ପ୍ରମୋଦିନି ହତ୍ୟାକାଣ୍ଡ ଘଟଣା: ଏସ୍‌ଆଇଟି ଦ୍ୱାରା ପୁନଃ ଯାଞ୍ଚ ପାଇଁ ପ୍ରାର୍ଥନା କଲେ ପୀଡ଼ିତାର ମା’

Published: Jan 1, 2021, 3:31 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବହୁ ଚର୍ଚ୍ଚିତ ନୂଆଗାଁ ଦେଖାଆଳି ଗ୍ରାମର ପ୍ରମୋଦିନୀ ହତ୍ୟାକାଣ୍ଡ ଘଟଣାରେ ପୋଲିସ୍ ଗତକାଲି ଅଭିଯୁକ୍ତ ପ୍ରକାଶ ବେହେରାକୁ ପୋଲିସ୍ ଗିରଫ କରିବା ସହ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲା। ଏହି ତଥ୍ୟକୁ ଆଜି ଚାଲେଞ୍ଜ କରି ପୀଡ଼ିତାର ମା’ ରମା ନାୟକ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରିଥିଲେ। ସେ ପୂର୍ବରୁ ଯେଉଁ ଅଭିଯୁକ୍ତମାନଙ୍କୁ ତଦନ୍ତ ପରିସର ମଧ୍ୟକୁ ଆଣିବାକୁ କହିଥିଲେ ସେମାନେଙ୍କୁ ପୋଲିସ୍ କୌଣସି ପ୍ରକାରେ ତଦନ୍ତକୁ ନଆଣି କେବଳ ଜଣେ ଅଭିଯୁକ୍ତକୁ କାଠଗଡ଼ାକୁ ଆଣିବା ନେଇ ସେ ପ୍ରଶ୍ନ ଉଠାଇଛନ୍ତି।

ଅନ୍ୟପକ୍ଷରେ ହତ୍ୟାକାଣ୍ଡ ଘଟିବାର ବହୁମାସ ବିତିବା ପରେ ଜାଣିଶୁଣି ତଦନ୍ତ ପ୍ରକ୍ରିୟାକୁ ବିଳମ୍ବ କରାଯାଇଛି ଏବଂ ଏଥିରେ ଶାସକ ଦଳର ବ୍ୟକ୍ତିବିଶେଷ ସାମିଲ ଥିବାରୁ ଏଭଳି କରାଗଲା ବୋଲି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଅଭିଯୁକ୍ତ ପ୍ରକାଶ ବେହେରାଙ୍କ ଭାଇ ସଂଜୟ ବେହେରା ଗତ ୯ ଅକ୍ଟୋବର ପ୍ରମୋଦିନି ନ୍ୟାୟ ପାଇଁ ହୋଇଥିବା କ୍ୟାଣ୍ଡଲ ଶୋଭାଯାତ୍ରାରେ ସାମିଲ ଥିଲେ। ଯିଏକି ଶାସକଦଳର ଜଣେ ନେତା। ତାଙ୍କ ସହ ଆହୁରି ତିନିରୁ ଚାରି ଅପରାଧୀଙ୍କୁ କେବେ ଗିରଫ କରାଯିବ ବୋଲି ପୀଡ଼ିତାର ମା’ ପ୍ରଶ୍ନ କରିଛନ୍ତି।

ସେପଟେ ନୂଆଗାଁ ଥାନାଧିକାରୀ ମଧ୍ୟ ଅଭିଯୁକ୍ତଙ୍କ ସହ ସଂପର୍କରେ ଅଛନ୍ତି। ଯେହେତୁ ପ୍ରକାଶ, ସଂଜୟ ଶାସକ ଦଳର ଲୋକ ତେଣୁ ଥାନାଧିକାରୀ ଅପମୃତ୍ୟୁ ମାମଲା କହି ମାମଲା ରୁଜୁ କରିଥିଲେ। ପରେ ଚାପ ପଡ଼ିବାରୁ ଏହାକୁ ହତ୍ୟାକୁ ଟ୍ରାନସର୍ଫର କଲେ। କିନ୍ତୁ ଯେଉଁଦିନ ବ୍ୟବଚ୍ଛେଦ ରିପୋର୍ଟ ମିଳିଲା ସେ ଦିନ ହିଁ ଏହାକୁ ହତ୍ୟା ମାମଲାରେ ଟ୍ରାନସଫର କଲେ ନାହିଁ କାହିଁକି। ସାଇଣ୍ଟିଫିକ୍ ଟିମ୍ କିମ୍ବା ସନ୍ଧାରୀ କୁକୁରର ସାହାଯ୍ୟ ନିଆଗଲା ନାହିଁ କାହିଁକି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ପୀଡ଼ିତାଙ୍କ ମା’ଙ୍କ ସତତ ଚେଷ୍ଟା ଫଳରେ ଅଭିଯୁକ୍ତ ଗିରଫ ହୋଇଛନ୍ତି କିନ୍ତୁ ଅଧା ନ୍ୟାୟ ମିଳିଛି। ଯେଉଁଦିନ ସମସ୍ତ ଅଭିଯୁକ୍ତ ଗିରଫ ହେବେ ତେବେ ଯାଇ ତାଙ୍କ ଝିଅକୁ ନ୍ୟାୟ ମିଳିବ ବୋଲି କହିଛନ୍ତି।

ତେଣୁ ଏହି ଘଟଣାରେ ନୂଆଗାଁ ଆଇଆଇସି ଅପରାଧୀଙ୍କୁ ସହଯୋଗ କରୁଛନ୍ତି ଏବଂ ଆଗକୁ ମଧ୍ୟ କରିବେ। ତାଙ୍କ ତଦନ୍ତ ଉପରେ ଭରଷା ନାହିଁ। ତାଙ୍କୁ ବହିଷ୍କାର କରିବା ସହ ଏହି କେସକୁ ଇନକୁଆରି ଆକ୍ଟ ୧୯୫୨ ବର୍ତ୍ତମାନର ହାଇକୋର୍ଟ ଜଜ କିମ୍ବା ସିିବିଆଇକୁ ଦିଆଯାଉ ବୋଲି ପୀଡ଼ିତାର ମା’ ଏବଂ ସମାଜସେବୀ ଶ୍ରୀକାନ୍ତ ପାଢ଼ୀ ସାମ୍ବାଦିକ ସମ୍ମିଳନୀରେ କହିଥିଲେ।

Related posts