Categories
ଆଜିର ଖବର

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅନ୍ୟ ସମସ୍ତ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଚଳିତ ମାସରେ ଅନୁଷ୍ଠିତ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀରେ ପ୍ରମୁଖ ସହଯୋଗ କରିଥିବା ବିଭିନ୍ନ ବିଭାଗର ସଚିବ ଓ ସଂପୃକ୍ତ କାର୍ଯ୍ୟାଳୟର କର୍ତ୍ତୃପକ୍ଷମାନଙ୍କୁ ପ୍ରଶଂସା କରାଯାଇଥିଲା। ଦଳଗତ ପ୍ରୟାସରେ ସମସ୍ତଙ୍କ ସହଯୋଗରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇ ଅନେକ ସଫଳତା ଆଣି ଦେଇଥିବାରୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଗତ ବର୍ଷ ଜାନୁଆରୀ ମାସ ତୁଳନାରେ ଚଳିତ ବର୍ଷ ଜାନୁଆରୀ ମାସ ଶେଷ ସୁଦ୍ଧା ରାଜ୍ୟର ତଥା ବିଭିନ୍ନ ବିଭାଗର ଆର୍ଥିକ ପ୍ରଦର୍ଶନ ଭଲ ରହିଥିବା ବୈଠକରୁ ଜଣାଯାଇଛି।

ଗତ ମାସରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ ଜାତୀୟ ସ୍ତରୀୟ ପରେଡରେ ଓଡିଶାର ପ୍ରଜ୍ଞାପନ ମେଢ ପ୍ରଥମ ହେବା, ବଲାଙ୍ଗୀର ଜିଲ୍ଲାରେ ଲୋୟର ସୁକତେଲ ପ୍ରକଳ୍ପ, ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସମ୍ବଲପୁରରେ ମା ସମଲେଇ ପ୍ରକଳ୍ପ ଆଦି ଲୋକାର୍ପଣ ହେବା, ନୃସିଂହନାଥ ଓ ହରିଶଂକର ପାରିପାର୍ଶ୍ୱିକ ଭିତ୍ତିଭୂମିର ଉନ୍ନତିକରଣ କାର୍ଯ୍ୟ କରାଯାଇଥିବା ସହ ଅନ୍ୟ ବିଭିନ୍ନ ବିଭାଗର ଉଲ୍ଲେଖନୀୟ କାର୍ଯ୍ୟ ସଂପର୍କରେ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ଉପସ୍ଥାପନ କରିଥିଲେ। ବୈଠକରେ ରାଜ୍ୟ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ନୂତନ ଏମଏସଏମଇ ନୀତି-୨୦୨୩ର କାର୍ଯ୍ୟକାରିତା ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡିକ ସମ୍ପର୍କରେ ଉପସ୍ଥାପନ କରିଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଉନ୍ନୟନ କମିଶନର ଅନୁଗର୍ଗ କଲେ ତାଗିଦ୍

ଭୁବନେଶ୍ୱର: ଆମ ବ୍ୟାଙ୍କ ଯୋଜନା, ମିଶନ ଶକ୍ତି ସ୍କୁଟର ଯୋଜନା, ଲକ୍ଷ୍ମୀ ଯୋଜନା, ବଳରାମ ଯୋଜନା, ମୋ ଘର ଯୋଜନା ଆଦି ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣ କାର୍ଯ୍ୟକ୍ରମ। ସେଗୁଡିକର ଆଶାନୁରୂପ ସଫଳତା ଦିଗରେ ବ୍ୟାଙ୍କଗୁଡିକର ଅକୁଣ୍ଠ ଓ ନିଷ୍ଠାପର ସହଯୋଗଅ ପରିହାର୍ଯ୍ୟ । ତେଣୁ ବ୍ୟାଙ୍କଗୁଡିକ ସେସବୁ ଯୋଜନା ଉପରେ ଗୁରୁତ୍ୱାରୋପ କରିବାକୁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ ଆହ୍ୱାନ ଦେଇଛନ୍ତିା

ଗତକାଲି ଲୋକ ସେବା ଭବନରେ ଆୟୋଜିତ ୧୭୩ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ କହିଲେ ଯେ ରାଜ୍ୟର ଶତକଡ଼ା ୬୫ ଭାଗ ଗ୍ରାମ ପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ନ ଥିବାରୁ ଜନସାଧାରଣଙ୍କୁ ନିରବଚ୍ଛିନ୍ନ ବ୍ୟାଙ୍କ ସେବା ଓ ଋଣ ଯୋଗାଇ ଦେବା ପାଇଁ ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହଯୋଗରେ ସେସବୁ ଗ୍ରାମପଞ୍ଚାୟତରେ ସିଏସ୍‌ପି (ପ୍ଲସ୍‌) ବ୍ୟାଙ୍କ ଆଉଟ୍‌ଲେଟ୍‌ ମାଧ୍ୟମରେ ବ୍ୟାଙ୍କ ସେବା ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆମ ବ୍ୟାଙ୍କ ଯୋଜନାର ଶୁଭାରମ୍ଭ କରିଛନ୍ତି।

ଏହି ଯୁଗାନ୍ତକାରୀ ପଦକ୍ଷେପ ପାଇଁ ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ ଓ ଅଭିନନ୍ଦନୀୟ। ୨୦୨୩ ମସିହା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ରାଜ୍ୟର କ୍ରେଡିଟ୍‌ ଜମା ଅନୁପାତ ୮୧.୪୪% ଥିବା ବେଳେ ତାହାକୁ ବୃଦ୍ଧି କରାଯାଇ ୮୧.୭୫% କରାଯାଇ ପାରିଥିବାରୁ ସେ ସନ୍ତୋଷ ବ୍ୟକ୍ତକରିଥିଲେ। ଅଗ୍ରାଧିକାର କ୍ଷେତ୍ରକୁ ଋଣ ପ୍ରଦାନ, ବ୍ୟାଙ୍କ, ଯୋଜନା ଓ ଜିଲ୍ଲାୱାରୀ ଋଣ ପ୍ରଦାନ କ୍ଷେତ୍ରରେ ପରିଲକ୍ଷିତ ବ୍ୟବଧାନ ହ୍ରାସ ନିମନ୍ତେ ଯତ୍ନବାନ ହେବାକୁ ସେ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଥିଲେ।

ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ ବ୍ୟାଙ୍କଗୁଡ଼ିକର ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ଜନକଲ୍ୟାଣକାରୀ ଯୋଜନାରେ ବ୍ୟାଙ୍କଗୁଡ଼ିକ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ କ୍ଷେତ୍ରରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧିହାର ତ୍ୱରାନ୍ୱିତ କରିବା ପାଇଁ ବ୍ୟାଙ୍କଗୁଡ଼ିକ ପର୍ଯ୍ୟାପ୍ତ ଋଣ ପ୍ରଦାନ କରିବାକୁ ସେ ଆହ୍ୱାନ ଦେଇଥିଲେ। ବ୍ୟାଙ୍କଗୁଡ଼ିକ ଅଧିକଶାଖା ଓ ଅଧିକଏ.ଟି.ଏମ ଖୋଲିବା ଉପରେ ଗୁରୁତ୍ୱାରୋପ କରନ୍ତୁ ବୋଲି ସେ ପ୍ରକାଶ କରିଥିଲେ।

ୟୁକୋ ବ୍ୟାଙ୍କର ମହାପ୍ରବନ୍ଧକ ତଥା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକର ଆବାହକ ଶ୍ରୀ ଗୌତମ ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ୟୁକୋ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଚେୟାରମ୍ୟାନ, ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ଶ୍ରୀ ବିଜୟ କୁମାରଏନ୍‌.କାମ୍ବଲେ, ଭାରତୀୟ ରିଜର୍ଭ ବ୍ୟାଙ୍କର ଆଂଚଳିକ ନିର୍ଦ୍ଦେଶକ ଶ୍ରୀ ଶାରଦା ପ୍ରସନ୍ନ ମହାନ୍ତି, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦ୍ରଶେଖର ଶର୍ମା, ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ ଡ. ସୁଧାଂଶୁ କେ.କେ. ମିଶ୍ର ପ୍ରମୁଖ ସମ୍ମାନିତ ଅତିଥିଭାବେ ଉଦ୍‌ବୋଧନ ଦେଇଥିଲେ ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ପ୍ରମୁଖ ଶାସ ନସଚିବ ଶ୍ରୀଏସ୍‌.କେ. ବଶିଷ୍ଠ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଏସ୍‌.କେ. ଲୋହାନୀ, ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ଆର୍‌. କାର୍ତ୍ତିକେୟନ୍‌ଙ୍କ ସମେତ ରାଜ୍ୟ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀଏବଂ ବିଭିନ୍ନ ବ୍ୟାଙ୍କ ତଥା ଲିଡ୍‌ ବ୍ୟାଙ୍କର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିଷୟ ଉପରେ ମତବ୍ୟକ୍ତ କରିଥିଲେ।

ଶେଷରେ ପାୱାରପଏଣ୍ଟ ମାଧ୍ୟମରେ ବ୍ୟାଙ୍କଗୁଡ଼ିକର ଉପଲବ୍ଧି ଓ ସଫଳତା ସମ୍ବନ୍ଧରେ ଆଲୋକପାତ କରାଯାଇ ଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

ରେଙ୍ଗାଲୀ ଜଳସେଚନ ପ୍ରକଳ୍ପ ଅଗ୍ରଗତି ସଂପର୍କରେ ଉନ୍ନୟନ କମିଶନରଙ୍କ ସମୀକ୍ଷା

ଭୁବନେଶ୍ବର: ରେଙ୍ଗାଲୀ ଦକ୍ଷିଣ ପାର୍ଶ୍ୱ କେନାଲ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତା ଅଗ୍ରଗତି ସଂପର୍କରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ  ଶ୍ରୀମତୀ ଅନୁ ଗର୍ଗ ଆଜି ଅପରାହ୍ନରେ ରାଜୀବ ଭବନ ସ୍ଥିତ ଜଳସଂପଦ ବିଭାଗ ସମ୍ମିଳନୀ କକ୍ଷରେ ସମୀକ୍ଷା କରିଛନ୍ତି।

ନିର୍ମାଣାଧିନ ରେଙ୍ଗାଲୀ  ଦକ୍ଷିଣ ପାର୍ଶ୍ୱ  ଜଳସେଚନ ପ୍ରକଳ୍ପ କିପରି ଶୀଘ୍ର ସଂପୂର୍ଣ୍ଣ କରାଯାଇ ଏହାଦ୍ୱାରା ଅଧିକରୁ ଅଧିକ ଚାଷୀ ଉପକୃତ ହେବେ, ସେ ସଂପର୍କରେ ଏକ ସମୀକ୍ଷା ବୈଠକ କରି ରହିଥିବା ସମସ୍ୟାର ସମାଧାନ କରିବାକୁ ରାଜ୍ୟ କୃଷି ଓ କୃଷକ ସଶକ୍ତକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ  ବିଭାଗ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ପରାମର୍ଶ ଦେଇଥିଲେ।

ଅନୁଷ୍ଠିତ ବୈଠକରେ ଜଳସଂପଦ ବିଭାଗ ସର୍ବୋଚ୍ଚ ମନ୍ତ୍ରୀ, ରେଙ୍ଗାଲୀ ଜଳସେଚନ ପ୍ରକଳ୍ପ ମୁଖ୍ୟ ଯନ୍ତ୍ରୀ, ଆଠଗଡ଼ ଉପଜିଲ୍ଲାପାଳ, ବିଭାଗୀୟ ବରିଷ୍ଠ ଅଧିକାରୀ ଓ ସଂପୃକ୍ତ  ଅନ୍ୟ ଯନ୍ତ୍ରୀମାନଙ୍କ ଉପସ୍ଥିତିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ,  ନିର୍ମାଣାଧିନ ପ୍ରକଳ୍ପ କେତେ ଶେଷ ହୋଇଛି, ଅବଶିଷ୍ଟ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ  କ’ଣ ସବୁ  ସମସ୍ୟା ରହିଛି, ସେ ସଂପର୍କରେ  ପୁଙ୍ଖାନୁପୁଙ୍ଖ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ପାଇଁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ।

ବୈଠକରୁ ଜଣାଯାଇଛି ଯେ, ଅନୁଗୋଳ ଜିଲ୍ଲାର ସମଲ ବ୍ୟାରେଜ୍‌ରୁ ବାହାରିଥିବା ରେଙ୍ଗାଲୀ ଦକ୍ଷିଣ ପାର୍ଶ୍ୱ କେନାଲରୁ ଗୋନ୍ଦିଆ, ଦର୍ପଣ, ନରସିଂହପୁର ଓ ଆଠଗଡ଼ ଶାଖା କେନାଲ୍  ସୃଷ୍ଟି ହୋଇଛି। ଏହାଦ୍ୱାରା  ଅନୁଗୋଳ, ଢ଼େଙ୍କାନାଳ, କଟକ, ଯାଜପୁର ଆଦି  ୪ଟି ଜିଲ୍ଲାର ୧୪ ବ୍ଲକରେ ମୋଟ ୮୪,୪୦୬ ହେକ୍ଟର ଚାଷ ଉପଯୋଗୀ ସେଚାଂଚଳକୁ କେନାଲ ଯୋଗେ ଜଳ ପ୍ରବାହ ଲକ୍ଷ୍ୟ ରହିଥିବା ବେଳେ ଏହି ସବୁ ଅଂଚଳରେ ୧୯,୬୮୬ ହେକ୍ଟରକୁ ଉଠାଜଳସେଚନ ମାଧ୍ୟମରେ ଜଳସେଚନ ଲକ୍ଷ୍ୟ ରହିଛି।

ରେଙ୍ଗାଲୀ ଦକ୍ଷିଣ ପାର୍ଶ୍ୱ ଜଳସେଚନ ପ୍ରକଳ୍ପ ମୁଖ୍ୟ କେନାଲର ଦୈର୍ଘ୍ୟ ୯୫.୦୪ କି.ମି. ହୋଇଥିବା ବେଳେ ଏହାର ନିର୍ମାଣ  କାର୍ଯ୍ୟ ସରିଛି। ଏହାର ଶାଖା କେନାଲଗୁଡିକର  ମୋଟ ଦୈର୍ଘ୍ୟ ୧୯୬.୬୬ କି.ମି ହୋଇଥିବା ବେଳେ ସେଥିରୁ ୧୩୬.୮୮ କି.ମିର ଖନନ କାର୍ଯ୍ୟ ସରିଛି। ଅବଶିଷ୍ଟ କେନାଲ ଖନନ ପାଇଁ ତ୍ୱରିତ ପଦକ୍ଷେପ ନିମନ୍ତେ ବୈଠକରେ ଆଲୋଚନା କରାଯାଇଥିଲା।

ଜଳସେଚନ ଉପଯୋଗୀ ସେଚାଞ୍ଚଳ ମଧ୍ୟରୁ  ପୂର୍ବରୁ କେନାଲ ଯୋଗେ ୧୭,୬୦୬ ହେକ୍ଟର ସେଚ ସାମର୍ଥ୍ୟ ସୃଷ୍ଟି କରାଯାଇଥିବା ବେଳେ ଆଗାମୀ ଡିସେମ୍ବର ସୁଦ୍ଧା ଆଉ ୧୦,୦୦୦ ହେକ୍ଟର ଓ ମାର୍ଚ୍ଚ ମାସ ସୁଦ୍ଧା ଆଉ ୧୬,୩୩୪ ଏହିପରି ଏହି ମୋଟ ୪୩,୯୪୦ ହେକ୍ଟର ସେଚାଂଚଳକୁ ସେଚ ସାମର୍ଥ ସୃଷ୍ଟି ଲକ୍ଷ୍ୟ ଧାର୍ଯ୍ୟ ରହିଛି।

ନିର୍ମାଣାଧିନ ଅବଶିଷ୍ଟ ଅଂଶରୁ କେତେକ କ୍ଷେତ୍ରରେ ଜମି ଅଧଗ୍ରହଣରେ ବିଳମ୍ବ ଘଟିଥିବା ଓ ପରିବେଶ ମଞ୍ଜୁରୀ ଜନିତ ସମସ୍ୟା ରହିଛି। ସେ ସବୁ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇ ନିର୍ମାଣାଧିନ କେନାଲ କାର୍ଯ୍ୟକୁ ସଂପୂର୍ଣ୍ଣ କରାଯିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ପରିସଂଖ୍ୟାନ ଅନୁଯାୟୀ ମୋଟ କେନାଲ ଦୈର୍ଘ୍ୟର  ୮୦.୩୭% ଜମି ଅଧିଗ୍ରହଣ ପୂର୍ବକ ଖନନ କାର୍ଯ୍ୟ କରାଯାଇଥିବା ବେଳେ ବେଳେ ସ୍ଥାନୀୟ  ସମସ୍ୟା ରହିଥିବା ୮.୪୬ ପ୍ରତିଶତ କାର୍ଯ୍ୟ ସମାଧାନ କରାଯାଇ  କରାଯିବ।

ସେହିପରି ୧୧.୧୭% ସଂରକ୍ଷିତ ଜଙ୍ଗଲ ଓ ଜଙ୍ଗଲ ମଂଜୁର ଅର୍ନ୍ତଭୁକ୍ତ ରହିଥିବେ ବେଳେ ସେଥିରୁ  ୮୭୪.୫୯୫୭ ହେକ୍ଟର ଷ୍ଟେଜ୍-୨  ଜଙ୍ଗଲ ଜମି ମଂଜୁରୀ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ତରଫରୁ ମିଳିସାରିଛି । ଅବଶିଷ୍ଟ ୨୫୧.୧୭ ହେକ୍ଟର ଜଙ୍ଗଲ ଜମି ପରିବେଶ ଅନୁମୋଦନ ପାଇଁ ପକ୍ରିୟା ଜାରି ରହିଛି।

କ୍ଷତିପୂରଣ ବନୀକରଣ (କମ୍ପେନେସେଟୋରୀ ଆଫରେଷ୍ଟେସନ) ଜରିଆରେ ଏହି ସମସ୍ୟାର ସମାଧାନ କରାଯାଇ ପରିବେଶ ମଂଜୁରୀ ନିମନ୍ତେ ପଦକ୍ଷେପ ନିଆଯାଇଛି। କଟକ ଜିଲ୍ଲାରେ ଜମି ଅଧିଗ୍ରହଣ ସମସ୍ୟା ରହିଥିବା ପ୍ରସଙ୍ଗରେ କଟକ ଜିଲ୍ଲାପାଳଙ୍କୁ ସମସ୍ୟାର ଅନୁଧ୍ୟାନ କରି ଉଚିତ ପଦକ୍ଷେପ ନେବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି ।

ଅନୁଗୋଳ ଜିଲ୍ଲାର ଶତ ପ୍ରତିଶତ, ଢେଙ୍କାନାଳ ଜିଲ୍ଲାର ୫୮%, କଟକ ଜିଲ୍ଲାର ୧୭% ସେଚାଂଚଳରେ ସେଚ ସାମର୍ଥ ସୃଷ୍ଟି କରାଯାଇଥିବା ବେଳେ କେତେକ ଅଂଚଳକୁ ପରୀକ୍ଷାମୂଳକ ଭାବେ  ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି। ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟ କରି ରେଙ୍ଗାଲୀ ଦକ୍ଷିଣ ପାର୍ଶ୍ୱ ଜଳସେଚନ କେନାଲ ଯୋଗେ ସେଚ ସୁବିଧା ଯୋଗାଇବା ସଂପର୍କରେ ଆଲୋଚନା ପୂର୍ବକ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜଳବାୟୁ ସହନଶୀଳ କୃଷି ପ୍ରକଳ୍ପର ସମୀକ୍ଷା: ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର: ଉନ୍ନୟନ କମିଶନର-ତଥା-ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗୁରୁବାର ରାଜୀବ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ବୈଠକରେ ଜଳବାୟୁ ସହନଶୀଳ କୃଷି ପ୍ରକଳ୍ପର ସମୀକ୍ଷା କରିଥିଲେ। ନାବାର୍ଡର ଜେନେରାଲ ମ୍ୟାନେଜରଙ୍କ ସମେତ କୃଷି ଓ କୃଷି ଉତ୍ପାଦନ ନିର୍ଦ୍ଦେଶକ, ଉଦ୍ୟାନ କୃଷି ନିର୍ଦ୍ଦେଶକ, ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ, ଓଆଇଆଇପିସିଆରଏର ପ୍ରକଳ୍ପ ନିର୍ଦ୍ଦେଶକ, ପ୍ରମୁଖ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ, ଗଞ୍ଜାମ ଓ ମୟୂରଭଞ୍ଜ, ସହଯୋଗୀ ସଂଗଠନ ଏବଂ ଅନ୍ୟ ଅଂଶୀଦାରମାନେ ମଧ୍ୟ ଏହି ବୈଠକରେ ଯୋଗଦେଇ ଥିଲେ।

ସମୀକ୍ଷା ବୈଠକରେ ଏହି ପ୍ରକଳ୍ପ କାର୍ଯ୍ୟକାରିତାରେ ପ୍ରମୁଖ କ୍ଷେତ୍ରରେ ସଫଳତା, ଆହ୍ୱାନ ଏବଂ ଆଗାମୀ ଯୋଜନା ସଂପର୍କରେ ଆଲୋକପାତ କରାଯାଇଥିଲା। ଉତ୍ତମ ଅଭ୍ୟାସ ତଥା ସଫଳ କାହାଣୀଗୁଡ଼ିକର ପ୍ରାମାଣିକ ତଥ୍ୟ ରଖିବା ସହିତ ଆଗାମୀ ଦିନରେ ପ୍ରକଳ୍ପ କାର୍ଯ୍ୟକାରିତାରେ ଦୃଢ ସମନ୍ୱୟ ଏବଂ ଅନ୍ତର୍ଭୁକ୍ତିକରଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ସୂଚନା ଯୋଗ୍ୟ ଯେ, ଜଳବାୟୁ ସହନଶୀଳ କୃଷି ପାଇଁ ଓଡ଼ିଶା ସମନ୍ୱିତ ଜଳସେଚନ ପ୍ରକଳ୍ପ ରାଜ୍ୟର ୧୫ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି, ଯାହାର ଉଦ୍ଦେଶ୍ୟ ହେଉଛି କୃଷି ଉତ୍ପାଦନର ବ୍ୟାପକତା ଓ ଫସଲ ବିବିଧିକରଣ, ଜଳସେଚନର ଉପଲବ୍ଧତା ଏବଂ ଜଳ ଉପଯୋଗିତାରେ ଉନ୍ନତି, ସଂସ୍ଥାଗତ ଦକ୍ଷତା ସୁଦୃଢ଼ୀକରଣ ଓ ପ୍ରକଳ୍ପ ପରିଚାଳନା ଆଦି ୪ ଟି ପ୍ରମୁଖ କ୍ଷେତ୍ରକୁ ଗୁରୁତ୍ୱ ଦେଇ କୃଷି ଉତ୍ପାଦନକୁ ତ୍ୱରାନ୍ୱିତ ଓ ବିବିଧିକରଣ ଏବଂ ଜଳବାୟୁ ସହନଶୀଳତା ବୃଦ୍ଧି କରିବା। କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ପୋଖରୀ ବା ଜଳାଶୟଗୁଡିକର ଉପଲବ୍ଧତା ଏବଂ ଜଳସେଚନରେ ଉନ୍ନତି ଆଣିବା ସହିତ ଜଳସେଚନ ସେବାର ଗୁଣବତ୍ତା ବୃଦ୍ଧି ମାଧ୍ୟମରେ କୃଷକମାନଙ୍କୁ ଉପକୃତ କରିବା ପାଇଁ ଏହି ପ୍ରକଳ୍ପ ଜଳ, କୃଷି, ଉଦ୍ୟାନ କୃଷି ଏବଂ ମତ୍ସ୍ୟ ଚାଷ କ୍ଷେତ୍ରର ଆନ୍ତଃକ୍ଷେତ୍ରୀୟ ସମନ୍ୱୟ ଗ୍ରହଣ କରୁଛି ଯଦ୍ଦ୍ୱାରା ହାରାହାରି ଅମଳ, ବଜାରଯୋଗ୍ୟ ଉତ୍ପାଦନ, ବିବିଧ ଆୟ ଓ ଜଳବାୟୁ ସ୍ଥିରତା ଇତ୍ୟାଦିକୁ ଗୁରୁତ୍ୱ ଦିଆଯାଇ କାର୍ଯ୍ୟକାରୀ କରାଯାଉଛି।

ସେହିଭଳି “ସବୁଜ ଜଳବାୟୁ ପାଣ୍ଠି” ପ୍ରକଳ୍ପ ମାଧ୍ୟମରେ ଜଳସେଚନ ସୁବିଧା ନଥିବା ସମ୍ବେଦନଶୀଳ ଅଞ୍ଚଳରେ ଜଳ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଢାଞ୍ଚାଗତ ଅନୁକୂଳ ପଦକ୍ଷେପ ଏବଂ କ୍ଷୁଦ୍ର ଜଳସେଚନ ପାଇଁ ସୌର ପମ୍ପ ବ୍ୟବହାର ମାଧ୍ୟମରେ ଗୋଷ୍ଠୀ ପୋଖରୀରେ ଭୂତଳ ଜଳ ପୁନରୁଦ୍ଧାର କରିବାକୁ ଲକ୍ଷ୍ୟ ରଖିଛି। ଭୂତଳ ଜଳ ରିଚାର୍ଜ ବ୍ୟବସ୍ଥାର ଅନୁକୂଳନ, ଗୋଷ୍ଠୀ ପୋଖରୀର ନବୀକରଣ, ଜଳସେଚନ ପାଇଁ ସୌର ପମ୍ପର ଏକୀକରଣ, ଅଂଶୀଦାରଙ୍କ ଦକ୍ଷତା ବୃଦ୍ଧି ଇତ୍ୟାଦି ଏହି ପ୍ରକଳ୍ପର ମୁଖ୍ୟ ଉପାଦାନ।

ଉଭୟ ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ପ୍ରମୁଖ ବିଭାଗକୁ ପ୍ରକଳ୍ପ ଉଦ୍ଦେଶ୍ୟ ସାକାର କରିବା ଏବଂ ସଂପୃକ୍ତ ଗୋଷ୍ଠୀ ସମୁଦାୟଙ୍କ ଲାଭକୁ ସୁନିଶ୍ଚିତ କରିବା ପାଇଁ ସମନ୍ୱୟକୁ ସୁଦୃଢ କରି କାର୍ଯ୍ୟ କରିବାକୁ କହିଥିଲେ। ପ୍ରକଳ୍ପଗୁଡ଼ିକର ସମସ୍ତ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା ସହିତ ନବସୃଜନ, ଜଳବାୟୁ ସ୍ମାର୍ଟ ଭିଲେଜ୍ ନିର୍ମାଣ ଏବଂ ପ୍ରଭାବଶାଳୀ ତଦାରଖ ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗର ଆବଶ୍ୟକତା ସଂପର୍କରେ ସେ ଗୁରୁତ୍ୱାରୋପ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବିପର୍ଯ୍ୟୟରୁ ସୁରକ୍ଷା ଦେଉଥିବା ବିଶ୍ବବ୍ୟାଙ୍କ ସହାୟତା ପ୍ରକଳ୍ପ ଉପରେ ହେଲା ବୈଠକ

ଭୁବନେଶ୍ଵର: ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ସଂପର୍କିତ ଓଡିଶାର ସାମର୍ଥ ଓ ସହାୟକ ବୃଦ୍ଧି ସମ୍ପର୍କରେ ବିଶ୍ୱବ୍ୟାଙ୍କ ସହାୟତା ପ୍ରକଳ୍ପ କାର୍ଯ୍ୟକାରିତା ନେଇ ବିଶ୍ୱବ୍ୟାଙ୍କ ମିଶନ ଟିମ୍ ସହ ଏକ ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ, ଅର୍ଥ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ବିଶ୍ୱବ୍ୟାଙ୍କ ମିଶନ ଟିମ୍ ର ଅଧିକାରୀମାନେ ଉପସ୍ଥିତ ଥିଲେ।

ଉନ୍ନୟନ କମିଶନର ବିଶ୍ୱବ୍ୟାଙ୍କ ସହାୟତାରେ କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଗରିବ ଏବଂ ଦୁର୍ବଳ ପରିବାରମାନଙ୍କୁ ଜଳବାୟୁର ଆକସ୍ମିକ ପ୍ରଭାବରୁ ଅର୍ଥନୈତିକ ସୁରକ୍ଷା ଦେବା ପାଇଁ ଏହି ପ୍ରକଳ୍ପ ଉଦ୍ଦିଷ୍ଟ। ବିପର୍ଯ୍ୟୟ ଜନିତ ବିପଦକୁ ପରିଚାଳନା କରିବା, ସେବା ଯୋଗାଣ ଏବଂ ଯୋଜନା ପାଇଁ ଡିଜିଟାଲ ତଥ୍ୟର ଉନ୍ନତ ବ୍ୟବହାରକୁ ସୁଗମ କରିବା ଦ୍ୱାରା ଏହା ସମ୍ଭବ ହେବ।

ଭାରତ ସରକାର ୧୪.୦୭.୨୦୨୩ ରେ ବିଶ୍ୱ ବ୍ୟାଙ୍କ ସହିତ ଏହି ପ୍ରକଳ୍ପ କାର‌୍ୟ୍ୟକାରିତା ନେଇ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଏହି ପ୍ରକଳ୍ପର ମୂଲ୍ୟ ପ୍ରାୟ ୧୧୮୩ କୋଟି ଏବଂ ତନ୍ମଧ୍ୟରୁ ରାଜ୍ୟ ସରକାରଙ୍କ ପାଣ୍ଠି ୩୬୭ କୋଟି ଟଙ୍କା ରହିଛି। ୫ ବର୍ଷ କାର୍ଯ୍ୟନ୍ୱୟନ ଅବଧି ରହିଥିବା ଏହି ପ୍ରଳଳ୍ପକୁ ବିଶ୍ୱବ୍ୟାଙ୍କ ୧୧.୦୮.୨୦୨୩ରୁ କାର୍ଯ୍ୟାରମ୍ଭ ଘୋଷଣା କରିଛି। ୨୭.୧୨.୨୦୨୨ରେ ରାଜ୍ୟ କ୍ୟାବିନେଟ୍ ଦ୍ୱାରା ଏହି ପ୍ରକଳ୍ପକୁ ଅନୁମୋଦନ କରାଯାଇଥିଲା।

ଏହି ପ୍ରକଳ୍ପ ରାଜ୍ୟରେ ସାମାଜିକ ସୁରକ୍ଷା ବ୍ୟବସ୍ଥାର କାର‌୍ୟ୍ୟକାରିତା ବୃଦ୍ଧି, ଓଡ଼ିଶା ରାଜ୍ୟ ବିପର‌୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓଏସଡିଏମଏ) ମାଧ୍ୟମରେ ବିପର‌୍ୟ୍ୟୟ ବିପଦ ପରିଚାଳନା ଯୋଜନା ଏବଂ କାର୍ଯ୍ୟକ୍ରମର କାର‌୍ୟ୍ୟାନ୍ୱୟନ, ରାଜସ୍ୱ ଓ ବିପର‌୍ୟ୍ୟୟ ପଚିଚାଳନା ବିଭାଗ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ଏବଂ ଅର୍ଥନୀତି ଏବଂ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ମାଧ୍ୟମରେ ଉତ୍ତମ ଡାଟା ଗୁଣବତ୍ତା ଭଳି ତିନୋଟି କ୍ଷେତ୍ରରେ ସରକାରୀ ପ୍ରୟାସକୁ ଅଧିକ ସହାୟତା କରିବ। ଏକ ସ୍ୱାଧୀନ ତଦାରଖକାରୀ ସଂସ୍ଥା ଦ୍ୱାରା ସମ୍ପୃକ୍ତ ଲାଇନ୍ ଏଜେନ୍ସିଗୁଡିକ ଦ୍ୱାରା କାର‌୍ୟ୍ୟକାରୀ ପ୍ରାପ୍ତ ଫଳାଫଳକୁ ଆକଳନ କରିବ।

ସାମାଜିକ ସୁରକ୍ଷା ସହାୟତା ପ୍ରଦାନ ବ୍ୟବସ୍ଥାକୁ ଅଧିକ ବିକଶିତ ଏବଂ କାର‌୍ୟ୍ୟକାରୀ କରିବା, ପ୍ରଚଳନ ଏବଂ ଗ୍ରହଣ ପାଇଁ ଥିବା ରାଜ୍ୟ ଡାଟା ନୀତି ମାର୍ଗଦର୍ଶିକା ଏବଂ ଡକ୍ୟୁମେଣ୍ଟେସନ୍ ର ଉପଯୋଗ ଏବଂ ପ୍ରାରମ୍ଭିକ ଚେତାବନୀ ପ୍ରସାରଣ ପ୍ରଯୁକ୍ତି ପ୍ରଣାଳୀର ପ୍ରୟୋଗ ମାଧ୍ୟମରେ ଜଳବାୟୁ ସହନଶୀଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଏହା ଯେପରି ଅଧିକ ନାଗରିକଙ୍କୁ ପହଞ୍ଚିପାରିବ, ତାହା ଏହି ପ୍ରକଳ୍ପର ବିଭିନ୍ନ ଉପାଦାନରେ ଅନ୍ତର୍ଭୁକ୍ତ।

ଉତ୍ତମ ଯୋଜନା ଏବଂ ଜଳବାୟୁ ସହନଶୀଳତା ପାଇଁ ପରିସଂଖ୍ୟାନ ବ୍ୟବସ୍ଥାକୁ ସୁଦୃଢ଼ କରିବା, ପ୍ରମାଣ ଭିତ୍ତିକ ନୀତି ନିର୍ଦ୍ଧାରଣ ଏବଂ ଯୋଜନା ପାଇଁ ଡାଟାର ଡିଜିଟାଲ ଉପଲବ୍ଧି ଏବଂ ପରିଚାଳନାରେ ଉନ୍ନତି ଆଣିବା, କମ୍ପ୍ୟୁଟର ସହାୟତାପ୍ରାପ୍ତ ସର୍ବେକ୍ଷଣ ପ୍ରଯୁକ୍ତି (ସିଏପିଆଇ)ର କାର୍ଯ୍ୟକାରିତା ଉପରେ ବୈଠକରେ ଆଲୋଚନା ହୋଇଥିଲା।

ଆଗୁଆ ସତର୍କ ସୂଚନା ପ୍ରତିକ୍ରିୟା ଜାଣିବା ପାଇଁ ଉନ୍ନତ ବ୍ୟବସ୍ଥା, ବିପର୍ଯ୍ୟୟ ସମ୍ବନ୍ଧୀୟ ପ୍ରଭାବ ପୂର୍ବାନୁମାନ ବ୍ୟବସ୍ଥାକୁ ସୁଦୃଢ଼ କରିବା, ଗ୍ରାମ ପଂଚାୟତ ସ୍ତରରେ ବିକାଶ କାର‌୍ୟ୍ୟକ୍ରମ ସହିତ ସମନ୍ୱିତ ବିପଦ-ସୂଚିତ ଗ୍ରାମ ପଞ୍ଚାୟତ ବିପର୍ଯ୍ୟୟ ପରିଚାଳନା ଯୋଜନା (ଜିପିଡିଏମପି) ଦ୍ୱାରା ଅନ୍ତର୍ଭୁକ୍ତ ଜନସଂଖ୍ୟା, ଦକ୍ଷ ମାନବ ସମ୍ବଳ ଏବଂ ସୁବିଧା ମାଧ୍ୟମରେ ବିପର୍ଯ୍ୟୟ ପରିଚାଳନା ଏବଂ ବିପର୍ଯ୍ୟୟ ଶିକ୍ଷା ଦକ୍ଷତା ବୃଦ୍ଧି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।

୨୦୨୩-୨୪ ବର୍ଷ ପାଇଁ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ଉପସ୍ଥାପନା କରାଯାଇଥିଲା। ଏହି ପ୍ରକଳ୍ପର କାର୍ଯ୍ୟକାରିତା ସଂକ୍ରାନ୍ତରେ ବିଶ୍ୱବ୍ୟାଙ୍କ ଟିମ୍ ବିଭିନ୍ନ ଅଂଶୀଦାରଙ୍କୁ ଭେଟିବେ ବୋଲି ବୈଠକରୁ ଜଣାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଉନ୍ନୟନ କମିଶନରଙ୍କ ମେଗା ଲିଫ୍ଟ-ଏମଆଇଏସ ଓ “ଓଡ଼ିଶା ଜଳ ସମ୍ପଦ” ପ୍ରୟୋଗର ସମୀକ୍ଷା

ଭୁବନେଶ୍ବର: ୨୦୧୧-୧୨ ମସିହାରେ ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ପ୍ରଣୟନ କରାଯାଇଥିଲା, ଯେଉଁଥିରେ କି  ସେଚାଂଚଳ ଭିତରେ କିମ୍ବା ବାହାରେ ଥିବା ଉପରମୁଣ୍ଡକୁ ସ୍ଥାନୀୟ ଅବସ୍ଥିତି ଦୃଷ୍ଟିରୁ ଜଳସେଚନ ସୁବିଧା ନଥିବା ଅଂଚଳକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଥିଲା।

ବର୍ତ୍ତମାନ ସୁଦ୍ଧା ପାର୍ବତୀ ଗିରି ୧.୦ ଏବଂ ପାର୍ବତୀ ଗିରି ୨.୦   ପର୍ଯ୍ୟାୟରେ ୨୦୦ଟି ଯୋଜନା ସଂପୂର୍ଣ୍ଣ କରାଯାଇ  ପ୍ରାୟ  ୩,୨୪,୦୦୦  ହେକ୍ଟର ସେଚାଂଚଳକୁ ମେଗା ଲିଫ୍ଟ ପମ୍ପିଂ ଏବଂ ଚାପଯୁକ୍ତ ବୁନ୍ଦା ଜଳସେଚନ ବ୍ୟବସ୍ଥାରେ ଜଳସେଚନ ସୁବିଧା  କରାଯାଇ ପାରିଥିବା ବେଳେ ୪୯ଟି ନିର୍ମାଣାଧୀନ ରହିଛି।

ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡିକର ଦୈନନ୍ଦିନ ପରିଚାଳନା ଏବଂ ଚାଲୁଥିବା ଯୋଜନାଗୁଡ଼ିକର ଠିକ୍ ସମୟରେ ପରିଚାଳନା ଉପରେ ନଜର ରଖିବା ପାଇଁ ଆଇଟି ସକ୍ଷମଯୁକ୍ତ ପ୍ରକଳ୍ପ ପରିଚାଳନା ଜଳ ସମ୍ପଦ ବିଭାଗର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏବଂ ୫-ଟି ଉପକ୍ରମ ଅଧୀନରେ ଓଡିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର(ଓକାକ୍) ସହାୟତାରେ ଏକ ଜିଆଇଏସ୍ ଭିତ୍ତିକ ପରିଚାଳନା ସୂଚନା ପ୍ରଣାଳୀ ବିକଶିତ କରାଯାଉଛି।

ଏହି ପରିପ୍ରେକ୍ଷୀରେ ଗତ ୧୭.୦୮.୨୦୨୩ରେ ଜଳ ସଂପଦ ବିଭାଗ ଏବଂ ଓକାକର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଉନ୍ନୟନ କମିଶନର ତଥା ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ  ରାଜୀବ ଭବନ ସମ୍ମିଳନୀ କକ୍ଷରେ ମେଗା ଲିଫ୍ଟ-ଏମ୍ଆଇଏସ୍ ପ୍ରୟୋଗର ଅଗ୍ରଗତି ସମୀକ୍ଷା କରିଥିଲେ। ଏହାର  ବିକାଶ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଥିବା ବେଳେ ଖୁବଶୀଘ୍ର ଏହି ପୋର୍ଟାଲକୁ ବିଭାଗୀୟ ଅଧିକାରୀ ଓ ଓଡ଼ିଶାର ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ ବୋଲି ଜଣାପଡିଛି।

ସେହିପରି ଜଳସେଚନ ସେଚାଂଚଳ, ପ୍ରମୁଖ ଜଳଭଣ୍ଡାରଠାରୁ ଆରମ୍ଭ କରି ଚେକ୍ ଡ୍ୟାମ୍ ପର୍ଯ୍ୟନ୍ତ ଜଳସେଚନ କମାଣ୍ଡ, ଜଳ ସଂପଦ ବିଭାଗ ଦ୍ୱାରା ନିର୍ମିତ ଜଳାଶୟ, ଜଳଭଣ୍ଡାର, ବ୍ୟାରେଜ୍, କେନାଲ, ନଦୀ ଓ କେନାଲ ବନ୍ଧ, ଜଳସେଚନ ରାସ୍ତା, ବିଲ୍ଡିଂ ଇତ୍ୟାଦିର ମ୍ୟାପିଂ ପାଇଁ ଅନ୍ୟ ଏକ ଉପଗ୍ରହ ଭିତ୍ତିକ ଜିଆଇଏସ୍ ଆପ୍ଲିକେସନ୍ “ଓଡ଼ିଶା ଜଳ ସମ୍ପଦ” ନାମରେ ସଂଗଠିତ ଢଙ୍ଗରେ ଓଡ଼ିଶା ମହାକାଶ ପ୍ରୟୋଗ କେନ୍ଦ୍ର  ସହଯୋଗରେ ବିକଶିତ କରାଯାଉଛି।ଏହି ଆପ୍ଲିକେସନ୍ ହେଉଛି ବିଭାଗର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଆଇଟି ଏବଂ ୫-ଟି ଉପକ୍ରମ ପଦକ୍ଷେପ, ଯାହାର ପ୍ରୟୋଗ ସଂପର୍କରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧ୍ୟ ସମୀକ୍ଷା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ମହାନଦୀ ଅବବାହିକାରେ ହେବ ଅଧିକ ରବି ଫସଲ, ରିପୋର୍ଟ ମାଗିଲେ ରାଜ୍ୟ ସରକାର

ଭୁବନେଶ୍ୱର: ଉପଯୁକ୍ତ ଯୋଜନା ପ୍ରସ୍ତୁତି କରି ଜଳସେଚନ ବ୍ୟବହାର ବୃଦ୍ଧି ପୂର୍ବକ ମହାନଦୀ ଡେଲଟା ଷ୍ଟେଜ୍ -୧ ଓ ଷ୍ଟେଜ୍ -୨ ଅଧୀନରେ କରାଯାଉଥିବା ରବି ଚାଷ ଉତ୍ପାଦନ ବୃଦ୍ଧି କରାଯିବା ସମ୍ପର୍କରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଏକ-ଦିବସୀୟ କର୍ମଶାଳା କୃଷି ଭବନଠାରେ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଯୋଗଦେଇ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ , କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ଃ ଅରବିନ୍ଦ କୁମାର ପାଢ଼ୀ, କୃଷି ବିଭାଗ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ଓ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଆଶୁତୋଷ ଦାଶ ପ୍ରମୁଖ ଉପସ୍ଥିତ ରହି ଯୋଗଦେଇଥିବା କୃଷି ବିଭାଗ, ଜଳ ସଂପଦ ବିଭାଗ ଓ ଓୟୁଏଟିର ଅଧିକାରୀମାନଙ୍କୁ ଆଗାମୀ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ।

ଅନୁଷ୍ଠିତ ବୈଠକରୁ ଜଣାଯାଇଛି ଯେ, ରାଜ୍ୟରେ ଖରିଫ ଋତୁରେ କୃଷି ଉତ୍ପାଦନ ପରିମାଣ ଅନୁସାରେ ରବି ଋତୁରେ ଯେଉଁ ପରିମାଣରେ ଉତ୍ପାଦନ ରହିବା କଥା ତାହା କମ୍ ରହୁଛି। ଆମର ଜଳସଂପଦ ଓ ଜଳସେଚନ ବ୍ୟବସ୍ଥା ଯେତିକି ରହିଛି, କୃଷି କାର‌୍ୟ୍ୟ ପାର୍ଇ ଜଳ କିପରି ଆବଶ୍ୟକ ମୁତାବକ ବିନିଯୋଗ କରାଯାଇ ରବି ଚାଷ ଉତ୍ପାଦନ ବୃଦ୍ଧି ପାଇବ, ସେଥି ନିମନ୍ତେ ରାଜ୍ୟ ଜଳ ସଂପଦ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମିଳିମିଶି ଟିମ ଓ୍ୱାର୍କ ଭାବେ କାର‌୍ୟ୍ୟ କରିବେ।

ଏଥିରେ କୃଷକ ଓ ପାଣି ପଂଚାୟତମାନେ ସହଯୋଗ କରିବେ। ଆଗକୁ ରବି ଚାଷ ପାଇଁ ୩ ମାସ ସମୟ ଥିବାରୁ ଏଥି ପାଇଁ କୃଷି ବିଭାଗ ତରଫରୁ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ଏହାକୁ କାର‌୍ୟ୍ୟକାରୀ କରିବା ପାଇଁ ଉଭୟ ବିଭାଗର ଅଧିକାରୀମାନେ ଆୟୋଜିତ କର୍ମଶାଳାରେ ଯୋଗ ଦେଇଥିଲେ।

ଏଥି ପାଇଁ ବିଭିନ୍ନ ବ୍ଲକରେ ଯେଉଁ ସ୍ଥାନରେ ରବି ଫସଲ କରାଯାଉଛି, ସେଥି ପାଇଁ ଜଳର କେତେ ଆବଶ୍ୟକତା ରହିଛି, ଅଧିକ ରବି ଫସଲ କରାଗଲେ କେତେ ଜଳ ଆବଶ୍ୟକତା ରହିବ, ସେ ସଂପର୍କରେ ପ୍ରତି ବ୍କକ ଆଗାମୀ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ବିବରଣୀ ପ୍ରସ୍ତୁତ କରିବେ। ୩୦ ସେପ୍ଟେମ୍ବର ସୁଦ୍ଧା ବ୍ଲକରୁ ଜିଲ୍ଲାକୁ ବିବରଣୀ ପହଁଚିବ। ୩୦ ଅକ୍ଟୋବର ସୁଦ୍ଧା ଜିଳ୍ଲାପାଳମାନେ ରାଜ୍ୟସ୍ତରକୁ ତଥ୍ୟ ପ୍ରଦାନ କରିବେ।

ପ୍ରସ୍ତୁତ ଯୋଜନା ଅନୁସାରେ ଜିଲ୍ଲାସ୍ତରରେ ଜିଲ୍ଲାପାଳମାନେ ରବିଚାଷ ପାଇଁ କି କି ବ୍ୟବସ୍ଥା ରହିଛି, ସେ ସଂପର୍କରେ ବ୍ୟାପକ ଆଲୋଚନା କରି ସଚେତନ କରିବେ। ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ପ୍ରସ୍ତୁତ ଯୋଜନା କାର୍ଯ୍ୟକାରୀ ହେବ। ଏହା ଦ୍ୱାରା ୭୦ ରୁ ୮୦ ପ୍ରତିଶତ ରବିଚାଷ ବୃଦ୍ଧି ପାଇବା ଆଶା କରାଯାଉଛି। ଅଧିକାରୀମାନେ କାର‌୍ୟ୍ୟାନ୍ୱୟନ ଅଗ୍ରଗତି ସଂପର୍କରେ ଜିଓ ଟ୍ୟାଗ୍ ବ୍ୟବସ୍ଥାରେ ସୂଚନା ପାଇପାରିବେ।

କର୍ମଶାଳାରେ ଯୋଗ ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ଯେ ରବି ଚାଷ ସମୟରେ ରହୁଥିବା ବିଭିନ୍ନ ସମସ୍ୟାର ସମାଧାନ କରି ଜଳସେଚନ ବ୍ୟବସ୍ଥା ଅଧିକ ବ୍ୟବସ୍ଥିତ କରି ରବି ଚାଷ ବୃଦ୍ଧି ଦିଗରେ ଜଳ ସଂପଦ ବିଭାଗ ଓ କୃଷି ବିଭାଗ ଏକାଠି ଯେପରି କାର‌୍ୟ୍ୟ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ତାହା ଆଗାମୀ ଦିନରେ ନିଶ୍ଚୟ ଫଳପ୍ରଦ ହେବ। ଡାଲି ଓ ତୈଳବିଜ ଚାଷ ପାଇଁ କୃଷିର ବ୍ୟବହାରିକ ପରିବର୍ତ୍ତନ ଉପରେ ସେ ଗୁରୁତ୍ୱ ଦେଇଥିଲେ।

ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଥିଲେ ଯେ, ରାଜ୍ୟ ସରକାର ତଥା ବିଭାଗ ତରଫରୁ ବହୁ ଶ୍ରମ ସ୍ୱୀକାର କରାଯାଇ ନୂଆ ନୂଆ ଜଳ ଭଣ୍ତାର ଓ ଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଉଛି। ସେଥିପାଇଁ ସଂପୃକ୍ତ ପ୍ରକଳ୍ପ ଅଂଚଳରେ ଲୋକେ ପ୍ରଭାବିତ ହେଉଛନ୍ତି। ଆମର ଅଧିକ ଅଂଚଳକୁ ଜଳସେଚନ କରାଯାଇ ଯେପରି ଲୋକ ଉପକୃତ ହେବେ ସେମାନଙ୍କୁ ବୁଝାଯାଇ ପ୍ରକଳ୍ପ କରାଯାଉଛି। କେନାଲ ଯୋଗେ ଜଳ ସେଚନ ସୁବିଧା ଯୋଗାଇ ଦିଆଯାଉଛି। ତେଣୁ ଆମର ଜଳର ଆବଶ୍ୟକ ମୁତାବକ ଉପଯୁକ୍ତ ବିନିଯୋଗ ହେବା ଓ ରୂପାନ୍ତରଣ କାର୍ଯ୍ୟରେ ଲାଗିବା ଆବଶ୍ୟକ। ଆମର ୩୭,୦୦୦ ପାଣି ପଂଚାୟତର ସଦସ୍ୟସଦସ୍ୟାମାନେ ଏ ଦିଗରେ ସହାୟତା କରିବେ ବୋଲି ସେ କହିଥିଲେ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ଃ ପାଢ଼ୀ କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଆମକୁ ରବି ଚାଷକୁ ଅଧିକ ଗୁରୁତ୍ୱ ଦେବାକୁ ହେବ। ଜଳର ସୁବିନିଯୋଗ କରାଯାଇ କିପରି ଅଧିକ କୃଷି ଉତ୍ପାଦନ ହେବ, ସେଥିପାଇଁ ପ୍ରତି ମାସରେ ଉଭୟ ବିଭାଗର ସମନ୍ୱୟ ବୈଠକ କରାଯାଉଛି। ରାଜ୍ୟରେ ଚିନାବାଦାମ ଓ ଆଳୁ ଚାଷ ସହ ଅଣଧାନ ଚାଷ ଉପରେ ଗୁରୁତ୍ୱ ଦେଇଥିଲେ।

ଖରିଫ୍ ସମୟରେ ଧାନ ଚାଷ କରାଯାଉଥିଲେ ବିଭିନ୍ନ ପ୍ରଜାତିର କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଯୁକ୍ତ ଧାନ ଚାଷ ଉପରେ ଗୁରୁତ୍ୱ ଦେଇଥିଲେ। ଖାଦ୍ୟରେ ଯେପରି ପୋଷଣୀୟ ଖାଦ୍ୟ ନିରାପତ୍ତା ମାନ ରହିବ ସେଥିପ୍ରତି ସେ ଗୁରୁତ୍ୱାରୋପ କରିଥିଲେ। କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ। କର୍ମଶାଳାର ବିଭିନ୍ନ ଅଧିବେଶନରେ ଯୋଜନା ବିସ୍ତୃତ ରୂପରେଖ ଉପସ୍ଥାପନା କରାଯାଇଥିଲା।

Categories
ବିଶେଷ ଖବର

ଭୁବନେଶ୍ୱରରେ ଓଡ଼ିଶା ଗୁଣବତ୍ତା ସଂକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର: ଓଡ଼ିଶା ସରକାର ଓ ଭାରତୀୟ ଗୁଣବତ୍ତା ପରିଷଦର ମିଳିତ ସହଭାଗିତାରେ ଆଜି ଭୁବନେଶ୍ୱର ଠାରେ ଓଡ଼ିଶା ଗୁଣବତ୍ତା ସଂକଳ୍ପ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏଥିରେ ଆସୋଚାମ୍‌, ଫିକ୍କି, ଇଇପିସି, ଓଏସଏମଇ, ପିଏଚଡିସିସିଆଇ, ସିପେଟ୍‌, ଏଫଏଚଆରଏଆଇ ଭଳି ଉଦ୍ୟୋଗ ସଂଘ ସହଯୋଗୀ ଭାବେ ସାମିଲ ହୋଇଛନ୍ତି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏହି ସଂକଳ୍ପକୁ ଉଦଘାଟନ କରିଥିବା ବେଳେ ଉନ୍ନୟନ କମିଶନର ଅନୁ ଗର୍ଗ ଏହି ଅବସରରେ ଉପସ୍ଥିତ ରହିଥିଲେ। ବହୁସଂଖ୍ୟକ ନୀତିନିର୍ମାତା, ଉଦ୍ୟୋଗ ଜଗତର ନେତୃବର୍ଗ, ଅଭ୍ୟାସକର୍ତ୍ତା ଏବଂ ଶିକ୍ଷା ଜଗତର ସଦସ୍ୟମାନେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଏକ ଗୁଣବତ୍ତାର ପରିବେଶ ପରିତନ୍ତ୍ରକୁ ପ୍ରଶସ୍ତ କରିବା ଲାଗି ଆଲୋଚନା କରିଥିଲେ, ଯାହାଫଳରେ ଏକ ପ୍ରଗତିଶୀଳ ଓ ସଶକ୍ତ ଓଡ଼ିଶାର ବିଚାର ଉପରେ ଆଲୋକପାତ କରାଯାଇପାରିବ।

ଭାରତୀୟ ଗୁଣବତ୍ତା ପରିଷଦ (କ୍ୟୁସିଆଇ) ଅଧ୍ୟକ୍ଷ ଜକ୍ଷୟ ଶାହା କହିଛନ୍ତି, ‘‘ଓଡ଼ିଶା ନିଜର ପ୍ରଚୁର ପ୍ରାକୃତିକ ସମ୍ପଦ, ପ୍ରତିଭାଶାଳୀ ଓ ପରିଶ୍ରମୀ କାର୍ଯ୍ୟବଳ ଓ ଏକ ସକ୍ଷମ ପ୍ରଶାସନ ସହିତ ଭାରତର ବିକାଶ ଗାଥାରେ ଏକ  ଅଗ୍ରଣୀ ରାଜ୍ୟ ମଧ୍ୟରୁ ଅନ୍ୟତମ ହେବା ଲାଗି ପ୍ରସ୍ତୁତ ରହିଛି। ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ଯଥେଷ୍ଟ ପ୍ରଗତି କରୁଛି। ଆଜି ଆମେ ଏଠାରେ ତୃଣମୂଳ ସ୍ତରରେ ସମ୍ପର୍କ ସ୍ଥାପନ କରିବା ଏବଂ ଭାରତର ପ୍ରତ୍ୟେକ ଭାଗରେ ପ୍ରତ୍ୟେକ ନାଗରିକଙ୍କ ଡିଏନଏରେ ଗୁଣବତ୍ତାର ବିଚାରକୁ ସାମିଲ କରିବା ଲାଗି ଏକାଠି ହୋଇଛୁ।’’

ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ ବାର୍ତ୍ତା ଦେଇଥିଲେ। ସେ ମାନବ ଗତିବିଧିର ପ୍ରତ୍ୟେକ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ରୂପରେ ଗୁଣବତ୍ତାର ଭୂମିକା ଉପରେ ଜୋର ଦେଇଥିଲେ। ସେ କହିଥିଲେ, ଓଡ଼ିଶାର ପ୍ରଗତିଶୀଳ ଫାଇଭ୍‌ ଟି ପ୍ରୟାସ ସାର୍ବଜନୀନ ସେବା ବିତରଣ, ଐତିହ୍ୟ ପର୍ଯ୍ୟଟନ, ସ୍ୱାସ୍ଥ୍ୟ ସେବା, ଶିକ୍ଷା ଓ କୌଶଳ, ପାନୀୟ ଜଳ ଆଦି ଭଳି କ୍ଷେତ୍ରରେ ଗୁଣବତ୍ତା ଆଣିବା ଦିଗରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି। ମାପି ହେଉଥିବା ଏବଂ ଅନୁଧ୍ୟାନ କରାଯାଇପାରୁଥିବା ଏକ ମାପଦଣ୍ଡ ଭାବେ ଗୁଣବତ୍ତା ଯେଉଁ ଭୂମିକା ନିର୍ବାହ କରିଥାଏ ତାହାର ଲାଭ ଉଠାଇବାରେ ଆମେ ସକ୍ଷମ ହେବା ଉଚିତ୍‌। ଆମେ ସମସ୍ତେ ମିଶି ଏକ ନୂତନ ଓ ସଶକ୍ତ ଓଡ଼ିଶା ଗଠନ କରିପାରିବା।

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଗୁଣବତ୍ତା ବିଷୟରେ ମତବ୍ୟକ୍ତ କରି କହିଥିଲେ ଯେ ଗୁଣବତ୍ତା ଏକ ନିରନ୍ତର ପ୍ରକ୍ରିୟା ଏବଂ ଏହାର ଅନ୍ତ ନାହିଁ । ରାଜ୍ୟରେ ଆଥଲେଟିକ୍‌ ଚାମ୍ପିଅନସିପ୍‌ ଆୟୋଜନ କରିବା ଲାଗି ମାତ୍ର ୯୮ ଦିନ ମଧ୍ୟରେ କଳିଙ୍ଗ ଷ୍ଟାଡିୟମର ନବୀକରଣ କରାଯାଇପାରିଥିଲା। ଆମେ ୧୫ ମାସ ମଧ୍ୟରେ ରାଉରକେଲାରେ ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ କରିବାରେ ଚଳିତ ବର୍ଷ ଆମେ ସଫଳ ହୋଇଛୁ। ରାଜ୍ୟରେ କ୍ରମାଗତ ଦୁଇଟି ହକି ବିଶ୍ୱକପର ସଫଳ ଆୟୋଜନ କରାଯାଇଛି। ଅତି କମ୍‌ ସମୟ ମଧ୍ୟରେ ନିର୍ମାଣ କରାଯାଇଥିବା ଗୁଣବତ୍ତା ପୂର୍ଣ୍ଣ ପ୍ରକଳ୍ପ କାରଣରୁ ଏହା ସମ୍ଭବ ହୋଇପାରିଛି ଯେଉଁଥିରେ ପ୍ରାରମ୍ଭରୁ ଗୁଣବତ୍ତା ପ୍ରତି ଗୁରୁତ୍ୱାରୋପ କରାଯାଇଛି। ଆପଣମାନେ ଦେଖୁଥିବେ ରଥଯାତ୍ରାରେ ଆମେ ୧୫ ଲକ୍ଷ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛୁ । ଓଡ଼ିଶାରେ ଆମେ ଭିତ୍ତିଭୂମି ଉପରେ ସର୍ବାଧିକ ବଜେଟ୍‌ ଖର୍ଚ୍ଚ କରୁଛୁ, ତେଣୁ ଆମ ପାଖରେ ଗୁଣବତ୍ତା ସୁନିଶ୍ଚିତ କରିବା ଲାଗି ଇଚ୍ଛାଶକ୍ତି ଓ ସମ୍ବଳ ରହିଛି। ଓଡ଼ିଶାର ମୂଲ୍ୟ ବ୍ୟବସ୍ଥାରେ ଗୁଣବତ୍ତା ଏକ ପ୍ରମୁଖ ଏବଂ ମୂଳ ଉପାଦାନ ହୋଇ ରହିଛି ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ।

ଓଡ଼ିଶାରେ ହେଉଥିବା ଦ୍ରୁତ ପରିବର୍ତ୍ତନ ସମ୍ପର୍କରେ ଉନ୍ନୟନ କମିଶନର ଅନୁ ଗର୍ଗ କହିଥିଲେ ଯେ, ପୂର୍ବରୁ ୫-୧୦ଟି ଜଳ ସେଚନ ପ୍ରକଳ୍ପ କାମ ହାତକୁ ନିଆଯାଉଥିବା ଏବେ ପ୍ରାୟ ୪୦-୫୦ ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଉଛି। ଭୁବନେଶ୍ୱରରୁ ତିନୋଟି ଅନ୍ତର୍ଜାତୀୟ ବିମାନ ଚଳାଚଳ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନାରେ ବିଶେଷଜ୍ଞ ଡାକ୍ତରମାନେ ଓଡ଼ିଶାର ଉପାନ୍ତ ଅଞ୍ଚଳରେ ବିମାନ ଜରିଆରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି। ବିଭିନ୍ନ ବିଭାଗରେ ମୋ ସରକାର ଅନ୍ତର୍ଗତ ଜନସାଧାରଣଙ୍କ ମତାମତ ନିଆଯିବା ସମୟରେ ଆମକୁ ସକାରାତ୍ମକ ଉତ୍ତର ମିଳିଛି। ଆମେ ପ୍ରଥମେ ଗୁଣବତ୍ତା ଆଶ୍ୱାସନ ପାଇଁ ମାସିକ କାର୍ଯ୍ୟକ୍ରମ ଆୟୋଜିତ କରିଥାଉ ଏବଂ ଗୁଣବତ୍ତା ସହ ଜଡ଼ିତ ସାଧାରଣ ବିଷୟ ଉପରେ ଆଲୋଚନା କରିଥାଉ। ତେବେ ଆହୁରି ଅନେକ କିଛି କରିବାର ଅଛି ଏବଂ କ୍ୟୁସିଆଇ ଆମକୁ ଅଭାବ ଦୂର କରିବା ଓ ଅତିରିକ୍ତ ପ୍ରୟାସ କରିବାରେ ସହାୟତା କରିପାରିବ ବୋଲି ଉନ୍ନୟନ କମିଶନର କହିଥିଲେ।

କ୍ୟୁସିଆଇର ମହାସଚିବ ଡକ୍ଟର ରବି ପି. ସିଂ ଜୋର ଦେଇ କହିଥିଲେ, ଗୁଣବତ୍ତା ସଂକଳ୍ପ ଅଭିଯାନ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଶେଷ ସହଯୋଗ କରାଯାଉଛି। ଏମଏସଏମଇ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ତଥା କୌଶଳ କ୍ଷେତ୍ରର ସଚିବମାନଙ୍କ ସହିତ ଆମେର ଆଲୋଚନାରୁ ଜେଡଇଡି, ଏଲଇଏନ ଏବଂ ଓଏନଡିସି କ୍ଷେତ୍ରରେ କେନ୍ଦ୍ରିତ ହସ୍ତକ୍ଷେପ ସାମ୍ନାକୁ ଆସିଛି। ଏସବୁ ହସ୍ତକ୍ଷେପକୁ କିଭଳି ଯଥାଶୀଘ୍ର କାର୍ଯ୍ୟକାରୀ କରାଯାଇପାରିବ ସେଥିପାଇଁ ସାଥୀ ହୋଇ ମିଶି କ୍ୟୁସିଆଇ ଏହା ସୁନିଶ୍ଚିତ କରିବ। ଓଡ଼ିଶାର ଅର୍ଥବ୍ୟବସ୍ଥା ଉପରେ ସାମଗ୍ରିକ ପ୍ରଭାବ ସୃଷ୍ଟି କରିବା ଲାଗି ସମ୍ପୃକ୍ତ ଅଂଶୀଦାରମାନଙ୍କ ଆଲୋଚନା, ବିଚାର-ବିମର୍ଶ ଓ ସହଯୋଗ ଜାରି ରଖିବୁ ବୋଲି ଡକ୍ଟର ସିଂ କହିଥିଲେ।

ସଂକଳ୍ପ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ, ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରିଥିଲେ। ସେ ସବୁ କ୍ଷେତ୍ରରେ ଗୁଣବତ୍ତା ପଦ୍ଧତିକୁ ଆପଣାଇବା ଏବଂ ଓଡ଼ିଶାରେ ଗୁଣବତ୍ତା ପାଇଁ ଏକ ପରିବେଶ ପରିତନ୍ତ୍ର ସୃଷ୍ଟି କରିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ, ଯାହାଫଳରେ ଏକ ନୂଆ ଓ ସଶକ୍ତ ଓଡ଼ିଶାର ଦୃଷ୍ଟିକୋଣ ପ୍ରାପ୍ତ କରିବାରେ ସହାୟତା ମିଳିପାରିବ। ରାଜ୍ୟପାଳ କହିଥିଲେ, ଆମେ ଆଦିଶକ୍ତିଙ୍କର ଭାଇଭଉଣୀ, ଆମକୁ ପୃଥିବୀର ସବୁଠୁ ଛୋଟ କଣିକା ଆଗରେ ମୁଣ୍ଡ ନୂଆଁଇଥାଉ। କ୍ୟୁସିଆଇର ଅର୍ଥ ସାମୂହିକତା ଓ ବ୍ୟକ୍ତିବାଦର ଭାଗଫଳ। ଗୁଣବତ୍ତା ଦୃଷ୍ଟିରୁ ଆମେ ଏକ ବିଶ୍ୱସ୍ତରୀୟ ଉତ୍ପାଦ ସୃଷ୍ଟି କରିପାରିବୁ, କିନ୍ତୁ ଭାରତରେ ଗୁଣବତ୍ତା ଠାରୁ ଅଧିକ ଶୁଦ୍ଧତା ରହିବା ଅଧିକ ଗୁରୁତ୍ୱପୂର୍ଣ୍ଣ।

ଭାରତ ସରକାର ଏବଂ ଭାରତୀୟ ଉଦ୍ୟୋଗ ଦ୍ୱାରା ୧୯୯୭ ମସିହାରେ ପ୍ରତିଷ୍ଠା କରାଯାଇଥିବା ଭାରତୀୟ ଗୁଣବତ୍ତା ପରିଷଦ ଭାରତରେ ଶୀର୍ଷ ସଂଗଠନ ଭାବେ କାର୍ଯ୍ୟ କରିଥାଏ ଯାହାକି ତୃତୀୟ ପକ୍ଷ ଜାତୀୟ ମାନ୍ୟତା ପ୍ରଣାଳୀର ପ୍ରତିଷ୍ଠା ଓ ପରିଚାଳନା, ସବୁ କ୍ଷେତ୍ରରେ ଗୁଣବତ୍ତାର ସୁଧାର ଏବଂ ଗୁଣବତ୍ତା ସଂକ୍ରାନ୍ତ ସବୁ ମାମଲାରେ ସରକାର ଓ ଅନ୍ୟ ଅଂଶୀଦାରଙ୍କ ଦ୍ୱାରା ପରାମର୍ଶ ଦେବା ପାଇଁ ଉତ୍ତରଦାୟୀ ଅଟନ୍ତି। ଏହା ସହାୟକ ବୋର୍ଡ ପ୍ରତିଷ୍ଠା କରିଛି ଯାହାକି ବିଭିନ୍ନ କ୍ଷେତ୍ରରେ ମାନ୍ୟତା ପ୍ରଦାନ କରିଥାନ୍ତି, ଯଥା ଡାକ୍ତରଖାନା ପାଇଁ ଏନଏବିଏଚ୍‌, ପରୀକ୍ଷାଗାର ପାଇଁ ଏନଏବିଏଲ, ପ୍ରମାଣନ ଓ ନିରୀକ୍ଷଣ ସଂସ୍ଥା ପାଇଁ ଏନଏବିସିବି ଏବଂ ଶିକ୍ଷା ଓ ତାଲିମ ପାଇଁ ଏନଏବିଇଟି।

Categories
ବିଶେଷ ଖବର ରାଜ୍ୟ ଖବର

ଭଲ କାମ କରିଥିବାରୁ ଓଡିଶା ସରକାରଙ୍କୁ ପୁରସ୍କାର ଦେଲେ କେନ୍ଦ୍ର ସରକାର

ଭୁବନେଶ୍ବର: ଜଳ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡିଶା ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟ ଭାବେ ଚତୁର୍ଥ ଜାତୀୟ ଜଳ ପୁରସ୍କାର-୨୦୨୨ ଏବଂ ଦକ୍ଷ ଜଳସମ୍ପଦ ପରିଚାଳନାରେ ଗଞ୍ଜାମ ଜିଲ୍ଲା ଦେଶର ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କୃତ ହୋଇଛି।

ନୂଆଦିଲ୍ଲୀଠାରେ ଗତ ଶନିବାର ଉପରାଷ୍ଟ୍ରପତିଙ୍କ ଠାରୁ ଓଡିଶା ପାଇଁ ଏହି ଜାତୀୟ ପୁରସ୍କାର ପ୍ରାପ୍ତି ପରେ ଆଜି ଲୋକସେବା ଭବନରେ ରାଜ୍ୟ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କୁ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଜଳସମ୍ପଦ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀବୃନ୍ଦ ସୌଜନ୍ୟମୂଳକ ସାକ୍ଷତ ଆଲୋଚନା କରିଥିଲେ।

ରାଜ୍ୟ ସରକାର ତଥା ଜଳସମ୍ପଦ ବିଭାଗର ଏହି ସଫଳତା ଓଡିଶା ପାଇଁ ଗୌରବର କଥା ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆଗକୁ ବିଭାଗ ଦ୍ୱାରା ନିଷ୍ଠାର ସହ ଆହୁରି ଭଲ କାମ କରାଯିବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ସାହୁ ଉପସ୍ଥିତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ବିଭାଗୀୟ ସର୍ବୋଚ୍ଚ ଯନ୍ତୀ ଓ ଅନ୍ୟ ପଦାଧିକାରୀଙ୍କ ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିର୍ମାଣାଧିନ ଜଳସେଚନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଆଲୋଚନା କରିଥିଲେ।

ରାଜ୍ୟରେ ଯେଉଁସବୁ ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି ଏବଂ ଚଳିତ ବର୍ଷ ଅତିରିକ୍ତ ଜଳସେଚନ ସୁବିଧା କାର୍ଯ୍ୟକାରୀ ହେବାକୁ ଯାଉଛି, ସେ ସଂପର୍କରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଜଳସମ୍ପଦ ମନ୍ତ୍ରୀଙ୍କୁ ଅବଗତ କରିଥିଲେ।

Categories
ବିଶେଷ ଖବର

ଉନ୍ନୟନ କମିଶନରଙ୍କ ଦୁଇ ଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତ, ମନ୍ତ୍ରୀଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା

ଭୁବନେଶ୍ୱର/ବଲାଙ୍ଗିର: ରାଜ୍ୟ ଉନ୍ନୟନ କମିଶନର ତଥା ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଦୁଇ ଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପରିଦର୍ଶନ କରିବା ସହ କାର୍ଯ୍ୟ ସମୀକ୍ଷା କରିଛନ୍ତି। ଉନ୍ନୟନ କମିଶନର ଗତକାଲି ମଙ୍ଗଳବାର ପ୍ରଥମେ ତୁଷୁରା ଉଡାଜାହାଜ ପଡିଆ ରେ ପହଞ୍ଚିବା ପରେ ତୁଷୁରା ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ପରିଦର୍ଶନ କରିଥିଲେ। ପରେ ପରେ ସେ ତୁଷୁରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଯାଇ ସେଠାରେ ରୋଗୀ ସେବା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଓ ଭିତ୍ତିଭୂମି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ପରେ ସେ ଗୁଡଭେଲା ସ୍ଥିତ ରାଉଲ ନଦୀରେ ନିର୍ମାଣଧୀନ ଅନ୍ତଃନଦୀ ଜଳାଶୟ(ଇନଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକ୍ଚର) ପ୍ରକଳ୍ପ ପରିଦର୍ଶନ କରି ଓ ଏହାର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ।

ଏହି ପରିଦର୍ଶନ ସମୟରେ ଜଳ ସମ୍ପଦ ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଙ୍କ ସମେତ ରାଜ୍ୟ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ,ମୁଖ୍ୟ ଯନ୍ତ୍ରୀ ଙ୍କ ସମେତ ରାଜ୍ୟ ଏବଂ ଜିଲ୍ଲାର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଗସ୍ତ ପରିପ୍ରେକ୍ଷୀରେ ଉନ୍ନୟନ କମିଶନର ବଲାଙ୍ଗୀର ସ୍ମାର୍ଟ ପାର୍କ ନିକଟରେ ନିର୍ମାଣାଧିନ ଜାତୀୟ ରାଜପଥ ବାଇପାସ୍ କାର୍ଯ୍ୟ ସହ ସ୍ମାର୍ଟ ପାର୍କ ସହ ବିଜା ଖମଣସ୍ଥିତ ଟ୍ରକ ଟର୍ମିନାଲ ପରିଦର୍ଶନ କରିଥିଲେ। ସେଠାରୁ ସେ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଛତାମଖନାସ୍ଥିତ ଅନ୍ତନଦୀ ଜଳାଶୟ ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରି ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ସେ ଲାଲଟିକିରା ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ନିର୍ମାଣାଧୀନ ୬୫୦ ଶଯ୍ୟା ବିଶିଷ୍ଠ ଟିଚିଙ୍ଗ (ଶିକ୍ଷାଦାନ ) ହସ୍ପିଟାଲ ଓ ଅନ୍ୟାନ୍ୟ ଭିତ୍ତିଭୂମିର ନିର୍ମାଣ କାର୍ଯ୍ୟର ସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ସହ ଜିଲ୍ଲାପାଳ ,କାର୍ଯ୍ୟ ନିର୍ବାହୀ ସଂସ୍ଥା ଏବଂ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଡିନ ତଥା ଅଧ୍ୟକ୍ଷଙ୍କ ସହ ଏ ସଂପର୍କରେ ଆଲୋଚନା କରିଥିଲେ।

ପରେ ଉନ୍ନୟନ କମିଶନର ପାଟଣାଗଡ ରାମପାଲି ସ୍ଥିତ ଅନ୍ଵେଷା ହଷ୍ଟେଲ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଶୈକ୍ଷିକ ବାତାବରଣ ତଥା ସେମାନଙ୍କର ପାଠପଢା ସମ୍ପର୍କରେ ପଚାରି ବୁଝିଥିଲେ। ସୋମାନଙ୍କ ସହ ମଧ୍ୟାନ୍ନ ଭୋଜନରେ ସାମିଲ ହୋଇ ଭାତ, ସୋୟାବଡ଼ି ତରକାରୀ ଖାଇଥିଲେ ଏବଂ ସେଠାରେ କିଛି ସମୟ ଅତିବାହିତ କରିଥିଲେ l ସେମାନଙ୍କ ସହିତ ଆଲୋଚନା ଅତି ସୁନ୍ଦର ଅନୁଭୂତି ଥିଲା ବୋଲି ଶ୍ରୀମତୀ ଗର୍ଗ ପ୍ରକାଶ କରିଛନ୍ତି। ଏହାପରେ ସେ ହରିଶଙ୍କର ଯାଇ ମନ୍ଦିର ପରିଦର୍ଶନ କରିବା ସହ ହରିଶଙ୍କର ପର୍ଯ୍ୟଟନ ସ୍ଥଳୀର ବିକାଶ ନିମନ୍ତେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ତଦାରଖ କରିଥିଲେ। ସେଠାରେ ମିଶନ ଶକ୍ତି ପାନ୍ଥନିବାସ ପରିଦର୍ଶନ କରି ମିଶନ ଶକ୍ତି କେଫ୍ ସହ ପାର୍କିଂ ଅଂଚଳ ପରିଚାଳନା କରୁଥିବା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହ ଆଲୋଚନା କରି ସେମାନଙ୍କ କାର୍ଯ୍ୟର ପ୍ରଶଂସା କରିଥିଲେ।

ପରେ ପରେ ସେ ବଲାଙ୍ଗିରର ଜୀବନ ରେଖା କୁହାଯାଉଥିବା ନିର୍ମାଣାଧିନ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପରିଦର୍ଶନ କରି କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର ଚଳିତ ବର୍ଷ ଏହି ପ୍ରକଳ୍ପକୁ ଶେଷ କରିବାକୁ ନିର୍ଦ୍ଦେଶ ରହିଛି । ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତ ଇଂଜିନିୟରିଂ ଟିମ୍ ଓ ନିର୍ମାଣ ସଂସ୍ଥାର ସମସ୍ତ କର୍ମଚାରୀ ଦିନରାତି ପରିଶ୍ରମ କରି ଏହି ପ୍ରକଳ୍ପକୁ ଶୀଘ୍ର ଶେଷ କରିବାରୁ ପ୍ରଚେଷ୍ଟା ଜାରି ରଖିଛନ୍ତି। ଆମେ ଡ୍ରୋନ୍, ହ୍ୱାଟ୍ସସ ଆପ୍ ଭଳି ବୈଷୟିକ ଜ୍ଞାନ କୌଶଳର ଉପଯୋଗ କରି ସବୁ ସମୟରେ ଏହି ପ୍ରକଳ୍ପର ନିର୍ମାଣ ଅଗ୍ରଗତି ସଂପର୍କରେ ସ୍ଥିତି ଅନୁଧ୍ୟାନ କରୁଛୁ।

ଆଗାମୀ ଜୁଲାଇ ମାସରୁ ଆମେ ବର୍ଷାଜଳକୁ ରଖିପାରିବୁ ବୋଲି ଶ୍ରୀମତୀ ଗର୍ଗ ସୂଚନା ଦେଇଥିଲେ। ଏହି ପ୍ରକଳ୍ପ ଦ୍ୱାରା ୪୦ହଜାର ହେକ୍ଟର ଜମିକୁ ଜଳ ସେଚନ ସୁବିଧା ମିଳିବା ସହ ବଲାଙ୍ଗୀରବାସୀଙ୍କୁ ଜଳାଭାବ ଦୂର କରିବାରେ ସହାୟକ ହେବ ବୋଲି ସେ ପ୍ରକାଶ କରିଥିଲେ। ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ଚଞ୍ଚଳ ରାଣା , ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକରଙ୍କ ସମେତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଯନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସ୍ଥାନୀୟ ସର୍କିଟ ହାଉସ ଠାରେ ପହଞ୍ଚି ସେଠାରେ ବଲାଙ୍ଗିର ଜିଲ୍ଲାରେ ଜଳ ସମ୍ପଦ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ସମେତ ମେଗା ଲିଫ୍ଟ ପ୍ରକଳ୍ପ ,ଉଠା ଜଳସେଚନ ପ୍ରକଳ୍ପ , କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଅଗ୍ରଗତି ଓ କାର୍ଯ୍ୟକାରିତା ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଥିଲେ।

ଏହି ସମୀକ୍ଷା ବୈଠକରେ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ ଚଡ୍ଡା , ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ,ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ,ମୁଖ୍ୟ ଯନ୍ତ୍ରୀ -ତେଲ ବେସିନ ସନ୍ତୋଷ କୁମାର ମହାପାତ୍ର , ମୁଖ୍ୟ ଯନ୍ତ୍ରୀ (ଯୋଜନା ଓ ନକ୍ସାଙ୍କନ ) ସାଗର ମହାନ୍ତି ,ମୁଖ୍ୟ ଯନ୍ତ୍ରୀ-କ୍ଷୁଦ୍ର ଜଳସେଚନ ବସନ୍ତ ରାଉତ,ମୁଖ୍ୟ ଯନ୍ତ୍ରୀ ଡ୍ୟାମ ନିରାପତ୍ତା- ଶିବାଶିଷ ପାଢୀ ,ମୁଖ୍ୟ ଯନ୍ତ୍ରୀ ମେଗା ଲିଫ୍ଟ ଚିନ୍ମୟ ରାଉତ ,ଓଡିଶା ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ବିଭୂତି ଭୂଷଣ ଦାସ, ଟାଟା ପାୱାର ର ଅଧିକ୍ଷଣ ଯନ୍ତ୍ରୀଙ୍କ ସମେତ ସଂପୃକ୍ତ ବିଭିନ୍ନ ଶାଖାର ଯନ୍ତ୍ରୀ ଓ ପଦାଧିକାରୀ ଉପସ୍ଥିତ ଥିଲେ।

ବଲାଙ୍ଗିର ଜିଲ୍ଲା ଗସ୍ତର ଦ୍ଵିତୀୟ ଦିନରେ ଆଜି ସକାଳେ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ପଥରଚେପା ସ୍ଥିତ ପାର୍ବତୀ ଗିରି ବାଳ ନିକେତନ ଶିଶୁ ଯତ୍ନ ଅନୁଷ୍ଠାନ ପରିଦର୍ଶନ କରିଥିଲେ। ଉନ୍ନୟନ କମିଶନରଙ୍କ ସହ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଚଡ୍ଡା , ଜିଲ୍ଲାପାଳ ଶ୍ରୀ ରାଣା ପ୍ରମୁଖ ଉପସ୍ଥିତ ଥିଲେ। ଉନ୍ନୟନ କମିଶନର ଅନ୍ତେବାସୀମାନଙ୍କୁ ସେମାନଙ୍କର ରହିବା ,ଖାଇବା ,ଯତ୍ନ ,ପାଠପଢା ତଥା ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରିବୁଝିବା ସହ ସେମାନକୁ ଉତ୍ସାହିତ କରିଥିଲେ। ଅନ୍ତେବାସୀ ମାନେ ରହୁଥିବା ବାଳକ ଓ ବାଳିକା ହଷ୍ଟେଲ ଓ ରୋଷେଇ ଶାଳା ପରିଦର୍ଶନ କରିବା ସହ ସେଠାରେ ଥିବା ସିଲେଇ ତାଲିମ କେନ୍ଦ୍ର ଓ ଯତ୍ନ ପରବର୍ତ୍ତୀ କେନ୍ଦ୍ର ( ପୋଷ୍ଟ କେୟାର ସେଣ୍ଟର) ପରିଦର୍ଶନ କରିଥିଲେ।

ପାର୍ବତୀ ଗିରି ବାଳ ନିକେତନର ଦିବ୍ୟାଙ୍ଗ ଅନ୍ତେବାସୀ ପାୟଲ ନାଗ ନିଜ ପାଟିରେ ଆଙ୍କିଥିବା ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଫୋଟୋଚିତ୍ର କୁ ଉନ୍ନୟନ କମିଶନରଙ୍କୁ ଭେଟି ଦେଇଥିଲେ। ଅନ୍ତେବାସୀ ମାନଙ୍କୁ ଉନ୍ନୟନ କମିଶନର, ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଓ ଜିଲ୍ଲାପାଳ ମିଷ୍ଠାନ ବଣ୍ଟନ କରିଥିଲେ। ପରେ ପରେ ସେ ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ବିଷ୍ଣୁମୁଣ୍ଡା ସ୍ଥିତ ସ୍ଳମ ରିଲୋକେସନ ସାଇଟ ପରିଦର୍ଶନରେ ଯାଇ ଜାଗା ମିଶନ କଲୋନୀ ବୁଲି ଦେଖିଥିଲେ। ସେଠାରେ ଦୟାନିଧି ବାଗ କରିଥିବା ସଂପୂର୍ଣ୍ଣ ଘର କୁ ବୁଲିଦେଖିବା ସହ ଉପସ୍ଥିତ ହିତାଧିକାରୀମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ସେଠାରୁ ଉନ୍ନୟନ କମିଶନର ଓ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଟିଟିଲାଗଡ ଅଭିମୁଖେ ଯାଇଥିଲେ। ଟିଟିଲାଗଡ ଠାରେ ନୂତନ ଭାବେ ନିର୍ମାଣାଧୀନ ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟ କୋଠା ପରିଦର୍ଶନ କରିବା ସହ ଏହାର ନିର୍ମାଣ କାର୍ଯ୍ୟ ଓ ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରି ବିଭାଗୀୟ ଯନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ପରେ ସେ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ପିପଲପଦର ଯାଇ ସେଠାରେ ପ୍ରତିଷ୍ଠା ହୋଇଥିବା ମେଗା ଛତୁଆ ପ୍ରକ୍ରିୟାକରଣ ୟୁନିଟ ପରିଦର୍ଶନ କରି ଏହାର ପରିଚାଳନା ଦାୟିତ୍ଵ ନେଇଥିବା ମିଶନ ଶକ୍ତି ବ୍ଲକ ସ୍ତରୀୟ ମହାସଂଘ, ଟିଟିଲାଗଡର ସଦସ୍ୟା ମାନଙ୍କ ସହ ଛତୁଆ ପ୍ରସ୍ତୁତି ପ୍ରଣାଳୀ, ପ୍ୟାକେଜିଙ୍ଗ ଓ ଗୁଣବତ୍ତା ସମ୍ପର୍କରେ ପଚାରି ବୁଝିଥିଲେ।

ଏହି ୟୁନିଟ ଦ୍ଵାରା ପ୍ରସ୍ତୁତ ଛତୁଆକୁ ଉନ୍ନୟନ କମିଶନର ନିଜେ ସ୍ଵାଦନେବା ସହ ଛତୁଆର ଗୁଣବତ୍ତାକୁ ପ୍ରଶଂସା କରି ଏହା ବଜାୟ ରଖିବା ନିମନ୍ତେ ମିଶନ ଶକ୍ତିର ସଦସ୍ୟାମାନଙ୍କୁ ପରାମର୍ଶ ଦେଇଥିଲେ। ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟ କୋଠା ଓ ମେଗା ଛତୁଆ ପ୍ରକ୍ରିୟାକରଣ ୟୁନିଟ ପରିଦର୍ଶନ ସମୟରେ ଜଳ ସମ୍ପଦ ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉପସ୍ଥିତ ଥିଲେ। ପରେ ଉନ୍ନୟନ କମିଶନର ଓ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ମୁରିବାହାଲ ଯାଇ ନିୟନ୍ତ୍ରିତ ବଜାର କମିଟି ପରିସରରେ ଥିବା ପିଆଜ ଷ୍ଟୋରେଜ କେନ୍ଦ୍ର ପରିଦର୍ଶନ କରିଥିଲେ।

ଏହି କେନ୍ଦ୍ର କୃଷି ଉତ୍ପାଦନ କ୍ଲଷ୍ଟର ଅନ୍ତର୍ଗତ ମିଳିତ ଉତ୍ଥାନ ପ୍ରଡ୍ୟୁସର କମ୍ପାନୀ ଦ୍ୱାରା ପରିଚାଳନା କରାଯାଉଛି। ସେଠାରେ ସେ ଅଞ୍ଚଳର ସଫଳ ଚାଷୀ ଓ ପ୍ରଡ୍ୟୁସର କମ୍ପାନୀର ସଦସ୍ୟାଙ୍କ ସହ ପିଆଜର ସଂରକ୍ଷଣ ଓ ବଜାର ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ସେ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବାଗବାହାଲ ଗ୍ରାମକୁ ଯାଇ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ୱାରା କରାଯାଇଥିବା ପିଆଜ ଓ ପନିପରିବା ଚାଷ ସମ୍ପର୍କରେ ଆଲୋଚନା କରିବା ସହ ସେମାନଙ୍କ ଆତ୍ମବିଶ୍ଵାସକୁ ପ୍ରଶଂସା କରିଥିଲେ।

ନୂତନ ଅମଳ ପରବର୍ତ୍ତୀ ପରିଚାଳନା କାର୍ଯ୍ୟକ୍ରମ ଜରିଆରେ ଥିବା ସହାୟତା ସମ୍ପର୍କରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ କୃଷି ଉତ୍ପାଦକ ସଂଗଠନକୁ ସଚେତନ କରିବାକୁ ପରାମର୍ଶ ଦେଇଥିଲେ। ଉନ୍ନୟନ କମିଶନରଙ୍କ ଆଜିର ଟିଟିଲାଗଡ ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ,ଟିଟିଲାଗଡ ଉପ ଜିଲ୍ଲାପାଳ ଦୟାମୟ ପାଢୀଙ୍କ ସମେତ ସମ୍ପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ବସିଲା ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ 

ଭୁବନେଶ୍ୱର: ଆଗାମୀ ଅପ୍ରେଲ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଆଜି ପୂର୍ବାହ୍ନରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

୧୯୪୮ ମସିହା ଅପ୍ରେଲ୍‌ ୧୩ ତାରିଖରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠାର ଶିଳାନ୍ୟାସ କରିଥିଲେ। ଚଳିତ ବର୍ଷ ଭୁବନେଶ୍ୱର ରାଜଧାନୀ ପ୍ରତିଷ୍ଠାର ପ୍ଲାଟିନମ୍‌ ଜୟନ୍ତୀ ପାଳନ କରାଯାଉଥିବାରୁ ଏହି ଉତ୍ସବକୁ ସରସ ସୁନ୍ଦର, ଆନନ୍ଦ ଉଲ୍ଲାସ ଏବଂ ଅଧିକ ଆକର୍ଷଣୀୟ ସହକାରେ ପାଳନ କରିବାକୁ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଏହି ବୈଠକରେ ସୂଚନା ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ପୁଲିସ୍‌ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେ, ବିଡିଏ ଉପାଧକ୍ଷ ଶ୍ରୀ ବଲୱନ୍ତ ସିଂ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ,  ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ କେ. ସୂଦର୍ଶନ ଚକ୍ରବର୍ତ୍ତୀ ଯୋଗଦେଇଥିଲେ।

ସେହିପରି ବି.ଏମ୍‌.ସି. ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୂର ବିକାଶ,  ଭୁବନେଶ୍ୱର ଡିସିପି ଶ୍ରୀ ପ୍ରତୀକ ସିଂ, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡାଙ୍କ  ସମେତ ରାଜ୍ୟ ସ୍ୱରାଷ୍ଟ୍ର, ଗୃହ ଓ ନଗର ଉନ୍ନୟନ, ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ବାଣିଜ୍ୟ ଓ ପରିବହନ, ପୂର୍ତ୍ତ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଓ୍ୱାଟକୋ ଆଦି ସଂପୃକ୍ତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ତ୍ତୃପକ୍ଷ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ତଥା ବରିଷ୍ଠ  ସାମ୍ବାଦିକ ଶ୍ରୀ ପ୍ରଦୋଷ ପଟ୍ଟନାୟକ, ଉପସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଏବଂ ସାଧାରଣ ସଂପାଦକ  ଶ୍ରୀ ସନତ ମିଶ୍ର ପ୍ରମୁଖ ଯୋଗଦେଇ ଉତ୍ସବ ଆୟୋଜନ ସଂପର୍କରେ ମତ ରଖିଥିଲେ ।

ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ବି.ଏମ୍‌.ସି ତରଫରୁ କରାଯାଇଥିବା ବ୍ୟାପକ ପ୍ରସ୍ତୁତି ସମ୍ପର୍କରେ ପାୱାରପଏଣ୍ଟ ଉପସ୍ଥାପନା ମାଧ୍ୟମରେ ସବିଶେଷ ତଥ୍ୟ ରଖିଥିଲେ। ତିନି ଦିନ ଧରି ଆୟୋଜିତ ଏହି ଉତ୍ସବରେ ଅପ୍ରେଲ୍‌ ୧୩ ତାରିଖ ସକାଳେ ବିଧାନସଭା ସୌଧ ସମ୍ମୁଖରେ ଥିବା ରାଜଧାନୀ ପ୍ରତିଷ୍ଠା ଫଳକରେ ପୁଷ୍ପଗୁଚ୍ଛ ଅର୍ପଣ, ଉତ୍ସବକୁ ଅତିଥିମାନଙ୍କୁ ନିମନ୍ତ୍ରଣ, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ, ବିଦ୍ୟାଳୟର ଛାତ୍ର-ଛାତ୍ରୀମାନଙ୍କ ଦ୍ୱାରା ପ୍ୟାରେଡ ପରିବେଷଣ, ଉତ୍ସବ ଅବସରରେ ଏକ କଫିଟେବୁଲ ପୁସ୍ତକ ପ୍ରକାଶନ ସଂପର୍କରେ ବୈଠକରେ ଆଲୋଚନା କରାଯାଇଛି।

ସେହିପରି ଅପ୍ରେଲ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଉତ୍କଳ ମଣ୍ଡପ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ପରିପ୍ରେକ୍ଷୀରେ ବି.ଏମ୍‌.ସିର ପ୍ରତ୍ୟେକ ୱାର୍ଡ଼ସ୍ତରରେ ମଧ୍ୟ ଉତ୍ସବ ପାଳନ କରାଯିବ । ୱାର୍ଡ ସଫେଇ ଠାରୁ ଆରମ୍ଭ କରି ନୃତ୍ୟ, ସଙ୍ଗୀତ, ରଙ୍ଗୋଲୀ, ଚିତ୍ରାଙ୍କନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବିଭିନ୍ନ ଓ୍ୱାର୍ଡରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯିବ।

ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍‌ଘାଟନ କରାଯିବ। ରାଜଧାନୀ ପ୍ରତିଷ୍ଠା  ଶିଳାନ୍ୟାସ ଫଳକ ଏବଂ ଏହାର ପରିସରକୁ ପରିଷ୍କାର ପରିଚ୍ଛନ୍ନ ଓ ସୌନ୍ଦର୍ଯ୍ୟକରଣ କରାଯିବ। କେଶରୀ ଟକିଜ୍‌, ଏଜି ଛକ ଏବଂ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ୩ଟି ସୁଦୃଶ୍ୟ ସ୍ୱାଗତ ତୋରଣ ଲଗାଯିବ।  ଉତ୍ସବ ସ୍ଥଳରେ ଅତିଥି ମାନଙ୍କର ବସିବା ପାଇଁ ବ୍ୟାପକ ବ୍ୟବସ୍ଥା, ଗାଲିଚା ବିଛେଇ ଓ ବ୍ୟାରିକେଡିଂ ବ୍ୟବସ୍ଥା, ଉତ୍ସବସ୍ଥଳ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର କୋଠାବାଡ଼ି ଆଲୋକୀକରଣ, ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟ କୋଠା ଏବଂ ଜୟଦେବ ଭବନ ଠାରେ ଭୁବନେଶ୍ୱରର ଐତିହ୍ୟ, ବର୍ତ୍ତମାନ ଏବଂ ସଫଳତାକୁ ନେଇ ପ୍ରଦର୍ଶନୀ ଆୟୋଜନ, ରକ୍ତଦାନ ଶିବିର ଆୟଜନ କରାଯିବ।

ସମସ୍ତ କାର୍ଯ୍ୟକ୍ରମ ସ୍ଥଳରେ ଅଗ୍ନିଶମ ସେବା ଓ, ଆମ୍ବୁଲାନ୍ସ  ସେବା ବ୍ୟବସ୍ଥା, ଉତ୍ସବ ଏବଂ ପରେଡ୍‌ରେ ଅଂଶଗ୍ରହଣ କରୁଥିବା ଛାତ୍ର-ଛାତ୍ରୀଙ୍କ ନିମନ୍ତେ ଯାତାୟତ ପାଇଁ ବସ୍, ଟ୍ରାଫିକ୍‌ ନିୟନ୍ତ୍ରଣ, ପାନୀୟଜଳ, ସହରରେ ଥିବା ପ୍ରମୁଖ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତୀ​‌ରେ ମାଲ୍ୟାର୍ପଣ କରାଯିବା ସହ ସମସ୍ତ କାର୍ଯ୍ୟକ୍ରମକୁ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାରକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ଭୁବନେଶ୍ୱର ମହାନଗର  ନିଗମ ତରଫରୁ ଅପ୍ରେଲ୧୪ ତାରିଖରେ ମାରାଥନ୍‌ ଏବଂ ୧୫ ତାରିଖରେ ସାଇକ୍ଲୋଥର୍ମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସଂପର୍କରେ ବି.ଏମ୍‌.ସି କମିଶନର ଶ୍ରୀ କୁଲାଙ୍ଗେ ବୈଠକରେ  ସୂଚନା ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ କଲେ ନୂଆ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଆଜି ନେବେ ଦାୟିତ୍ବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ମଙ୍ଗଳବାର ଦିନ ସକ୍ଷାତ କରିଛନ୍ତି ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ଏଥିସହିତ ନୂଆ ଉନ୍ନୟନ କମିଶନର ଅନୁ ଗର୍ଗ ଏବଂ ଓଇଆରସିର ଅଧ୍ୟକ୍ଷ ସୁରେଶ ମହାପାତ୍ର ମଧ୍ୟ ଭେଟିଛନ୍ତି। ତିନିଜଣଙ୍କୁ ରାଜ୍ୟ ସରକାର ନୂଆ ନିଯୁକ୍ତି ପ୍ରଦାନ କରିଛନ୍ତି।

ନିକଟରେ ରାଜ୍ୟ ସରକାର ବରିଷ୍ଠ ଆଇଏଏସ ପ୍ରଦୀପ ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରିଛନ୍ତି। ସେ ଆଜି ବୁଧବାର ଦିନ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିବେ। ସେହିପରି ଆଜି ମଧ୍ୟ ବରିଷ୍ଠ ଆଇଏଏସ ଅନୁ ଗର୍ଗ ମଧ୍ୟ ଉନ୍ନୟନ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବରିଷ୍ଠ ଆଇଏଏସ ଅନୁ ଗର୍ଗ ହେଲେ ଉନ୍ନୟନ କମିଶନର

ଭୁବନେଶ୍ବର: ଆଜି ରାଜ୍ୟ ସରକାର ବରିଷ୍ଠ ଆଇଏଏସ ପ୍ରଦୀପ ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ଦେଇଛନ୍ତି। ସେ ଆସନ୍ତା ମାର୍ଚ୍ଚ 1 ତାରିଖରେ ଦାୟିତ୍ବ ଗ୍ରହଣ କରିବେ। ସେ ମୁଖ୍ୟ ଶାସନ ସଚିବ ହେବା ପରେ ଉନ୍ନୟନ କମିସନର ଭାବେ ଅନୁ ଗର୍ଗଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି।

୧୯୯୧ ବ୍ୟାଚର ଆଇଏଏସ ଅଧିକାରୀ ଅନୁ ଗର୍ଗଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ୟାହାରେ ଅଛନ୍ତି। ସେ ବର୍ତ୍ତମାନ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ସେ ଏହି ଦାୟିତ୍ବରେ ମଧ୍ୟ ରହିବେ। ସେହିପରି ତାଙ୍କୁ ଯୋଜନା ଏବଂ ସମନ୍ବୟ ବିଭାଗର ଅତିରିକ୍ତ ଶାସନ ସଚିବ ମଧ୍ୟ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପୁନରୁଦ୍ଧାର ହେବ ଶୁକ-ପାଇକା ନଦୀ: ପ୍ରାୟ ୪୯.୬୭ କୋଟି ଟଙ୍କାର ବ୍ୟୟ ଅଟକଳ ଅନୁମୋଦିତ

ଭୁବନେଶ୍ୱର: ଜଳସେଚନ ଏବଂ ପ୍ରାକୃତିକ ଜୈବ-ପରିବେଶ ବିକାଶ କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପଭାବେ କଟକ ଜିଲ୍ଲା ଅନ୍ତର୍ଗତ ମହାନଦୀ ତେଲ୍ଟାର ଶୁକ-ପାଇକା ନଦୀର ପୁନରୁଦ୍ଧାର ହେବ। ସ୍ଥାନୀୟ ଭାବେ ମୃତ-ନଦୀ ବୋଲି ଜଣାଶୁଣା ଏହି ନଦୀ ଖୁବ୍ ଶିଘ୍ର ପୁଣି ଜୀବନ୍ତ ଓ ଚଳଚଞ୍ଚଳ ହେବ।

ଇତି ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସମ୍ବନ୍ଧିତ ଏକ ପ୍ରକଳ୍ପ ଅନୁମୋଦିତ ହୋଇଛି। ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏହି ପ୍ରକଳ୍ପର ବୈଷୟିକ, ଆର୍ଥିକ ଏବଂ ପ୍ରଶାସନିକ ଦିଗ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ପ୍ରକଳ୍ପର ବିଭିନ୍ନ ଦିଗ ବିଚାର କରି ଏହି ପ୍ରାକୃତିକ ନାଳର ପୁନରୁଦ୍ଧାର ନିମନ୍ତେ ଖୁବ୍ ଶିଘ୍ର ଟେଣ୍ଡର ଆହ୍ୱାନ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ପୁର୍ନବିନ୍ୟାସ ପରେ ବର୍ଷ ତମାମ ଯେପରି ନଦୀରେ ଯଥେଷ୍ଟ ପାଣି ରହିବ ସେଥିପ୍ରତି ଦୃଷ୍ଟି ଦେବାକୁ ଜଳ ସଂପଦ ବିଭାଗ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନାଳରେ ଭରା-ଜଳ ରହିଲେ ତାହା ପାର୍ଶ୍ୱବର୍ତ୍ତୀ ସ୍ଥାନର ମୁର୍ତ୍ତିକା ଆର୍ଦ୍ରତା ବଜାୟ ରଖିବାରେ ସହାୟକ ହେବା ସହ ଉଭୟ ପାର୍ଶ୍ୱର କୃଷି ଜମିକୁ ବର୍ଷ ତମାମ ଉତ୍ପାଦନକ୍ଷମ କରିବ ବୋଲି ଶ୍ରୀ ମହାପାତ୍ର କହିଥିଲେ। ବର୍ଷା ଓ ବନ୍ୟାଋତୁକୁ ଆଖିରେ ରଖି ପ୍ରକଳ୍ପ କାର୍ଯ୍ୟାୟନ ସମୟ-ନିର୍ଘଣ୍ଟ ନିର୍ଦ୍ଧାରଣ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ବହୁମାତ୍ରାରେ ବନ୍ୟାପାଣି ନାଳରେ ଆସି ଯେପରି ପ୍ରଭୁତ କ୍ଷତି ନଘଟାଇବ ସେହିପରି ପ୍ରକଳ୍ପ ଡ଼ିଜାଇନ୍ ବୈଷୟିକ କୌଶଳ ଏବଂ କାର୍ଯ୍ୟାୟନ ସମୟ ନିର୍ଘଣ୍ଟ ନିର୍ଦ୍ଧାରଣ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ପ୍ରକଳ୍ପ ପାଇଁ ପ୍ରାୟ ୪୯.୬୭ କୋଟି ଟଙ୍କାର ଖର୍ଚ୍ଚ ଅଟକଳକୁ ବୈଠକରେ ଅନୁମୋଦନ କରାଯାଇଥିଲା। ନଦୀର ଉଭୟ ପାର୍ଶ୍ୱରେ ଥିବା ଗ୍ରାମୀଣ ରାସ୍ତାଗୁଡିକୁ ସଂଯୋଗ କରିବା ନିମନ୍ତେ ନଦୀ ଉପରେ ୪ ଟି ପୋଲ ନିର୍ମାଣ ହେବ। ସମୁଦାୟ ପ୍ରକଳ୍ପକୁ ୧୮ ମାସ ମଧ୍ୟରେ ପୂର୍ଣ୍ଣାଙ୍ଗ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଜଣାଇଥିଲେ ଯେ ଏହି ପ୍ରାକୃତିକ ନାଳଟି ମହାନଦୀର ଦକ୍ଷିଣ ପାର୍ଶ୍ୱସ୍ଥିତ ଆୟତପୁର ଗ୍ରାମ ପାଖରୁ ବାହାରିଛି । କଟକ ସଦର, ନିଶ୍ଚିନ୍ତକୋଇଲି ଏବଂ ରଘୁନାଥପୁର ବ୍ଲକ୍ର ପ୍ରାୟ ୨୧ ଟି ପଞ୍ଚାୟତ ଦେଇ ପ୍ରାୟ ୩୦.୪୫ କି.ମି. ଅତିକ୍ରମ କଲାପରେ ଏହା ପୁନଶ୍ଚ ତାରପୁର ନିକଟସ୍ଥ ବଙ୍କାଳଠାରେ ମହାନଦୀରେ ମିଶିଛି। ୧୯୫୦ ମସିହାରେ ତତ୍କାଳୀନ ପ୍ରଳୟଙ୍କରୀ ବନ୍ୟା ନିୟନ୍ତ୍ରଣ ଉପାୟଭାବେ ଏହାର ଜଳ ପ୍ରବେଶ ପାର୍ଶ୍ୱ ବନ୍ଦ କରାଯାଇଥିଲା। ଏହି ପ୍ରାକୃତିକ ନାଳଟି ପୁନରୁଦ୍ଧାର ହେଲେ ଅଧିକ ଜଳସେଚନ ସୁବିଧା ସୃଷ୍ଟି ସହ, ମତ୍ସ୍ୟ ଚାଷ ଓ ଉଭୟ ପାର୍ଶ୍ୱ ଜମିରେ ଅର୍ଥକାରୀ ଫସଲ ଆଦି ଉତ୍ପାଦନ ହୋଇପାରିବ । ପ୍ରାକୃତିକ ଜୈବ-ପରିବେଶ ମଧ୍ୟ ପୁର୍ନଜୀବିତ ହେବ।

ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ, ଜଳ ସଂପଦ ବିଭାଗ ପ୍ରଧାନ ମୁଖ୍ୟ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତିଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

୨୦୨୩ ଜୁନ ସୁଦ୍ଧା ଶେଷ ହେବ ଲୋୟର ସୁକତେଲ ପ୍ରକଳ୍ପର ସ୍ପିଲ୍ ୱେ କାର୍ଯ୍ୟ

ଭୁବନେଶ୍ୱର: ରାଜ୍ୟ ଜଳ ସଂପଦ ବିଭାଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ରାଜ୍ୟର ବିଭିନ୍ନ ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଗୁରୁବାର ଆଭାସୀ ବୈଠକ ମାଧ୍ୟମରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ବନଖଣ୍ଡ ଅଧିକାରୀ ଏବଂ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ବଲାଙ୍ଗିର ଜିଲ୍ଲାର ଲୋୟର ସୁକତେଲ, ବାଲେଶ୍ୱର ଜିଲ୍ଲାର ସୁବର୍ଣ୍ଣରେଖା ଓ ବାଙ୍କତିରା ଜଳସେଚନ ପ୍ରକଳ୍ପ ଏବଂ ମୟୂରଭଞ୍ଜ ଜିଲ୍ଲାର ସୋନୋ ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ଓ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାକୁ ବ୍ୟାପକ ଆଲୋଚନା କରାଯାଇଥିଲା।
ବୈଠକରୁ ଜଣାଯାଇଛି ଯେ, ଆଗାମୀ ଜୁନ୍-୨୦୨୩ ସୁଦ୍ଧା ଲୋୟର ସୁକତେଲ ପ୍ରକଳ୍ପର ସ୍ପିଲ୍ ୱେ କାଯ୍ୟ ଶେଷ ହେବ। ଏଥିପାଇଁ ପ୍ଲେଟ୍ ଗାର୍ଡର ଓ ଦକ୍ଷିଣ ପାର୍ଶ୍ୱ ଡାଇକ୍ ନିର୍ମାଣ କାଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ବାଲେଶ୍ୱର ଜିଲ୍ଲାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା। ୨୦୨୧ ମସିହାରେ ଏହି ପ୍ରକଳ୍ପ ଅଧୀନରେ ୧୫୦୦୦ ହେକ୍ଟର ଓ ୨୦୨୨ ରେ ୧୭୦୦୦ ହେକ୍ଟର ସେଚାଞ୍ଚଳକୁଅତିରିକ୍ତ ଜଳସେଚନ ସୁବିଧା କରାଯାଇଥିବା ବେଳେ ଆଗାମୀ ଖରିଫ-୨୦୨୩ ସୁଦ୍ଧା ଆଉ ୮୦୦୦ ହେକ୍ଟର ଜମିକୁ ଜଳସେଚନ ପାଇଁ କାଯ୍ୟ ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା।

ସେହିପରି ମୟୂରଭଂଜ ଜିଲ୍ଲାର ସୋନୋ ଜଳସେଚନ ପ୍ରକଳ୍ପ ଓବାଲେଶ୍ୱର ଜିଲ୍ଲାର ବାଙ୍କତିରା ଜଳସେଚନ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। ଏହି ପ୍ରକଳ୍ପ ଦ୍ୱୟର କାର‌୍ୟ୍ୟାରମ୍ଭ ପାଇଁ ପରିବେଶ ମଂଜୁରୀ ଏବଂ ଟେଣ୍ଡର କାର୍ଯ୍ୟକୁ ତ୍ୱରିତ ପଦକ୍ଷେପ ନିଆଯାଇ ଶେଷ କରିବାକୁ ଶ୍ରୀମତୀ ଗର୍ଗ ଗୁରୁତ୍ୱ ଦେଇଥିଲେ।

Categories
Cyclone ଜାତୀୟ ଖବର ବିଶେଷ ଖବର

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବୈଠକ, ଖୋଲିଲା ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ, ଛୁଟି ବାତିଲ

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଂଚଳରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ‘ଆସାନି’ ଫଳରେ ରାଜ୍ୟର ଉପକୂଳ ଅଂଚଳରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ଜଳସଂପଦ ବିଭାଗ ତରଫରୁ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ଣରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜଳ ସଂପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସମେତ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।

ବୈଠକରେ ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର‌୍ୟ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦାୟିତ୍ୱ ସଂପନ୍ନନିର୍ବାହୀ ଯନ୍ତ୍ରୀଙ୍କ ଦ୍ୱାରା ଏହା ପରିଚାଳିତ ହେବ । ସମ୍ଭାବ୍ୟ ବାତ୍ୟା ପାଇଁ ସବୁ ପ୍ରକାର ପ୍ରସ୍ତୁତିରେ ରହିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ବଳ ଥିବାନଦୀ ଓ କେନାଲ ବନ୍ଧଗୁଡିକ ପ୍ରତି ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି ।

ସମ୍ଭାବ୍ୟ ବାତ୍ୟା ପରିସ୍ଥିତିରେ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନେ ଜିଲ୍ଲାପ୍ରଶାସନ ସହିତ ସମନ୍ୱୟ ରଖି ଆବଶ୍ୟକ ଆନୁଷଙ୍ଗିକ ସହାୟତା ଯୋଗାଇଦେବେ । ବାତ୍ୟା ଯୋଗୁଁ ବନ୍ୟା ବା ଅତ୍ୟଧିକ ବର୍ଷାଫଳରେ ଡ୍ରେନେଜ ସମସ୍ୟା ଉପୁଜିଲେ ତାହାକୁ ତୁରନ୍ତ ପରିସ୍କାର ପାଇଁ ଆବଶ୍ୟକ ଯନ୍ତ୍ରପାତି ସହ ପଦକ୍ଷେପ ନେବାକୁ କୁହାଯାଇଛି ।

ଜଳଭଣ୍ଡାରଗୁଡିକର ସ୍ଥିତି ଅନୁଧ୍ୟାନ କରି ନିୟନ୍ତ୍ରଣ କକ୍ଷକୁ ନିୟମିତ ସୂଚନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କ୍ଷେତ୍ରସ୍ତରରେ କାର୍ଯ୍ୟ କରୁଥିବା ଯନ୍ତ୍ରୀମାନଙ୍କର ଛୁଟି ବାତିଲ କରାଯାଇଛି । ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବିନା ଅନୁମତିରେ ଛୁଟି ମଂଜୁର ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବୈଠକରେ ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ସଚିବ (ତଦାରଖ) ଚନ୍ଦ୍ରଶେଖର ପାଢୀ, ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର, ସର୍ବୋଚ୍ଚ ଯନ୍ତ୍ରୀ( ଯୋଜନା ଓ ନକ୍ସାଙ୍କନ) ଅସୀମ ମହାପାତ୍ର, ଅତିରିକ୍ତ ଶାସନ ସଚିବ ସୁବ୍ରତ କୁମାର ପଣ୍ଡା, ମୁଖ୍ୟ ଯନ୍ତ୍ରୀ , ବେସିନ୍ ମ୍ୟାନେଜର-ମହାନଦୀ କାଠଯୋଡି ସିଷ୍ଟମ ଭକ୍ତରଂଜନ ମହାନ୍ତି, ମୁଖ୍ୟଯନ୍ତ୍ରୀ ଡ୍ରେନେଜ୍ ବାଲେଶ୍ୱର ନାଥ ସାହୁ, ମୁଖ୍ୟଯନ୍ତ୍ରୀ ଏଚ୍.ଏଚ୍ .ଜି.ଆଇ.ସ୍ ଓ ଅନ୍ୟ ବରିଷ୍ଠ ଯନ୍ତ୍ରୀ ଓ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଛଅ ଜଣ ଆଇଏଏସଙ୍କୁ ମିଳିଲା ନୂଆବର୍ଷ ଭେଟି, ଅତିରିକ୍ତ ମୁଖ୍ୟ ଶାସନ ସଚିବକୁ ପଦୋନ୍ନତି

ଭୁବନେଶ୍ବର : ନୂଆବର୍ଷରେ ଓଡିଶାର ଛଅଜଣ ଆଇଏଏସଙ୍କୁ ମିଳିଛି ନୂଆବର୍ଷ ଭେଟି। ସେମାନଙ୍କୁ ରାଜ୍ୟ ସରକାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ଏହି ପଦବୀ ହେଉଛି ଆଇଏଏସର ସର୍ବୋଚ୍ଚ ପଦୋନ୍ନତି। ଯେଉଁମାନଙ୍କୁ ଏହି ପଦବୀକୁ ପଦନ୍ନୋତି ଦିଆଯାଇଛି ସେମାନେ ହେଲେ

1-ଅନୁ ଗର୍ଗ

2-ମଧୂସୁଦନ ପାଢୀ

3-ସତ୍ୟବ୍ରତ ସାହୁ

4-ବିଜୟ ଆରୋରା

5-ଜି ଶ୍ରୀନିବାସ

6-ଆରତୀ ଆହୁଜା

ଜି ଶ୍ରୀନିବାସ ଏବଂ ଆରତୀ ଆହୁଜା ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ରବି ଋତୁରେ ମେଗା ଲିଫ୍ଟ ଜରିଆରେ ୨୦ ହଜାର ହେକ୍ଟର ଜମିକୁ କରାଯିବ ଜଳସେଚନ

ଭୁବନେଶ୍ୱର, ରାଜ୍ୟ ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ଅପରାହ୍ଣରେ ଜଳ ସଂପଦ ବିଭାଗ ସମ୍ମିଳନୀ କକ୍ଷରେ ରାଜ୍ୟରେ ବୃହତ୍ ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତା ସଂପର୍କିତ ମାସିକ ସମୀକ୍ଷା ବୈଠକରେ ଯୋଗଦେଇ ପୁରୁଣା ମେଗାଲିଫ୍ଟ ପ୍ରକଳ୍ପର ସ୍ଥିତି ଓ ନୂତନ ମେଗା ଲିଫ୍ଟ ନିର୍ମାଣ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ।
ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ ଜଳ ଯୋଗାଣ କରୁଥିବା ନବନିର୍ମିତ ସୁନ୍ଦରଗଡ ଜିଲ୍ଲାର ବରଗାଁ ଏବଂ ଗଂଜାମ ଜିଲ୍ଲାର କଳିଙ୍ଗଡୋଳା ବୃହତ୍ ଉଠାଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଥିଲେ ।

ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଧିକ ମେଗା ଲିଫ୍‌ଟ ପ୍ରକଳ୍ପ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ପ୍ରମୁଖ ଶାସନ ସଚିବ ବିଭାଗୀୟ ଯନ୍ତ୍ରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ଆସନ୍ତା ରବି ଋତୁରେ ମେଗା ଲିଫ୍ଟ ଜରିଆରେ ୨୦ ହଜାର ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ସୁବିଧା ଲକ୍ଷ୍ୟ ରଖାଯାଇଛି ।

କେନ୍ଦୁଝର ଜିଲ୍ଲାରେ ୧୪ଟି ବୃହତ୍ ଉଠାଜଳସେଚନ ପ୍ରକଳ୍ପ ଓମବାଡିସି ପାଣ୍ଠିରୁ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିବା ବେଳେ ଆବଶ୍ୟକ ବୈଷୟିକ ଅନୁମୋଦନ ପରେ ସେସବୁକୁ ନିର୍ମାଣ କରାଯିବ ବୋଲି ବୈଠକରୁ ଜଣାଯାଇଛି । ବୈଠକରେ ସର୍ବୋଚ୍ଚ ଯନ୍ତ୍ରୀ( ଯୋଜନା ଓ ନକ୍ସାଙ୍କନ) ଇଂ. ବିଜୟ କୁମାର ମିଶ୍ର, ମୁଖ୍ୟ ଯନ୍ତ୍ରୀ(ମେଗା ଲିଫ୍ଟ) ଇଂ ଚିନ୍ମୟ ରାଉତ, ବିଭାଗୀୟ ଅନ୍ୟ ବରିଷ୍ଠ ପଦାଧିକାରୀ ଓ ଯନ୍ତ୍ରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Categories
ଫଟୋ ଖବର

ବିଭିନ୍ନ ନଦୀରେ ସୃଷ୍ଟି ହୋଇଥିବା ଘାଇ ଏବଂ ଘଳିଆ ମରାମତି କାମକୁ ତଦାରଖ କରୁଛନ୍ତି ଜଳସଂପଦ ସଚିବ

ଭୁବନେଶ୍ବର, ଚଳିତ ଲଘୁଚାପ ଜନିତ ବନ୍ୟାରେ ବିଭିନ୍ନ ନଦୀ ଓ ଶାଖା ନଦୀ ବନ୍ଧରେ ସୃଷ୍ଟି ହୋଇଥିବା ଛୋଟବଡ ଘାଇ ଏବଂ ଘଳିଆଗୁଡିକର ବନ୍ଦ କରାଯିବା କାର୍ଯ୍ୟ ଜଳ ସମ୍ପଦ ବିଭାଗ ଦ୍ବାରା ଜାରି ରହିଛି। ବିଭାଗର ସଚିବ ଅନୁ ଗର୍ଗଙ୍କ ସହିତ ବରିଷ୍ଠ ଅଧିକାରୀ କ୍ଷେତ୍ରସ୍ତରରେ କାର୍ଯ୍ୟରତ ଯନ୍ତ୍ରୀମାନେ ପ୍ରତ୍ୟକ୍ଷ ଭାବେ ବିଭିନ୍ନ ମରାମତି କାମ ତଦାରଖ କରୁଛନ୍ତି।