ଆରଡି : ଦୀର୍ଘ 9ମାସ ପରେ ଶ୍ରୀମନ୍ଦିର ସହିତ ରାଜ୍ୟର ପ୍ରାୟ ସବୁ ମନ୍ଦିର ଖୋଲିବାକୁ ଅନୁମତି ମିଳିଥିଲା । ଗତ 23 ତାରିଖରୁ ଶ୍ରୀମନ୍ଦିର ଖୋଲିଥିବାବେଳେ ଏବେ ପୁରୀ ବାସୀ ଦର୍ଶନର ସୌଭାଗ୍ୟ ପାଉଛନ୍ତି । ଆସନ୍ତା ଜାନୁଆରୀ ତିନି ତାରିଖରୁ ସର୍ବସାଧାରଣ ଦର୍ଶନ କରିପାରିବେ । ସେହିପରି ପ୍ରସିଦ୍ଧ ଆଖଣ୍ଡଳମଣୀ ମନ୍ଦିର ଖୋଲିବାକୁ ଅନୁମତି ମିଳିବା ପରେ ଆଜିଠାରୁ ବାବା ଆଖଣ୍ଡଳମଣୀ ଦର୍ଶନ ଦେଉଛନ୍ତି । ପୁରୀ ଢାଞ୍ଚାରେ ମନ୍ଦିର ଖୋଲାଯାଇ ଦର୍ଶନ ଅନୁମତି ମିଳୁଛି ।
ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଢାଞ୍ଚାରେ ଆଖଣ୍ଡଳମଣୀ ମନ୍ଦିରରେ ମଧ୍ୟ ସମାନ ବ୍ୟବସ୍ଥା କରାଯାଇଛି ।ଗତ 27 ତାରିଖରୁ ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ଖୋଲିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଏସଓପି ଜାରି କରାଯାଇ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଛି । ଏଥି ସହିତ ପ୍ରଥମେ ସେବାୟତ ଓ ସେମାନଙ୍କ ପରିବାର ଲୋକଙ୍କୁ ଦର୍ଶନ ଅନୁମତି ରହିଛି ।
ଆଜି ଓ କାଲି ଅର୍ଥାତ୍ ଡିସେମ୍ବର 28 ଓ 29 ତାରିଖରେ କେବଳ ସେବାୟତ ମାନେ ଦର୍ଶନ କରିବେ ଏବଂ ସେହିଭଳି ଡିସେମ୍ବର 30 ଓ 31 ତାରିଖରେ ସ୍ଥାନୀୟ ଲୋକମାନଙ୍କୁ ଦର୍ଶନ ଅନୁମତି ରହିଛି । ସେହିପରି ନୂଆବର୍ଷର ଗହଳିକୁ ଦେଖି ଜାନୁଆରୀ 1 ଓ 2 ତାରିଖ ଦିନ ଦର୍ଶନ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଜାନୁଆରୀ 3 ତାରିଖରୁ ରାଜ୍ୟବାସୀ ବାବା ମଣିଙ୍କର ଦର୍ଶନ କରିପାରିବେ ।