ଭୁବନେଶ୍ଵର: ଗ୍ରୀଷ୍ମ ପ୍ରବାହ ସମୟରେ ରାଜ୍ୟରେ ବିଦ୍ୟୁତ ଚାହିଦା ବୃଦ୍ଧି ପାଇଛି। ବାଧାମୁକ୍ତ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଲାଗି ସରକାର ତତ୍ପର ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ – ଓପିଟିସିଏଲ ସବୁ କର୍ମଚାରୀଙ୍କ ଛୁଟି ବାତିଲ କରିଛି। କୌଣସି କର୍ମଚାରୀ ମୁଖ୍ୟ କାର୍ଯ୍ୟାଳୟ ଛାଡ଼ି ଯାଇପାରିବେ ନାହିଁ ବୋଲି ଓପିଟିସିଏଲ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି।
ମାତୃତ୍ୱ ଅବକାଶକୁ ଛାଡ଼ି ସମସ୍ତ ପ୍ରକାର ଅନୁମୋଦିତ ଛୁଟିକୁ ବାତିଲ କରାଯାଇଛି। ଯେଉଁ କର୍ମଚାରୀମାନେ ଛୁଟିରେ ଅଛନ୍ତି ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି। ଏପରିକି କର୍ମଚାରୀମାନେ କୌଣସି ବୈଠକ, ସମ୍ମିଳନୀ, ସେମିନାର, ତାଲିମ, ଗସ୍ତ ଆଦି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ମଧ୍ୟ ମୁଖ୍ୟାଳୟ ଛାଡ଼ି ଯାଇପାରିବେ ନାହିଁ।


