ବାଲୁଗାଁ ବଜାରରୁ ଲୁଟ ମାମଲାରେ ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ

Published: Jul 21, 2023, 6:35 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବଜାରରେ ଏକ ପରିବା ଦୋକାନ ଠାରୁ ଲୁଟ ଅଭିଯୋଗରେ ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏତଦବ୍ୟତୀତ ୫ ହଜାର ଟଙ୍କା ଜରିମାନା ସହ ଜରିମାନା ଅନାଦେୟ ବାବଦକୁ କୋର୍ଟ ୧ ମାସ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି।

ପ୍ରକାଶ ଯେ, ବାଣପୁର ଥାନା ଅନ୍ତର୍ଗତ ଦାସରଥପୁର ଗ୍ରାମର ସଜନୀ ନାୟକ ବାଲୁଗାଁ ବଜାରରେ ଏକ ପରିବା ଦୋକାନ କରି ନିଜ ଝିଅମାନଙ୍କୁ ଧରି ଚଳୁଥିଲେ। ଡିସେମ୍ବର ମାସ ୧୩ ତାରିଖ ୨୦୨୨ ରେ  ଦିବା ୧୧ ଘଟିକା ସମୟରେ ପାଟଣା ସାହିର ଚନ୍ଦନ ଘଡୁଆଳ ନାମକ ଜଣେ ଯୁବକ ଦୋକାନ ଭିତରେ ପସି ଟଙ୍କା ବାକ୍ସ ଭିତରେ ରଖିଥ‌ିବା ୩,୫୦୦ ଟଙ୍କା ଝାମ୍ପିନେଇ ଫେରାର ହେବାକୁ ଚେଷ୍ଟା କରିଥିଲା। ଏହି ସମୟରେ ସଜନୀ ଚିତ୍କାର କରିବାରୁ ବାଲୁଗାଁ ଥାନାର ପୋଲିସ ବାବୁ ଓ ସ୍ଥାନୀୟ ଲୋକମାନେ ଲୁଟେରାକୁ କାବୁ କରିନେଇଥିଲେ।

ଏ ନେଇ ବାଲୁଗାଁ ଥାନାରେ ସଜନୀ ନାୟକ ଅଭିଯୋଗ ଦାଖଲ କରିଥିଲେ। ଏହି ମାମଲାର ଶୁଣାଣୀ କରି ଚିଲିକା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ବିକାଶ ଗୋଏଲ୍ ଭାରତୀୟ ଦଣ୍ଡବିଧ୍ ଆଇନର ଧାରା ୩୯୨ ଧାରାରେ ଅଭିଯୁକ୍ତ ଚନ୍ଦନ ଘଡୁଆଳକୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି।

ଏହି ପରିପ୍ରେକ୍ଷୀରେ ଉକ୍ତ ମାମଲାର ତଦନ୍ତକାରୀ ଅଧିକାରୀ ଇନ୍ସପେକ୍ଟର ରଶ୍ମିରଞ୍ଜନ ଦାସ ଏବଂ ମାମଲା ପରିଚାଳନା କରୁଥିବା ସରକାରୀ ଓକିଲ ହରେକୃଷ୍ଣ ଜଗଦେବଙ୍କୁ ଖୋର୍ଦ୍ଧା ଏସପି ପ୍ରଶଂସା କରିଛନ୍ତି।

Related posts