ଟାଙ୍ଗୀରେ ଅଗ୍ନିକାଣ୍ଡ: ୪ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

Published: Jan 5, 2021, 12:45 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଉଜ୍ୱଳା ଗୋପିନାଥପୁର ଗ୍ରାମପଞ୍ଚାୟତ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ୪ ବଖରା ଘର ପୋଡି ସଂପୂର୍ଣ୍ଣ ପାଉଁଶ ହୋଇଯାଇଛି।

ସୂଚନା ଅନୁଯାୟୀ, ଗତକାଲି ରାତି ୮ ଟା ସମୟରେ କାଟୋଲାକୋଟ ଗ୍ରାମର ବଳରାମ ଦାଶ ଓ କାହ୍ନୁରାମ ଦାଶଙ୍କ ଘରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ବଳରାମ ଓ କାହ୍ନୁରାମଙ୍କ ୪ ବଖରା ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା। ଇଲେକ୍ଟ୍ରି ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଅଗ୍ନିକାଣ୍ଡରେ ଘରେ ରଖିଥିବା ସମସ୍ତ ଦରକାରୀ ସ୍କୁଲ ସାର୍ଟିଫିକେଟ, ଜମିବାଡ଼ି କାଗଜପତ୍ର, ସୁନାରୂପା, ଘର ତୋଳିବାକୁ ରଖିଥିବା ନଗଦ ପଚାଶ ହଜାର ଟଙ୍କା ଓ ଘର କରଣା ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି।

ଖବର ପାଇ ଟାଙ୍ଗୀ ଅଗ୍ନିଶମ ବିଭାଗ ଅଧିକାରୀ ଅଭିନାଶ ପୃଷ୍ଟି ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ୪ ଘଣ୍ଟା ଉଦ୍ୟମ ପରେ ରାତି ପ୍ରାୟ ୧୨ ଟା ସମୟରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲା। ବର୍ତ୍ତମାନ ସୁଦ୍ଧା ସରକାରୀ କର୍ମଚାରୀ ଅଗ୍ନି ପିଡୀତଙ୍କ ପାଖରେ ପହଞ୍ଚି ନଥିବା ଜଣାପଡିଛି। ଅଗ୍ନି ବିପନ୍ନ ପରିବାର ମାନଙ୍କ ପାଖରେ ପିନ୍ଧିଥିବା ଲୁଗାପଟାକୁ ଛାଡିଦେଲେ ଅନ୍ୟ ସବୁ ପୋଡି ପାଉଁଶ ହୋଇଯାଇଛି। ସରକାରୀ ସହାୟତା ଅଗ୍ନିପିଡିତାଙ୍କ ପାଖରେ ପହଞ୍ଚିବା ପାଇଁ ସାଧାରଣରେ ଦାବି ହେଉଛି।

Related posts