
ପିଣ୍ଟୁ ବିଷୋୟୀ
ଖଲ୍ଲିକୋଟ: କଂଗ୍ରେସ ବିଧାୟକ ପ୍ରାର୍ଥୀ କାଶୀନାଥ ବେହେରା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ୨୦୦୯ରେ ଭାରତୀୟ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ହୋଇଥିଲେ। ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଦଳରୁ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି ଶ୍ରୀ ବେହେରା।
୧୯୮୦ ମସିହାରେ ଶ୍ରୀ ବେହେରା କଂଗ୍ରେସରେ ଯୋଗଦାନ କରିଥିଲେ। ବର୍ତ୍ତମାନ ସୁଦ୍ଧା ଦଳର କାର୍ଯ୍ୟକ୍ରମରେ ଓତଃପ୍ରାତ ଭାବେ ଜଡିତ ଥାଇ ଦଳ ପାଇଁ କାର୍ଯ୍ୟ କରିଆସୁଥିଲେ ଶ୍ରୀ ବେହେରା।
ସେ ୨୦୦୭ ମସିହାରେ ବେଗୁନିଆପଡା ବ୍ଲକ ଜିଲ୍ଲା ପରିଷଦ ଜୋନ-୪୬ ରୁ କଂଗ୍ରେସ ଦଳ ଟିକେଟରେ ନିର୍ବାଚିତ ହୋଇଥିଲେ ଏବଂ ୨୦୦୯ ସାଧାରଣ ନିର୍ବାଚନରେ ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ୨୨ ହଜାର ଭୋଟ ପାଇଥିଲେ।
ତେବେ ସେ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ କଂଗ୍ରେସ ଦଳରେ ଆଉ ରହିବାକୁ ଚାଁହୁନଥିବା ଏକ ପତ୍ର ମାଧ୍ୟମରେ ଦର୍ଶାଇଛନ୍ତି। ଏଥିସହ ସେ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରି ଏକ ଚିଠି ମାଧ୍ୟମରେ ପିସିସି ସଭାପତିଙ୍କୁ ଜଣାଇଛନ୍ତି। ତେବେ ଆଗାମୀ ଦିନରେ ଶ୍ରୀ କାଶୀନାଥ ବେହେରା କେଉଁ ଦଳକୁ ଯିବେ ତାହା ଦେଖିବାକୁ ବାକି ରହିଲା।