ବାଲୁଗାଁ: ବେକରେ ଲୁଗା ଗୁଡାଇ ଆତ୍ମହତ୍ୟା କଲେ କିନ୍ନର

Published: Dec 9, 2023, 4:50 pm IST

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଜଣେ କିନ୍ନର ଆତ୍ମହତ୍ୟା କରିଥିବା ଖବର ହସ୍ତଗତ ହୋଇଛି। କୁଲାକୁଣ୍ଢେଈ ନୂଆଗାଁ ରୋଡରେ ବାସ କରୁଥିବା ଆରତୀ ଦାସ (୨୧) ନାମ୍ନୀ କିନ୍ନର ବେକରେ ଲୁଗା ଗୁଡାଇ ଆତ୍ମହତ୍ୟା କରିଥିବା ଜଣାପଡିଛି।

ପୋଲିସ ସୂଚନା ମୁତାବକ ଆରତୀଙ୍କ ଗ୍ରାମ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଏସ ଛଚିନା ଅଞ୍ଚଳରେ। ତାଙ୍କ ପିତାଙ୍କ ନାମ ପାଣ୍ଡଵ ଦାସ। ସେ ଦୁଇ ମାସ ତଳେ ବାଲୁଗାଁ ଆସି ଉକ୍ତ ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ।

ତେବେ ଆଜି ସକାଳୁ ସେ ଘର କବାଟ ନଖୋଲିବାରୁ ଘର ମାଲିକ ତାଙ୍କ ପରିବାରକୁ ସୂଚନା ଦେଇଥିଲେ। ଖବର ପାଇ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତ ଆରତୀଙ୍କ ଭାଇ ମିଥୁନ ଦାସ ଏ ନେଇ ବାଲୁଗାଁ ଥାନାରେ ଅଭିଯୋଗ କରିଥିଲେ। ଏହାପରେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଆରତୀଙ୍କ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ।

ତେବେ ଆତ୍ମହତ୍ୟା କରିବା ପୁର୍ବରୁ ଆରତୀ ଏକ ବ୍ଲେଡରେ ତାଙ୍କ ହାତ କାଟିଥିବା ପୋଲିସ କହିଛି। ଆରତୀ ଙ୍କ ବେଡ଼ରୁମ ରୁ ଏକ ନୂଆ ବ୍ଲେଡ ମଧ୍ୟ ଜବତ କରିଛି ପୋଲିସ। ତେବେ କିନ୍ନର ଆରତୀ କଣ ପାଇଁ ଆତ୍ମହତ୍ୟା କଲେ ତାହା ସନ୍ଦେହଘେରରେ। ଏ ନେଇ ବାଲୁଗାଁ ପୋଲିସ କେସ ନମ୍ବର ୨୨/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Related posts