Categories
ଆଜିର ଖବର ରାଜ୍ୟ ଖବର

ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀରେ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ

ଭୁବନେଶ୍ଵର: ଆଜି ପୂର୍ବାହ୍ନରେ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀ (BPSPA) ଠାରେ ୭ମ ବ୍ୟାଚ ଡିଏସପି (ପ୍ରୋବେସନର) ଏବଂ ୧୧ତମ ବ୍ୟାଚ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ଯୋଗ ଦେଇ ଦେଶ, ସମାଜ ତଥା ସାଧାରଣ ଜନତାଙ୍କୁ ଉପଯୁକ୍ତ ସେବା, ସୁରକ୍ଷା ଏବଂ ନିରାପତ୍ତା ପ୍ରଦାନ କରିବା ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ପ୍ରତିକୂଳ ପରିସ୍ଥିତି ସମୟରେ ସାଧାରଣ ଜନତାଙ୍କ ପ୍ରତି ସହାନୁଭୁତି, ଦୟା ଏବଂ ପରୋପକାର ମନୋଭାବ ପ୍ରଦର୍ଶନ କରିବାକୁ ଡିଜିପି ମତପ୍ରକାଶ କରିଛନ୍ତି। ଏକ ନୂତନ ଆଶା, ଉତ୍ସାହ ଏବଂ ଉଦ୍ଦୀପନାର ସହ କାର୍ଯ୍ୟ କ୍ଷେତ୍ରରେ ଯୋଗଦେଇ ରାଜ୍ୟ ପୋଲିସ ପାଇଁ ସୁନାମ ଆଣିବାକୁ ଡିଜିପି ଶ୍ରୀ ବଂସଲ କ୍ୟାଡେଟ ମାନଙ୍କ ଉଦ୍ଦେଶ୍ୟରେ ମତବ୍ୟକ୍ତ କରିଥିଲେ।

ମହିଳା ଏବଂ ଶିଶୁଙ୍କ ବିରୋଧରେ ଘଟୁଥିବା ଅପରାଧକୁ ସଂବେଦନଶୀଳତା ଓ ନିରପେକ୍ଷତାର ସହ କାର୍ଯ୍ୟ କରିବାକୁ ଡିଜିପି ପରାମର୍ଶ ଦେଇଛନ୍ତି। ମାଓବାଦୀ ମୁକାବିଲାରେ ରାଜ୍ୟ ପୋଲିସର ଭଲ ପ୍ରଦର୍ଶନ ଯୋଗୁଁ ସେମାନଙ୍କର ବିସ୍ତାର ଏବଂ ପ୍ରଭାବ ହ୍ରାସ ପାଇଛି। ତଥାପି ଆଗାମୀ ଦିନରେ ନେତୃତ୍ଵ ନେଇ ପ୍ରଭାବିତ ଅଞ୍ଚଳରେ ସ୍ଥାନୀୟ ବାସିନ୍ଦାଙ୍କ ହୃଦୟ ଜିତିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଡିଜିପି ଆହ୍ଵାନ ଦେଇଥିଲେ।

ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରତ୍ଯକ୍ଷ ଡିଏସପି ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହେଉଛି ଏବଂ ଭବିଷ୍ୟତରେ ଏହି ଅଧିକାରୀମାନେ ପୋଲିସ ବିଭାଗର ନେତୃତ୍ଵର ଦାୟିତ୍ଵକୁ ସୂଚାରୁରୂପେ ସମ୍ପାଦନ କରିବେ ବୋଲି ଡିଜିପି ଶ୍ରୀ ବଂସଲ ଆଶାବ୍ୟକ୍ତ କରିଛନ୍ତି। ଏହି ଏକାଡେମୀରୁ ପାସ କରିଥିବା ପୂର୍ବ ବ୍ୟାଚର ଡିଏସପି ମାନେ ବୃତ୍ତିଗତ କ୍ଷେତ୍ରରେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି ବୋଲି ଡିଜିପି କହିଥିଲେ। ରାଜ୍ୟ ସରକାର ପୋଲିସ ନିଯୁକ୍ତି ବୋର୍ଡ ଗଠନ କରି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି। ୨୦୨୩ ମସିହାରେ ୪୬୦୦ରୁ ଅଧିକ କନେଷ୍ଟବଳଙ୍କୁ ନିଯୁକ୍ତ ହୋଇଛନ୍ତି ଏବଂ ସେମାନଙ୍କ ତାଲିମ ଶେଷ ପରେ ପୋଲିସ ଫୋର୍ସରେ ଖୁବଶୀଘ୍ର ଯୋଗଦେବାକୁ ଯାଉଛନ୍ତି ବୋଲି ସେ କହିଥିଲେ। ସେହିପରି ୪୭୦ ସବ୍-ଇନ୍ସପେକ୍ଟରଙ୍କ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି ବୋଲି ଡିଜିପି ଶ୍ରୀ ବଂସଲ ସୂଚନା ଦେଇଥିଲେ।

ସାରା ଭାରତ ବର୍ଷରେ ବିଜୁପଟ୍ଟନାୟକ ଷ୍ଟେଟ ପୋଲିସ ଏକାଡ଼େମୀର ସ୍ଵତନ୍ତ୍ର ପରିଚୟ ସମ୍ପର୍କରେ ଡିଜିପି ଶ୍ରୀ ବଂସଲ ମତବ୍ୟକ୍ତ କରିବା ସହ ଅନ୍ୟ ରାଜ୍ୟମାନଙ୍କ ପାଇଁ ଏହି ପୋଲିସ ଏକାଡେମୀ ଆଦର୍ଶ ପାଲଟିଛି ବୋଲି କହିଥିଲେ। ୨୦୨୦-୨୧ ମସିହାରେ ଶ୍ରେଷ୍ଠ ପୋଲିସ ତାଲିମକେନ୍ଦ୍ର ଭାବେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଟ୍ରଫି ହାସଲ କରି ଏକ ସ୍ଵର୍ଣ୍ଣୀମ ଅଧ୍ୟାୟ ସୃଷ୍ଟି କରିଛି। ଏହି ଏକାଡ଼େମୀରେ ପ୍ରଦାନ କରାଯାଇଥିବା ତାଲିମ ଆଗାମୀ ଦିନରେ ନବନିଯୁକ୍ତ ଅଧିକାରୀ ମାନଙ୍କୁ ଆହୁରି ଦାୟିତ୍ଵବାନ ଏବଂ କର୍ତ୍ତବ୍ୟ ସମ୍ପାଦନ କରିବାରେ ସହାୟକ ହେବ ବୋଲି ଡିଜିପି ଆଶବ୍ୟକ୍ତ କରିଥିଲେ।

ଏହି ଦୀକ୍ଷାନ୍ତ ସମାରୋହରେ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀ (BPSPA) ର ନିର୍ଦ୍ଦେଶକ ତଥା ସ୍ଵତନ୍ତ୍ର ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀ, ଆଇଜିପି ଶ୍ରୀମତୀ ସାଇନି ଏସ୍ ଙ୍କ ସମେତ ପୋଲିସ ବିଭାଗର ବହୁ ବରିଷ୍ଠ ପଦଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଡିଏସପି (ପ୍ରୋବେସନର) ଏବଂ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରଙ୍କ ଦ୍ଵାରା ଚିତ୍ତାକର୍ଷକ ପ୍ୟାରେଡ ପ୍ରଦର୍ଶନ କରାଯାଇଥିଲା। ଟ୍ରେନିଂ ସମୟରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଡିଏସପି (ପ୍ରୋବେସନର) ସୁଚିସ୍ମିତା ଦାସ, ଲରେନ ରାଉତରାୟ, ପ୍ରଦୋଷ ପ୍ରଧାନ, ପିପି ଶୁଭ୍ରଜିତ ବିଶ୍ଵାଳ, ମେରଶୀ ରାଣୀ ପୂର୍ତ୍ତି ଙ୍କୁ ଡିଜିପି ସମ୍ବର୍ଦ୍ଧିତ କରିଥିଲେ l ସେହିପରି କ୍ୟାଡେଟ୍ ସବ୍-ଇନ୍ସପେକ୍ଟର ସସ୍ମିତା ବେହେରା, କାଜଲ ବାଗ, ପ୍ରିୟଙ୍କା ସାହୁ, ସୂରଜ କଂସାରଲି, ପ୍ରିୟଦର୍ଶିନୀ ବରାଳ, ହେମାରାଣୀ ଶର୍ମା, ସୂଜିତ କୁମାର ମହାନ୍ତ, ଶୁଭକାନ୍ତ ସ୍ଵାଇଁ, ସମୀର ଶେଖର ଜୟସିଂ ଙ୍କୁ ଡିଜିପି ଟ୍ରଫି ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଛତିଶଗଡରେ ମାଓବାଦୀଙ୍କ ବର୍ବରତା ପରେ ଓଡିଶାର ତିନୋଟି ଜିଲ୍ଲାରେ ହାଇଆଲର୍ଟ

ଭୁବନେଶ୍ବର: ଗତକାଲି ଛତିଶଗଡର ଦାନ୍ତେୱାଡାରେ ମାଓବାଦୀଙ୍କ ବର୍ବରତା ପରେ ଓଡିଶାର ହାଇଆଲର୍ଟ ଜାରୀ କରାଯାଇଛି। କୋରାପୁଟ, ନବରଙ୍ଗପୁର ଏବଂ ମାଲକାନାଗିରିରେ ଏହି ହାଇ ଆଲର୍ଟ ଜାରୀ କରାଯାଇଛି। ଦାନ୍ତେୱାଡାରୁ ପଡୋଶୀ ଜିଲ୍ଲାକୁ ମାଓବାଦୀମାନେ ଖସି ପଳାଇ ଆସିବାର ସମ୍ଭାବନା ରହିଥିବାରୁ ତାଙ୍କ ଗତିବିଧୀ ଉପରେ ତୀକ୍ଷ୍ମ ନଜର ରଖାଯାଇଛି।

ଏହି ଜିଲ୍ଲାଗୁଡିକର ସୀମା ସିଲ କରାଯିବା ସହିତ ଯାନବାହନସବୁ କଡା ଯାଞ୍ଚ କରାଯାଉଛି।ଗତକାଲି ଛତିଶଗଡ ଦାନ୍ତେୱାଡରେ ମାଓବାଦୀଙ୍କ ଆକ୍ରମଣରେ ଦଶ ଜଣ ଯବାନ ସହିଦ ହୋଇଛନ୍ତି। ଦୀର୍ଘମାସ ପରେ ମାଓବାଦୀଙ୍କର ଏହା ହେଉଛି ଏକ ବଡ ଧରଣର ଆକ୍ରମଣ। ଯବାନଙ୍କ ଗତିବିଧୀକୁ ଲକ୍ଷ୍ୟ ରଖି ମାଓବାଦୀ ପଚାଶ କେଜି ବିସ୍ପୋରକ ଦ୍ରବ୍ୟ ମାଟିରେ ପୋତି ରଖିଥିଲେ। ସେହି ରାସ୍ତାରେ ଯବାନଙ୍କ ଗାଡି ଯିବା ପରେ ପ୍ରଚଣ୍ଡ ବିସ୍ପୋରଣ ହୋଇଥିଲା।

ସେହି ଘଟଣା ସ୍ଥଳରେ ଦଶ ଜଣ ଯବାନ ମୃତ୍ୟୁବରଣ କରିବା ସହିତ ଜଣେ ବେସରକାରୀ ଡ୍ରାଇଭର ମଧ୍ୟ ମୃତ୍ୟୁବରଣ କରିଛନ୍ତି। ଘଟଣାରୁ ଜଣାପଡିଛି ଯେ, ଦାନ୍ତେୱାଡାରେ ମାଓବାଦୀମାନେ ଲୁଚି ରହିଛନ୍ତି ବୋଲି ଖବର ପାଇଁ ଯବାନମାନେ ସର୍ଚ୍ଚ ଅପରେସନରେ ଏକ ଗାଡି ଭଡା କରି ଯାଇଥିଲେ। ହେଲେ ଏହି ଖବର ମାଓବାଦୀମାନେ ଜାଣିବା ପରେ ସତର୍କ ହେବା ସହିତ ସେମାନେ ଫେରିବା ବାଟରେ ଏହି ବିସ୍ପୋରକ ଦ୍ରବ୍ୟ ରଖିଥିଲେ।

ଯବାନଙ୍କ ଗାଡି ସେହି ରାସ୍ତାରେ ଯିବା ପରେ ସେଠାରେ ପ୍ରଚଣ୍ଡ ଶଦ୍ଦ ହେବା ସହିତ ଗାଡିଟି ଉପରକୁ ପ୍ରାୟ କୋଡିଏ ଫୁଟ ଉପରକୁ ଉଠିଯାଇ ଛିନଛତ୍ର ହୋଇଯାଇଥିଲା। ଗାଡି ଖଣ୍ଡଖଣ୍ଡ ହୋଇ ପ୍ରାୟ ଦେଢଶହ ମିଟର ପର୍ଯ୍ୟନ୍ତ ପଡିଥିଲା। ଯେଉଁ ସ୍ଥାନରେ ବିସ୍ପୋରଣ ହୋଇଥିଲା ସେଠାରେ ଏକ ବିରାଟ ଗାତ ସୃଷ୍ଟି ହୋଇଥିବାର ଜଣାପଡିଛି।

ଏହି ଘଟଣା ପରେ ଛତିଶଗଡ ପୋଲିସ ଗତକାଲି ରାତିରୁ ସର୍ଚ୍ଚ ଅପରେସନ ଜୋରଯାର କରିଛି। ସେମାନଙ୍କ ଉପରେ ତୀକ୍ଷ୍ମ ନଜର ରଖାଯିବା ସହିତ ପଡୋଶୀ ଜିଲ୍ଲାକୁ ମଧ୍ୟ ସତର୍କ ରହିବା ପାଇଁ କୁହାଯାଇଛି। ଏହି ଘଟଣା ପରେ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦୀର୍ଘ ଦିନର ବ୍ୟବଧାନ ପରେ କଳାହାଣ୍ଡିରେ ମାଓବାଦୀଙ୍କ ସ୍ଥିତି ଜାହିର

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ମାଓ ତାଣ୍ଡବ ଦିନ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି। ଜିଲ୍ଲାରେ ମାଓ ବାହୀନି ନିଜର ସ୍ଥିତି ଜାହିର କରୁଥିବା ବେଳେ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ, ପୋଡାଜଳା ଭଲି ଛିଟ ବଡ ଘଟଣା ନଜରକୁ ଆସୁଛି।

ଇତି ମଧ୍ୟରେ କେତେକ ମାଓବାଦୀ ଆତ୍ମ ସମର୍ପଣ କରି ସମାଜର ମୂଖ୍ୟ ସ୍ରୋାତରେ ସାମିଲ ହେଉଥିଭା ବେଳେ ନିକଟ ଅତୀତରେ ପୁଣି ଥରେ ମାଓବାଦୀ ମାନେ ସେମାନଙ୍କ ସ୍ଥିତି ଜାହିର କରିଥିବା ଜଣାପଡିଛି। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଯୁଗସାଇପାଟଣା ପୋଖରୀ ଘାଟି ମାନସ୍କା ପ୍ରଧାନ ମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣରେ।

ଏଠାରେ ନିୟୋଜିତ ଟ୍ରାକ୍ଟର, ଟିପର ଓ ଜେସିବି ମେସିନକୁ କୁ ସିପିଆଇ ମାଓବାଦୀ ଓଡିଶା ରାଜ୍ୟ କମିଟି ପକ୍ଷରୁ ପୋଡି ଦିଆଯାଇଥିବା ବେଳେ ରାସ୍ତା କାମକୁ ବିରୋଧ କରି ମାଓବାଦୀ ସଂଗଠନ ପକ୍ଷରୁ ପୋଷ୍ଟର ଲଗା ଯାଇଛି। ୨୦୧୮ ମସିହା ପରେ ମାଓ ସଂଗଠନ ର ଏହା ଏକ ବଡ଼ ହିଂସାକାଣ୍ଡ। ଏହି ରାସ୍ତା କାମ ଭବାନୀପାଟଣା ର ଠିକାଦାର ପ୍ରମୋଦ ପଟନାୟକ କରୁଥିଲେ ବୋଲି ଜଣା ପଡ଼ିଛି। ଘଟଣା ପରେ ସିଆରପିଏଫ ଓ ପୋଲିସ ପକ୍ଷରୁ କୁମ୍ବିଂ କୁ ଜୋରଦାର କରାଯାଇଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ପୋଲିସ ଦ୍ୱାରା ମାଓବାଦୀ ପ୍ରେମୀ ଯୁଗଳଙ୍କ ବିବାହ ଆୟୋଜିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଭବାନୀପାଟଣା ସହରସ୍ଥିତ ପୋଲିସ ପଡିଆ ମନ୍ଦିର ପ୍ରାଙ୍ଗଣରେ ଆତ୍ମ ସମର୍ପଣ କରିଥିବା ମାଓନେତା ଙ୍କର ବିବାହ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ପୋଲିସ ଏସପି ଡଃ ଶ୍ରବଣ ବିବେକ ଏମ ଆଇପିଏସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ବିବାହ କାର୍ଯ୍ୟକ୍ରମରେ କୋରାପୁଟ ଡିଆଇଜି ରାଜେଶ ପଣ୍ଡିତ ଆଇପିଏସ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଆଶୀର୍ବାଦ କରିଥିଲେ। ସିଆରପିଏଫ କମାଣ୍ଡାଂଟ ବିପ୍ଲବ ସରକାର ଏବଂ କଳାହାଣ୍ଡି ଜିଲ୍ଲାର ବରିଷ୍ଠ ପୋଲିସ ପଦାଧିକାରୀ ଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ଉପସ୍ଥିତିରେ ଆତ୍ମ ସମର୍ପଣ କରିଥିବା ମାଓ ନେତା କେଶବ ବେଲାଡି ଓରଫ ରାମଦାସ ଏବଂ କଲମଦେଇ ମାଝୀ ଓରଫ ଗୀତା ର ରୀତି ନୀତି ଅନୁସାରେ ବିବାହ ସଂପନ୍ନ ହୋଇଥିଲା।

ସିପିଆଇ ମାଓବାଦୀ ଗୋଷ୍ଠୀର କେକେବିଏନ ଡିଭିଜନ ସଦସ୍ୟ ଏସିଏମ କ୍ୟାଡର ମାଓ ନେତା ଗତ ତା.୧୮.୦୨.୨୦୨୦ ରେ ଆତ୍ମ ସମର୍ପଣ କରିଥିବା ବେଳେ ଓଡିଶା ସରକାରଙ୍କ ନିୟମ ଅନୁସାରେ ସମସ୍ତ ସୁବିଧା ସୁଯୋଗ ଏବଂ ୩ ଲକ୍ଷ ୯୮ ଟଙ୍କା ଅନୁକମ୍ପା ମୂଲକ ସାହାଯ୍ୟ ଯୋଗାଇ ଦିଆଯାଇଥିବାର ପ୍ରକାଶ। ସେହିପରି କମଲ ଦେଇ ଓରଫ ଗୀତା ବିଜିଏନ ଡିଭିଜନ ମାଓବାଦୀ ଗୋଷ୍ଠୀର ସଦସ୍ୟ ଥିବା ବେଳେ ଗତ ୦୫.୦୧.୨୦୧୬ ରେ ଆତ୍ମ ସମର୍ପଣ କରିଥିବା ବେଳେ ତାଙ୍କୁ ମଧ୍ୟ ଓଡିଶା ସରକାରଙ୍କ ନିୟମ ଅନୁସାରେ ସମସ୍ତ ସୁବିଧା ସୁଯୋଗ ଏବଂ ୨ଲକ୍ଷ ୯୮ ଟଙ୍କା ଅନୁକମ୍ପା ମୂଲକ ସାହାଯ୍ୟ ଯୋଗାଇ ଦିଆଯାଇଥିବାର ପ୍ରକାଶ। ପଡୋଶୀ ଛତିଶ ଗଡ ରାଜ୍ୟର ବିଜେପୁର ଜିଲ୍ଲାର ଏକ ଗରିବ ପରିବାର ରୁ ଆସିଥିବା ରାମଦାସ ନିଜ ପରିବାରରେ ଦୁଇ ଭଉଣି ଓ ଜଣେ ଭାଇ ଥିବା ବେଳେ ସେମାନଙ୍କ ସତ ତାର ପରିବାର ଲୋକଙ୍କୁ ରାମଦାସ ୧୦ ବର୍ଷ ହେବ ସାକ୍ଷାତ କରିନଥିବା ଏବଂ କଳାହାଣ୍ଡି ପୋଲିସ ପାଖରେ ଆତ୍ମ ସମର୍ପଣ କରିବା ପରେ ହିଁ ସାକ୍ଷାତ ସମ୍ଭବ ହୋଇପାରିଥିବା ପ୍ରକାଶ।

ରାମଦାସର ବାପାଙ୍କର ମୋତିଆ ବିନ୍ଦୁ ଅପରେସନ ସମୟରେ ରାମଦାସ ଓ କମଲଦେଇର ପରିବାର ଏକାଠି ମିଶିବା ପରେ ଉଭୟଙ୍କ ବିବାହ ସଂପର୍କରେ ଆଲୋଚନା କରି ଉଭୟେ ରାଜି ହେବାପରେ ସେମାନଙ୍କ ବିବାହ ଆୟୋଜନ କରାଯାଇଥିବା ଜଣାପଡିଛି। ଉଭୟେ ଆତ୍ମ ସମର୍ପଣ କରିବା ପରେ ସମାଜରେ ମୂଖ୍ୟ ସ୍ରୋାତରେ ସାମିଲ ହୋଇ କର୍ମସଂସ୍ଥାନ ବ୍ୟବସ୍ତା ପାଇଁ କଳାହାଣ୍ଡି ପୋଲିସ ହେପାଜତରେ ସେମାନଙ୍କ ଇଚ୍ଛା ଅନୁସାରେ ଭୋକେସନାଲ ଟ୍ରେନିଂ କରାଯିବାର ବ୍ୟବସ୍ଥା କରାଯାଇଥିଲା। ମାଓବାଦୀ କାର୍ଯ୍ୟକଳାପରୁ ଦୂରେଇ ରହି ସମାଜର ମୂଖ୍ୟ ସ୍ରୋତରେ ସାମିଲ ହେବା ଲକ୍ଷ୍ୟ ନେଇ ଆଗେଇ ଆସିଥିବା ଉଭୟଙ୍କ ର ବର-କନ୍ୟା ଭଲି ସଂପୂର୍ଣ୍ଣ ଭାବେ ସଜାଇ ହୋଇ ବିବାହ ବେଦୀ ମଣ୍ଡପ ଭୋଜିଭାତର ଆୟୋଜନ କରାଯାଇ କଳାହାଣ୍ଡି ପୋଲିସ ଦ୍ୱାରା ଏକ ସାମାଜିକ ବିବାହ ଉତ୍ସବ ଭଲି ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ପ୍ରଶଂସନୀୟ ହୋଇଥିଲା।

ପୋଲିସ ହେପାଜତରେ ମାଓବାଦୀ ରୁ ସମାଜର ମୂଖ୍ୟ ସ୍ରୋାତରେ ସାମିଲ ହେବାର ଯେଉଁ ମାନସିକ ପରିବର୍ତନ ରେ ଉଭୟ ପୋଲିସ ପଦାଧିକାରୀ ଓ ସରକାରଙ୍କ ଭୂମିକାରେ ଅତ୍ୟନ୍ତ ଉତଫୁଲ୍ଲିତ ହୋଇ ଅନ୍ୟ ମାଓବାଦୀ ମାନଙ୍କୁ ସେଭଲି ଘୃଣ୍ୟ କାର୍ଯ୍ୟ କଳାପରୁ ବାହାରି ଆସି ସମାଜର ମୂଖ୍ୟ ସ୍ରୋାତରେ ସାମିଲ ହେବାକୁ ସେମାନେ ଆହ୍ୱାନ ଜଣାଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି: ମାଓବାଦୀଙ୍କ ସହ ସମ୍ପର୍କ ଓ ମାଓ ସାମଗ୍ରୀ ଯୋଗାଇବା ଅଭିଯୋଗରେ ୩ ଗିରଫ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ମାଓବାଦୀଙ୍କ ସହ ଯୋଗାଯୋଗ ଓ ସେମାନଙ୍କୁ ମାଓ ସାମଗ୍ରୀ ଯୋଗାଇବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି କଳାହାଣ୍ଡି ପୋଲିସ। ଗିରଫ ଅଭିଯୁକ୍ତ ନର୍ଲା ଥାନା ଅନ୍ତର୍ଗତ ଲାଞ୍ଜିଗଡ଼ ରୋଡ ଗାଁର ପ୍ରବୀଣ ରାଉତ ଓରଫ କବି, ପ୍ରତିଦାନ ରାଉତ ଏବଂ ଅନୁଗୁଳ ଜିଲ୍ଲାର ଶକ୍ତି ସାମନ୍ତ ଦଳ ବେହେରା। ଏମାନେ କେକେବିଏନ ଡିଭିଜନ ମାଓ ସଂଗଠନକୁ ୱାକିଟକି, ମୋବାଇଲ ଫୋନ୍ ଆଦି ସାମଗ୍ରୀ ଯୋଗାଇ ଆସୁଥିବା ଅଭିଯୋଗ ହୋଇଛି।

ଅଭିଯୁକ୍ତ ପ୍ରବୀଣ ରାଉତ ଓରଫ କବି ମାଓ ସଂଗଠନର ଜଣେ ସକ୍ରିୟ ମିଲିସିଆ ସଦସ୍ୟ। ସେପଟେ ଶକ୍ତି ସାମନ୍ତ ଦଳ ବେହେରା ଅନୁଗୁଳ ଜିଲ୍ଲାରୁ ଆସି ଲାଞ୍ଜିଗଡ଼ ରୋଡରେ ରହୁଥିଲା। ଏମାନେ ମାଓ ସଂଗଠନକୁ ସୁଦୃଢ କରିବା ପାଇଁ ଅନୁଦାନ ସଂଗ୍ରହ ସହ ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ମଧ୍ୟ ମାଓ ସଂଗଠନକୁ ଯୋଗାଇ ଆସୁଥିବା ନେଇ ଅଭିଯୋଗ ରହିଛି।

ଏନେଇ ନର୍ଲା ଥାନାରେ ୩ ଅଭିଯୁକ୍ତଙ୍କ ନାଁ ରେ ମାମଲା ରୁଜୁ ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି କଳାହାଣ୍ଡି ପୋଲିସ। ଏହାକୁ ନେଇ କଳାହାଣ୍ଡି ପୋଲିସ ଏସପି ସୂଚନା ଦେଇଛନ୍ତି। ଅଭିଯୋଗ ଆଧାରରେ ତିନି ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଜାରି ରଖିଛି ପୋଲିସ।

Categories
ଆଜିର ଖବର ଜାତୀୟ ଖବର

ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ୪ ସୁରକ୍ଷା କର୍ମୀ ଆହତ

ରାୟପୁର: ଛତିଶଗଡର ବିଜାପୁରରେ ମାଓବାଦୀଙ୍କ ଦ୍ଵାରା ଆଇଇଡି ବିସ୍ଫୋରଣରେ ୪ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଉଛି। ସମସ୍ତ ଆହତ ଯବାନ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ୧୫୩ ତମ ବାଟାଲିୟନର ଅଟନ୍ତି। ଟି-ପଏଣ୍ଟରୁ ୧୦୦ ମିଟର ଜଙ୍ଗଲରେ ଏହି ବିସ୍ଫୋରଣ ଘଟିଛି।

ବସ୍ତର ଆଇଜି ପି ସୁନ୍ଦରରାଜ କହିଛନ୍ତି ଯେ, ବିଜେପୁର ଜିଲ୍ଲାର ମୋଦକପାଲ ପୋଲିସ ଷ୍ଟେସନ ଅଧୀନରେ ଆଇଇଡି ବିସ୍ଫୋରଣରେ ଚାରିଜଣ ସିଆରପିଏଫ କର୍ମଚାରୀ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମୋଦକପାଲ ପୋଲିସ୍ ଷ୍ଟେସନ୍ ଅନ୍ତର୍ଗତ ମୁର୍କିନାର ରୋଡରେ ଅପରାହ୍ନ ପ୍ରାୟ ୩ ଟା ସମୟରେ ଏହି ଘଟଣା ଘଟିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି: ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ସାମ୍ବାଦିକ ମୃତ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି। ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଘଟି ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି। ମୃତ ସାମ୍ବାଦିକ ମୋହନଗିରୀ ଅଞ୍ଚଳର ରୋହିତ ବିଶ୍ବାଳ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ମଦନପୁର ରାମପୁର ଡମ୍ବ କର୍ଲାଖୁଣ୍ଟା ନିକଟରେ ମାଓବାଦୀ ମାନେ ପୋଷ୍ଟର ଲଗାଇଥିଲେ। ନିର୍ବାଚନ ବର୍ଜନ କରିବା ସହ ଅନେକ ଦାବି ପୋଷ୍ଟରରେ ଉଲ୍ଲେଖ ଥିଲା। ତେଣୁ ଏହାର ଖବର ସଂଗ୍ରହ କରିବାକୁ ସାମ୍ବାଦିକ ରୋହିତ ବିଶ୍ବାଳ ଘଟଣାସ୍ଥଳକୁ ଯାଇଥିଲେ। କିନ୍ତୁ ମାଓବାଦୀମାନେ ପୂର୍ବରୁ ଟାର୍ଗେଟ କରି ଲ୍ୟାଣ୍ଡ ମାଇନ ବିଛାଇଥିଲେ। ଯାହାଫଳରେ ରୋହିତ ଏହି ଲ୍ୟାଣ୍ଡ ମାଇନର ଶିକାର ହୋଇଥିଲେ। ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଯୋଗୁଁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମାଓବାଦୀ ସଂଗଠନ ପାଳିବ ସହିଦ ଦିବସ: ଗତ ୧ ବର୍ଷରେ ମରିଛନ୍ତି ୧୬୦ ଜଣ ନକ୍ସଲ

ନୂଆଦିଲ୍ଲୀ: ମାଓବାଦୀମାନେ ସହିଦ ଦିବସ ପାଳନ କରିବାକୁ ଯାଉଛନ୍ତି। ପ୍ରତ୍ୟେକ ବର୍ଷ ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ଯାଏଁ ମାଓବାଦୀ ସଂଗଠନର ସଂସ୍ଥାପକ ଚାରୁ ମଜୁମଦାର ଏବଂ ଅନ୍ୟ ସାଥିଙ୍କ ପାଇଁ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରି ଶ୍ରଦ୍ଧାଞ୍ଜଳି ଦେଇଉଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ମାଓବାଦୀ କେନ୍ଦ୍ର କମିଟି ଏନେଇ ସୂଚନା ଦେଇଛି। ମାଓବାଦୀ ଦ୍ଵାରା ଜାରି କରାଯାଇଥିବା ପ୍ରେସ ବାର୍ତ୍ତାରେ କୁହାଯାଇଛି କି, ଗତ ଏକ ବର୍ଷ ମଧ୍ୟରେ ୧୬୦ ଜଣ ମାଓବାଦୀ ମୃତ୍ୟୁବରଣ କରିଛନ୍ତି। ସେଥିମଧ୍ୟରୁ ୭୨ ଜଣଙ୍କ ରେକର୍ଡ ତାଙ୍କ ପାଖରେ ନାହିଁ।

ତେବେ ୧୬୦ ମରୁତ ମାଓବାଦୀଙ୍କ ମଧ୍ୟରୁ ସର୍ବାଧିକ ଦଣ୍ଡକାରଣ୍ୟରେ ୧୦୧ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ବିହାର-ଝାଡ଼ଖଣ୍ଡରେ ୧୧ ଜଣ, ଓଡିଶାରେ ୧୪ ଜଣ, ଏମେମସିରେ ୮ ଜଣ, ଓଡିଶା-ଆନ୍ଧ୍ରା ସୀମାରେ ୧୧ ଜଣ, ତେଲେଙ୍ଗନାରେ ୧୪ ଜଣ ଏବଂ ପଶ୍ଚିମୀ ଘାଟିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ୩୦ ଜଣ ମହିଳା ମାଓବାଦୀ ନିହତ ହୋଇଥିବା ବେଳେ ଦୁର୍ଘଟଣାରେ ୫ ଜଣ ଏବଂ ରୋଗାକ୍ରାନ୍ତ ହୋଇ ୧୩ ଜଣ ମାଓବାଦୀଙ୍କ ପ୍ରାଣହାନୀ ଘଟିଛି।

Categories
ଅପରାଧ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସୁରକ୍ଷା କର୍ମିଙ୍କ ଏନକାଉଣ୍ଟରରେ ମଲା ଦୁର୍ଦ୍ଧାନ୍ତ ମାଓ ନେତା ରବିନ୍ଦ୍ର, 10ଟି ହତ୍ୟାକାଣ୍ଡରେ ଥିଲା ସଂପୃକ୍ତି

ବରଗଡ, ଶୁକ୍ରବାର ଭୋରରୁ ଛତିଶଗଡ ସୀମାରେ ଥିବା ଝାଞ୍ଜି ସଂରକ୍ଷଣ ଜଙ୍ଗଲରେ ମାଓବାଦୀ ଏବଂ ସୁରକ୍ଷା କର୍ମିଙ୍କ ଗୁଳି ବିନିମୟରେ ଜଣେ ଦୁର୍ଦ୍ଧାନ୍ତ ମାଓ ନେତା ନିହତ ହୋଇଛି। ତାହାର ନାମ ହେଲା ରବିନ୍ଦ୍ର। ସେ ଛତିଶଗଡ ମାଓ ସଂଗଠନର ଡିସିଏମ ରାଙ୍କରେ କାମ କରୁଥିଲା। ରବିନ୍ଦ୍ର ନାମରେ 10ଟି ହତ୍ୟାକାଣ୍ଡ ମାମଲା ରହିଛି। ସେଥି ମଧ୍ୟରୁ ବରଗଡ ଥାନାରେ 4ଟି ଏବଂ ବଲାଙ୍ଗିରରେ 6ଟି ହତ୍ୟାକାଣ୍ଡରେ ତାହାର ପ୍ରତ୍ୟେକ୍ଷ ସଂପୃକ୍ତି ରହିଛି।

ମାଓ ଅପରେସନରେ ନିଯୁକ୍ତ ସୁରକ୍ଷା କର୍ମିମାନେ ଶୁକ୍ରବାର ଭୋର 6ଟା 45 ମିନିଟରେ ଏହି ମିଳିତ କମ୍ବିଂ କରିଥିଲେ। ଏଥିରେ 40 ଜଣ ଏସଓଜି, ଡିଭିଏଫର 33 ଜଣ କମାଣ୍ଡୋ ସାମିଲ ଥିଲେ। ସେହି ଜଙ୍ଗଲରେ ପ୍ରାୟ 15ରୁ 20 ଜଣ ମାଓବାଦୀ ଲୁଚିଥିବାର ପୋଲିସ ପାଖରେ ସୂଚନା ରହିଥିଲା। ସେହି ଆଧାରରେ ଭୋରରୁ ଏହି ଅପରେସନ ଆରମ୍ଭ କରାଯାଇଥିଲା।

ମାଓବାଦୀଙ୍କ ଆଶ୍ରୟ ସ୍ଥଳ ପାଖାପାଖି ହେବା ବେଳେ ହଠାତ ସେମାନେ ଗତିବିଧି ଜାଣି ପାଲଟା ଆକ୍ରମଣ ଆରମ୍ଭ କରିଥିଲେ। ଏଥିସହିତ ମାଓ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହି ସମୟରେ ସୁରକ୍ଷା ବାହିନୀ ଚାରିପଟୁ ଘେରିଯାଇଥିଲେ। ପ୍ରାୟ 30 ମିନିଟ ଧରି ଗୁଲିବିନିୟ ଚାଲିଥିଲା। ଏଥିରେ ଦୁର୍ଦ୍ଧାନ୍ତ ରବିନ୍ଦ୍ର ମୃତ୍ୟ ବରଣ କରିଥିଲା।

ରବିନ୍ଦ୍ର ପାଖରୁ ଏକ ଏକେ-47 ଜବତ କରାଯାଇଛି। ଏଥିସହିତ 9 ରାଉଣ୍ଡ ଗୁଳି ,ସୋଲାର ଲାଇଟ ଓ ଚୁଲା, ରନ୍ଧା ସାମଗ୍ରୀ, ଇଲେଟ୍ରିକ ଡେଟିନେଟର ସହ ବହୁ ସାମଗ୍ରୀ ଜବତ କରାଯାଇଛି ବୋଲି ବରଗଡ ପୋଲିସ କହିଛି।

Categories
ଆଜିର ଖବର ରାଜ୍ୟ ଖବର

ସିନିୟର କ୍ୟାଡର ମାଓବାଦୀ ନିହତ: ହିଂସା ଛାଡିବାକୁ ପୋଲିସ ଡିଜି ଅଭୟଙ୍କ ଆହ୍ଵାନ

ଭୁବନେଶ୍ବର: ଆଜି ପୋଲିସ ଗୁଳିରେ ଜଣେ କ୍ୟାଡର ମାଓବାଦୀ ନିହତ ହୋଇଛି। ବରଗଡ ଜିଲ୍ଲା ଅନ୍ତର୍ଗତ ପଦମପୁରରେ ଏହି କ୍ୟାଡର ମାଓବାଦୀର ମୃତ୍ୟୁ ହୋଇଛି। ଭଞ୍ଜଗୁଣ୍ଡା ନିକଟ ଝାଞ୍ଜ ସରଂକ୍ଷିତ ଜଙ୍ଗଲରେ ମାଓବାଦୀ-ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଯବାନଙ୍କ ସର୍ଚ୍ଚ ଅପରଶେନ ବେଳେ ମାଓବାଦୀମାନେ ଆକ୍ରମଣ କରିଥିଲେ। ଯାହା ଫଳରେ ଯବାନମାନେ ପାଲଟା ଆକ୍ରମଣ କରି ଏହି ସିନିୟର କ୍ୟାଡର ମାଓବାଦୀକୁ ନିହତ କରିଥିଲେ।

ଘଟଣାସ୍ଥଳରୁ ବିଭିନ୍ନ ମାରଣାସ୍ତ୍ର ସମେତ ଏକେ ୪୭ ଜବତ କରାଯାଇଛି। ନିହତ ମାଓବାଦୀର ପରିଚୟ ଏଯାଏଁ ସ୍ପଷ୍ଟ ହୋଇନି, ଜବାନମାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି। ମାଓବାଦୀମାନେ ହିଂସାର ମାର୍ଗ ଛାଡିବାକୁ ଡିଜି ଅଭୟ ଆହ୍ଵାନ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ: ଟଳିଲା ଜଣେ ମାଓବାଦୀ

ରାୟପୁର: ଆଜି ଛତିଶଗଡ ଦନ୍ତେୱାଡର ମୁସ୍ତଲନାର ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଉଭୟ ପକ୍ଷରୁ ପାଖାପାଖି ଏକ ଘଣ୍ଟା ପର୍ଯ୍ୟନ୍ତ ଗୁଳି ବିନିମୟ ଜାରି ରହିଥିଲା। ଏଥିରେ ଜଣେ ନକ୍ସଲର ମୃତ୍ୟୁ ହୋଇଛି। ମୃତ ନକ୍ସଲ ପାଖରୁ ଦୁଇଟି ଦେଶୀ ଅସ୍ତ୍ର, ଆଇଇଇଡି ବମ ଏବଂ ଅନେକ ଅସ୍ତ୍ରଶସ୍ତ୍ର ସାମଗ୍ରୀ ଜବତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଅପହୃତ ସିଆରପିଏଫର କୋବ୍ରା କମାଣ୍ଡୋ ଯବାନଙ୍କୁ ମୁକ୍ତ କଲେ ମାଓବାଦୀ

ରାୟପୁର: ଛତିଶଗଡର ବିଜାପୁର ମାଓବାଦୀ ଆକ୍ରମଣରେ ୨୨ ଯବାନ ସହିଦ ହୋଇଥିଲେ। ଏହାସହିତ ସିଆରପିଏଫର କୋବ୍ରା କମାଣ୍ଡୋ ରାକେଶ୍ଵର ସିଂହ ମନହାସ୍ ଙ୍କୁ ମାଓବାଦୀ ବନ୍ଧକ ରଖିଥିଲେ। ଆଜି ମାଓବାଦୀ ତାଙ୍କୁ ମୁକ୍ତ କରିଦେଇଛନ୍ତି। ସ୍ଥାନୀୟ ଆଦିବାସୀଙ୍କ ଉପସ୍ଥିତିରେ ଆଜି ରାକେଶ୍ଵରଙ୍କୁ ମାଓବାଦୀମାନେ ମୁକ୍ତ କରିଛନ୍ତି।

କିନ୍ତୁ ଏହା ପୂର୍ବରୁ ରାକେଶ୍ଵରଙ୍କୁ ଛାଡିବା ପାଇଁ କିଛି ସର୍ତ୍ତ ରଖିଥିଲେ ବୋଲି ଖବର ଆସୁଥିଲା। ତେବେ ମାଓବାଦୀଙ୍କ ଠାରୁ ରାକେଶ୍ଵର ମୁକ୍ତ ହେବା ପରେ ପରିବାର ଲୋକେ ଖୁସି ବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ: ୫ ଯବାନ ସହିଦ୍

ରାୟପୁର: ଛତିଶଗଡର ବିଜାପୁର ଜିଲ୍ଲାରେ ଆଜି ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ  ୫ ଜଣ ଯବାନ ସହିଦ ହୋଇଥିବା ବେଳେ ଆଉ କେତେ ଜଣ ଯବାନ ଆହତ ହୋଇଛନ୍ତି। ଏଥିରେ କେତେ ଜଣ ମାଓବାଦୀ ମୃତ୍ୟୁବରଣ କରିଥିବା ଛତିଶଗଡର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସିଆରପିଏଫର କୋବ୍ରା କମାଣ୍ଡୋ ଟିମ୍, ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ଏବଂ ସ୍ପେଶାଲ ଟାସ୍କ ଫୋର୍ସର ମିଳିତ ଟିମ୍ ମାଓବାଦୀ ବିରୋଧରେ ସର୍ଚ୍ଚ ଅଭିଯାନ ଚଲାଉଥିବା ବେଳେ ହଠାତ୍ ଗୁଳି ବିନିମୟ ଆରମ୍ଭ ହୋଇଯାଇଥିଲା। ବସ୍ତର ରେଞ୍ଜର ବିଜାପୁର ଜିଲ୍ଲା ଅନ୍ତର୍ଗତ ତାରେମ ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲା।

Categories
ଆଜିର ଖବର ଆଞ୍ଚଳିକ ବିଶେଷ ଖବର ରାଜ୍ୟ ଖବର

ପାଖେଇ ଆସିଲା ପଂଚାୟତ ନିର୍ବାଚନ, ସବୁ ଦଳ ଫୋକସରେ ଚିତ୍ରକୋଣ୍ଡା

ମାଲକାନଗିରି: ପଂଚାୟତ ନିର୍ବାଚନ ପାଖେଇ ଆସିଲାଣି। ବିଭିନ୍ନ ରାଜନୈତିକ ଦଳଗୁଡିକ ଏବେ ଗଡ ସଜାଡିବା ଆରମ୍ଭ କଲେଣି। କିନ୍ତୁ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକରେ୨ ୦୧ ୭ ମସିହା ରେ ପଂଚାୟତ ନିର୍ବାଚନ ହୋଇପାରିଲା ନାହିଁ। ମାଓବାଦୀଙ୍କ ଆଗରେ ସରକାର ଏକ ପ୍ରକାର ହାର ମାନିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ମାଓବାଦୀ ଚିତ୍ରକୋଣ୍ଡା ବ୍ଲକର ୧୮ଟି ପଂଚାୟତରେ ନିର୍ବାଚନ କରାଇଦେବେ ନାହିଁ ବୋଲି ଧମକ ଦେବା ପରେ ଲୋକେ ଏବଂ ପ୍ରଶାସନ ଏଠାରେ ନିର୍ବାଚନ କରିବା ପାଇଁ ସାହସ ଜୁଟାଇ ପାରିଲା ନାହିଁ। ଭୋଟ ଦେଲେ ଲୋକଙ୍କ ଅଙ୍ଗୁଳି କଟାଯିବ ବୋଲି ମାଓବାଦୀ ଧମକ ଦେବା ପରେ ଲୋକେ ନିଜ ଘରୁ ପଦାକୁ ବାହାରିଲେ ନାହିଁ।

ସେହିପରି ଜିଲ୍ଲା ପ୍ରଶାସନ ତରଫରୁ ଯଦି କେହି ଚିତ୍ରକୋଣ୍ଡା ବ୍ଲକରେ ନିର୍ବାଚନ ସଂପର୍କିତ କିଛି ବା କାର୍ଯ୍ୟ କରନ୍ତି ତେବେ ମୃତ୍ୟୁ ଦଣ୍ଡ ମିଳିବ ବୋଲି ଚେତାବନୀ ଦେବା ପରେ ସରକାରୀ ବାବୁମାନେ ଜୀବନ ବିକଳରେ ଦାୟିତ୍ୱରୁ ନିବୃତ ରହିଲେ। ନିଜ ନିଜର ଜରୁରୀ କାମ ଦର୍ଶାଇ ନିର୍ବାଚନରୁ ଓହରି ଗଲେ। ନିର୍ବାଚନ ସରି ଚାରି ବର୍ଷ ପୁରିଲାଣି, କିନ୍ତୁ ସରକାର ଚିତ୍ରକୋଣ୍ଡାରେ ପଂଚାୟତ ନିର୍ବାଚନ କରାଇପାରିଲେ ନାହିଁ। ୨୦୧୧ ଜନଗଣନା ଅନୁଯାୟୀ ଚିତ୍ରକୋଣ୍ଡା ବ୍ଲକରେ ମୋଟ ଜନସଂଖ୍ୟା ହେଉଛି ୩୩,୫୭୯। କିନ୍ତୁ ଏବେ ଏହା ବୃଦ୍ଧି ପାଇ ୫୦ ହଜାର ଡେଇଁବଣି ବୋଲି କୁହାଯାଇଛି। ଏଠାରେ ୪୨ ପ୍ରତିଶତ ଲୋକେ ସାକ୍ଷର ଅଟନ୍ତି। ସେହିପରି ଅଶୀ ପ୍ରତିଶତ ଲୋକେ ଅନୁସୂଚିତ ଜାତି ଓ ଜନଜାତିର ଅଟନ୍ତି।

ପଂଚାୟତ ନିର୍ବାଚନ ବିଗୁଲ ବାଜିବା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳଗୁଡିକ ବୁଥସ୍ତରରୁ ନିଜର କର୍ମୀଙ୍କୁ ସଜବାଜ କଲେଣି। ଜିଲ୍ଲାରେ ଗତ ନିର୍ବାଚନରେ ବିଜେଡି ଧରାଶାୟୀ ହୋଇଥିଲା। ବିଜେପି ୧୦ଟି ଜିଲ୍ଲା ପରିଷଦ ଆସନ ଅକ୍ତିଆର କରି ଶାସନ ଚଳାଇଛି। କଂଗ୍ରେସର ଅବସ୍ଥା ମଧ୍ୟ ବିଜେଡି ଭଳି ହୋଇଯାଇଥିଲ। ତେବେ ଆଗାମୀ ପଂଚାୟତ ନିର୍ବାଚନରେ କିନ୍ତୁ ତିନି ପ୍ରମୁଖ ଦଳ ବିଭିନ୍ନ ରଣନୀତି ନେଇ ମଇଦାନକୁ ଓହ୍ଲାଉଥିବା ଜଣାପଡିଛି।

ନବୀନ ସରକାରଙ୍କ ସମସ୍ତ ବିକାଶ ମୂଳକ କାର୍ଯ୍ୟକୁ ନେଇ ଲୋକଙ୍କ ପାଖରେ ପହଂଚିବ ବୋଲି ଜଣାପଡିଛି। ସେହିପରି ବିଜେପି କେନ୍ଦ୍ର ସରକାରଙ୍କର ଉନ୍ନତିମୂଳକ ଯୋଜନା ନେଇ ଲୋକଙ୍କ ପାଖେ ପହଂଚିବ। ତେବେ କଂଗ୍ରେସ କିନ୍ତୁ ଏହି ଦୁଇ ଦଳର ଦୁର୍ନୀତିର ମୁଖା ଖୋଲିବା ସହ କଂଗ୍ରେସ ହିଁ ବିକାଶ ପଥର ଏକ ମାତ୍ର ରାଜନୈତିକ ଦଳ କହି ଲୋକଙ୍କ ପାଖରେ ପହଂଚିବ ବୋଲି ଜଣାପଡିଛି।

ତେବେ ଲୋକେ କାହାକୁ ନିଜର କରିବେ ତାହା ସମୟ କହିବ। ଚିତ୍ରକୋଣ୍ଡା ବ୍ଲକରେ ମୁରବୀ ବିହିନ ଶାସନ ଚାଲିଛି। ଝବଜ୍ଞଭବୟ ଲୋକେ ନିଜର ଲୋକ ପ୍ରତିନିଧି ବାଛିନପାରି ନିଜର କୌଣସି ସମସ୍ୟା ସରକାରଙ୍କ ନିକଟରେ ଉପସ୍ଥାପନା କରି ପାରୁନାହାଁନ୍ତି । ଯାହାଫଳରେ ଭଗବାନଙ୍କ ଭରସାରେ ପଡି ରହିଛନ୍ତି। ସରକାରୀ ବାବୁମାନଙ୍କ ମନମୁତାବକ କାର୍ଯ୍ୟରେ ଲୋକେ ଅତିଷ୍ଠ ହୋଇ ସାରିଲେଣି। ଚିତ୍ରକୋଣ୍ଡା ବ୍ଲକ ଦୁର୍ନୀତିର ଗନ୍ତାଘର ପାଲଟି ଗଲାଣି। ଯାହାକୁ ନେଇ କଂଗ୍ରେସ ହୋହାଲ୍ଲା କରୁଛି।

କିଛି ଦିନ ତଳେ ଚିତ୍ରକୋଣ୍ଡା ବିଡିଓ ଏବଂ ଜଣେ କନିଷ୍ଠ ଯନ୍ତ୍ରୀ ନିଳମ୍ବିତ ଏହାର ଜ୍ୱଳନ୍ତ ଉଦାହରଣ। ଚିତ୍ରକୋଣ୍ଡାର ସ୍ୱାଭିମାନ ଅଂଚଳରେ ରହିଥିବା ୯ଟି ପଂଚାୟତକୁ ମାଓବାଦୀ ସଂପୂର୍ଣ୍ଣ ନିଜ ଅକ୍ତିଆରରେ ରଖିଛନ୍ତି। ଏବେ ଧିରେ ଧିରେ ସୁରକ୍ଷା କର୍ମୀ ଭିତରେ ପଶି ଅର୍ଦ୍ଧଧିକ ଅଂଚଳ ନିଜର ଅକ୍ତିଆରକୁ ଆଣିଥିବା ବେଳେ ଲୋକେ ରାତିରେ ଶାନ୍ତିରେ ଶୋଇ ପାରୁଛନ୍ତି। ସ୍ୱାଭିମାନଅଂଚଳ ରେ ଲୋକେ ଭୟ ଓ ଆତଙ୍କରେ ଜୀବନ କାଟୁଥିଲେ। ସୁରକ୍ଷା କର୍ମୀଙ୍କ ସାହସରେ ଲୋକେ ନିଜେ ଧନୁତୀର ଧରିଲେଣି।

ତେବେ ହୁଏତ ଆସନ୍ତା ପଂଚାୟତ ନିର୍ବାଚନ ଏଠାରେ ଶାନ୍ତିଶୃଙ୍ଖଳାର ସହ ହୋଇପାରେ ବୋଲି ଆଶା କରାଯାଏ। ଲୋକ ପ୍ରତିନିଧି ନଥିବାରୁ ଲୋକେ ବାରମ୍ବାର ମାଲକାନଗିରି ଆସି ଜିଲ୍ଲପାଳଙ୍କୁ ଗୁହାରି କରି କରି ଥକିଲେଣି। ସରକାର କିନ୍ତୁ ପଂଚାୟତ ନିର୍ବାଚନ ପୂର୍ବରୁ ଏଠାରେ ବିକାଶର ପାହାଡ ଛିଡା କରି ଦେଇଛନ୍ତି। କୋଟି କୋଟି ଟଙ୍କା ଦେବା ସହ ପାନୀୟ ଜଳ, ରାସ୍ତା, ସ୍ୱାସ୍ଥ୍ୟ, ଶିକ୍ଷା ଭଳି ମୌଳିକ ସୁବିଧା ପହଂଚାଇବା ପାଇଁ ଜୋରସୋରରେ ଉଦ୍ୟମ ଜାରି ରଖିଛନ୍ତି।

ସବୁ ରାଜନୈତିକ ଦଳ ଚିତ୍ରକୋଣ୍ଡାକୁ ଫୋକସ କରୁଥିବା ଦେଖିବାକୁ ମିଳିଛି। ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ସ୍ୱାଭିମାନ ଅଂଚଳର ଲୋକେ ପିଚୁ ରାସ୍ତାରେ ଚାଲିପାରୁଛନ୍ତି। ଏହି ଅଂଚଳକୁ ଡିଜିଟାଲ ମୁହାଁ କରାଯାଇଛି। ସ୍ୱାଭିମାନ ଅଂଚଳର ୬ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ମୋବାଇଲ ପ୍ରଦାନ ସହ ନେଟୱର୍କ ସେବା ଯୋଗାଇ ଦିଆଯାଇଛି।

ତେବେ ଆଗାମୀ ପଂଚାୟତ ନିର୍ବାଚନକୁ ସରକାର କରାଇବାରେ ସଫଳ ହେଉଛନ୍ତି କି ନାହିଁ ଦେଖିବାକୁ ବାକି ରହିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଛାଡ଼ିଲେ ହିଂସା: ମୁଖ୍ୟ ସ୍ରୋତରେ ସାମିଲ ହେବା ଲାଗି ଆତ୍ମସମର୍ପଣ କଲେ ୧୪ ମାଓବାଦୀ

ମାଲକାନଗିରି: ମାଲକାନାଗିରିର ସୀମାନ୍ତ ଛତିଶିଗଡର ଦନ୍ତେୱାଡାରେ ୧୪ ଜଣ କୁଖ୍ୟାତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏନେଇ ଦନ୍ତେୱାଡା ଏସ ପି ଅଭିଷେକ ପଲ୍ଲବ ସୂଚନା ଦେଇଛନ୍ତି। ଏହା ଫଳରେ ମାଓ ସଂଗଠନକୁ ବଡ଼ ଝଟକା ଲାଗିଛି। ଆତ୍ମସମର୍ପଣ କରିଥିବା ୧୪ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାମରେ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ଥିଲା। ମାଓ ସଂଗଠନରୁ ଅତିଷ୍ଠ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଏମାନେ ଆତ୍ମସମର୍ପଣ କରିଥିବା କହିଛନ୍ତି ଦନ୍ତେବଡା ଏସ ପି ଅଭିଷେକ ପଲ୍ଲବ।

ଅସ୍ତ୍ର ତ୍ୟାଗ କରିବା ମାତ୍ରେ ଏମାନଙ୍କୁ ୧୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ଏମାନେ ଗତକାଲି ସନ୍ଧ୍ୟାରେ କିରାନ୍ଦୁଲ୍ ଥାନାରେ ଆତ୍ମସମର୍ପଣ କରିଛନ୍ତି। ପୋଲିସର ମାଓ ମୁକ୍ତ ଅଞ୍ଚଳ ଅଭିଯାନ ପାଇଁ ଏହା ଏକ ବଡ଼ ସଫଳତା। ତେବେ ଅହୁରି ଅନେକ ମାଓବାଦୀ ଆତ୍ମସମର୍ପଣ କରି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପ୍ରସ୍ତୁତ ହୋଉଥିବା ପୋଲିସ ସଚନାରୁ ଜଣାପଡ଼ିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଛତିଶଗଡ଼ ସୀମାରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ: ଟଳିଲେ ତିନି ମାଓବାଦୀ

ମାଲକାନଗିରି: ଆଜି ଛତିଶଗଡ଼ ସୀମାରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳିବିନିମୟରେ ତିନି ଜଣ ନକ୍ସଲ ନିହତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତ। ମାଲକାନଗିରି-ଛତିଶଗଡ଼ ସୀମାନ୍ତ କାଙ୍କେଇ ଜିଲ୍ଲାରେ ଏହି ଏନକାଉଣ୍ଟର ହୋଇଛି। ମୃତକ ତିନି ଜଣ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି।

ବସ୍ତର ଆଇଜି ପି. ସୁନ୍ଦରରାଜଙ୍କ ସୂଚନା ଅନୁସାରେ ମାଲକାନଗିରି-ଛତିଶଗଡ଼ ସୀମାନ୍ତ କାଙ୍କେଇ ଜିଲ୍ଲାରେ ରେଲଓ୍ୱେ ଲାଇନ୍‌ ମରାମତି କାମରେ ଏସଟିଏଫ ଯବାନଙ୍କୁ ମୁତୟନ କରାଯାଇଛି। ଉକ୍ତ କାମ ଚାଲିଥିବା ବେଳେ ହଠାତ ଯବାନଙ୍କ ଉପରକୁ ମାଓବାଦୀ ଗୁଳି ଚଳାଇଥିଲେ। ଫଳରେ ଜବାନମାନଙ୍କ ଦ୍ଵାରା ପାଲଟା ଆକ୍ରମଣ କରାଯାଇଥିଲା। ଜବାନମାନଙ୍କ ପାଲଟା ଆକ୍ରମଣରେ ୩ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ୬ଟି ଅତ୍ୟାଧୁନିକ ବନ୍ଧୁକ ଜବତ କରାଯାଇଛି। ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ କମ୍ବିଙ୍ଗ ଅପରେସନକୁ ଜୋରଦାର କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ମାତିଲେ ମାଓବାଦୀ : ଉଡାଇଲେ ଟାଓ୍ବାର

ମାଲକାନଗିରି : ପୁଣି ମାଓବାଦୀ ସକ୍ରିୟ ହୋଇଛନ୍ତି । ସୀମାରେ ଟାଓ୍ବାର ପୋଡିଛନ୍ତି । ମାଲ୍‌କାନଗିରି-ଛତିଶଗଡ ସୀମାରେ ମାଓ ହିଂସା ପରିଲକ୍ଷିତ ହୋଇଛି।  ଛତିଶଗଡ୍‌ ସୁକ୍‌ମା ଜିଲ୍ଲା ଏରାବୋରା ଗାଁରେ ମୋବାଇଲ୍‌ ଟାଓ୍ବାର ପୋଡିଦେଇଛନ୍ତି ମାଓବାଦୀ । ଟାଓ୍ବାର ପୋଡିବା ସହ ପଥର ପକାଇ ରାସ୍ତା ଅବରୋଧ କରିଛନ୍ତି ମାଓବାଦୀ । ବିଳମ୍ବିତ ରାତ୍ରିରେ 10ରୁ 15 ମାଓବାଦୀ ହିଂସାକାଣ୍ଡ ଭିଆଇଥିବାର ସୂଚନା ରହିଛି । ଗତ କିଛି ଦିନ ମାଓ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ସିଆରପିଏଫ୍‌ ଯବାନ ରାସ୍ତା ଅବରୋଧ ହଟାଇଥିବାର ସୂଚନା ରହିଛି ।

Categories
ଆଜିର ଖବର ଜାତୀୟ ଖବର

ଦୁଇ ଜଣଙ୍କୁ ନିର୍ମମ ହତ୍ୟା କଲେ ମାଓବାଦୀ

ବିଜାପୁର : ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲାରେ ମାଓବାଦୀମାନେ ବର୍ବରକାଣ୍ଡ ଘଟାଇଛନ୍ତି । ପୋଲିସ୍‌ ଇନଫର୍ମର ସନ୍ଦେହରେ 2 ଜଣଙ୍କୁହତ୍ୟା କରିଛନ୍ତି ମାଓବାଦୀ । ଜଙ୍ଗଲା ଗାଁର  ଓ୍ବାର୍ଡମେମ୍ବର ସହ 2 ଜଣଙ୍କୁ ଗଳା କାଟି ହତ୍ୟା କରାଯାଇଥିବାର ସୂଚନା ରହିଛି । ମୃତକ ଦ୍ବୟ ହେଲେ ଜଙ୍ଗଲା ଗ୍ରାମର ଉପସରପଞ୍ଚ ଓ ଓ୍ବାର୍ଡମେମ୍ବର ।  ଧାରୁଆ ଅସ୍ତ୍ରରେ ପରିବାର ଲୋକଙ୍କ ସାମ୍ନାରେ ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ଏନେଇ ସୂଚନା ପ୍ରଦାନ କରିଛନ୍ତି ବିଜାପୁର ଏସ୍‌ପି କମଳଲୋଚନ କାଶ୍ୟପ ।ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ବିଜାପୁରଠାରେ ମାଓବାଦୀଙ୍କ ବର୍ବରୋଚିତ କାଣ୍ଡ ବଢିବାରେ ଲାଗିଛି । ନିକଟରେ ଜଣେ ପୋଲିସ୍‌ କର୍ମୀଙ୍କୁ ଅପହରଣ କରି ହତ୍ୟା କରିଥିବାର ସୂଚନା ରହିଥିଲା । (ଏଜେନ୍ସି)

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମାଲକାନଗିରି-ଛତିଶିଗଡ ସୀମାରେ ଚାରି ଜଣ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ

ଭୁବନେଶ୍ବର: ଆଜି ମାଲକାନଗିରି-ଛତିଶିଗଡ ସୀମାରେ ମାଓବାଦୀମାନଙ୍କ ଦ୍ଵାରା ଏକ ବର୍ବରକାଣ୍ଡ ଦେଖିବାକୁ ମିଳିଛି। ଏହି ସୀମା ନିକଟରେ ଚାରି ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ମୃତକମାନେ ସାୱାନାର ଗ୍ରାମର ବୋଲି ସୂଚନା ରହିଛି। ଏହାସହିତ ଆଉ କିଛି ଗ୍ରାମବାସୀଙ୍କୁ ମାଓବାଦୀ ଅପହରଣ କରିନେଇଥିବା ଖବର ମିଳିଛି।

Categories
ଅପରାଧ ଜାତୀୟ ଖବର ବିଶେଷ ଖବର

ପୋଲିସ ଏନକାଉଣ୍ଟରେ ଦୁଇ ମାଓବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି ରହିଛି

ହାଇଦ୍ରାବାଦ, ତେଲେଙ୍ଗାନାର ଭଦ୍ରାଦ୍ରି କୋଥାଗୁଡେମ ଜିଲ୍ଲାରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଯୋଗୁଁ ଦୁଇ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ପୋଲିସ କହିଛି। ଛତିଶଗଡ ସୀମାରେ ଥିବା ଚେର୍ଲା ମଣ୍ଡଳର ଭାଡିପେଟା ଏବଂ ପୁସୁଗୁପ୍ପା ଗ୍ରାମ ମଧ୍ୟରେ ଜଙ୍ଗଲରେ ଏହି ଘଟଣା ଘଟିଛି।

ଗତ ସପ୍ତାହ ମଧ୍ୟରେ ଜିଲ୍ଲାର ମାଓବାଦୀ ଏବଂ ପୋଲିସ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ମୁକାବିଲା। ଗୁଣ୍ଡାଲା ମଣ୍ଡଳର ଦେଭାଲାଗୁଡେମ ଗ୍ରାମ ନିକଟରେ ସେପ୍ଟେମ୍ବର 3 ତାରିଖରେ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଖସି ପଳାଇଥିଲା। ବର୍ତ୍ତମାନ ନିହତ ହୋଇଥିବା ମାଓବାଦୀଙ୍କ ପରିଚୟ ମିଳିପାରି ନାହିଁ।

ଜିଲ୍ଲା ପୋଲିସ ଅଧୀକ୍ଷକ ସୁନୀଲ ଦତ୍ତ କହିଛନ୍ତି ଯେ ରବିବାର ଦିନ ମାଓବାଦୀମାନେ ସୁରକ୍ଷା କର୍ମୀ ତଥା ଜନ ପ୍ରତିନିଧୀଙ୍କ ବିରୋଧରେ ଆନ୍ଦୋଳନ କରିବା ପାଇଁ ପ୍ରବର୍ତ୍ତାଇବାର ଯୋଜନା କରୁଥିବାର ସୂଚନା ପୋଲିସିକୁ ମିଳିଥିଲେ। ଏପରିକି ସେପ୍ଟେମ୍ବର ୩ ଏନକାଉଣ୍ଟରକୁ ବିରୋଧ କରିବାକୁ ମଧ୍ୟ ସେମାନେ ସ୍ଥାନୀୟ ଲୋକଙ୍କୁ ଉତ୍ସାହିତ କରୁଥିଲେ। ପୋଲିସ ଖବର ପାଇ ସେହି ଅଞ୍ଚଳରେ କମ୍ବିଂ ଅପରେସନ୍ କରିବା ମାତ୍ରେ ଏହି ଘଟଣା ଘଟିଛି।

ଏସପି ଆହୁରି କହିଛନ୍ତି ଯେ , ଆମେ ଖବର ପାଇଛୁ ଯେ ମାଓବାଦୀ ଦଳ ଚେରଲା ଅଞ୍ଚଳରେ ଜନସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିବା ତଥା ସାଧାରଣ ଜୀବନ ପ୍ରତି କ୍ଷତି ପହଞ୍ଚାଇବା ପାଇଁ ଯାଉଛନ୍ତି। ଏହା ପରେ ସୁରକ୍ଷା ବାହିନୀ କମ୍ବିଂ ଅପରେସନ୍ ଆରମ୍ଭ କରିଛନ୍ତି।

ସର୍ଚ୍ଚ ଅପରେସନ ବେଳେ ସଶସ୍ତ୍ର ମାଓବାଦୀ ଏବଂ ଜିଲ୍ଲା ପୋଲିସ ସ୍ୱତନ୍ତ୍ର ଦଳ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ବୋଲି ସେ କହିଛନ୍ତି। ଅନ୍ୟ ମାଓବାଦୀଙ୍କ ପାଇଁ ଜଙ୍ଗଲରେ ଖୋଜାଖୋଜି ଚାଲିଥିବା ପୋଲିସ ଅଧିକାରୀ କହିଛନ୍ତି।

ଏନ୍‌ପି କହିଛନ୍ତି ଯେ ଏନକାଉଣ୍ଟର ଘଟଣାସ୍ଥଳରୁ ସିଙ୍ଗିଲ ବ୍ୟାରେଲ ମୁଜଲ ଲୋଡିଂ ବନ୍ଧୁକ, ଗୋଟିଏ ପିସ୍ତଲ ଏବଂ ଦୁଇଟି ହଣ୍ଡା ଜବତ କରାଯାଇଛି।

ସନ୍ଦିଗ୍ଧ ମାଓବାଦୀମାନେ ରବିବାର ରାତିରେ ପୋଲିସକୁ ଟାର୍ଗେଟ କରିବା ପାଇଁ ଚେର୍ଲା ମଣ୍ଡଳର ତାଲିପେରୁ ପ୍ରକଳ୍ପ ଅଞ୍ଚଳରେ ଏକ ରାସ୍ତାରେ ଏକ ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ସାହାର୍ଯ୍ୟରେ ବିସ୍ଫୋରଣ ଘଟାଇଥିଲେ। ହେଲେ ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି।

ବର୍ତ୍ତମାନ ତେଲେଙ୍ଗାନାରେ ମାଓବାଦୀମାନେ ପୁନଃସଂଗଠିତ ହେବା ପାଇଁ ଗତ ସପ୍ତାହ ହେଲା ନିଜର କାର୍ଯ୍ୟକଳାପକୁ ବୃଦ୍ଧି କରୁଛନ୍ତି ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ବରଗଡ ଜିଲ୍ଲାରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ୪ଟି ମାଓବାଦୀ ଶିବିର ଧ୍ଵଂସ

ଭୁବନେଶ୍ୱର: ଓଡିଶାର ବରଗଡ ଜିଲ୍ଲାର ଗନ୍ଧମାର୍ଦ୍ଧନ ରିଜର୍ଭ ଜଙ୍ଗଲରେ ଅଲଟ୍ରା ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ପରେ ଅତି କମରେ ୪ଟି ମାଓବାଦୀ ଶିବିର ଧ୍ଵଂସ କରାଯାଇଛି ଏବଂ ଜୀବନ୍ତ ଗୁଳି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା।

ଶନିବାର ଦିନ ପ୍ରାୟ ୭.୩୦ ସମୟରେ ନିଆଁ ବିନିମୟ ପରେ ପ୍ରାୟ ୧୦ରୁ ୧୫ ଜଣ ମାଓବାଦୀ ଖସି ପଳାଇବାରେ ସଫଳ ହୋଇଥିଲେ ବୋଲି ଓଡିଶା ପୋଲିସ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି। ଗନ୍ଧମାର୍ଦ୍ଧନ ରିଜର୍ଭ ଜଙ୍ଗଲ ଅଞ୍ଚଳରେ ହିଂସା ବିରୋଧୀ କାର୍ଯ୍ୟକଳାପ ଯୋଜନା କରୁଥିବା ମାଓବାଦୀଙ୍କ ଶିବିର ସମ୍ବନ୍ଧରେ ନିର୍ଭରଯୋଗ୍ୟ ଗୁପ୍ତଚର ସୂଚନା ଉପରେ, ବରଗଡ-ବଲାଙ୍ଗୀରିର ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସଓଜି) ଟିମ୍ ସିଆରପିଏଫ ପ୍ଲାଟୁନ୍ ସହିତ ମିଳିତ ଭାବରେ ନକ୍ସଲ ବିରୋଧୀ କାର୍ଯ୍ୟ ଆରମ୍ଭ କରିଥିଲେ।

ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଗୁଳି ବିନିମୟ ହୋଇଥିଲା। ନକ୍ସଲ ଗୋଷ୍ଠୀ ଘଞ୍ଚ ଜଙ୍ଗଲ ଏବଂ ପ୍ରବଳ ବର୍ଷାର ସୁଯୋଗ ନେଇ ପଳାଇବାରେ ସଫଳ ହୋଇଥିଲେ ବୋଲି ପୋଲିସ କହିଛି। ସର୍ଚ୍ଚ ଅପରେସନ୍ ସମୟରେ ଏସଓଜି ଟିମ୍ ଚାରିଟି ନକ୍ସଲ କ୍ୟାମ୍ପରୁ ଜୀବନ୍ତ ଗୁଳି, ଖାଲି କାର୍ଟ୍ରିଜ୍ ଏବଂ କ୍ୟାମ୍ପ ଆର୍ଟିକିଲ୍ ଉଦ୍ଧାର କରିଥିଲେ। (ଏଜେନ୍ସି)