ରାଜସ୍ଥାନର ଯୋଧପୁରଠାରେ ଭାରତୀୟ ବାୟୁସେନାର ଏକ ମିଗ-୨୭ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି। ତେବେ ବିମାନର ପାଇଲଟ ପାରାଚ୍ୟୁଟ ଯୋଗେ ସୁରକ୍ଷିତ ଭାବେ ଓହ୍ଲାଇବାରେ ସଫଳ ହୋଇଛନ୍ତି। ଅଧିକାରୀଙ୍କ କହିବା ଅନୁସାରେ ବିମାନ ଦୁର୍ଘଟଣାରେ ଧନଜୀବନର କୌଣସି କ୍ଷତି ହୋଇନାହିଁ। ଏହି ମାମଲାର ତଦନ୍ତ ନିର୍ଦେଶ ଦିଆଯାଇଛି। ମିଗ-୨୭ ଯୁଦ୍ଧ ବିମାନ ସିରୋହିର ଗୋଣ୍ଡାନା ଶିବଗଞ୍ଜ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ ନିୟମିତ ଅଭିଯାନ ପାଇଁ ବାୟୁ ସେନା ଘାଟିରୁ ସକାଳ ପ୍ରାୟ ୧୧ଟା ୪୫ ସମୟରେ ବିମାନଟି ଉଡ଼ାଣ ଭରିଥିଲା। କିଛି ସମୟ ପରେ ପାଇଲଟଙ୍କୁ ବିମାନ ଇଞ୍ଜିନ ଖରାପ ଥିବାର ସଂକେତ ମିଳିଥିଲା। ଏହାପରେ ପାଇଲଟ ସୁରକ୍ଷିତ ଭାବେ ବିମାନରୁ ବାହାରି ଯାଇଥିଲେ। କିଛି ଦୂର ଯିବା ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡ଼ିଥିଲା। ଏହାର ତଦନ୍ତ ନିର୍ଦେଶ ଦିଆଯାଇଛି ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ରାଜସ୍ଥାନର ବିକାନେର ଜିଲାରେ ବାୟୁସେନାର ଏକ ମିଗ-୨୭ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।



