ଦେଶରୁ ଆଶଙ୍କା ଦୂର କରିବା ଲାଗି ପ୍ରଧାନମନ୍ତ୍ରୀ ପ୍ରଥମେ ଟିକା ନିଅନ୍ତୁ: ଅଜିତ୍ ଶର୍ମା

Published: Jan 5, 2021, 1:59 pm IST

ପାଟଣା: ଦେଶରେ କରୋନା ଟିକାର ମାନବ ଦେହରେ ଜରୁରୀକାଳିନ ବ୍ୟବହାର ଲାଗି ମଞ୍ଜୁରୀ ମିଳିଛି। ଏନେଇ ସାରା ଦେଶରେ ଖୁସିର ବାତାବରଣ ସୃଷ୍ଟି ହୋଇଥିବା ବେଳେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଭାରତକୁ ପ୍ରଶଂସା କରିଛି। ତେବେ ଏହାକୁ ନେଇ ମଧ୍ୟ ରାଜନୀତି ଆରମ୍ଭ ହୋଇଯାଇଛି। ସମାଜବାଦୀ ପାର୍ଟି ର ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏହା ବିଜେପିର ଟିକା, ଏହାକୁ ସେ ନେବେ ନାହିଁ ବୋଲି କହିଛନ୍ତି। ସେପଟେ ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ଏହା କୌଣସି ଦଳର ଟିକା ନୁହଁ, ଏହାକୁ ସେ ନେବେ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି। ଏହିପରି ଭାବରେ କୋଭାକ୍ସିନ ଟିକାର ମଞ୍ଜୁରୀ ଉପରେ କଂଗ୍ରେସର କେତେଜଣ ନେତା ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ତେବେ ବିହାରର କଂଗ୍ରେସ ନେତା ତଥା ବିଧାୟକ ଅଜିତ୍ ଶର୍ମା ଏହି ଟିକାକୁ ନେଇ ଏକ ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ଯେ, ଯେପରି ରୁଷିଆ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ୍ ଓ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ଦେଶର ଟିକାକରଣ ସମୟରେ ଟିକା ନେଇଥିଲେ, ସେହିପରି ଆମ ପ୍ରଧାନମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ ଟିକା ନେବା ଆବଶ୍ୟକ। ଯଦ୍ୱାରା ଦେଶର ଜନସାଧାରଣଙ୍କ ମନରେ ଆସ୍ଥା ସୃଷ୍ଟି କରିବ। ଦେଶରେ ଦୁଇଟି ଟିକାକୁ ମଞ୍ଜୁରୀ ମିଳିବା ଖୁସିର କଥା। କିନ୍ତୁ ଏହି ଟିକାର ସଫଳତା ନେଇ ଆଶଙ୍କା ଦେଖାଦେଇଛି। ତେଣୁ ଲୋକଙ୍କ ମନରୁ ସନ୍ଦେହ ଦୂର କରିବା ଲାଗି ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ସହ ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ଏହି ଟିକା ନେବା ଉଚିତ ବୋଲି ସେ କହିଛନ୍ତି।

Related posts