
ମାଲକାନଗିରି: ମାଲକାନାଗିରିର ସୀମାନ୍ତ ଛତିଶିଗଡର ଦନ୍ତେୱାଡାରେ ୧୪ ଜଣ କୁଖ୍ୟାତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏନେଇ ଦନ୍ତେୱାଡା ଏସ ପି ଅଭିଷେକ ପଲ୍ଲବ ସୂଚନା ଦେଇଛନ୍ତି। ଏହା ଫଳରେ ମାଓ ସଂଗଠନକୁ ବଡ଼ ଝଟକା ଲାଗିଛି। ଆତ୍ମସମର୍ପଣ କରିଥିବା ୧୪ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାମରେ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ଥିଲା। ମାଓ ସଂଗଠନରୁ ଅତିଷ୍ଠ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଏମାନେ ଆତ୍ମସମର୍ପଣ କରିଥିବା କହିଛନ୍ତି ଦନ୍ତେବଡା ଏସ ପି ଅଭିଷେକ ପଲ୍ଲବ।
ଅସ୍ତ୍ର ତ୍ୟାଗ କରିବା ମାତ୍ରେ ଏମାନଙ୍କୁ ୧୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ଏମାନେ ଗତକାଲି ସନ୍ଧ୍ୟାରେ କିରାନ୍ଦୁଲ୍ ଥାନାରେ ଆତ୍ମସମର୍ପଣ କରିଛନ୍ତି। ପୋଲିସର ମାଓ ମୁକ୍ତ ଅଞ୍ଚଳ ଅଭିଯାନ ପାଇଁ ଏହା ଏକ ବଡ଼ ସଫଳତା। ତେବେ ଅହୁରି ଅନେକ ମାଓବାଦୀ ଆତ୍ମସମର୍ପଣ କରି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପ୍ରସ୍ତୁତ ହୋଉଥିବା ପୋଲିସ ସଚନାରୁ ଜଣାପଡ଼ିଛି।