ରାଜସ୍ଥାନ ବିଜେପିରେ ବଢୁଛି ଅସନ୍ତୋଷ: ନୂଆ ରାଜନୈତିକ ମଞ୍ଚ ଗଢିଲେ ବସୁନ୍ଧରା ସମର୍ଥକ

Published: Jan 9, 2021, 1:56 pm IST

ଜୟପୁର: ରାଜସ୍ଥାନରେ କଂଗ୍ରେସ ପରେ ଏବେ ବିଜେପିରେ ମଧ୍ୟ ବିରୋଧର ସ୍ଵର ଉଠିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଦଳ ଅଣଦେଖା କରୁଥିବାର ଅଭିଯୋଗ କରିଛନ୍ତି ତାଙ୍କ ସମର୍ଥକ। ବସୁନ୍ଧରାଙ୍କ ପ୍ରଶଂସକ ବିଜେପିରୁ ଅଲଗା ହୋଇ ଏକ ନୂଆ ରାଜନୈତିକ ମଞ୍ଚ ତିଆରି କରିଛନ୍ତି। ଯେଉଁ ମଞ୍ଚର ନାମ ରହିଛି ବସୁନ୍ଧରା ରାଜେ ସମର୍ଥକ ରାଜସ୍ଥାନ ମଞ୍ଚ। ଏହା ସହିତ ବସୁନ୍ଧରା ସମର୍ଥକ ମାନେ ରାଜସ୍ଥାନର ସମସ୍ତ ଜିଲ୍ଲାରେ ଜିଲ୍ଲା ସଭାପତି ମନୋନୀତ କରିବା ଆରମ୍ଭ କରିଦେଇଛି।

ଏତଦବ୍ୟତୀତ ଏହି ମଞ୍ଚ ଦ୍ଵାରା ଯୁବ ମୋର୍ଚ୍ଚା ଏବଂ ମହିଳା ମୋର୍ଚ୍ଚା ଗଠନ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛି। ଉଲ୍ଲେଖଯୋଗ୍ୟ ଯେ, ବିଜେପି ପାଇଁ ଏହା ହେଉଛି ପ୍ରଥମ ଘଟଣା, ଯାହାକି ଦଳଠାରୁ ଅଲଗା ହୋଇ କୋଣସି ଏକ ନେତାର ସମର୍ଥନରେ ଅଲଗା ସଂଗଠନ ପ୍ରସ୍ତୁତ କରାଯାଉଛି।

ତେବେ ଏହାକୁ ନେଇ ରାଜ୍ୟ ସଭାପତି ସତୀଶ ପୂନିୟା କହିଛନ୍ତି ଯେ, ଏହି ଘଟଣା ସମସ୍ତ ବିଜେପି ନେତାଙ୍କୁ ଜଣା ଅଛି। ଏବଂ ଯେଉଁ ମାନେ ଏହି ସଂଗଠନ ତିଆରି କରୁଛନ୍ତି ସେମାନେ ବିଜେପିର ସକ୍ରିୟ ସଦସ୍ୟ ନୁହନ୍ତି। ବିଜେପି କୌଣସି ବ୍ୟକ୍ତି କେନ୍ଦ୍ରିତ ଦଳ ନୁହେଁ, ଏହା ସଂଗଠନ ଆଧାରିତ ଦଳ।

Related posts