ଭୁବନେଶ୍ବର: ଜାନୁୟାରୀ ୮ରେ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ପରେ ଗାଇଡ ଲାଇନ ଜାରି କରାଯାଇଛି। କରୋନା ସମୟରେ ଛାତ୍ରଛାତ୍ରୀମାନଙ୍କ ସ୍ଵାସ୍ଥ୍ୟକୁ ଧ୍ୟାନ ଦେଖି ରାଜ୍ୟ ସରକାର ଏସଓପି ଜାରି କରିଛନ୍ତି। ତେବେ ସ୍କୁଲରେ ସାମାଜିକ ଦୂରତା ସହ ଅନେକ ନିୟମ ମାନିବାକୁ ଏସଓପି ଜାରି ହୋଇଛି। ଛାତ୍ରଛାତ୍ରୀଙ୍କୁ ସ୍କୁଲ ପହଞ୍ଚାଇବା ବ୍ୟବସ୍ଥା ଅଭିଭାବକ ନିଶ୍ଚିତ କରିବେ। ସ୍କୁଲ ଆସିବା ପାଇଁ ଛାତ୍ର ଛାତ୍ରୀଙ୍କୁ ବାଧ୍ୟତାମୂଳକ ନୁହେଁ। ସ୍କୁଲ ଭିତରେ ପ୍ରବେଶ ବେଳେ ୬ ଫୁଟର ଦୂରତା ରହିବ। କ୍ଲାସରୁମ ଭିତରେ ପିଲାଙ୍କ ମଧ୍ୟରେ ସୁରକ୍ଷିତ ଦୂରତା ରହିବ। ଗୋଟିଏ କ୍ଲାସରୁମରେ ୨୦ରୁ ୨୫ ଜଣ ପିଲା ବସିପାରିବେ। ଛାତ୍ରଛାତ୍ରୀ ଗୋଟିଏ ସିଟ ଛାଡ଼ି ଗୋଟିଏ ସିଟରେ ବସିବେ। ସ୍କୁଲ ହତାର ୧୦୦ ମିଟର ଭିତରେ କୌଣସି ଖାଦ୍ୟ ସାମଗ୍ରୀ ବିକ୍ରି ମନା।
ସେପଟେ କମନ ରୁମ ଓ ଷ୍ଟାଫ୍ ରୁମରେ ଦୂରତା ରଖିବାକୁ ନିର୍ଦ୍ଦେଶ। ହାତ ସାନିଟାଇଜ ପାଇଁ ସମସ୍ତ ଶୌଚାଳୟରେ ସାବୁନ ରଖିବାକୁ ପରାମର୍ଶ। ଶିକ୍ଷକ ଶ୍ରେଣୀ ଗୃହ ଭିତରକୁ ପଶିବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ହାତ ଧୋଇବାକୁ ଉତ୍ସାହିତ କରିବେ। ଜରୁରୀକାଳୀନ ପରିସ୍ଥିତି ପାଇଁ ସ୍କୁଲ ପରିସରରେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ ଓ ରାଜ୍ୟର କୋଭିଡ ହେଲ୍ପଲାଇନ ନମ୍ବର ଲେଖାରହିବ। ସ୍କୁଲ ପରିସରରେ ଏକ ନିର୍ଦ୍ଦିଷ୍ଟ ପୃଥକବାସ ରୁମ୍ ରହିବ। ସ୍କୁଲ ଚାଲୁଥିବା ବେଳେ ହଠାତ୍ ଯଦି କାହା ଦେହରେ କୋଭିଡ ଲକ୍ଷଣ ଦେଖାଯାଏ ତେବେ ସେଠାରେ ସେମାନଙ୍କୁ ପୃଥକ କରାଯିବ। ଘରୁ ଉଷୁମ ଓ ପୁଷ୍ଟିକର ଖାଦ୍ୟ ଆଣିବା ସହ ଏହାକୁ କାହା ସହ ନ ବାଣ୍ଟିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି।
ତେବେ କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍କୁଲ ଖୋଲିବାକୁ ଅନୁମତି। କଣ୍ଟେନମେଣ୍ଟ ଜୋନରେ ରହୁଥିବା ଛାତ୍ରଛାତ୍ରୀ, ଶିକ୍ଷକଙ୍କୁ ସ୍କୁଲ ଆସିବାକୁ ବାରଣ କରାଯାଇଛି। କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲେ ସ୍କୁଲ ତୁରନ୍ତ ବନ୍ଦ ହେବ। ସ୍କୁଲ ପରିସରର ସାଧାରଣ ସ୍ଥାନ ଗୁଡ଼ିକୁ ବାରମ୍ବାର ସାନିଟାଇଜ କରାଯିବ। ସ୍କୁଲ ଖୋଲିବା ପୂର୍ବରୁ ଶୌଚାଳୟ ଓ ପିଇବା ପାଣି ସୁରକ୍ଷିତ କରାଯିବ। ସ୍କୁଲ ପରିସରରେ ଥିବା କୌଣସି ହଷ୍ଟେଲ ଖୋଲିବାକୁ ଅନୁମତି ନାହିଁ। ଯଦି ହଷ୍ଟେଲ ଖୋଲିବା ସୁରକ୍ଷିତ ମନେକରାଯିବ ଏସଓପି ଜାରି କରାଯାଇ ହଷ୍ଟେଲ ଖୋଲା ଯାଇପାରିବ।