କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ ବ୍ରାଣ୍ଡିଂ କରୁଛନ୍ତି ବୋଲି ଅଭିଯୋଗ କଲେ ଜୟ ନାରାୟଣ ମିଶ୍ର

Published: Jan 14, 2021, 11:33 pm IST

ଭୁବନେଶ୍ୱର, କେନ୍ଦ୍ର ସରକାରଙ୍କ ସମସ୍ତ କଲ୍ୟାଣମୂଳକ ଯୋଜନାକୁ ନିଜ ନାଁ ରେ ବ୍ରାଣ୍ଡିଂ କରି ନବୀନ ସରକାର ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଛନ୍ତି । କେନ୍ଦ୍ର ସରକାରଙ୍କ ଏଆଇବିପି ଯୋଜନା ଅନ୍ତର୍ଗତ ୯୦% ଆର୍ଥିକ ସହାୟତାେରେ ଆଜି ଇନ୍ଦ୍ରାବତୀ ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅସଲ ଧନ୍ୟବାଦର ପାତ୍ର। ମାତ୍ର ବ୍ରାଣ୍ଡିଂ ରାଜନୀତି କରୁଥିବା ନବୀନ ସରକାର ସୈାଜନମୁଳକ ଭାବେ ଏହି ସମାବେଶରେ ଥରେଟିଏ ହେଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନାମ ଉଲ୍ଲେଖ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଦୀର୍ଘ ୨ ଦଶନ୍ଧି ଧରି ଶାସନ କ୍ଷମତାରେ ରହିବା ସତ୍ୱେ କଳାହାଣ୍ଡି ଏବଂ ଏହାର ଆଖପାଖ ଚିତ୍ର ବାସ୍ତବରେ ନ ବଦଳିବା ଅତ୍ୟନ୍ତ ଲଜ୍ଜାଜନକ । ଗତ ପଂଚାୟତ ନିର୍ବାଚନ ପୂର୍ବରୁ ବରଗଡ ଜିଲ୍ଲାରେ ରାଜ୍ୟର ସର୍ବବୃହତ ଜଳସେଚନ ପ୍ରକଳ୍ପ ଗଙ୍ଗାଧର ଜଳସେଚନ ପ୍ରକଳ୍ପର ଘୋଷଣା କରିଥିଲେ, ଯାହାକି ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ ।

ସେହିପରି ଆଜି କଳାହାଣ୍ଡି ମାଟିରେ ଛିଡା ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଇନ୍ଦ୍ରାବତୀ ନଦୀ ଉପରେ ପାର୍ବତିଗିରି ଜଳସେଚନ ପ୍ରକଳ୍ପ ଘୋଷଣା କରିବା ମଧ୍ୟ କେବଳ ଧୂଆଁବାଣ ହୋଇ ରହିନଯାଉ ବୋଲି ଜୟନାରାୟଣ କହିଛନ୍ତି । କୋଭିଡ୍ କଟକଣାକୁ ବାହାନା କରି ଦୀର୍ଘ ୯ ମାସରୁ ଉର୍ଦ୍ଧ୍ୱ ଏକାନ୍ତ ବାସରେ ଥିବା ମୁଖ୍ୟମନ୍ତ୍ରୀ ଆଜି କୋଭିଡ୍ କଟକଣା ବଳବତର ଥିବା ସତ୍ୱେ ଏତେ ବଡ ଜନସମାଗମ ଆୟୋଜନ କରିବା କେତେଦୂର ଯଥାର୍ଥ ?କଳାହାଣ୍ଡି ଜିଲ୍ଲା ସବୁଠାରୁ ଅଧିକ ଚାଉଳ ଯୋଗାଉଛି ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ଆଜି କହିଛନ୍ତି । ମାତ୍ର ବହୁ ଆଡମ୍ବର ଏହି ସମାବେଶରେ ମୁଖ୍ୟମନ୍ତ୍ରୀ କୃଷକ କିମ୍ବା କୃଷକ କଲ୍ୟାଣ ପାଇଁ ପଦୁଟିଏ ନକହିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ।

Related posts