ଜମ୍ମୁ କଶ୍ମୀରରେ ଆୟୁଷ୍ମାନ ଭାରତ ପିଏମ୍‌-ଜେଏୱାଇ ସେହତ୍ କାର୍ଯ୍ୟକ୍ରମ ଡିସେମ୍ବର ୨୬ରେ ହେବ ଶୁଭାରମ୍ଭ

Published: Dec 24, 2020, 11:07 pm IST

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତମାସ ୨୬ ତାରିଖରେ ସମସ୍ତ ଜମ୍ମୁ ଓ କଶ୍ମୀରବାସୀଙ୍କ ପାଇଁ ପିଏମ୍ ଜନଆରୋଗ୍ୟ ଯୋଜନା ସେହତ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ସେହିଦିନ ମଧ୍ୟାହ୍ନ ୧୨ଟା ସମୟରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଏହି କାର‌୍ୟ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସଂପନ୍ନ ହେବ।

ଏହି ଯୋଜନାରେ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରର ସମସ୍ତ ନାଗରିକଙ୍କୁ ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯୋଗାଇ ଦିଆଯିବ। ଏହି ଯୋଜନାର ହିତାଧିକାରୀମାନେ ସ୍ୱାସ୍ଥ୍ୟବୀମା ଯୋଜନା ମାଧ୍ୟମରେ ଉତ୍ତମ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ପାଇପାରିବେ। ଏହି କାର‌୍ୟ୍ୟକ୍ରମରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ଉପସ୍ଥିତ ରହିବେ।

ଏହି ଯୋଜନା ଅନୁସାରେ ଜମ୍ମୁ କଶ୍ମୀରର ସବୁ ନାଗରିକଙ୍କୁ ସ୍ୱାସ୍ଥ୍ୟସେବା ଚିକିତ୍ସା ପାଇଁ ବୀମା ସୁବିଧା ଯୋଗାଇ ଦିଆଯିବ। ଏଥିପାଇଁ ସେମାନଙ୍କୁ ଗୋଟିଏ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ ନାହିଁ । ପରିବାର ପିଛା ୫ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ମେଡିକାଲ ଓ ଚିକିତ୍ସା ଖର୍ଚ୍ଚ ବୀମା କଂପାନୀ ବହନ କରିବେ ।

ଏହି କେନ୍ଦ୍ର ଶାସିତ ଅଞ୍ଚଳର ସବୁ ନାଗରିକଙ୍କ ପାଇଁ ଏହି ସୁବିଧା ଯୋଗାଇ ଦିଆଯାଇଥିବାରୁ ଏଥିରେ ଅତିରିକ୍ତ ପ୍ରାୟ ୧୫ ଲକ୍ଷ ପରିବାର ସାମିଲ ହେବେ । ସୂଚନାଯୋଗ୍ୟ ଯେ ଯେଉଁମାନେ ଏହି ବୀମା ସୁବିଧା ପାଇବେ ବା ପାଇଛନ୍ତି ସେମାନେ ଦେଶର ଯେକୌଣସି ସ୍ଥାନରେ ଥିବା ହସ୍‌ପିଟାଲରେ ନିଜର ଚିକିତ୍ସା ବ୍ୟବସ୍ଥା କରିପାରିବେ। ତେବେ କେବଳ ସରକାରଙ୍କ ଦ୍ୱାରା ତାଲିକାଭୁକ୍ତ ହୋଇଥିବା ଘରୋଇ ଓ ସରକାରୀ ହସପିଟାଲରେ ଏହି ସୁବିଧା ମିଳିବ।

Related posts