ଛତିଶଗଡରେ ମାଓବାଦୀଙ୍କ ବର୍ବରତା ପରେ ଓଡିଶାର ତିନୋଟି ଜିଲ୍ଲାରେ ହାଇଆଲର୍ଟ

Published: Apr 27, 2023, 9:44 am IST

ଭୁବନେଶ୍ବର: ଗତକାଲି ଛତିଶଗଡର ଦାନ୍ତେୱାଡାରେ ମାଓବାଦୀଙ୍କ ବର୍ବରତା ପରେ ଓଡିଶାର ହାଇଆଲର୍ଟ ଜାରୀ କରାଯାଇଛି। କୋରାପୁଟ, ନବରଙ୍ଗପୁର ଏବଂ ମାଲକାନାଗିରିରେ ଏହି ହାଇ ଆଲର୍ଟ ଜାରୀ କରାଯାଇଛି। ଦାନ୍ତେୱାଡାରୁ ପଡୋଶୀ ଜିଲ୍ଲାକୁ ମାଓବାଦୀମାନେ ଖସି ପଳାଇ ଆସିବାର ସମ୍ଭାବନା ରହିଥିବାରୁ ତାଙ୍କ ଗତିବିଧୀ ଉପରେ ତୀକ୍ଷ୍ମ ନଜର ରଖାଯାଇଛି।

ଏହି ଜିଲ୍ଲାଗୁଡିକର ସୀମା ସିଲ କରାଯିବା ସହିତ ଯାନବାହନସବୁ କଡା ଯାଞ୍ଚ କରାଯାଉଛି।ଗତକାଲି ଛତିଶଗଡ ଦାନ୍ତେୱାଡରେ ମାଓବାଦୀଙ୍କ ଆକ୍ରମଣରେ ଦଶ ଜଣ ଯବାନ ସହିଦ ହୋଇଛନ୍ତି। ଦୀର୍ଘମାସ ପରେ ମାଓବାଦୀଙ୍କର ଏହା ହେଉଛି ଏକ ବଡ ଧରଣର ଆକ୍ରମଣ। ଯବାନଙ୍କ ଗତିବିଧୀକୁ ଲକ୍ଷ୍ୟ ରଖି ମାଓବାଦୀ ପଚାଶ କେଜି ବିସ୍ପୋରକ ଦ୍ରବ୍ୟ ମାଟିରେ ପୋତି ରଖିଥିଲେ। ସେହି ରାସ୍ତାରେ ଯବାନଙ୍କ ଗାଡି ଯିବା ପରେ ପ୍ରଚଣ୍ଡ ବିସ୍ପୋରଣ ହୋଇଥିଲା।

ସେହି ଘଟଣା ସ୍ଥଳରେ ଦଶ ଜଣ ଯବାନ ମୃତ୍ୟୁବରଣ କରିବା ସହିତ ଜଣେ ବେସରକାରୀ ଡ୍ରାଇଭର ମଧ୍ୟ ମୃତ୍ୟୁବରଣ କରିଛନ୍ତି। ଘଟଣାରୁ ଜଣାପଡିଛି ଯେ, ଦାନ୍ତେୱାଡାରେ ମାଓବାଦୀମାନେ ଲୁଚି ରହିଛନ୍ତି ବୋଲି ଖବର ପାଇଁ ଯବାନମାନେ ସର୍ଚ୍ଚ ଅପରେସନରେ ଏକ ଗାଡି ଭଡା କରି ଯାଇଥିଲେ। ହେଲେ ଏହି ଖବର ମାଓବାଦୀମାନେ ଜାଣିବା ପରେ ସତର୍କ ହେବା ସହିତ ସେମାନେ ଫେରିବା ବାଟରେ ଏହି ବିସ୍ପୋରକ ଦ୍ରବ୍ୟ ରଖିଥିଲେ।

ଯବାନଙ୍କ ଗାଡି ସେହି ରାସ୍ତାରେ ଯିବା ପରେ ସେଠାରେ ପ୍ରଚଣ୍ଡ ଶଦ୍ଦ ହେବା ସହିତ ଗାଡିଟି ଉପରକୁ ପ୍ରାୟ କୋଡିଏ ଫୁଟ ଉପରକୁ ଉଠିଯାଇ ଛିନଛତ୍ର ହୋଇଯାଇଥିଲା। ଗାଡି ଖଣ୍ଡଖଣ୍ଡ ହୋଇ ପ୍ରାୟ ଦେଢଶହ ମିଟର ପର୍ଯ୍ୟନ୍ତ ପଡିଥିଲା। ଯେଉଁ ସ୍ଥାନରେ ବିସ୍ପୋରଣ ହୋଇଥିଲା ସେଠାରେ ଏକ ବିରାଟ ଗାତ ସୃଷ୍ଟି ହୋଇଥିବାର ଜଣାପଡିଛି।

ଏହି ଘଟଣା ପରେ ଛତିଶଗଡ ପୋଲିସ ଗତକାଲି ରାତିରୁ ସର୍ଚ୍ଚ ଅପରେସନ ଜୋରଯାର କରିଛି। ସେମାନଙ୍କ ଉପରେ ତୀକ୍ଷ୍ମ ନଜର ରଖାଯିବା ସହିତ ପଡୋଶୀ ଜିଲ୍ଲାକୁ ମଧ୍ୟ ସତର୍କ ରହିବା ପାଇଁ କୁହାଯାଇଛି। ଏହି ଘଟଣା ପରେ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଇଛି।

Related posts