Categories
ଆଜିର ଖବର ରାଜ୍ୟ ଖବର

ମହାନଦୀରେ ବନ୍ୟା ପରିସ୍ଥିତି, ବ୍ଲକ କର୍ମଚାରୀଙ୍କ ଛୁଟି ବାତିଲ

କୁଜଙ୍ଗ: ମହାନଦୀରେ ପ୍ରଥମ ବନ୍ୟାଜଳ ଆସିବା ଫଳରେ କୁଜଙ୍ଗ ବ୍ଲକର ୯ଟି ପଂଚାୟତରେ ବନ୍ୟାପରିସ୍ଥିତି ସୃଷ୍ଟି ହୋଇଛି। ଯାହାଫଳରେ ଧୋଇଆ ଅଂଚଳ ବାସି ଆତଙ୍କିତ ହୋଇପଡିଛନ୍ତି। ଗୁରୁବାର ଦିନ କୁଜଙ୍ଗ ବ୍ଲକ ସାଇଲୋ ପଂଚାୟତର ହରିପୁର ଗ୍ରାମ ମଧ୍ୟକୁ ବନ୍ୟାଜଳ ପ୍ରବେଶ କରିନଥିଲେ ବି ଗ୍ରାମ୍ୟ ରାସ୍ତା ବନ୍ୟା ଜଳରେ ଧୋଇହୋଇ ଯିବା ଫଳରେ ଉକ୍ତ ଗ୍ରାମଟି ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି।

କୁଜଙ୍ଗ ବ୍ଲକର ୯ଟି ପଂଚାୟତ ଯଥାକ୍ରମେ ଜିଲ୍ଳାନାସି, ବଡବାଲିକଣି, ହଂସୁରା, କାଠକୋଟ ପଂଚାୟତ ସମ୍ପୁର୍ଣ୍ଣ ବନ୍ୟାଚଂଳ ହୋଇଥିବା ବେଳେ, ସାଇଲୋ ପଂଚାୟତର ହରିପୁର ଗ୍ରାମ, ମହ୍ଲାସାହି ପଂଚାୟତର ମଧୁପୁର ଗ୍ରାମ, କୁଜଙ୍ଗ ପଂଚାୟତର ଭଣ୍ଡୁଆ ଓ ଭୂତମୁଣ୍ଡାଇ ପଂଚାୟତର ଫୁଲବେଲାରି ଗ୍ରାମ ବନ୍ୟାଚଂଳ ରୁପେ ପରିଗଣିତ। ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସଜାଗ ହୋଇ ଉଠିଛି। ସ୍ୱତନ୍ତ୍ର ରିଲିଫ କମିସନରଙ୍କର କୁଜଙ୍ଗ ବ୍ଲକରେ ଗଛିତ ଥିବା ତିନିଟି ବୋଟ ମଧ୍ୟରୁ ବ୍ଲକ ପ୍ରଶାସନ ହରିପୁର ଗାଁକୁ ୧ଟି ପଠାଇ ସାରିଛନ୍ତି। ବ୍ଲକର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ପଂଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ ମାନେ ରାତିସାରା ବନ୍ୟାଚଂଳ ବୁଲି ପରିସ୍ଥିତି ଉପରେ ନିଘା ରଖିବାପାଇଁ ବ୍ଲକ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଥିବାର ବିଡିଓଙ୍କଠାରୁ ପ୍ରକାଶ।

ଅନ୍ୟପଟେ ଚାରଣ ଭୁଇଁରେ ପାଣି ମାଡିଯିବାରୁ ଗୋଖାଦ୍ୟ ପାଇଁ ବ୍ଲକ ପ୍ରଶାସନ ଜିଲ୍ଲା ପ୍ରସାସନ ନିକଟକୁ ପ୍ରସ୍ତାବ (ଇଣ୍ଡେଟ) ପଠାଯାଇଛି। ଶୁକ୍ରବାର ସକାଳୁ ପ୍ରଥମେ ସବୁଜଘାସ ଯୋଗାଇଦେବାପାଇଁ ପ୍ରଶାସନ ପଦକ୍ଷପ ନେଇଛି। ଏହି ବନ୍ୟା ପ୍ରଭାବିତ ଅଂଚଳରେ ୨୦୧୯ ଗୋ ମଇଁଷାଦି ପଶୁ ଗଣନା ଅନୁଯାୟୀ ୭ଶହ ସଂଖ୍ୟା ଥିବା ବେଳେ ବେସରକାରୀଭାବେ ତାହା ୧୫ଶହ ହେବ ବୋଲି ବିଡିଓ ପ୍ରକାଶ କରିଛନ୍ତି। ରାତିରେ ବନ୍ୟା ପ୍ରଭାବିତ ଯେପରି ଅନ୍ଧାରର ସମ୍ମୁଖିନ୍ନ ନହୁଅନ୍ତି ସେଥିପାଇଁ ଆସ୍କା ଲାଇଟର ବ୍ୟବସ୍ଥା କରାଯାଇଛି। କୁଜଙ୍ଗ ବ୍ଲକରେ ୧୩ଟି ଆସ୍କା ଲାଇଟି ମହଜୁଦ ଥିବା ବେଳେ, ବାଲିକୁଦା ବ୍ଲକରୁ ୬ଟି ଓ ନାଉଗାଁ ବ୍ଲକରୁ ୧ଟି ଆସ୍କା ଲାଇଟ ଅଣାଯାଇ ମୋଟ ୨୦ଟି ଆସ୍କା ଲାଇଟି ପ୍ରସ୍ତୁତ କରି ରଖାଯାଇଛି।

ପ୍ରାଥମିକ ଅବସ୍ଥାରେ ୩୦ କ୍ୱିଂଟାଲ ଚୁଡା ଓ ୧୦ କ୍ୱିଂଟାଲ ଗୁଡ ଯୋଗାଇ ଦେବାପାଇଁ ବ୍ଲକ ପ୍ରଶାସନ ତରଫରୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି। ଗୁରୁବାର ରାତିରେ ଉପ ଜିଲ୍ଲାପାଳ କୁଜଙ୍ଗରେ ପହଁଚି ବନ୍ୟା ମୁକାବିଲା ନିମନ୍ତେ ବ୍ଲକ ପ୍ରଶାସନର ପ୍ରସ୍ଥୁତି ସମ୍ପର୍କରେ ସମିକ୍ଷା କରିବା ସହ ବ୍ଲକ କାର୍ଯ୍ୟାଳୟରେ ଡେରାପକାଇ ରହିବେ ବୋଲି ଜଣାପଡିଛି।

ଅନ୍ୟପଟେ ଜଗତ୍‌ସିଂହପୁର ଜିଲ୍ଳାପାଳ ବିଳମ୍ବିତ ରାତ୍ରିରେ ବନ୍ୟାଅଂଚଳକୁ ଆସିବାର ସମ୍ଭାବନା ଅଛି ବୋଲି ବିଡିଓ ସୌମ୍ୟଶ୍ରୀ ପାଣି ଗ୍ରାହିଙ୍କଠାରୁ ପ୍ରକାଶ। ତହସିଲଦାର ପ୍ରିତିପର୍ଣ୍ଣା ମିଶ୍ରଙ୍କୁ ସମ୍ଭାବ୍ୟ ବନ୍ୟା ସମ୍ପର୍କରେ କହିଛନ୍ତିଯେ ଜନସାଧାରଣଙ୍କୁ ସତର୍କ ରହିବାପାଇଁ କୁହାଯିବା ସହ ପ୍ରଶାସନ ବନ୍ୟା ମୁକାବିଲା ନିମନ୍ତେ ସମ୍ପୁର୍ଣ୍ଣ ପ୍ରସ୍ଥୁତ ଅଛନ୍ତି।

ବର୍ତ୍ତମାନ ପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ, ବନ୍ୟାଯଦି ଉଗ୍ର ରୁପ ନିଏ ଧୋଇଆ ଅଂଚଳର ପରିବା ଚାଷ ସମ୍ପୁର୍ଣ୍ଣ ଉଜୁଡିଯିବ। ଯାହାକୁ ନେଇ ଚାଷି ଓ ଖାଉଟି ଆତଙ୍କିତ ହୋଇଛନ୍ତି । ଗୁରୁବାର ସକାଳେ ବନ୍ୟାଜଳ ନଦୀ ଅତଡା ଖାଉଥିବା ବେଳେ ସନ୍ଧ୍ୟା ବେଳକୁ ପ୍ରାୟ ୪ଫୁଟ ବନ୍ୟାଜଳ ବଢି କୂଳ ଲଙ୍ଘିବା ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟ ସରକାର ସଜାଗ: ୩ ଦିନ ଛୁଟି ବାତିଲ, ସମୁଦ୍ରକୁ ଯିବା ମନା

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏନେଇ ଆଜି ରାଜ୍ୟ ସରକାର ଏସଆରସି ଦାୟିତ୍ଵରେ ଥିବା ସତ୍ୟବ୍ରତଙ୍କ ନେତୃତ୍ଵରେ ଏକ ଜରୁରୀକାଳିନ ବୈଠକ ଡାକିଛନ୍ତି। ଏହି ବୈଠକରେ ୭ ଟି ଜିଲ୍ଲାର ଜିଲ୍ଲାପାଳ ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛି।

ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ୩ ଦିନ ପାଇଁ କର୍ମଚାରୀମାନେ ହେଡ କ୍ଵାର୍ଟରରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସେହିଭଳି ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସ୍ୟଜୀବୀଙ୍କୁ ପାଣିପାଗ କେନ୍ଦ୍ର ସତର୍କ କରାଇଛି। ଆସନ୍ତା ୨୨ ତାରିଖ ଠାରୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପାଣିପାଗ କେନ୍ଦ୍ର ବାରଣ କରିଛି। ଏହି ସମୟ ମଧ୍ୟରେ ସମୁଦ୍ର ମଧ୍ୟରେ ୪୫ରୁ ୫୫ କିମି ବେଗରେ ପବନ ବହିବା ଯୋଗୁଁ ସମୁଦ୍ର ଅଶାନ୍ତ ରହିବ। ଗଭୀର ସମୁଦ୍ରରେ ସର୍ବାଧିକ ୬୫ କିମି ବେଗରେ ପବନ ବହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ଲାଗି ପରାମର୍ଶ ଦିଆଯାଇଛି।