ଶନିବାର ସଂଧ୍ୟାରେ ଚାରୋଟି ଜିଲ୍ଲାରେ ଆସିପାରେ ବନ୍ୟା; ସ୍ବତନ୍ତ୍ର ରିଲିଫ କମିଶନର

Published: Sep 16, 2021, 5:53 pm IST

ଭୁବନେଶ୍ବର: ଶନିବାର ସଂଧ୍ୟା ସୁଦ୍ଧା 4ଟି ଜିଲ୍ଲାରେ ବନ୍ୟା ଆଶଙ୍କା ରହିଛି। ସେହି ଚାରୋଟି ଜିଲ୍ଲା ହେଲା କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ ପୁରୀ। ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା।

ଗତ ତିନିଦିନ ଧରି ରାଜ୍ୟରେ ଲଗାତର ପ୍ରବଳ ବର୍ଷା ହେବା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ହୀରାକୂଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଉଛି। ବର୍ତ୍ତମାନ ଏହି ଡ୍ୟାମର 28ଟି ଗେଟ ଖୋଲାଯାଇଛି। ସେଥିପାଇଁ କେତେକ ସ୍ଥାନରେ ବନ୍ୟା ସମ୍ଭାବନା ରହିଛି ବୋଲି ଶ୍ରୀ ଜେନା କହିଛନ୍ତି।

ବର୍ତ୍ତମାନ ହୀରାକୂଦରେ ସେକେଣ୍ଡ ପିଛା ୫ ଲକ୍ଷ ୨୦ ହଜାର ୪୫୭ କ୍ୟୁସେକ ଜଳ ପ୍ରବେଶ କରୁଛି । ଅନ୍ୟପକ୍ଷରେ ୨୮ଟି ଗେଟ୍ ଦେଇ ୪ ଲକ୍ଷ ୮୧ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଶନିବାର ସୁଦ୍ଧା ମୁଣ୍ଡଳୀରେ ଆଠ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବର ସମ୍ଭାବନା ରହିଛି।

ସେହିପରି ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ରେଙ୍ଗାଳିରେ ମଧ୍ୟ ଗୋଟିଏ ଗେଟ ଖୋଲାଯାଇଛି। ଏହି ନଦୀ ଫୁଲୁଥିବାରୁ ଏହାର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଶ୍ରୀ ଜେନା କହିଛନ୍ତି।

ତେବେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି ବୋଲି ଶ୍ରୀ ଜେନା କହିଛନ୍ତି। ଏଥିପାଇଁ ତିରିଶିଟି ଓଡ୍ରାଫ ଟିମ ଏବଂ ବାରଟି ଏନଡିଆରଫ ଟିମକୁ ବନ୍ୟା ସାମ୍ଭବ୍ୟ ଜିଲ୍ଲାକୁ ପଠାଯାଇଛି ବୋଲି ଶ୍ରୀ ଜେନା କହିଛନ୍ତି।

Related posts