Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମହାନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ଚନ୍ଦ୍ରକାନ୍ତି ବୌଦ୍ଧ
ନରସିଂହପୁର: କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗନ୍ତ ଗୋପୀନାଥପୁରର ମହାନଦୀ ଅବବାହିକାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ପ୍ରସିଦ୍ଧ ଶୈବପୀଠ ବାବା ସିଂହନାଥଙ୍କ ନିକଟସ୍ଥ ମହାନଦୀରୁ ଗତକାଲି ନିଖୋଜ ଥିବା ଯୁବକ ଜଗବନ୍ଧୁ ମହାରଣା ଓରଫ ପପୁ (୨୬)ଙ୍କ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। ବଡମ୍ବା ଦମକଳ ବାହିନୀ ଦୀର୍ଘ ତିନି ଘଣ୍ଟାର ରେସ୍କ୍ୟୁ ଅପରେସନ୍‌ ପରେ ଯୁବକଙ୍କ ଶବ ଉଦ୍ଧାର କରିଛି।

ସୂଚନା ଅନୁଯାୟୀ ବଡମ୍ବା ନିଜିଗଡର ୪ ଜଣ ଯୁବକ ଗତକାଲି ସନ୍ଧ୍ୟାରେ ବାବା ସିଂହନାଥଙ୍କୁ ଦର୍ଶନ କରିବାକୁ ଆସିଥିବା ବେଳେ ୪ ଜଣ ଯୁବକ ନଦୀରେ ଭାସି ଯାଇଥିଲେ। ୩ ଜଣ ଯୁବକ ପହଁରି କୂଳକୁ ଆସିଥିବା ବେଳେ ଜଗବନ୍ଧୁ ମହାରଣା ପହଁରା ଜାଣିନଥିବାରୁ ଗଭୀର ଜଳରାଶିର ସ୍ରୋତରେ ଭାସିଯାଇଥିଲେ। ସ୍ଥାନୀୟ ଲୋକ ଏହା ଦେଖି ସଙ୍ଗେସଙ୍ଗେ ବଡମ୍ବା ଦମକଳ ବାହିନୀ ଏବଂ ବଡମ୍ବା ପୋଲିସକୁ ଖବର ଦେଇଥିଲେ।ଘଟଣା ସ୍ଥଳରେ ଦମକଳ ବାହିନୀ ଏବଂ ପୋଲିସ ପହଂଚି ବହୁ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ପାଇନଥିଲେ। ସନ୍ଧ୍ୟା ସମୟରେ ରେସ୍କୁ ଅପରେସନରେ ଅସୁବିଧା ହେବାରୁ ଦମକଳ ବାହିନୀ ଘଟଣା ସ୍ଥଳରୁ ଫେରିଯାଇଥିଲେ। ଆଜି ୩ ଘଣ୍ଟାର ରେସ୍କୁ ଅପରେସନ ପରେ ନିଖୋଜ ଜଗବନ୍ଧୁଙ୍କ ମୃତଦେହକୁ ଉଦ୍ଧାର କରିଥିଲା ଦମକଳ ବାହିନୀ। ଉଦ୍ଧାର ପରେ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ବଡମ୍ବା ଡାକ୍ତରଖାନାକୁ ପଠାଇ ଦିଆଯାଇଛି।