କ ମା’ଙ୍କ ସହ ନିଜ ଘରେ ଶୋଇଥିବା ବେଳେ କୈଳାଶ କୌଣସିକ୍ରମେ ଘରେ ପଶି ଛୁରୀରେ ଆକ୍ରମଣ କରିବାକୁ ଉଦ୍ୟତ ହେବା ବେଳକୁ ମହିଳାଙ୍କ ମା’ ଚିତ୍କାର କରିବାରୁ କୈଳାଶ ଫେରାର ହୋଇଯାଇଥିଲେ। ଏ ନେଇ ବାଲୁଗାଁ ଥାନାରେ ଅଭିଯୋଗ ହେବାରୁ ପୋଲିସ କେସ ନମ୍ବର ୧୩୮/୨୩ ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ ପାଇଁ ପ୍ରୟାସ ଜାରି ରଖିଥିଲା।

ତେବେ ଗତକାଲି ରାତିରେ ପୁଣି ଅଭିଯୁକ୍ତ କୈଳାଶ ନିଜ ପତ୍ନୀଙ୍କ ଘର ଆଜବେଷ୍ଟସ ଭାଙ୍ଗି ଦଉଡି ସାହାଯ୍ୟରେ ପ୍ରବେଶ କରିବା ସମୟରେ ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ ଓ ବାଲୁଗାଁ ପୋଲିସ କର୍ମଚାରୀ ମାନେ ସାଦା ପୋଷାକରେ ଘଟଣାସ୍ଥଳରେ ପହଞ୍ଚିଥିଲେ।  ପୋଲିସକୁ ଦେଖି ଅଭିଯୁକ୍ତ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଅଭିଯୁକ୍ତଙ୍କୁ କାବୁ କରି ଗିରଫ ଓ ପରେ କୋର୍ଟଚାଲାଣ କରିଛି।

ତେବେ ଉଚିତ ସମୟରେ ବାଲୁଗାଁ ପୋଲିସର ଉଚିତ ପଦକ୍ଷେପ ଲାଗି ଦୁଇ ଗୋଟି ମୂଲ୍ୟବାନ ଜୀବନ ବଞ୍ଚିଯାଇଥିବାରୁ ଜନସାଧାରଣମାନେ ପୋଲିସର ଉକ୍ତ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

Related posts