ମଧ୍ୟପ୍ରଦେଶରେ ତୃତୀୟ ଥର ପାଇଁ ମନ୍ତ୍ରୀମଣ୍ଡଳ ବିସ୍ତାର: ପୁଣି ସାମିଲ ହେଲେ ତୁଳସିରାମ ଓ ଗୋବିନ୍ଦ

Published: Jan 3, 2021, 5:46 pm IST

ଭୋପାଳ: ମଧ୍ୟପ୍ରଦେଶର ଶିବରାଜ ସିଂହ ଚୌହାନଙ୍କ ମନ୍ତ୍ରୀମଣ୍ଡଳରେ ଆଉ ଦୁଇ ପୁରୁଣା ଚେହେରା ସାମିଲ ହୋଇଛନ୍ତି। ତୁଳସିରାମ ସିଲାଓ୍ବଟ ଓ ଗୋବିନ୍ଦ ରାଜପୁତଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି। ରାଜଭବନରେ ଆୟୋଜିତ ଶପଥ ସମାରୋହରେ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ ଏହି ଦୁଇଜଣଙ୍କୁ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ତେବେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ଅସହଯୋଗ କରି ଯେଉଁ ୨୨ ବିଧାୟକ କଂଗ୍ରେସ ଛାଡ଼ିଥିଲେ ସେଥିରେ କମଳନାଥ ସରାକରରେ ମନ୍ତ୍ରୀ ତୁଳସିରାମ ସିଲାଓ୍ବଟ ଓ ଗୋବିନ୍ଦ ରାଜପୁତ ମଧ୍ୟ ସାମିଲ ଥିଲେ। ଗତ ୨୩ ମାର୍ଚ୍ଚରେ ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଏକ ମାସ ପରେ ଯେଉଁ ୫ ମନ୍ତ୍ରୀ ଶପଥ ନେଇଥିଲେ ସେମାନଙ୍କ ମଧ୍ୟରେ ତୁଳସିରାମ ସିଲାଓ୍ବଟ ଓ ଗୋବିନ୍ଦ ରାଜପୁତ ମଧ୍ୟ ସାମିଲ ଥିଲେ। କିନ୍ତୁ ଉପ ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ବିଧାନସଭାର ସଦସ୍ୟ ହେବାର ବାଧ୍ୟବାଧକତା ମଧ୍ୟରେ ସେମାନେ ଇସ୍ତଫା ଦେଇଥିଲେ।

୧୦ ନଭେମ୍ବରରେ ଉପ ନିର୍ବାଚନ ଫଳାଫଳ ଆସିବା ପରେ ସିଲାଓ୍ବଟ ଓ ରାଜପୁତ ପୁଣିଥ​‌ରେ ମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଲାଗି ରହିଥିଲେ। ଏଥିପାଇଁ ଖୋଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭୋପାଳରେ ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ୩ ଥର ଭେଟିଥିଲେ। କିନ୍ତୁ ବେଜିପର ପୂରୁଣା ନେତା ଏହାକୁ ବିରୋଧ କରିଥିଲେ। ପରେ ଅସନ୍ତୁଷ୍ଟ ନେତାଙ୍କ ସହ ଆଲୋଚନା କରି ଶିବରାଜ ରାସ୍ତା ବାହାର କରିଥିଲେ। ତେବେ ଶିବରାଜଙ୍କ ମନ୍ତ୍ରୀମଣ୍ଡଳର ଏହା ହେଉଛି ତୃତୀୟ ବିସ୍ତାର।

Related posts